‘ବର୍ବର ହତ୍ୟା’ର ଇତିହାସ
ପ୍ରୀତୀଶ ଆଚାର୍ଯ୍ୟ
ଅଷ୍ଟାଦଶ ଶତାବ୍ଦୀର ଶେଷାର୍ଦ୍ଧରେ ଇଂରେଜ ଉପନିବେଶବାଦ ବିରୋଧରେ ଆମେରିକାରେ ସଶସ୍ତ୍ର ମୁକ୍ତି ସଂଗ୍ରାମ ଚାଲିଥିଲା। ସେତେବେଳେ ଚାର୍ଲସ୍୍ ଲିନ୍ଚ ନାମକ ଜଣେ ମୁକ୍ତି ସଂଗ୍ରାମୀ ନିଜ ବୁଦ୍ଧିରେ ମୁକ୍ତି ସଂଗ୍ରାମ ବିରୋଧୀ ଏବଂ ଉପନିବେଶବାଦ ସମର୍ଥକ ହେବା ସନ୍ଦେହରେ ଲୋକମାନଙ୍କୁ ମୁକ୍ତି ସମର୍ଥକ ଦଳେ ଲୋକଙ୍କ ସହାୟତାରେ ଧରୁଥିଲେ ଏବଂ ବିନା ବିଚାରରେ ବେତ୍ରାଘାତ ଆଦି ତଡ଼ିତ୍ ଦଣ୍ଡବିଧାନ କରୁଥିଲେ। ଏହି ବ୍ୟବସ୍ଥାକୁ ସେ ଯୁଦ୍ଧକାଳୀନ ଆବଶ୍ୟକତା କହି ତା’ର ଔଚିତ୍ୟ ଦର୍ଶାଉଥିଲେ। ଚାର୍ଲସ୍ ଲିନ୍ଚଙ୍କ ନାଁରେ ଏହାକୁ କୁହାଗଲା ଲିନ୍ଚ ଆଇନ। ପ୍ରଥମଥର ଲାଗି ତା’ର ପ୍ରୟୋଗ ହୋଇଥିଲା ୧୭୮୦ ମସିହାରେ। ସେହିଦିନଠାରୁ ଇଂରାଜୀରେ ନୂଆକରି ଶବ୍ଦଟିଏ ପଶିଲା- ଲିନ୍ଚିଙ୍ଗ୍। ଓଡ଼ିଆରେ ଅନୁବାଦ କଲେ ହେବ ‘ଉଚ୍ଛୃଙ୍ଖଳ ଜନତା ହାତରେ ବର୍ବର ହତ୍ୟା’। ତାକୁ ସଂକ୍ଷେପରେ ଆମେ ‘ବର୍ବର ହତ୍ୟା’ ବୋଲି ଉଲ୍ଲେଖ କରିପାରିବା। ଏଥିରେ ଜଣେ ବା ଏକାଧିକ ବ୍ୟକ୍ତିକୁ ଅନେକ ସମୟରେ କେବଳ ଅଭିଯୋଗ ଆଧାରରେ କୌଣସି ଏକ ଅପରାଧ ପାଇଁ ଦାୟୀ ମନେ କରାଯାଏ ଏବଂ ତାକୁ ବିନା ବିଚାର ପ୍ରକ୍ରିୟାରେ ସର୍ବସମକ୍ଷରେ ପିଟିପିଟି ମାରି ଦିଆଯାଏ। ହତ୍ୟା ପ୍ରକ୍ରିୟାରେ ଉଚ୍ଛୃଙ୍ଖଳ ଜନତା ସାମିଲ ଥାଏ, ଯଦିଓ ତା’ପଛରେ ପ୍ରମୁଖ ଭୂମିକା ଥାଏ ଜଣେ ବା ଏକ ନ୍ୟସ୍ତସ୍ବାର୍ଥ କ୍ଷୁଦ୍ର ଗୋଷ୍ଠୀର। କ୍ଷୁଦ୍ର ଗୋଷ୍ଠୀଟି ଅନେକ ସମୟରେ ଘଟଣାସ୍ଥଳରେ ମଧ୍ୟ ଉପସ୍ଥିତ ନଥାଏ ଏବଂ ଯଦିବା ତା’ର କେହି ସଦସ୍ୟ ଉପସ୍ଥିତ ରହନ୍ତି ତାଙ୍କୁ ଗିରଫର ବି ସମ୍ମୁଖୀନ ହେବାକୁ ପଡ଼ିନପାରେ। ଅନ୍ୟ କେତେକ ହତ୍ୟାରେ ସାମିଲ ପ୍ରରୋଚିତ ବ୍ୟକ୍ତି ଗିରଫ ହୁଅନ୍ତି, କାରଣ ହତ୍ୟା ଘଟଣାକୁ ପ୍ରଦର୍ଶନୀୟ କରାଯାଇଥାଏ। ପ୍ରାୟତଃ ହତ୍ୟାକାଣ୍ଡ ଭିଆଣର ଦୃଶ୍ୟକୁ ଟିପି ରଖି ତା’କୁ ଏକ କୃତିତ୍ବର କାର୍ଯ୍ୟ ରୂପେ ପ୍ରଦର୍ଶନୀୟ କରାଯାଏ। ଫଳରେ ଦୃଶ୍ୟମାନ ହେଉଥିବା ବ୍ୟକ୍ତି ଅସଲି ହତ୍ୟାକାରୀ ହୋଇ ବି ନ ଥାଇପାରନ୍ତି।
ଯଦିଓ ଆମେରିକା ସଶସ୍ତ୍ର ମୁକ୍ତି ସଂଗ୍ରାମ ବେଳେ ଲିନ୍ଚିଙ୍ଗ ଶବ୍ଦଟିର ଉତ୍ପତ୍ତି, ଏହି ଧରଣର ବର୍ବର ହତ୍ୟା ପ୍ରାଚୀନ ଓ ମଧ୍ୟକାଳରେ ମଧ୍ୟ ସଂଘଟିତ ହେଉନଥିବ ବୋଲି କରିହେବ ନାହିଁ। ଅସଲରେ ଆଦିମ ମାନବ ମେଳିରେ ଯେମିତି ପଶୁଟିକୁ ଶିକାର କରୁଥିଲା, ସେହି ଧରଣର ଆଚରଣ ଲିନ୍ଚିଙ୍ଗରେ ପ୍ରଦର୍ଶିତ ହୋଇଥାଏ ବୋଲି ତାକୁ ‘ବର୍ବର ହତ୍ୟା’ କହିବା ଠିକ୍ ହେବ।
ସେ ଯାହାହେଉ, ଆମେରିକା ସଂଗ୍ରାମବେଳେ ଯଦିଓ ଏହାର ଉତ୍ପତ୍ତି, ଆମେରିକୀୟ ମୁକ୍ତିକାମୀମାନେ ଏଭଳି ବର୍ବର ହତ୍ୟାକୁ ଅନୁମୋଦନ କରିବା ତ ପଛ କଥା, ଖୁବ୍ଶୀଘ୍ର ତା’ର ତୀବ୍ର ସମାଲୋଚନା ଆରମ୍ଭ କଲେ। ନିଜେ ଚାଲ୍ସ ଲିନ୍ଚ ମଧ୍ୟଏହାକୁ କେବଳ ଏକ ‘ଯୁଦ୍ଧକାଳୀନ ଆବଶ୍ୟକତା’ ଭାବରେ ସାମୟିକ ବୋଲି କହୁଥିଲେ। ପ୍ରକୃତରେ ଦେଖିଲେ ଆମେରିକା ମୁକ୍ତି ସଂଗ୍ରାମ ଓ ତା’ର ପ୍ରଭାବରେ ଅଳ୍ପ କେତେବର୍ଷ ପରେ ଆରମ୍ଭ ହୋଇଥିବା ଫରାସୀ ବିପ୍ଳବର (୧୭୮୯)ର ବୀଜମନ୍ତ୍ର ଥିଲା ଆଇନର ସମାନତା- ପ୍ରତ୍ୟେକ ବ୍ୟକ୍ତି ଆଇନ ଆଗରେ ସମାନ। ସେମାନଙ୍କୁ ପକ୍ଷପାତର ଶିକାର ହେବାକୁ ପଡ଼ିବ ନାହିଁ। ଅର୍ଥାତ୍ କାହାକୁ ଆଇନର ପ୍ରକ୍ରିୟା ମଧ୍ୟରୁ ତିରୋହିତ କରାଯିବ ନାହିଁ, ଯଦିଓ ଉକ୍ତ ବ୍ୟକ୍ତି ବିରୋଧରେ ଗୁରୁତର ଅଭିେଯାଗ ଥାଇପାରେ। ମାତ୍ର ଲିନ୍ଚିଙ୍ଗ୍ ସର୍ବଦା ଆଇନର ଏହି ଅବଧାରଣାକୁ ମାନେ ନାହିଁ। ଆଇନର ଊର୍ଦ୍ଧ୍ବକୁ ଯାଇ ଅଭିଯୁକ୍ତକୁ କଠୋରତମ ଦଣ୍ଡ ଦିଏ ଏବଂ ଉକ୍ତ ଜଘନ୍ୟ କାଣ୍ଡର ପ୍ରକ୍ରିୟାକୁ ଉଚିତ୍ ବୋଲି କହେ। ସଭ୍ୟତା ଓ ଲିନ୍ଚିଙ୍ଗ ମଧ୍ୟେର ଏହି ଅନ୍ତର୍ବିରୋଧ ଯୋଗୁଁ ପରବର୍ତ୍ତୀ ସମୟରେ ଯାହା ଯେଉଁଠି ଏଭଳି କାଣ୍ଡ ହୋଇଛି, ତା’ର ମୁଖର ସମର୍ଥକ ମିଳିବା କାଠିକର। ଯେଉଁମାନେ ତା’ର ସମର୍ଥକ, ସେମାନେ କେବଳ ପରୋକ୍ଷରେ ଓ ମୌନ ଭାେବ ତା’ର ସମର୍ଥନ କରନ୍ତି। ଏଭଳି କାଣ୍ଡରେ ଜଡ଼ିତ ବ୍ୟକ୍ତିମାନଙ୍କର ଗିରଫଦାରୀକୁ ସେମାନେ ନିନ୍ଦା କରନ୍ତି, କିନ୍ତୁ ପ୍ରାୟତଃ ସେମାନଙ୍କ ଅଦାଲତ ଖର୍ଚ୍ଚ ସେମାନେ ଯୋଗାଡ଼ କରନ୍ତି। ଫଳରେ ସମୟକ୍ରମେ ଏଭଳି ହତ୍ୟାକାରୀମାନେ ସେମାନଙ୍କ ଅନ୍ଧଭକ୍ତ ହେବାକୁ ବାଧ୍ୟ ହୁଏ। ଅନେକ ସମୟରେ ସେମାନେ ଯୁକ୍ତି ଦିଅନ୍ତି ଯେ, ‘ଲିନ୍ଚିଙ୍ଗ୍’ର ଶିକାର ବ୍ୟକ୍ତି ‘ପ୍ରକୃତ’ ଅପରାଧୀ; ତେଣୁ ଉଚ୍ଛୃଙ୍ଖଳ ଜନତା ଦ୍ବାରା ତା’ର ବର୍ବରହତ୍ୟା ଅବଧାରିତ। ଏହା ଏଭଳି କାଣ୍ଡକୁ ପ୍ରୋତ୍ସାହିତ କରେ ଏବଂ ଯେଉଁ କେତେଜଣ ହତ୍ୟା କରିବାରେ ଅଗ୍ରଣୀ ଭୂମିକା ନେଇଥାନ୍ତି ତାଙ୍କୁ ସ୍ଥାନୀୟ ସ୍ତରରେ ‘ନାୟକ’ର ମର୍ଯ୍ୟାଦା ଦିଏ। ଏହି ‘ନାୟକ’ ପୁଣି ମହଦାକାଙ୍କ୍ଷୀ ହେଲେ ଭସ୍ମାସୁର ପାଲଟିବାର ଆଶଙ୍କା ବୃଦ୍ଧି ପାଏ। ପ୍ରତ୍ୟେକ ବର୍ବର ହତ୍ୟା ଘଟଣାର ପ୍ରକୃତ ଷଡ଼ଯନ୍ତ୍ରକାରୀ କିଏ, କେଉଁମାନେ ଅସଲରେ ଅଭିଯୁକ୍ତକୁ ଗୋଡ଼ାଇ ଗୋଡ଼ାଇମାରିଲେ ତାହା ସ୍ଥାନୀୟ ସମାଜରେ ସର୍ବଜ୍ଞାତ ଥାଏ, ଯଦିଓ ପୁଲିସ ଓ ଆଇନ ରକ୍ଷାକାରୀଙ୍କ ଲାଗି ଏହା ଏକ ଅସମାହିତ ‘ପହେଲି’। ଏହାର ଷଡ଼ଯନ୍ତ୍ରକାରୀ ଯଦି ପ୍ରାଶାସନିକ ପଦରେ, ତା’ହେଲେ ଦୃଶ୍ୟମାନ ଅପରାଧୀର ଦଣ୍ଡ ପାଇବା କାଠିକର ହୋଇପଡ଼େ।
କିଛି ବର୍ଷ ହେଲା ଭାରତର ବି ବିଭିନ୍ନ ସ୍ଥାନରେ ‘ଲିନ୍ଚିଙ୍ଗ’ ବା ‘ବର୍ବର ହତ୍ୟା’ର ଘଟଣାମାନ ବଢ଼ିବଢ଼ି ଚାଲିଛି। ତା’ ପାଇଁ ପ୍ରସଙ୍ଗ ହେଲା ‘ଗୋରକ୍ଷା’। ଏବେ ତହିଁରେ ‘ପିଲାଚୋରି’ ପ୍ରସଙ୍ଗ ବି ଯୋଡ଼ି ହୋଇଯାଇଛି। ଆଗରୁ ଡାହାଣି ମଧ୍ୟ ପ୍ରସଙ୍ଗ ଥିଲା। ଏମିତିରେ ଏହା ଅତି ଆଦିମକାଳୀନ ପଶୁ ପ୍ରବୃତ୍ତି, ଯେତେବେଳେ ମଣିଷ ନ୍ୟାୟ, ବିଚାରର ଅବଧାରଣା ସହ ଅବଗତ ନ ଥିଲା ଓ ପଶୁଙ୍କ ସାଂଗରେ ପଶୁ ଭଳି ରହୁଥିଲା। ସେହି ପଶୁ କିସମର ପ୍ରବୃତ୍ତିରେ ଆଧୁନିକତମ ପ୍ରଯୁକ୍ତିର ବ୍ୟବହାର କରି ଆଜିକାଲି ବୀଭତ୍ସ ହତ୍ୟାକାଣ୍ଡକୁ ସାର୍ବଜନୀନ କରାଯାଉଛି। ଭାରତରେ ଗୋରକ୍ଷା ପାଇଁ ଆନ୍ଦୋଳନ ନୂଆ ନୁହେଁ। ଗାନ୍ଧି ଓ ବିନୋବାଜୀ ମଧ୍ୟ ଗୋରକ୍ଷା ପାଇଁ ଚେଷ୍ଟିତ ଥିଲେ; କିନ୍ତୁ ତା’ ନାଁରେ ଏଭଳି କେବେ ନାରକୀୟ ଘଟନା କଥା କଳ୍ପନା ମଧ୍ୟ କରି ନଥିବେ! ସେହିଭଳି ପିଲାଚୋରି ଏକ ଜଘନ୍ୟ ଅପରାଧ। ପିଲାଚୋର ସାଧାରଣତଃ ସାନପିଲାଙ୍କୁ କ୍ରୀତଦାସ ରୂପେ କେଉଁଠି ବିକ୍ରି କରେ, ଅଥବା ତା’ର ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରେ। ତା’ର ଅପରାଧ କ୍ଷମାଯୋଗ୍ୟ ହୋଇନପାରେ। ମାତ୍ର କେବଳ ସନ୍ଦେହରେ ଜଣେ ଅପରିଚିତକୁ ପିଲାଚୋର ମନେକରିବା ଏବଂ ତା’ର କାକୁତିବିନତିକୁ ଅଶୁଣା କରି ତା’ର ବର୍ବରହତ୍ୟା କରିବା ପିଲାଚୋରି ତୁଳନାରେ ମଧ୍ୟ ଅଧିକ ଦୋଷାବହ, ଏହା ଅନସ୍ବୀକାର୍ଯ୍ୟ। ଭାରତରେ ସଂଘଟିତ ହେଉଥିବା ଏହି ବର୍ବର ହତ୍ୟା ଘଟଣାଗୁଡ଼ିକୁ ସମୀକ୍ଷା କରିବା ଲାଗି ଆମେରିକାର ପରିଦୃଶ୍ୟ ଖୁବ ସାହାଯ୍ୟ କରେ। ସେଥିପାଇଁ ଏହି ଆଲୋଚନାରେ ଭାରତ ପରିବର୍ତ୍ତେ ତା’ର ଏକ ସଂକ୍ଷିପ୍ତ ଅବତାରଣା ନିମନ୍ତେ ପ୍ରୟାସ କରାଯାଇଛି। ଇତିହାସ ଓ ବର୍ତ୍ତମାନ ମଧ୍ୟରେ ଥିବା ସାଦୃଶ୍ୟକୁ ବି ଏହା ସୁଦୃଶ୍ୟ କରିବ।
ଆମେରିକୀୟ ସଶସ୍ତ୍ର ମୁକ୍ତି ସଂଗ୍ରାମର ପ୍ରାୟ ଅଶୀ ବର୍ଷ ଉତ୍ତାରୁ ଆମେରିକାରେ ଗୃହଯୁଦ୍ଧ (୧୮୬୧-୧୮୬୫) ହେଲା ଏବଂ ଯୁଦ୍ଧର ପରିଣାମ ସ୍ବରୂପ ଦାସପ୍ରଥାର ଉଚ୍ଛେଦ ହେଲା। ଏଣିକି ଆଫ୍ରିକାରୁ ବାଧ୍ୟରେ ଆସି ଆମେରିକାରେ ଦାସଭାବେ ଜୀବନ ଅତିବାହିତ କରୁଥିବା କଳାଲୋକ ନାଗରିକର ସାଧାରଣ ଅଧିକାରମାନ ପ୍ରାପ୍ତ ହେଲେ। ‘ଏହି କଳା ଲୋକର ବର୍ଗ ଗୋରାଙ୍କ ପାଇଁ ବିପଦ! ରାସ୍ତାଘାଟରେ ସେମାନଙ୍କ ସ୍ବାଧୀନ ଉପସ୍ଥିତି ଯୋଗୁଁ ଗୋରା ଲୋକଙ୍କ ସୁରକ୍ଷା ତଥା ଗୋରା ମହିଳାଙ୍କ ସମ୍ମାନ ବିପଦାପନ୍ନ! ସଭ୍ୟତାକୁ ରକ୍ଷା କରିବାକୁ ହେଲେ ଏହି ‘ଅସଭ୍ୟ’ ‘ବର୍ବର’ ‘ଅସଂସ୍କୃତ’ କଳାବର୍ଗକୁ ନିପାତ କରିବାକୁ ହେବ। କଳାମାନଙ୍କୁ ଭୟଭୀତ କରି ନରଖିଲେ, ଆମେରିକା ସଭ୍ୟଲୋକଙ୍କ ପାଇଁ ବାସଯୋଗ୍ୟ ରହିବନାହିଁ’। ଏହା ଥିଲା ବର୍ବର ହତ୍ୟା ପଛର ଅବଧାରଣା। ତେଣୁ ଛୋଟଛୋଟ କଥାରେ ସେମାନଙ୍କୁ ସନ୍ଦେହ କରି ଗୋରାମାନେ ‘ଲିନ୍ଚିଙ୍ଗ’ବା ଏଭଳି ପିଟିପିଟି ହତ୍ୟା କରିବା ଆରମ୍ଭ କଲେ। ଏକ ସଂଦର୍ଭରେ ଦକ୍ଷିଣ କରୋଲିନା ରାଜ୍ୟର ଗଭର୍ଣ୍ଣର ଏବଂ ଜାମିନ ତିଲମେନ କଳାମାନଙ୍କ ପ୍ରତି ଗୋରାଙ୍କର ବର୍ବରତାର ପକ୍ଷ ନେଇ କହିଥିଲେ, ‘ଦକ୍ଷିଣ (ଆମେରିକା)ରେ ଗୋରାମାନଙ୍କ ଉପରେ ନିଗ୍ରୋମାନେ ଶାସନ କରିବାର ଅଧିକାର ପାଇବେ, ଆମେ ଏହାକୁ କସ୍ମିନକାଳେ ସମ୍ମତି ଦେଇ ପାରିବୁ ନାହିଁ। ଆମେ କୃଷ୍ଣକାୟମାନଙ୍କୁ ଆମ ସମସ୍ତରର ବୋଲି କଦାପି ସ୍ବୀକାର କରିପାରିବୁ ନାହିଁ। କଳାଲୋକଙ୍କୁ ହତ୍ୟାକରିବା ବିନା ଅନ୍ୟ ବାଟ ନାହିଁ, ଏଥିରୁ ଜଣାପଡ଼େ ଗୋରାମାନେ କେତେମାତ୍ରାରେ କୃଷ୍ଣକାୟଙ୍କ ସମାନତାର ଦାବିକୁ ଘୃଣା କରୁଥିଲେ।
ଦାସ ପ୍ରଥାର ଉଚ୍ଛେଦ ପରେ ଆମେରିକାରେ ଏଭଳି ବର୍ବର ମାନସିକତା ଏତେ ମାତ୍ରାରେ ବ୍ୟାପିଲା ଯେ ଏକ ଆକଳନ ଅନୁଯାୟୀ ୧୮୮୨ରୁ ୧୯୬୮ ମଧ୍ୟରେ ୪୭୪୩ଟି ବର୍ବର ହତ୍ୟା ଘଟଣା ମୁଖ୍ୟତଃ ଦକ୍ଷିଣ ଆମେରିକାରେ ଘଟିଥିଲା। ଦକ୍ଷିଣ ଆମେରିକା ହିଁ ଦାସ ପ୍ରଥାର ଉଚ୍ଛେଦକୁ ବିରୋଧ କରୁଥିଲା। ଏ ମଧ୍ୟରୁ ୩୪୪୬ଟି ଘଟଣା (୭୩%)ରେ କଳାମାନେ ବର୍ବର ହତ୍ୟାର ଶିକାର ହୋଇଥିଲେ। ବାକି ଘଟଣାରେ କଳାମାନଙ୍କ ବ୍ୟତୀତ ଅପ୍ରବାସୀ ଚୀନାମାନେ, ମେକ୍ସିକାନମାନେ ଏବଂ ଇଟାଲୀୟ-ଆମେରିକାନମାନେ ଏଭଳି ହତ୍ୟାର ଶିକାର ହୋଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା କିଛି ସଂଖ୍ୟାରେ ଗୋରାମାନେ ମଧ୍ୟ ବର୍ବର ହତ୍ୟାର ଶିକାର ହୋଇଥିଲେ, କିନ୍ତୁ ଏମାନେ ସମସ୍ତେ ଥିଲେ ‘ଲିନ୍ଚିଙ୍ଗ୍’ ବିରୋଧୀ। କଳାଲୋକଙ୍କୁ ବର୍ବର ହତ୍ୟାରୁ ରକ୍ଷା କରିବାକୁ ଯାଇ ନିଜେ ଉଚ୍ଛୃଙ୍ଖଳ ଜନତା ଦ୍ବାରା ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିଲେ। ‘କୁକ୍ଲକ୍ସକ୍ଲାନ’ ନାମରେ ସେତେବେଳେ ଏକ ଅର୍ଦ୍ଧସାମରିକ ସଂଗଠନ ବିଶେଷ କରି ବର୍ବର ହତ୍ୟାର ଆୟୋଜନ କରୁଥିଲେ। ଏହି ସଂଗଠନର ଉଦ୍ଦେଶ୍ୟ ଥିଲା କୃଷ୍ଣକାୟମାନଙ୍କୁ କମ ବା ଅଧା ପାଉଣାରେ ଜମିଦାରଙ୍କ ଚାଷ ଜମିରେ କାମ କରେଇବା ଏବଂ ସେମାନଙ୍କୁ ଭୋଟଦାନରୁ ବଞ୍ଚିତ କରିବା। ସୂଚନାଯୋଗ୍ୟ ଯେ ‘ବର୍ବର’, ‘ଅସଭ୍ୟ’ ଏବଂ ‘ଶାନ୍ତି ପାଇଁ ଘାତକ’ର ଅପଖ୍ୟାତି ପାଇଥିବା ଆଫ୍ରୋ-ଆମେରିକୀୟମାନେ କୌଣସି ଗୋଟାଏ ଅବସରରେ ବି ଏକାଠି ହୋଇ ଜଣେ ମଧ୍ୟ ଗୋରା ଲୋକଙ୍କୁ ହତ୍ୟା କରି ନଥିଲେ। ଫ୍ଲୋରିଡ଼ାରେ ଘଟିତ ୧୯୧୬ ଅଗଷ୍ଟ ୧୮ର ଏକ ଲିନ୍ଚିଙ୍ଗ ଘଟଣାର ଉଲ୍ଲେଖ ଏଠାରେ ଜରୁରୀ। ଏକ ଘୁଷୁରି ଚୋରି ଘଟଣାରେ ପୁଲିସ ସରିଫ ବୋଇସି ଲଂଗକୁ ଗିରଫ କରିବାକୁ ପହଞ୍ଚିଲା। ଧରାପଡ଼ିବା ଭୟରେ ବୋଇସି ପୁଲିସ ଅଧିକାରୀକୁ ଗୁଳି କରି ପଳାୟନ କଲା। ପ୍ରତିକ୍ରିୟା ସ୍ବରୂପ, ପରଦିନ ସକାଳେ ଏକତ୍ରିତ ହୋଇଥିବା ଲୋକେ ବୋଇସିର ପତ୍ନୀ ଷ୍ଟେଲାଲଂଗକୁ ଏବଂ ଜଣେ କଳା ଧର୍ମଯାଜକ ସମେତ ଚାରିଜଣ ପଡ଼ୋଶୀଙ୍କୁ (ମୋଟ ପାଞ୍ଚ ଜଣଙ୍କୁ) ଜିଅନ୍ତା ଫାଶୀ ଲଗେଇଦେଲେ। ଅର୍ଥାତ୍ ଲିନ୍ଚିଙ୍ଗର ଏହି ଘଟଣାରେ ଅସଲ ଅପରାଧୀକୁ ମଧ୍ୟ ଦଣ୍ଡ ମିଳିନଥିଲା। ଅଧିକାଂଶ ଲିନ୍ଚିଙ୍ଗରେ ଏହାହିଁ ହେଉଥିଲା।
ଆଦି ଆମେରିକାର ‘ଲିନ୍ଚିଙ୍ଗ’ ଓ ଭାରତରେ ଘଟୁଥିବା ବର୍ବର ହତ୍ୟା ମଧ୍ୟରେ ଯେମିତି ଅନେକ ସମାନତା ଖୋଜିହେବ, ସେମିତି ଗୁଡ଼ାଏ ପାର୍ଥକ୍ୟ ବି ବାଛି ହେବ। ସବୁଠାରୁ ବଡ଼ କଥା, ସମୟ ଓ ସ୍ଥାନର ପାର୍ଥକ୍ୟ। ପୁଣି, ଭାରତର ସଂଖ୍ୟାଲଘୁ ଓ ଦଳିତ କେବେ ଆମେରିକୀୟ କଳା ହୋଇନପାରନ୍ତି। ଏମିତିରେ ଏଠାକାର ଘଟଣା ମଧ୍ୟରେ ବି ପାର୍ଥକ୍ୟ! ଏଠି ଗୋମାଂସ ଖାଇବା, ଗୋରୁ ଚାଲାଣ, ପିଲାଚୋରି ଅଭିଯୋଗରେ ଡାଆଣି ସନ୍ଦେହରେ ଉଚ୍ଛୃଙ୍ଖଳ ଜନତାଙ୍କ ଦ୍ବାରା ନିରପରାଧ ଲୋକେ ନିହତ। ପ୍ରତିଟି ଘଟଣା ଅନ୍ୟଠାରୁ ଫରକ। ହେଲେ ସାମଞ୍ଜସ୍ୟ ରହିଛି ହତ୍ୟାବେଳର ବର୍ବରତାରେ, ନିର୍ମମତାରେ ତଥା ଘଟଣାକୁ ପ୍ରଦର୍ଶନୀୟ କରିବାରେ! ଦେଶ, ଧର୍ମ ଓ ରାଷ୍ଟ୍ରର ନାଁ ନେଇ ବର୍ବରହତ୍ୟାକାରୀଙ୍କୁ ମାଳା ପିନ୍ଧେଇବା ବା ସେମାନଙ୍କ ଅଦାଲତ ଖର୍ଚ୍ଚ ଯୋଗାଡ଼ କରିବା ବା ତା’କୁ ନେଇ ମୌନ ରହିବା ହେଲା ‘ଲିନ୍ଚିଙ୍ଗ’। ଆତଙ୍କବାଦ ଓ ଦୁଷ୍କର୍ମ ତୁଳନାରେ କ’ଣ ତାହା କମ ଘାତକ, କମ ରାଷ୍ଟ୍ରଦ୍ରୋହ, କମ୍ ଧର୍ମଦ୍ରୋହ? ଏହା ବି ଏକ ପ୍ରଶ୍ନ ପ୍ରତ୍ୟେକ ସଭ୍ୟଜନ ପାଇଁ।