କୃତ୍ରିମ ବନ୍ୟା
ବର୍ଷାଦିନ ଆସିଲେ ପ୍ରତିବର୍ଷ ‘କୃତ୍ରିମ ବନ୍ୟା’ ଶବ୍ଦଟି ଖୁବ୍ ଶୁଣିବାକୁ ମିଳୁଛି। ବିଶେଷକରି ରାଜ୍ୟର ବଡ଼ବଡ଼ ସହରନଗରରେ ରହୁଥିବା ଲୋକେ ଏ ଶବ୍ଦ ସହ ସୁପରିଚିତ ହୋଇଗଲେଣି। ଏହାର କାରଣ ସେଠାରେ ସାଧାରଣ ବର୍ଷା ହେଲେ ବି ବନ୍ୟା ସୃଷ୍ଟି ହେଉଛି। ଏ ବନ୍ୟା ଉଛୁଳା ନଦୀଜଳରୁ ହେଉନାହିଁ, ବରଂ ହେଉଛି ସହର ଭିତରେ ରହିଥିବା ଅସଂଖ୍ୟ ନାଳନର୍ଦମା ପାଣିରୁ। ତେଣୁ ଏହାକୁ କୃତ୍ରିମ ବନ୍ୟା ଆଖ୍ୟା ଦିଆଯାଉଛି, କିନ୍ତୁ ଏଭଳି ବନ୍ୟା ପାଇଁ ପ୍ରକୃତରେ କିଏ ଦାୟୀ? ପ୍ରତିବର୍ଷ ଏ ନେଇ ସରକାରୀ ଓ ପ୍ରାଶାସନିକ ସ୍ତରରେ ସମୀକ୍ଷା ହେଉଥିଲେ ହେଁ ତା’ର କିଛି ସୁପରିଣାମ ମିଳୁନାହିଁ।
ପୂର୍ବରୁ କଟକ ଭଳି ସହରରେ ନର୍ଦମାଜଳ ବନ୍ୟାରେ ଲୋକେ ଉବୁଟୁବୁ ହେଉଥିବା ଦେଖିବାକୁ ମିଳୁଥିବାବେଳେ ଏବେ ରାଜଧାନୀ ଭୁବନେଶ୍ବର, ପୁରୀ, ସମ୍ବଲପୁର, ବ୍ରହ୍ମପୁର ଆଦି ସହରରେ ମଧ୍ୟ ଲୋକଙ୍କୁ ଅସ୍ତବ୍ୟସ୍ତ କଲାଣି। ତେବେ ଏହାର କାରଣ ସମସ୍ତଙ୍କୁ ଜଣା। ଆମେ ଯଦି କିଛି ନିୟମକାନୁନ ମାନିବା ନାହିଁ ଓ ମନଇଚ୍ଛା କାମ କରିବା, ତେବେ ଏଭଳି ସମସ୍ୟା ଭୋଗିବାକୁ ତ ପଡ଼ିବ; କାରଣ ଏଥିରେ ସରକାରୀ ଅବହେଳାର ଯେତିକି ହାତ ଅଛି, ନାଗରିକମାନଙ୍କର ଅସଚେତନତା ଓ ଖାମଖିଆଲ ମନୋଭାବ ମଧ୍ୟ ସେହି ପରିମାଣରେ ଦାୟୀ। ସହର ଭିତରେ ଥିବା ନାଳନର୍ଦମାଗୁଡ଼ିକରେ ଘରର ଅଳିଆ ଆବର୍ଜନା ଫିଙ୍ଗିବା ସତେଯେମିତି ଲୋକଙ୍କର ଅଭ୍ୟାସଗତ ହୋଇଯାଇଛି। ଏଥିଯୋଗୁଁ ସେଗୁଡ଼ିକ ବନ୍ଦ ହୋଇଯିବା ଫଳରେ ଜଳ ନିଷ୍କାସନ ପାଇଁ ବାଟ ରହୁନାହିଁ। ଅନ୍ୟପକ୍ଷରେ ଲୋକେ ବେଆଇନ ଭାବେ ଘର ତିଆରି କରି ଜଳନିଷ୍କାସନ ପଥଗୁଡ଼ିକୁ ବନ୍ଦ କରିଦେଉଛନ୍ତି। ଏଥିଯୋଗୁଁ ସେମାନେ ନିଜେ ତ ହଇରାଣ ହେଉଛନ୍ତି, ଅନ୍ୟମାନେ ମଧ୍ୟ ଅଯଥା ସମସ୍ୟାରେ ପଡ଼ୁଛନ୍ତି। ଏଥିପ୍ରତି ସଚେତନ ନହେଲେ ଅବସ୍ଥା ଆଗକୁ ଆହୁରି ସଂଗିନ ହେବା ସୁନିଶ୍ଚିତ। ସରକାରୀ ବ୍ୟବସ୍ଥା ସବୁ ସମସ୍ୟାର ସମାଧାନ କରିବାରେ ଅନ୍ତତଃ ବର୍ତ୍ତମାନ ସୁଦ୍ଧା ସମର୍ଥ ହେବା ଭଳି ମନେହେଉନାହିଁ।
ସରକାରୀ ସ୍ତରରେ ଅବହେଳା ଏଭଳି ବିପର୍ଯ୍ୟୟର ଏକ ବଡ଼ କାରଣ। ଖବରକାଗଜ ରିପୋର୍ଟ ଅନୁଯାୟୀ ଗତ ମାସରୁ କଟକ ମହାନଗର ନିଗମ କମିସନର ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ବର୍ଷାବେଳେ ମୁଖ୍ୟ କାର୍ଯ୍ୟାଳୟ ନଛାଡ଼ିବାକୁ ଚିଠି ଲେଖିଥିଲେ। ଏହାକୁ କେହି ଗୁରୁତ୍ବ ଦେଲେ ନାହିଁ; ଫଳରେ ଗୋଟିଏ ରାତିର ବର୍ଷାରେ ସୃଷ୍ଟ କୃତ୍ରିମ ବନ୍ୟାରେ ସହରବାସୀ ଯେଉଁଭଳି ଅତିଷ୍ଠ ହେଲେ, ତାହା ଅନ୍ତତଃ ଏମାନଙ୍କ ଉପସ୍ଥିତି ଓ ଉଦ୍ୟମ ରହିଥିଲେ କିଛିଟା ଲାଘବ ହୋଇପାରିଥା’ନ୍ତା। ଜାଇକା ଏକ ଭଲ ପ୍ରକଳ୍ପ ଓ ଏହାକୁ ଠିକ୍ଭାବେ କାର୍ଯ୍ୟକାରୀ କରାଗଲେ ଭବିଷ୍ୟତରେ ଅନେକ ପରିମାଣରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କୁହାଯାଉଛି। ତଥାପି ଯେ କୌଣସି ବ୍ୟବସ୍ଥାର ସୁପରିଚାଳନା ନହେଲେ ତାହା ସ୍ବାଭାବିକ ଭାବେ ଅକାମୀ ହୋଇଯାଏ; ତେଣୁ ସରକାରୀ ସ୍ତରରେ ନିୟମିତ ଉଚିତ କାର୍ଯ୍ୟାନ୍ବୟନ ଓ ତଦାରଖ ଲୋଡ଼ା। ସେହିପରି ନାଗରିକମାନେ ମଧ୍ୟ ଦାୟିତ୍ବସଂପନ୍ନ ହେବା ସର୍ବାଦୌ ଆବଶ୍ୟକ। ବଡ଼ବଡ଼ ବିପର୍ଯ୍ୟୟକୁ ମଣିଷ ସାମ୍ନା କରିପାରୁଥିବାବେଳେ ମଣିଷକୃତ ଏହି ବିପର୍ଯ୍ୟୟ ଯେଭଳି ବହୁଲୋକଙ୍କ ପାଇଁ ଦୁଃଖର କାରଣ ହେଉଛି, ତାହା ପ୍ରକୃତରେ ଲଜ୍ଜାଜନକ।