ପ୍ଲାଷ୍ଟିକ ନିଷେଧ ପ୍ରୟାସ
ପ୍ଲାଷ୍ଟିକ ପ୍ରଦୂଷଣ ଆମ ସମୟର ଏକ ବଡ଼ ବିପଦ। ବର୍ଜ୍ୟ ପ୍ଲାଷ୍ଟିକର ଉପଯୁକ୍ତ ପରିଚାଳନାର ଅଭାବରୁ ସଂପ୍ରତି ଏହା ଏକ ମହାବିପଦ ସୃଷ୍ଟି କରିଛି। ଅତଏବ ପ୍ଲାଷ୍ଟିକ ସାମଗ୍ରୀ, ବିଶେଷତଃ ପଲିଥିନ ବ୍ୟବହାର ଉପରେ କଟକଣା ଓ ଓଡ଼ିଶାକୁ ପ୍ଲାଷ୍ଟିକ ମୁକ୍ତ କରିବାର ପ୍ରୟାସ ଅବଶ୍ୟ ଅଭିନନ୍ଦନୀୟ। ଓଡ଼ିଶା ସରକାର ଆସନ୍ତା ଗାନ୍ଧିଜୟନ୍ତୀଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି କରିବାସହ ଦୁଇବର୍ଷ ମଧ୍ୟରେ ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ ହୋଇଥିଲେ ଏହାର ରୂପାୟଣ ବିଶେଷ ଗୁରୁତ୍ବ ରଖେ।
ପ୍ଲାଷ୍ଟିକ ଓ ପଲିଥିନ କେବଳ ଓଡ଼ିଶାର ନୁହେଁ, ଏହା ଏକ ଜାତୀୟ ଓ ଆନ୍ତର୍ଜାତିକ ସମସ୍ୟା। ଯେ ପର୍ଯ୍ୟନ୍ତ ଏହାର ଉତ୍ପାଦନ, ବ୍ୟବସାୟ ଓ ବିକ୍ରିବଟା ବନ୍ଦ ନହୋଇଛି ସେ ପର୍ଯ୍ୟନ୍ତ ଏହାକୁ ରୋକାଯାଇ ପାରିବ ନାହିଁ। ପ୍ଲାଷ୍ଟିକ ଏକ ଧନାଢ଼୍ୟ ଓ ଚାହିଦାସମ୍ପନ୍ନ ଉଦ୍ୟୋଗ। ପ୍ୟାକେଜିଂଠାରୁ ଆରମ୍ଭକରି ବିଭିନ୍ନ କ୍ଷେତ୍ରରେ ଏହାର ବ୍ୟବହାର ବହୁଳ। ଯେ ପର୍ଯ୍ୟନ୍ତ ଏହାର ବିକଳ୍ପ ଓ ପ୍ରାକୃତିକ ଉପାୟରେ ନଷ୍ଟ ହେଉଥିବା କୃତ୍ରିମ ସାମଗ୍ରୀ ନବାହାରିଛି ସେଯାଏ ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା କଷ୍ଟ ହେବ। ସରକାରୀ ପଦକ୍ଷେପ ସହିତ ବ୍ୟକ୍ତିଗତ ସଚେତନତା ମଧ୍ୟ ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ। ଯେ ପର୍ଯ୍ୟନ୍ତ ଆମେ ପ୍ଲାଷ୍ଟିକ ମୁଣା, ଥଳି ଆଦିକୁ ନା’ ନକହିଛୁ ସେ ପର୍ଯ୍ୟନ୍ତ ଏହାର ପ୍ରସାର ଚାଲିଥିବ। ରାଜ୍ୟର ବଡ଼ବଡ଼ ସହରରେ ପ୍ଲାଷ୍ଟିକ ନିଷିଦ୍ଧ ହେଲେ ସାନସାନ ସହରରୁ ଏହା ଚୋରାରେ ବଡ଼ ସହରକୁ ପଶିବ। ଏହାକୁ ସରକାର ପ୍ରଥେମ ରୋକିବା ଦରକାର। ତା’ ନ’ହେଲେ ଆମ ଲୋକ ଚରିତ୍ର ଯାହା ସେଥିରେ ଫଳ ଶୂନ ହେବା ସମ୍ଭାବନା ଅଧିକ।
ଆମ ଖାଉଟି ବଜାରରେ ପ୍ଲାଷ୍ଟିକ, ପଲିଥିନ ଓ ସେହିଭଳି ସାମଗ୍ରୀ ବ୍ୟବହାର ବହୁଳ। ତାହାକୁ ରୋକିବାପାଇଁ ଜାତୀୟ ସ୍ତରରେ ଉଦ୍ୟମ ନ’ହେଲେ ଓଡ଼ିଶା ଏକା ଏହା ବିରୋଧରେ ଲଢ଼େଇ କରି ସଫଳ ହେବା କଷ୍ଟ। ତଥାପି କଠୋର ସରକାରୀ ନୀତି ଓ ଜନସହଯୋଗ ଦ୍ବାରା ଏ କ୍ଷେତ୍ରରେ କିଛି ସଫଳତା ମିଳିବ। ଗୁଟ୍ଖା ନିଷେଧ ଭଳି ଏହା ଆଉ ଯେପରି ଏକ ପ୍ରହସନରେ ପରିଣତ ନ’ହୁଏ ସେଥିପ୍ରତି ସତର୍କ ରହିବାକୁ ପଡ଼ିବ।