www.samajalive.in
Tuesday, December 9, 2025
15.1 C
Bhubaneswar

ପ୍ରାକ୍‌ ନିର୍ବାଚନ ହିଂସା

ହିଂସାକାଣ୍ଡ ଓ ରାଜନୈତିକ ହତ୍ୟା ମଧ୍ୟରେ ଅବାଧ ଓ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ। ପୁଲିସ ପ୍ରଶାସନ ଏସବୁ ଉପରେ ନିୟନ୍ତ୍ରଣରେ ରଖିବା ଆବଶ୍ୟକ। ଏବେ ସମଗ୍ର ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘସିପୁରା ନିର୍ବାଚନ ମଣ୍ଡଳୀରେ ଜଣେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ରାଜନୈତିକ ନେତାଙ୍କୁ ଯେଭଳି ଜଘନ୍ୟଭାବେ ହତ୍ୟା କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ଯେଉଁସବୁ ପ୍ରାଥମିକ ତଥ୍ୟ ମିଳୁଛି ସେଥିରୁ ସ୍ପଷ୍ଟ ହୋଇଯାଉଛି ଯେ ଏହା ଏକ ରାଜନୈତିକ ହତ୍ୟାକାଣ୍ଡ। ଏଥିରେ କିଏ ସଂପୃକ୍ତ ଓ ହତ୍ୟାର କାରଣ କ’ଣ ନିରପେକ୍ଷ ତଦନ୍ତରୁ ହିଁ ତାହା ଜଣାପଡ଼ିବ।
ଘସିପୁରା ବିଧାନସଭା ଆସନଟି ରାଜନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଏବଂ ସେଇ ଇଲାକାରେ ଗତ ପାଞ୍ଚବର୍ଷ ଧରି ବିଭିନ୍ନ ଗଣ୍ଡଗୋଳ ଓ ହିଂସାକାଣ୍ଡ କ୍ରମାଗତ ଘଟିଆସୁଛି। ନିର୍ବାଚନ ସମୟରେ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ ଏଭଳି ଜଘନ୍ୟ ହତ୍ୟା ନିଶ୍ଚିତ ଭାବେ ସେଠାକାର ଅତି ଉତ୍ତେଜନାପ୍ରବଣ ସ୍ଥିତିକୁ ପ୍ରମାଣିତ କରୁଛି। ଏହି ଘଟଣା ମଧ୍ୟ ସେ ଅଞ୍ଚଳରେ ଭୟ ଓ ଆତଙ୍କ ସୃଷ୍ଟି କରିବା ସ୍ବାଭାବିକ । ଏଥର ନିର୍ବାଚନ ଏକପାଖିଆ ଓ ଗୋଟିଏ ଦଳ ପ୍ରଭାବ ସର୍ବସ୍ବ ହେବ ନାହିଁ ବୋଲି ମନେ ହେଉଥିବାରୁ ରାଜନୈତିକ ଦୃଷ୍ଟିରୁ ଏହା ବେଶ ସଂଘର୍ଷଶୀଳ ଏବଂ ପ୍ରତିଦ୍ବନ୍ଦ୍ବିତାମୂଳକ ହେବ। ଏହି ସମୟରେ ଆଇନଶୃଙ୍ଖଳା ରକ୍ଷା ଓ ହିଂସାକାଣ୍ଡ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନକୁ ଅବଶ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିବ।
କଡ଼ା ମୁକାବିଲାମୂଳକ ରାଜନୈତିକ ସ୍ଥିତିରେ ଘସିପୁରା ଘଟଣା ସୂଚାଇ ଦେଉଛି ଯେ ରାଜ୍ୟରେ ଏଥର ଏମିତି ଏକାଧିକ ରାଜନୈତିକ ହତ୍ୟା ଓ ହିଂସା ଘଟିପାରେ। ମାଓବାଦୀ ଓ ଗଣତନ୍ତ୍ରରେ ବିଶ୍ବାସ ରଖୁନଥିବା ତତ୍ତ୍ବ ତ ହିଂସାକାଣ୍ଡ ଭିଆଇ ନିର୍ବାଚନ ଭଣ୍ଡୁର ପ୍ରୟାସରେ ଅଛନ୍ତି। ଏହାଛଡ଼ା ରାଜ୍ୟର ଅନେକ ଅତି ସଂବେଦନଶୀଳ ଆସନ ଓ ବୁଥ୍‌ରେ ମଧ୍ୟ କ୍ଷମତାଲିପ୍‌ସୁ ଓ ବାହୁବଳୀ ରାଜନେତାମାନେ ହିଂସାକାଣ୍ଡ ଭିଆଇ ନିଜର ଆଧିପତ୍ୟ ଜାହିର କରିବାକୁ ଚେଷ୍ଟା କରିବେ।
ରାଜ୍ୟରେ ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ପୁଲିସ ଓ ପ୍ରଶାସନ ମୁଖ୍ୟତଃ ନିର୍ବାଚନ କମିସନଙ୍କ ଅଧୀନରେ। ଏହା ଆମ ଗଣତନ୍ତ୍ରର ଏକ ଚମତ୍କାର ବୈଶିଷ୍ଟ୍ୟ। ତେଣୁ ଶାସକଦଳ ହେଉ କିମ୍ବା କୌଣସି ମନ୍ତ୍ରୀ, ତନ୍ତ୍ରୀଙ୍କ ପରାକ୍ରମ ଏବେ ଚଳିବ ନାହିଁ। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ନିରପେକ୍ଷଭାବେ କାର୍ଯ୍ୟ କରିବାକୁ ଏବେ ବାଧ୍ୟ। ଆଶା କରିବା ଆମ ପ୍ରଶାସନ ଓ ପୁଲିସ ବ୍ୟବସ୍ଥା ଏହି ଘଟଣାରୁ ଶିକ୍ଷା ଲାଭକରି ଅଧିକ ଦୃଢ଼ ଓ ତତ୍ପରତାର ସହ କାର୍ଯ୍ୟକରି ସମ୍ଭାବ୍ୟ ରାଜନୈତିକ ହିଂସା, ହତ୍ୟା ଓ ଗଣ୍ଡଗୋଳକୁ ନିୟନ୍ତ୍ରଣ କରିବାସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories