ଆଉ କେତେ କାଳ ବର୍ଣ୍ଣ-ଜାତି ବ୍ୟବସ୍ଥା?

0

ଜୟକୃଷ୍ଣ ସାହୁ

prayash

ଆଉ କେତେକାଳ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା (‘ସମାଜ’, ତା ୧୨.୦୯) ମାଧ୍ୟମରେ ଲେଖକ ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥାକୁ ଅନାବଶ୍ୟକ, ଅଯୌକ୍ତିକ ଓ ଅନ୍ୟାୟପୂର୍ଣ୍ଣ ରୂପେ ଚିତ୍ରିତ କରିବାର ଏକ ବଳିଷ୍ଠ ପ୍ରୟାସ କରିଛନ୍ତି ଏବଂ ଅନେକାଂଶରେ ସେ ସଫଳ ମଧ୍ୟ ହୋଇଛନ୍ତି। ତେବେ ତାଙ୍କ ଲେଖାର ଦୁଇଟି ମୁଖ୍ୟ ବିନ୍ଦୁ – ପ୍ରଥମ, ସମ୍ବିଧାନ-ପ୍ରଣେତାମାନେ କେବଳ ୧୦ ବର୍ଷ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଥିଲେ; ଦ୍ବିତୀୟ, ଅତି ଦୀର୍ଘ ସମୟ ଧରି ଏହି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବା ଦ୍ବାରା କେବଳ ଅତୀତର ଦୁର୍ବଳ ଶ୍ରେଣୀ ସବଳ ହୋଇ ନାହାନ୍ତି, ବରଂ ଅତୀତର ସବଳ ଶ୍ରେଣୀ ମଧ୍ୟ ଆଜି ଦୁର୍ବଳ ହୋଇପଡିଛନ୍ତି, ଉଭୟ ତ୍ରୁଟିପୂର୍ଣ ତଥ୍ୟ ଉପରେ ଆଧାରିତ ।
ପ୍ରଥମ ତ୍ରୁଟିପୂର୍ଣ୍ଣ ତଥ୍ୟ ହେଲା, “ସ୍ବାଧୀନତା ପରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଯେଉଁ ସ୍ଥାନ ସଂରକ୍ଷଣ କରାଗଲା ତାହା କେବଳ ଦଶ ବର୍ଷ ପାଇଁ କରାଯାଇଥିଲା” । ସଂରକ୍ଷଣକୁ ବିରୋଧ କରୁଥିବା ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଅନେକ ବିଜ୍ଞ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ପ୍ରାୟତଃ ଏହି ଭୁଲ ତଥ୍ୟର ଅବତାରଣା କରିଥା’ନ୍ତି । ବର୍ତ୍ତମାନ ଆମେ ସାଧାରଣତଃ ସଂରକ୍ଷଣ କହିଲେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବୁଝିଥାଉ । ବାସ୍ତବିକତା ଏହା ଯେ ଆମ ସମ୍ବିଧାନ ଏଭଳି ସଂରକ୍ଷଣକୁ କେବେ ୧୦ ବର୍ଷ ବା କୌଣସି ସମୟ ସୀମାରେ ଆବଦ୍ଧ କରି ନାହିଁ ।
ଯେଉଁ ବିଷୟରେ ସମ୍ବିଧାନ ୧୦ ବର୍ଷର ସମୟସୀମା ନିର୍ଦିଷ୍ଟ କରିଛି, ତାହାକୁ ଏଠାରେ ସ୍ପଷ୍ଟ କରିଦେବା ନିତାନ୍ତ ଆବଶ୍ୟକ । ସମ୍ବିଧାନର ୧୬ଶ ଅଧ୍ୟାୟରେ ପ୍ରଦତ୍ତ ଧାରା ୩୩୦ ଅନୁଯାୟୀ ସଂସଦର ଲୋକସଭାରେ କେତେକ ଆସନ ପାଇଁ ତଫସିଲଭୁକ୍ତ ଜାତି ଓ ଉପଜାତି ପାଇଁ ସଂରକ୍ଷଣ କରାଯିବ । ଧାରା ୩୩୧ ଅନୁଯାୟୀ ୨ ଜଣ ଆଙ୍ଗ୍ଲୋ-ଇଣ୍ଡିଆନ ସଂପ୍ରଦାୟର ବ୍ୟକ୍ତିଙ୍କୁ ରାଷ୍ଟ୍ରପତି ଲୋକସଭାକୁ ମନୋନୀତ କରିପାରିବେ । ଠିକ ସେହିଭଳି ଧାରା ୩୩୨ ଅନୁଯାୟୀ ରାଜ୍ୟ ବିଧାନସଭାରେ ମଧ୍ୟ କେତେକ ନିର୍ଦିଷ୍ଟ ଆସନ ପାଇଁ ତଫସିଲଭୁକ୍ତ ଜାତି ଓ ଉପଜାତି ପାଇଁ ସଂରକ୍ଷଣ ବ୍ୟବସ୍ତା ରହିବ । ଧାରା ୩୩୩ ଅନୁଯାୟୀ ରାଜ୍ୟପାଳ ଜଣେ ଆଙ୍ଗ୍ଲୋ-ଇଣ୍ଡିଆନ ସଂପ୍ରଦାଯର ବ୍ୟକ୍ତିଙ୍କୁ ବିଧାନସଭାକୁ ମନୋନୀତ କରିପାରିବେ । ଧାରା ୩୩୪ ଅନୁଯାୟୀ ଏହିସବୁ ରାଜନୈତିକ ବା ଲୋକପ୍ରତିନିଧିଙ୍କ ସଂରକ୍ଷଣକୁ ମୂଳ ସମ୍ବିଧାନରେ କେବଳ ୧୦ ବର୍ଷ ପାଇଁ କରାଯାଇଥିଲା, କିନ୍ତୁ ପ୍ରତି ୧୦ ବର୍ଷରେ ସଂସଦରେ ସମ୍ବିଧାନ ସଂଶୋଧନ ମାଧ୍ୟମରେ ଆଜି ତାହାକୁ ୭୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି । ଧାରା ୩୩୬ ଓ ୩୩୭ରେ ପ୍ରଦତ୍ତ ଆଙ୍ଗ୍ଲୋ-ଇଣ୍ଡିଆନଙ୍କ ପାଇଁ କେତେକ କ୍ଷେତ୍ରରେ ନିଯୁକ୍ତି ପାଇଁ ଓ ଶିକ୍ଷା ବିଷୟରେ ଅନୁଦାନ ପାଇଁ ଯେଉଁ ସଂରକ୍ଷଣ ପ୍ରଦାନ କରାଯାଇଛି ତାହାକୁ ମଧ୍ୟ ମୂଳ ସମ୍ବିଧାନରେ ୧୦ ବର୍ଷରେ ସୀମିତ ରଖାଯାଇଥିଲା ।
ଧାରା ୧୫(୪)(୫), ଧାରା ୧୬(୩)(୪) ଓ ଧାରା ୩୩୫ ମାଧ୍ୟମରେ ଶିକ୍ଷା, ନିଯୁକ୍ତି, ସେବା ଓ ପଦ ଇତ୍ୟାଦି କ୍ଷେତ୍ରରେ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କୁ ଯେଉଁ ସଂରକ୍ଷଣ ପ୍ରଦାନ କରାଯାଇଛି ସେଥିରେ କୌଣସି ସାମ୍ବିଧାନିକ ସମୟସୀମା ନ।ହିଁ । ପ୍ରକୃତରେ ମୂଳ ସମ୍ବିଧାନରେ ଏହିଭଳି ସଂରକ୍ଷଣର ବ୍ୟବସ୍ଥା ହିଁ ନଥିଲା । ଧର୍ମ, ବଂଶ, ଜାତି, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଭିତ୍ତିରେ ନାଗରିକଙ୍କୁ କୌଣସି ପକ୍ଷପାତ କରିବା କ୍ଷେତ୍ରରେ ରାଷ୍ଟ୍ରକୁ ସମ୍ବିଧାନର ଧାରା ୧୫ ବାରଣ କରେ, କିନ୍ତୁ ଧାରା ୧୫(୩) କେବଳ ମହିଳା ଓ ଶିଶୁମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା କରିବା ପାଇଁ ଅନୁମତି ପ୍ରଦାନ କରିଥିଲା । ଧାରା ୩୩୮, ୩୩୯ ଓ ୩୪୦ ମାଧ୍ୟମରେ ସଂସଦଦ୍ବାରା ଯଥାକ୍ରମେ ତଫସିଲଭୁକ୍ତ ଜାତି, ତଫସିଲଭୁକ୍ତ ଜନଜାତି ଓ ଅନ୍ୟାନ୍ୟଙ୍କ ପାଇଁ ଗୋଟିଏ ଗୋଟିଏ ଆୟୋଗ ଗଠନ କରାଯିବାର ବ୍ୟବସ୍ଥା ରହିଲା ।
୧୯୫୧ ମସିହାରେ ସମ୍ବିଧାନର ପ୍ରଥମ ସଂଶୋଧନ ମାଧ୍ୟମରେ ସାମାଜିକ ଓ ଶୈକ୍ଷିକ କ୍ଷେତ୍ରରେ ଅନୁନ୍ନତ ତଥା ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରଚଳନର ଦ୍ବାର ଉନ୍ମୋଚିତ ହେଲା । ମୂଳ ସମ୍ବିଧାନର ଧାରା ୧୬, ସର୍ବସାଧାରଣ ନିଯୁକ୍ତି କ୍ଷେତ୍ରରେ ନାଗରିକଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ଏବଂ ଧର୍ମ, ବଂଶ, ଜାତି, ଲିଙ୍ଗ କିମ୍ବା ଜନ୍ମସ୍ଥାନ ଭିତ୍ତିରେ ନାଗରିକଙ୍କୁ କୌଣସି ପକ୍ଷପାତ ନକରିବା ରାଷ୍ଟ୍ରକୁ ନିର୍ଦେଶ ଦିଏ ।
୧୯୫୬ ମସିହାରେ ସମ୍ବିଧାନର ୭ମ ସଂଶୋଧନ ମାଧ୍ୟମରେ ଧାରା ୧୬(୩) ରେ ଉଲ୍ଲେଖ କରାଗଲା ଯେ ସମାଜର କୌଣସି ଦୁର୍ବଳ ଶ୍ରେଣୀ ପାଇଁ ସାଂସଦ ଆଇନ ପ୍ରଣୟନ କରି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିପାରିବ । ୧୯୯୫ରେ ସମ୍ବିଧାନର ୭୭ତମ ସଂଶୋଧନ ମାଧ୍ୟମରେ ଧାରା ୧୬ ରେ (୪-କ) ଯୋଡ଼ାଯାଇ ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କୁ ଚାକିରି କ୍ଷେତ୍ରରେ, ଏବଂ ୨୦୦୨ ରେ ପୁଣି ୮୫ତମ ସଂଶୋଧନ ମାଧ୍ୟମରେ ଏହି ଶ୍ରେଣୀର ଲୋକଙ୍କୁ ପଦୋନ୍ନତି କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ପ୍ରଦାନ କରାଗଲା । ୧୯୯୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂହ ମଣ୍ଡଳ କମିଶନ ରିପୋର୍ଟ ଲାଗୁ କରି ଚାକିରି କ୍ଷେତ୍ରରେ ଅନ୍ୟ ଅନଗ୍ରସର ଜାତିଙ୍କୁ ୨୭% ସଂରକ୍ଷଣ ପ୍ରଦାନ କରିବା ଘୋଷଣା କାଲେ । ଏହି ନିଷ୍ପତ୍ତିକୁ ରଦ୍ଦ କରିବାପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର ହେଲା, କିନ୍ତୁ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଗ୍ରହଣ କଲେ ନାହିଁ ।
ଲେଖକଙ୍କ ଦ୍ବିତୀୟ ତଥ୍ୟ ବା ଦାବି ହେଲା: ସଂରକ୍ଷଣ ବ୍ୟବସ୍ଥା ପାଇଁ ସାତ ଦଶକ ଏକ ଖୁବ ଦୀର୍ଘ ସମୟ ଏବଂ ଏହି ସମୟ ମଧ୍ୟରେ ଅତୀତର ଦୁର୍ବଳ ଶ୍ରେଣୀ ସବଳ ହୋଇ ପଡିଛନ୍ତି ଏବଂ ସବଳ ଶ୍ରେଣୀ ଦୁର୍ବଳ ହୋଇ ପଡିଛନ୍ତି ଏବଂ ଏହାଦ୍ବାରା ଉଚ୍ଚବର୍ଗର ଲୋକେ ହତାଶ ହୋଇ ହିଂସାର ଆଶ୍ରୟ ନେଉଛନ୍ତି କିମ୍ବା ସେମାନଙ୍କ ବୃତ୍ତିକୁ ପରିବର୍ତ୍ତିତ କରିବାକୁ ବାଧ୍ୟ ହେଉଛନ୍ତି । ଲେଖକ ଯଦି ବର୍ତ୍ତମାନର ସଂରକ୍ଷଣର ଐତିହାସିକ କାରଣ ଉପରେ ସମ୍ୟକ ଆଲୋକପାତ କରିଥାନ୍ତେ ତେବେ ସେ କେବେହେଲେ ୬୮ ବର୍ଷର ସଂରକ୍ଷଣକୁ ଖୁବ ଦୀର୍ଘ ସମୟ ରୂପେ ପରିଗଣିତ କରି ନ ଥାନ୍ତେ ।
ପ୍ରାଚୀନ ବୈଦିକ କାଳରେ ଜନତାଙ୍କୁ ସେମାନଙ୍କ ଗୁଣ, କର୍ମ ତଥା ସ୍ବଭାବ ଅନୁଯାୟୀ ଚାରି ଭାଗରେ ବିଭାଜିତ କରାଯାଇଥିଲା ଏବଂ ଏହାକୁ “ଚତୁର୍ବର୍ଣ୍ଣ” ବ୍ୟବସ୍ଥାରେ ନାମିତ କରାଯାଇଥିଲା ।
କାଳକ୍ରମେ ଏହି ଗୁଣ-କର୍ମ-ସଦ୍‌ଭାବଭିତ୍ତିକ ବର୍ଣ୍ଣ ବ୍ୟବସ୍ଥା ଅପଭ୍ରଷ୍ଟ ହୋଇ ଜନ୍ମଭିତ୍ତିକ ବର୍ଣ୍ଣ-ଜାତି ବ୍ୟବସ୍ଥାରେ ପରିଣତ ହେଲା । ଦୁଃଖଦ ବିଡମ୍ବନା ହେଲା, ସେହି କଳୁଷିତ ବ୍ୟବସ୍ଥା ଆଜିର ଆଧୁନିକ, ବୈଜ୍ଞାନିକ, ଗଣତାନ୍ତ୍ରିକ ଯୁଗରେ ମଧ୍ୟ ଭାରତରୁ ବିଲୋପ ହୋଇ ନାହିଁ ।
ଜନ୍ମ-ଭିତ୍ତିକ ବର୍ଣ୍ଣ ବ୍ୟବସ୍ଥା, ସଂରକ୍ଷଣ ବ୍ୟବସ୍ଥାର ଏକ ନିକୃଷ୍ଟତମ ଉଦାହରଣ । ପାଞ୍ଚ ହଜାର ବର୍ଷର ଅମାନବୀୟ ସଂରକ୍ଷଣ ବ୍ୟବସ୍ଥା ବନାମ ୬୮ ବର୍ଷର ସଂରକ୍ଷଣ ବ୍ୟବସ୍ଥା! ଯେଉଁ ବୁଦ୍ଧିଜୀବୀମାନେ ୬୮ ବର୍ଷର ସଂରକ୍ଷଣ ବ୍ୟବସ୍ଥାକୁ ଶତମୁଖ ହୋଇ ସମାଲୋଚନା କରୁଛନ୍ତି, ସେମାନେ ସହସ୍ର ବର୍ଷର ସଂରକ୍ଷଣ ବ୍ୟବସ୍ଥା ବିଷୟରେ ସମ୍ପୂର୍ଣ୍ଣ ନୀରବ କାହିଁକି? ଦେଶରୁ ତଥା ସମାଜରୁ ସମସ୍ତ ପ୍ରକାରର ସଂରକ୍ଷଣ – ଧାର୍ମିକ, ସାମାଜିକ, ରାଜନୈତିକ, ଶୈକ୍ଷିକ ଓ ନିଯୁକ୍ତି – ବ୍ୟବସ୍ଥାର ବିଲୋପ ପାଇଁ ସେମାନେ ସ୍ବର ଉତ୍ତୋଳନ କରୁନାହାନ୍ତି କାହିଁକି ?
ବରିଷ୍ଠ ଆଇନଜୀବୀ, ବଲାଙ୍ଗିର

Leave A Reply