ଆଉ ବିଷ କିଣିବାନି!
ସକାଳ ହେଲେ ବ୍ୟାଗ୍ ଧରି ପରିବା ବଜାରରୁ ତଟକା ପନିପରିବା ଆଣିବା ଅନେକ ଲୋକଙ୍କର ଦୈନନ୍ଦିନ ଅଭ୍ୟାସ । ଏଭଳି ଲୋକଙ୍କର ଧାରଣା ଯେ ତଟକା ସବୁଜ ପନିପରିବା ନିରାପଦ, ଭିଟାମିନ୍, ଜୀବସାରରେ ପରିପୂର୍ଣ୍ଣ ଓ ବିଷମୁକ୍ତ । ମାତ୍ର କଅଁଳ ଛନ୍ଛନ୍ ଦିଶୁଥିବା ପୋଟଳ, ଭେଣ୍ଡି, ଜହ୍ନି, ବାଇଗଣ ଏମିତିକି ନାନା ରକମର ଶାଗ ଯେ କୀଟନାଶକ ଓ ସାରଦ୍ୱାରା ବିଷାକ୍ତ, ଏକଥା ମଧ୍ୟ ଊଣାଅଧିକେ ସମସ୍ତେ ଜାଣନ୍ତି । ସେଇଥିଲାଗି ଲୋକେ କଥା ହେଉଥିଲେ ଏମିତି ବିଷ ପନିପରିବା ଖାଇବା ଅପେକ୍ଷା ମାଛଟିକେ ଆଣି ରାନ୍ଧିଦେବା ଭଲ । ମାତ୍ର ଏବେ ମାଛ ବିଷାକ୍ତ ! ସଂପ୍ରତି ଭୁବନେଶ୍ୱର ବଜାରରେ ଏକ ନିର୍ଦିଷ୍ଟ ପମ୍ପରେଟ୍ ଜାତୀୟ ମାଛରେ ଫର୍ମାଲିନ୍ ନାମକ ରାସାୟନିକ ଦ୍ରବ୍ୟ ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି । ଯଦିଓ ଏହି ରାସାୟନିକ ଦ୍ରବ୍ୟ ଅନ୍ୟ ମାଛରେ ମିଳିନାହିଁ ତଥାପି ମାଛ ଖାଉଥିବା ଲୋକଙ୍କ ମଧ୍ୟରେ ଏ ନେଇ ଭୟ ସୃଷ୍ଟି ହୋଇଛି । ଲୋକେ ଜିଅନ୍ତା ମାଛ ବ୍ୟତୀତ ବରଫଦିଆ ମାଛ ଆଡକୁ ଚାହୁଁ ବି ନାହାନ୍ତି । ସରକାର ଅବଶ୍ୟ ସଚେତନ ହୋଇଛନ୍ତି । ସମସ୍ତ ଜିଲାପାଳଙ୍କୁ ତାଗିଦ୍ କରାଯାଇଛି କି ସେମାନେ ନିଜ ନିଜ ଅଞ୍ଚଳର ମାଛ ନମୁନା ସଂଗ୍ରହ କରି ପରୀକ୍ଷା କରିବେ । ଯଦି ବିଷାକ୍ତ ମାଛ ମିଳେ, କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆସାମ ସରକାର ଆନ୍ଧ୍ରପ୍ରଦେଶରୁ ଆସୁଥିବା ମାଛରେ ଫର୍ମାଲିନ୍ ପାଇବା ପରେ ଏହାକୁ ନିଷେଧ କରିଛନ୍ତି । ଏହି ଖବର ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଯାଇ ଆମ ସରକାରଙ୍କ ନିଦ ଭାଙ୍ଗିଛି । ସରକାରଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ ଓଡ଼ିଶା ମାଛ ଉତ୍ପାଦନରେ ସ୍ୱୟଂ ସକ୍ଷମ । ରାଜ୍ୟରେ ବର୍ଷକୁ ୬.୭୦ ଲକ୍ଷ ମେଟ୍ରିକ୍ ଟନ୍ ମାଛ ଉତ୍ପାଦନ ହେଉଛି ଯାହାକି ରାଜ୍ୟର ଚାହିଦାଠାରୁ ଅଧିକ। ରାଜ୍ୟରୁ ପ୍ରାୟ ୯୦ ହଜାର ଟନ୍ ମାଛ ବାହାରକୁ ରପ୍ତାନୀ ହେଉଛି । ତେବେ ପଡୋଶୀ ଆନ୍ଧ୍ରପ୍ରଦେଶରେ ଓଡ଼ିଶା ବଜାର ତୁଳନାରେ ଶସ୍ତାରେ ମାଛ ମିଳୁଥିବାରୁ ଓଡ଼ିଶାର ବ୍ୟବସାୟୀମାନେ ମାଛ ଆମଦାନୀ କରୁଛନ୍ତି ।
ଦିନକୁ ଦିନ ମଣିଷକୁ ନାନା ପ୍ରକାରର ନୂଆନୂଆ ରୋଗ ଆକ୍ରମଣ କରିବାର ପ୍ରମୁଖ କାରଣ ବିଷାକ୍ତ ଖାଦ୍ୟ, ଏହା ଯେ କେହି ସ୍ୱୀକାର କରିବ । ଆମେ ଖାଉଥିବା ସବୁପ୍ରକାର ଆମିଷ ଓ ନିରାମିଷ ଖାଦ୍ୟରେ ମିଶୁଛି ବିଷାକ୍ତ ରାସାୟନିକ ଯାହା ଆମର ଶରୀରରେ ଧୀରେଧୀରେ ରୋଗପ୍ରତିରୋଧକ ଶକ୍ତିକୁ ବିନଷ୍ଟ କରୁଛି ଓ ନାନା ପ୍ରକାର ଶାରୀରିକ ସମସ୍ୟା ସୃଷ୍ଟି କରାଉଛି । ଲାଭ ଆଶାରେ ଖାଦ୍ୟଦ୍ରବ୍ୟକୁ ବିଷାକ୍ତ କରିବା ଭଳି ଅମାନବିକତା ଆଜି ଏକ ସାଧାରଣ ଘଟଣାରେ ପରିଣତ ହୋଇଯାଇଛି । କୃଷକମାନେ ଅବାରିତ ଭାବେ ନିଜ କ୍ଷେତରେ ରାସାୟନିକ ସାର ଓ ଔଷଧ ପକାଉଛନ୍ତି । ଫୁଲଫଳ, ପନିପରିବାକୁ ରୋଗପୋକ ଦାଉରୁ ରକ୍ଷା କରିବାକୁ କୀଟନାଶକ ସିଞ୍ଚନ କରୁଛନ୍ତି । ଅଧିକ ଉତ୍ପାଦନ ଆଶାରେ ଫସଲରେ ବା ଖାଦ୍ୟଶସ୍ୟରେ ଯେଉଁ ବିଷ ବୁଣାଯାଉଛି ତାହାର କୁଫଳ କେବଳ ଯେ ମଣିଷମାନେ ଭୋଗୁଛନ୍ତି ତାହା ନୁହେଁ, ପରିବେଶର ଜୀବଜନ୍ତୁ, ଏମିତିକି ଜଳଚର ଜୀବମାନେ ମଧ୍ୟ ଏହାଦ୍ୱାରା ଆକ୍ରାନ୍ତ ହେଉଛନ୍ତି । ଆଗରୁ ସ୍ୱାଭାବିକ ଭାବେ ଗାଡିଆ, ପୋଖରୀ, ନଦୀନାଳରେ ମାଛ, କଙ୍କଡା, ଚିଙ୍ଗୁଡି ଭଳି ଜଳଚର ଜୀବମାନେ ଯେମିତି ଦେଖିବାକୁ ମିଳୁଥିଲେ ଏବେ ସେଭଳି ମିଳୁ ନାହାନ୍ତି ।
ନିକଟରେ ମାଂସର ଚାହିଦାକୁ ପୂରଣ କରିବାକୁ ଯାଇ କୁକୁଡା ଫାର୍ମମାନେ କିଭଳି କୁକୁଡାମାନଙ୍କୁ ଶୀଘ୍ର ବଢାଇବା ଲାଗି ଆଣ୍ଟି-ବାଇଓଟିକ୍ ଭଳି ଔଷଧ ପ୍ରୟୋଗ କରୁଛନ୍ତି, ସେ ସମ୍ବନ୍ଧୀୟ ଏକ ବିସ୍ତୃତ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇ ଚର୍ଚ୍ଚାର ବିଷୟ ପାଲଟିଥିଲା। ହାଇଦରାବାଦର କିଛି କୁକୁଡା ଫାର୍ମରୁ ତଥ୍ୟ ନେଇ ଏହି ରିପୋର୍ଟରେ କୁହାଯାଇଥିଲା ଯେ କୁକୁଡା ଚିଆଁଗୁଡିକ ପାଞ୍ଚସପ୍ତାହ ପରେ ବିକ୍ରିଯୋଗ୍ୟ ହେବା ପାଇଁ କୁକୁଡା ଫାର୍ମମାନେ ସେମାନଙ୍କୁ ପ୍ରଥମେ କିଛି ହଳଦୀରଙ୍ଗର ମିଠାପାଣି ଖାଇବାକୁ ଦିଅନ୍ତି । ତା’ପରେ ସେମାନଙ୍କୁ ବିଭିନ୍ନ ପ୍ରକାରର ଔଷଧଦେବା ଆରମ୍ଭ ହୋଇଥାଏ । ଏହି ସମସ୍ତ ଔଷଧ ଆଣ୍ଟି ବାଇଓଟିକ୍ ଶ୍ରେଣୀର । ଖୁବ୍ ଛୋଟିଆସ୍ଥାନରେ ଏବଂ ଅସ୍ୱାସ୍ଥ୍ୟକର ପରିବେଶରେ ବହୁସଂଖ୍ୟକ କୁକୁଡା ଚିଆଁଙ୍କୁ ରଖାଯାଉଥିବାରୁ ସେମାନଙ୍କୁ ନାନା ପ୍ରକାର ରୋଗ ହେବାର ଆଶଙ୍କା ରହିଥାଏ । ଏହାକୁ ଦୃଷ୍ଟିରେ ରଖି ରୋଗ ପ୍ରତିରୋଧକ ଔଷଧଭାବେ ସେମାନଙ୍କୁ କୋଲିଷ୍ଟିନ୍ ପ୍ରଦାନ କରାଯାଇଥାଏ ବୋଲି କିଛି ଫାର୍ମର ପରିଚାଳକ କହିଥିଲେ । ଏହି କୋଲିଷ୍ଟିନ୍ ହେଉଛି ସାଂଘାତିକ ରୋଗରେ ପୀଡିତ ମଣିଷ ଲାଗି ସର୍ବଶେଷ ଆଣ୍ଟି ବାଇଓଟିକ୍। ଅର୍ଥାତ୍ ସବୁପ୍ରକାର ଔଷଧ ବିଫଳ ହେଲେ ଏହାକୁ ଦିଆଯାଏ । ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଏହି କୋଲିଷ୍ଟିନକୁ ମଣିଷ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଔଷଧଭାବରେ ଅଭିହିତ କରିଛି । ଏହାକୁ ପଶୁମାନଙ୍କ କ୍ଷେତ୍ରରେ ସୀମିତ ବ୍ୟବହାର କରିବା ସହିତ ଏହାକୁ ଓଜନବର୍ଦ୍ଧକ ଭାବେ ଆଦୌ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି । ମାତ୍ର ଭାରତୀୟ କୁକୁଡା ଫାର୍ମମାନେ ଅବିଚାରିତ ଭାବେ ଏଭଳି ଔଷଧମାନ ବ୍ୟବହାର କରିବାରେ ଲାଗିଛନ୍ତି ଯାହାଫଳରେ କୁକୁଡା ଖାଉଥିବା କୋଲିଷ୍ଟିନ ତା ଦେହରେ ଥିବା ବିଭିନ୍ନ ରୋଗଜୀବାଣୁ ଭିତରେ ପ୍ରତିରୋଧ କ୍ଷମତା ସୃଷ୍ଟି କରୁଛି। ଫଳରେ ମଣିଷ ସେହି କୁକୁଡା ମାଂସ ଖାଇବା ପରେ କୋଲିଷ୍ଟିନର ମାତ୍ରା ତା ଦେହରେ ଜମାହୋଇଥାଏ ଏବଂ ମଣିଷ ରୋଗର ଚିକିତ୍ସା ସମୟରେ କୌଣସି ଆଣ୍ଟିବାଇଓଟିକ୍ କାଟୁ କରିନଥାଏ ।
କୋଲିଷ୍ଟିନ୍ ହେଉ ବା ଫର୍ମାଲିନ୍ ବା ପନିପରିବାରେ ବ୍ୟବହୃତ ରାସାୟନିକ ଓ କୀଟନାଶକ ଔଷଧ ଏସବୁ ପ୍ରକୃତିବିରୁଦ୍ଧ ପଦାର୍ଥ । ଏସବୁକୁ ଖାଇ ଆମେ ଆମର ଆୟୁଷ ହାନି କରିଚାଲିଛୁ । ଏହାର ସମାଧାନ କିନ୍ତୁ ଆମ ହାତରେ ଅଛି । ଆମେ ଜାଣି ବି ଭୁଲିଯାଇଛୁ କୁହାଯାଇପାରେ । ବଜାରରୁ କିଣି ଖାଇବା ତୁଳନାରେ ନିଜେ ଫଳାଇ ଖାଇବା ଦ୍ୱାରା ଆମକୁ ସୁସ୍ଥ ଓ ଦୀର୍ଘଜୀବନ ଯେ ମିଳିପାରିବ, ଏହା ବିଚାର କରିବାର ସମୟ ଆସିଛି ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡା