www.samajalive.in
Monday, December 15, 2025
14.1 C
Bhubaneswar

ସେବା ନାମରେ ଠକେଇ

ଏକ ପ୍ରଗତିଶୀଳ ସମାଜରେ ସ୍ବେଚ୍ଛାସେବୀ ସଂଗଠନ ବା ଏନଜିଓମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଅସ୍ବୀକାର କରିହେବ ନାହିଁ। ସମାଜରେ ଲୋକେ ସୁଖସ୍ବାଚ୍ଛନ୍ଦ୍ୟରେ ବଞ୍ଚିବା ପାଇଁ ସେମାନେ ନାନାଦି କାମ କରିଥାନ୍ତି। ଅନେକ କ୍ଷେତ୍ରରେ ସେମାନେ ବଞ୍ଚିତ ଓ ଉପେକ୍ଷିତଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାର ସମ୍ବଳ ଓ ସୁଯୋଗ ଯୋଗାଇଥାନ୍ତି। ସମସ୍ତଙ୍କୁ ମୌଳିକ ସୁବିଧାସୁଯୋଗ ଯୋଗାଣରେ ସରକାର ଯେତେବେଳେ ବିଫଳ ହୁଅନ୍ତି ସେତେବେଳେ ଉତ୍ତମ କାର୍ଯ୍ୟ କରୁଥିବା ସେବାପରାୟଣ ଏନଜିଓଙ୍କ ସହାୟତା ଲୋଡ଼ିଥାନ୍ତି। ଏହିସବୁ ସ୍ବେଚ୍ଛାସେବୀ ସଂଗଠନ କେବଳ ସୁବିଧାସୁଯୋଗ ଯୋଗାଣକାରୀ ବା ଫାସିଲିଟେଟର ନହୋଇ ବିଭିନ୍ନ ସମୟରେ ସାମାଜିକ କୁସଂସ୍କାର ଓ ଶୋଷଣ ବିରୋଧରେ ପାଟିଖୋଲି ଲଢ଼େଇ କରି ସକ୍ରିୟତା ପ୍ରଦର୍ଶନ କରିଥାନ୍ତି। ଏସବୁ କାର୍ଯ୍ୟ ପାଇଁ ସେମାନେ ସରକାରୀ ଅନୁଦାନ ଏବଂ କେତେକ ସଂସ୍ଥା ମଧ୍ୟ ଆନ୍ତର୍ଜାତିକ ସ୍ତରରୁ ଅନୁଦାନ ଲାଭ କରିଥାନ୍ତି। ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷ ମଧ୍ୟ ଏନଜିଓ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଜଡ଼ିତ। ଭାରତ ଭଳି ସମସ୍ୟାବହୁଳ ଦେଶରେ ଏନଜିଓମାନଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିଛି।
ବିଡ଼ମ୍ବନାର ବିଷୟ ହେଲା ଉଦାରବାଦୀ ଆଇନ ବଳରେ ଭାରତରେ ଏନଜିଓ ଗଠନ ଏକ ବ୍ୟବସାୟରେ ପରିଣତ ହୋଇଛି। ସମର୍ପିତ ସେବା ବଦଳରେ ବିଭିନ୍ନ ସୂତ୍ରରୁ ଚାନ୍ଦା ଓ ଅନୁଦାନ ଉଠାଇ ଅନେକ ଏନଜିଓର କର୍ମକର୍ତ୍ତା ନାନାଦି ଆପତ୍ତିଜନକ କାର୍ଯ୍ୟରେ ଲିପ୍ତ ହେବାର ଅଭିଯୋଗ ହୁଏ। ଚାନ୍ଦା ଅର୍ଥରେ ଅୟସ ଜୀବନ କଟାଇ ଏନଜିଓ କର୍ମକର୍ତ୍ତାମାନେ ନିଜର ମୌଳିକ ଲକ୍ଷ୍ୟରୁ ଦୂରେଇ ଯାଉଛନ୍ତି। ଏପରିକି କେତେକ ପ୍ରସଙ୍ଗରେ ସେମାନେ ସରକାରଙ୍କସହ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି କରିଛନ୍ତି। ସେଥିପାଇଁ ବେଶ୍‌ କିଛିଦିନ ତଳୁ ଏହି ସଂସ୍ଥାମାନଙ୍କ କାର୍ଯ୍ୟକଳାପ ଉପରେ ସରକାରୀ ନଜର ରହିଛି ଓ ସୁଯୋଗ ଦେଖି ସରକାର ସେମାନଙ୍କ ପଞ୍ଜୀକରଣକୁ ରଦ୍ଦ କରୁଛନ୍ତି।
କୁହାଯାଏ ଅର୍ଥ ଓ ପ୍ରତିପତ୍ତି ସବୁ ଅନର୍ଥର ମୂଳ। ତେଣୁ ସରକାରଙ୍କୁ ମୁକାବିଲା କରୁଥିବା ଏନଜିଓ ଏବଂ କାମ ନ’କରି କେବଳ ଅର୍ଥ ଠୁଳ କରୁଥିବା ଏଭଳି ସଂସ୍ଥାଙ୍କ ବିରୋଧରେ ମୋଦି ସରକାର କ୍ଷମତାକୁ ଆସିବା ପରେ ଅଭିଯାନକୁ ଜୋର୍‌ଦାର କରିଛନ୍ତି। ଫଳରେ ଅନେକ ପ୍ରଭାବଶାଳୀ ଏନ୍‌ଜିଓ କର୍ମକର୍ତ୍ତା ଏହାର ପ୍ରତିବାଦ କରି ସରକାର ଉଦ୍ଦେଶ୍ୟମୂଳକଭାବେ ସେମାନଙ୍କ ପ୍ରତି ଦମନମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଅଭିଯୋଗ କରୁଛନ୍ତି। ଏହା ଭିତରେ ସାରୁ ଭିତରେ ଯେ ମାରୁ ରହିଛି ଏକଥାଟିକୁ ଅସ୍ବୀକାର କରିହେବ ନାହିଁ; କାରଣ ଅନେକ ଏନ୍‌ଜିଓ ପଛରେ ବିଭିନ୍ନ ରାଜନୈତିକ ଦଳର ସମର୍ଥନ ରହିଛି। ତେଣୁ ନିୟମ କଡ଼ାକଡ଼ି ହେଲେ ବା ତଦନ୍ତ କରାଗଲେ କିଛି ସଂସ୍ଥା ଚିତ୍କାର କରିବା ସ୍ବାଭାବିକ।
ଓଡ଼ିଶା ଭଳି ଏକ ଅନଗ୍ରସର ରାଜ୍ୟରେ ଏନଜିଓ ମଧ୍ୟ ଏବେ କୁଟୀର ଶିଳ୍ପରେ ପରିଣତ ହୋଇଛି। କେନ୍ଦ୍ରୀୟ ରିପୋର୍ଟ ଅନୁସାରେ ଓଡ଼ିଶାର ୨୮୯ ଏନଜିଓ ଠକ। ଏମାନେ ବିଦେଶରୁ ବା ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥାରୁ ଅନୁଦାନ ପାଇ କାମ କରିବା ପରିବର୍ତ୍ତେ କେବଳ କୁହାଳିଆ ସାଜିଛନ୍ତି। ସେବାଛାଡ଼ି ଆତ୍ମସର୍ବସ୍ବ ହେବା ନିଶ୍ଚିତ ଏକ ଗର୍ହିତ କାର୍ଯ୍ୟ। ଦେଶର ଆଇନ ଅନୁସାରେ ସେମାନଙ୍କୁ କାମ କରିବାକୁ ପଡ଼ିବ ଏବଂ ନିଜର ଅଣସେବାଜନିତ ଅତିକ୍ରିୟାରୁ କ୍ଷାନ୍ତ ରହିବାକୁ ହେବ। ଓଡ଼ିଶାରେ ଦେଶର ସବୁଠୁ ଅଧିକ ଠକ ଏନ୍‌ଜିଓ ବଞ୍ଚିରହିବାର ଅର୍ଥ ଏମାନଙ୍କ କାର୍ଯ୍ୟକଳାପ ଉପରେ କୌଣସି ସରକାରୀ ନିୟନ୍ତ୍ରଣ କିମ୍ବା ତଦାରଖ ନାହିଁ। ତେଣୁ ରାଜ୍ୟ ସରକାର ଏହି ସଂଗଠନଗୁଡ଼ିକ ପ୍ରତି ଆବଶ୍ୟକ ନଜର ରଖିବା ଜରୁରୀ।
ଏନଜିଓମାନେ ନିଜର ସୀମା ସରହଦ ମଧ୍ୟରେ ରହି ନିଜର କାର୍ଯ୍ୟ କରିବା ଉଚିତ। ନିଜର କାର୍ଯ୍ୟକଳାପ ଓ ଉଦ୍ଦେଶ୍ୟ ଠିକ୍‌ ରଖିଲେ କେହି ଅଙ୍ଗୁଳି ନିର୍ଦେଶ କରିପାରିବେ ନାହିଁ। ସେବା ନାମରେ ଆତ୍ମସେବା ବନ୍ଦ ହେଉ ଏବଂ ଅର୍ଥ ରୋଜଗାର ପାଇଁ ଏନଜିଓ ଏକ ମାଧ୍ୟମ ନ’ ହେଉ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories