www.samajalive.in
Thursday, December 11, 2025
23.1 C
Bhubaneswar

ହିଂସା ଗ୍ରହଣୀୟ ନୁହେଁ

ବୁଧବାର ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ବିରୋଧ କରିବା ଆଳରେ ଶ୍ରୀକ୍ଷେତ୍ରରେ ଯେଉଁ ଅଭୂତପୂର୍ବ ହିଂସାକାଣ୍ଡ, ପୋଡ଼ାଜଳା ଆଦି ହେଲା, ତା’ର ଯେତେ ନିନ୍ଦା କଲେ କମ୍ ହେବ। ଏହା କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ। ଶ୍ରୀମନ୍ଦିର କାର୍ଯ୍ୟାଳୟ, ରାଜସ୍ବମନ୍ତ୍ରୀଙ୍କ ବାସଭବନ ଆଦିରେ ଭଙ୍ଗାରୁଜା କରିବାସହ ଟ୍ରାଫିକ୍ ପୋଷ୍ଟ ଆଦି ପୋଡ଼ିଦେଇ ସର୍ବସାଧାରଣ ସମ୍ପତ୍ତି ମଧ୍ୟ ନଷ୍ଟ କରାଯାଇଛି। ଏହି ହିଂସାକାଣ୍ଡରେ ପୁଲିସ କର୍ମଚାରୀଙ୍କ ସମେତ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ରୋଷରୁ ପତିତପାବନ ମଧ୍ୟ ବାଦ୍ ପଡ଼ିନାହାନ୍ତି। ତାଙ୍କ ପ୍ରତିମାରେ ଢେଲା ବାଜିଛି। ପୁଲିସକୁ ୧୪୪ ଧାରା ଜାରି କରିବାକୁ ପଡ଼ିଛି। ଯେଉଁ ଢଙ୍ଗରେ ଏହି ବ୍ୟାପକ ହିଂସାକାଣ୍ଡ ହୋଇଛି, ତାକୁ ଦେଖିଲେ ଏହା ତତ୍କାଳ ଘଟନାର ପରିଣାମ ପରି ଲାଗୁନାହିଁ। ଏହା ସୁନିୟୋଜିତ ମନେହେଉଛି। ଏହି ଉଦ୍‌ବାର୍ଯ୍ୟ ଜନତା ଓ ଆନ୍ଦୋଳନକାରୀ କେଉଁମାନେ? ଏମାନେ କ’ଣ ବନ୍ଦ ଡାକରା ଦେଇଥିବା ‘ଜଗନ୍ନାଥ ସେନା’ ନାମକ ସଂଗଠନର ଲୋକ, ଯେଉଁ ସଂଗଠନ କହିଥିଲା ଯେ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେବ? ନ୍ୟାୟାଳୟଙ୍କ ନିର୍ଦେଶ ମତେ ଗୋଟିଏ ସଂସ୍କାରମୂଳକ ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବା ଆରମ୍ଭରୁ ଏପରି ହିଂସାକାଣ୍ଡ ଭିଆଇବା କୌଣସି ଖଳଗୋଷ୍ଠୀର ଷଡ଼ଯନ୍ତ୍ର ନୁହେଁ ତ? ଯଦି ବନ୍ଦ ପାଳନ ଡାକରା ପୂର୍ବରୁ ଦିଆଯାଇଥିଲା, ତା’ହେଲେ ପୁଲିସ ସେଥିପାଇଁ ପ୍ରସ୍ତୁତ ଥିଲା ତ?
ପୁଲିସର ମତ ଅନୁସାରେ, ଏହି ହିଂସାକାଣ୍ଡରେ ବହୁ ଅସାମାଜିକ ଲୋକ ସାମିଲ୍ ହୋଇଥିଲେ। ସେମାନେ ଟେକାପଥର, ବାଡ଼ି ଇତ୍ୟାଦି ସାହାଯ୍ୟରେ ଭଙ୍ଗାରୁଜା କରିଥିଲେ। ହିଂସାକାଣ୍ଡ ପ୍ରାୟ ୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଥିବା ସତ୍ତ୍ବେ ପୁଲିସ ତାକୁ ନିୟନ୍ତ୍ରଣାଧୀନ କରିପାରିନଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ପୁଲିସ ଏଥିପ୍ରତି ପୂର୍ବରୁ କୋହଳ ମନୋଭାବ ପୋଷଣ କରିଥିଲା। ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟର ଲୋକେ, ପୁଣି ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ଯେ ଏଭଳି ଅରାଜକତା ଭିଆଇବେ, ତାହା ହୁଏତ ପୁଲିସର କଳ୍ପନା ବାହାରେ ଥିବ; କିନ୍ତୁ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଯେଉଁ ସର୍ବନିମ୍ନ ପଦକ୍ଷେପ ଆବଶ୍ୟକ, ତାହା ନେବାରେ ପୁଲିସକୁ କିଏ ଅଟକାଉଥିଲା? କୁହାଯାଉଛି ଯେ ସକାଳୁ ଉତ୍ତ୍ୟକ୍ତ ଲୋକେ ବ୍ୟାରିକେଡ଼ ଭାଙ୍ଗି ଶ୍ରୀମନ୍ଦିରକୁ ପଶିବାବେଳେ ପୁଲିସ ସେମାନଙ୍କୁ ଅଟକାଇ ନଥିଲା; ତେଣୁ ତାହା ପରେ ଅସମ୍ଭାଳ ଅବସ୍ଥାକୁ ଆସିଯାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ଏଥିପାଇଁ ପୂର୍ବରୁ କାହିଁକି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିନଥିଲା?
ଏହି ହିଂସାକାଣ୍ଡ ନେଇ କୋର୍ଟମିତ୍ର ଗୋପାଳ ସୁବ୍ରମଣ୍ୟମ ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଓ ଘଟନାବଳୀର ଭିଡ଼ିଓଚିତ୍ର ମାଗିଛନ୍ତି। ଶ୍ରୀମନ୍ଦିର ସଂସ୍କାରରେ ପ୍ରତିବନ୍ଧକ ସାଜିଥିବା ବ୍ୟକ୍ତିବିଶେଷଙ୍କ ସମ୍ବନ୍ଧରେ ସେ ଅବଗତ ହେବା ନିହାତି ଜରୁରୀ; କାରଣ ତାଙ୍କ ପରାମର୍ଶରେ ହିଁ ନ୍ୟାୟାଳୟ ଯାହାକିଛି ନିଷ୍ପତ୍ତି ନେବେ। ଆସନ୍ତା ୨୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରିବାବେଳେ ଏହି ବିଷୟ ପ୍ରତି ନିଶ୍ଚୟ ଯଥେଷ୍ଟ ଧ୍ୟାନ ଦେବେ। କୌଣସି ପାରମ୍ପରିକ ପ୍ରଥାର ଉଚ୍ଛେଦ କଲାବେଳେ ବିରୋଧ ତ ନିଶ୍ଚୟ ରହିବ; କିନ୍ତୁ ଯାହା ସର୍ବସାଧାରଣଙ୍କ ସାମଗ୍ରିକ ହିତ ନିମନ୍ତେ ଉଦ୍ଦିଷ୍ଟ, ତାହା କଡ଼ାକଡ଼ି କାର୍ଯ୍ୟକାରୀ କରାଯିବା ଆବଶ୍ୟକ। ହିଂସାକାଣ୍ଡରେ ପ୍ରମତ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories