ମୃତ୍ୟୁର ରାଜପଥ
ଭଦ୍ରକର ରାଣୀତାଲ ନିକଟରେ ଗୁରୁବାର ଘଟିଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ସ୍କୁଲ ଛୁଟି ପରେ ପିଲାମାନେ ସାଇକଲରେ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ିଯିବାରୁ ପାଞ୍ଚଜଣଙ୍କର ମୃତ୍ୟୁଘଟିଛି ଓ ସମାନ ସଂଖ୍ୟକ ପିଲା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଯାହା ଅକସ୍ମାତ୍ ଘଟେ ତାହା ଦୁର୍ଘଟଣା; କିନ୍ତୁ ଯାହା ବାରମ୍ବାର, ନିୟମିତ ଘଟେ ତା’କୁ ଦୁର୍ଘଟଣା କୁହାଯିବ କି? ଗାଡ଼ି ଧକ୍କା, ଚପା ଏବଂ ଓଲଟିବା ଓ ଏଥିରେ ଲୋକେ ମୃତାହତ ହେବା ସତେ ଯେପରି ଏକ ନିରାକରଣ ବିହୀନ ଅନିଚ୍ଛାକୃତ ବାସ୍ତବତାରେ ପରିଣତ ହୋଇଛି। ସରକାରୀ ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ହାରାହାରି ୧୨ଜଣଙ୍କର ମୃତ୍ୟୁଘଟେ ଏବଂ ବର୍ଷକୁ ପ୍ରାୟ ୪୪୦୦ ଲୋକ ପ୍ରାଣ ହରାଇଥାନ୍ତି। ଆହତଙ୍କ ସଂଖ୍ୟା ମୃତକଙ୍କ ତିନିଗୁଣ ଯେଉଁମାନଙ୍କ ମଧ୍ୟରୁ ଅଧେ ଜୀବନସାରା ପଙ୍ଗୁ ପାଲଟି ଯାଆନ୍ତି।
ଆହୁରି ଉଲ୍ଲେଖନୀୟ ଘଟଣା ହେଲା ଅଧିକାଂଶ ଦୁର୍ଘଟଣା ଟ୍ରକ ଓ ଅନ୍ୟ ଭାରିଯାନ ହିଁ ଘଟାଇଥାନ୍ତି। ଭିଡ଼ଯୋଗଁୁ ଓଡ଼ିଶାରେ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହିଁ ସବୁଠୁ ବେଶୀ ଦୁର୍ଘଟଣା ଘଟେ। ଅନଭିଜ୍ଞ ଚାଳକ, ଯାନ୍ତ୍ରିକ ତ୍ରୁଟି, ନିଶାସେବନ, ରାସ୍ତାର ଖରାପସ୍ଥିତି, ସଡ଼କରେ ପଶୁଙ୍କ ଅବାଧ ପ୍ରବେଶ, ରାସ୍ତାରେ ଯିବାବେଳେ ମୋବାଇଲ ବ୍ୟବହାର, ଅଧିକ ବେଗ ଓ ଓଜନର ସାମଗ୍ରୀ ପରିବହନ ଦୁର୍ଘଟଣାର କାରଣ। ଆଶା କରାଯାଉଥିଲା ଯେ ରାଜ୍ୟର ସଡ଼କ ପଥଗୁଡ଼ିକର ବିକାଶ ଫଳରେ ଦୁର୍ଘଟଣା ହାର କମିବ। ବାସ୍ତବରେ ତାହା ନହୋଇ ଓଲଟା ଘଟୁଛି। ସରକାର ସ୍ବଳ୍ପ ବ୍ୟବଧାନରେ ଟୋଲଗେଟ୍ମାନ ବସାଇ ମାତ୍ରାଧିକ ଟୋଲ ଟିକସ ଆଦାୟ କରୁଥିବାରୁ ତାହାକୁ ଭରଣା କରିବାକୁ ଟ୍ରକ୍, ବସ୍ ଆଦି ଧାର୍ଯ୍ୟ କ୍ଷମତାଠାରୁ ଅଧିକ ମାଲ, ଯାତ୍ରୀ ନେଉଛନ୍ତି। ଏକାଧିକ ଲେନ୍ ହେବା ସତ୍ତ୍ବେ ସଡ଼କରେ ଅତି ଅଧିକ ଓଜନ ନେଇ ଯାଉଥିବା ଯାନଗୁଡ଼ିକ ସାମାନ୍ୟ କାରଣରୁ ନିୟନ୍ତ୍ରଣ ହରାଇ ଦୁର୍ଘଟଣା ଘଟାଉଛନ୍ତି। ଏବେ ତ ଟ୍ରକଗୁଡ଼ିକୁ ନିଜର ଧାର୍ଯ୍ୟ କ୍ଷମତାଠାରୁ ଦେଢ଼ା ବା ଦୁଇଗୁଣ ଓଜନର ସାମଗ୍ରୀ ପରିବହନକୁ ଆଇନସମ୍ମତ କରିବାକୁ ସରକାର ବିଚାର କରୁଛନ୍ତି। ଆମ ବିଚାରରେ ଭାରତୀୟ ସଡ଼କ ଓ ଯାନସମୂହ ଏହି ଅତିରିକ୍ତ ବୋଝ ବୋହିବାକୁ ଏଯାଏ ସମର୍ଥ ହୋଇନାହାନ୍ତି ଏବଂ ଏଥିଯୋଗୁଁ ଦୁର୍ଘଟଣା ଆହୁରି ବଢ଼ିପାରେ।
ସବୁ ପ୍ରମୁଖ ସଡ଼କର ଦୁର୍ଘଟଣାପ୍ରବଣ ସ୍ଥାନମାନ ଥାଏ। ନିର୍ମାଣଗତ ତ୍ରୁଟି କିମ୍ବା ପ୍ରାକୃତିକ ପ୍ରତିବନ୍ଧକ ଯୋଗୁଁ ଏହା ହୋଇଥାଏ। ସେସବୁ ସ୍ଥାନରେ ଉଚିତ ପ୍ରତିକାର ଲୋଡ଼ା। ଯାନବାହନ ସଂଖ୍ୟା ଯେଉଁ ପରିମାଣରେ ବଢ଼ୁଛି ତା’ପାଇଁ ସଡ଼କ ଓ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିର ବିକାଶ ଯଥେଷ୍ଟ ହୋଇନାହିଁ। ଏଭଳି ସ୍ଥିତିରେ ସବୁଠୁ ବଡ଼କଥା ହେଲା ସଡ଼କ ସୁରକ୍ଷା ଓ ସତର୍କତା। ବେଗ ଉପରେ ନିୟନ୍ତ୍ରଣ, ନିରାପତ୍ତା ଓ ରାସ୍ତା ଉପରେ ଧ୍ୟାନ ରହିଲେ ଅନେକ ଦୁର୍ଘଟଣାକୁ ଏଡ଼ାଇ ହେବ।