ମହାନଦୀ କାନ୍ଦଣା ଓ ସରକାରୀ ପଛଘୁଞ୍ଚା
ହେମନ୍ତ କୁମାର ପଣ୍ଡା
ମହାନଦୀରେ ଛତିଶଗଡ ସରକାର ନିର୍ମାଣ କରିଥିବା ବ୍ୟାରେଜ ଯୋଗୁଁ ଜଳପ୍ରବାହ କମିଯାଇଥିବା ତଥ୍ୟ ସାର୍ବଜନୀନ ହେବା ପରେ ତଥା ରାଜ୍ୟବାସୀଙ୍କ ହୃଦ୍ବୋଧ ହେବା ପରେ ରାଜ୍ୟସରକାର ନିର୍ମାଣାଧୀନ ବ୍ୟାରେଜଗୁଡିକର ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ ଦାବି କରିଆସୁଥିଲେ। ଏହାକୁ ନେଇ ରାଜନୈତିକ ବାଦବିବାଦ, ଚର୍ଚ୍ଚା-ଆଲୋଚନା, ଆନ୍ଦୋଳନ ଜାରି ରହିଛି। ଗତ ଦୁଇ ବର୍ଷ ଧରି ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିଷୟବସ୍ତୁ ରାଜ୍ୟ ରାଜନୀତିକୁ ଆଚ୍ଛାଦିତ କରି ରଖିବା ସହ ମହାନଦୀକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ଶାସକ ବିଜୁ ଜନତା ଦଳ, ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମହାନଦୀର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରି ଆସୁଛନ୍ତି। ବିଭିନ୍ନ ସାମାଜିକ ଅନୁଷ୍ଠାନ ଏହି ରାଜନୈତିକ ଅାନ୍ଦୋଳନରେ ପରୋକ୍ଷ ଭାବରେ ପକ୍ଷଭୁକ୍ତ ହୋଇ ଅନ୍ତର୍ଭୁକ୍ତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀର ସାମ୍ପ୍ରତିକ ଦୁର୍ଦଶା ପାଇଁ ବିଜେପି ନେତୃତ୍ୱାଧୀନ ଛତିଶଗଡ ସରକାର ଓ କେନ୍ଦ୍ରସରକାରକୁ ଦାୟୀ କରି ସୁଖାସୋଢାଠାରେ ଅନୁଷ୍ଠିତ ସମାବେଶରେ ଏହି ଆନ୍ଦୋଳନକୁ ଏକ ଜନଆନ୍ଦୋଳନର ଆଖ୍ୟା ଦେଇଥିଲେ। ରାଜ୍ୟର ଜୀବନରେଖା ମହାନଦୀ ପ୍ରତି ଆସନ୍ନ ବିପଦର ସୂଚନା ମିଳିବା ପରେ ରାଜ୍ୟର ସାମୂହିକ ବିବେକ ଆନ୍ଦୋଳିତ ହୋଇଥିଲା। ଏହି ପ୍ରସଙ୍ଗ ଆସନ୍ତା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବା ସମ୍ଭାବନା ରହିଛି ବୋଲି ଆକଳନ ମଧ୍ୟ କରାଯାଉଛି। ବର୍ଷାଦିନେ ଉଛୁଳା ନଈର ଭୟଙ୍କର ରୂପ ଧାରଣ କରୁଥିବା ମହାନଦୀ ବାଲିରେ ଆଷାଢ ମାସରେ ଦେଖାଯାଉଥିବା ଗୁଳ୍ମଲତାରୁ ଜଣାପଡୁଛି ପୂର୍ଣ୍ଣଗର୍ଭା ନଦୀର ଏହି ନଅଙ୍କ ଦୁର୍ଭିକ୍ଷସମ ଅସ୍ଥିକଙ୍କାଳସାର ଜଳଧାରା ପାଇଁ ରାଜ୍ୟରେ ସର୍ବଦଳୀୟ ଉଦାସୀନତା ଓ ଅବହେଳା ଦାୟୀ। ସ୍ୱାଧୀନତା ପରେ ୧୯୫୬ ମସିହାରେ ଛତିଶଗଡ ତଥା ତତ୍କାଳୀନ ମଧ୍ୟପ୍ରଦେଶରେ ମହାନଦୀ ପ୍ରଣାଳୀର ବାଲୋଡ ନିକଟରେ ପ୍ରଥମ ବ୍ୟାରେଜ ନିର୍ମାଣ କରାଯାଇଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି। ଛତିଶଗଡରେ ସମୁଦାୟ୨୫୮ ଟି ବ୍ୟାରେଜ ନିର୍ମାଣ କରାଯାଇଥିବାବେଳେ କେବଳ ମହାନଦୀ ପ୍ରଣାଳୀରେ ୧୮୧ଟି ଛୋଟବଡ ବ୍ୟାରେଜ ରହିଛି। ଏଥିଯୋଗୁଁ ନଦୀର ଅବସ୍ଥା କେତେ ଶୋଚନୀୟ ହୋଇପାରେ ତାହା ସହଜରେ ଅନୁମାନ କରିହୁଏ।
ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ବ୍ୟାରେଜ ନିର୍ମାଣ ସମ୍ପର୍କରେ ଅବଗତ କରି ଆଶୁ ସମାଧାନ କରିବା ପାଇଁ ନିବେଦନ କରିଥିଲେ। ଏହା ମଧ୍ୟରେ ବିଚାରପତି ଏ.ଏମ୍.ଖାନୱିଲକରଙ୍କ ଅଧ୍ୟକ୍ଷତାରେ ତିନିଜଣିଆ ଟ୍ରାଇବ୍ୟୁନାଲ ଗଠିତ ହୋଇସାରିଛି, କିନ୍ତୁ ୨୦୧୬ ୧୭ ସେେପ୍ଟମ୍ବରରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତ୍ରିପାକ୍ଷିକ ବୈଠକରେ ନିର୍ମାଣାଧୀନ ବ୍ୟାରେଜଗୁଡିକର ନିର୍ମାଣ କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ଦାବି ମୁତାବକ ୩ମାସ ପାଇଁ ବନ୍ଦ କରାଗଲା ନାହିଁ। ଛତିଶଗଡ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ମହାନଦୀର ୫୭ ପ୍ରତିଶତ ପାଣି ସମୁଦ୍ରକୁ ବହିଯାଉଥିବା କହିଥିଲେ। ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଗତ ୧୩ ବର୍ଷଧରି ଜଳପ୍ରବେଶ କମିଯାଇଥିବା କଥା ବୈଠକରେ ଓଡିଶା ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଉପସ୍ଥାପିତ କରିବା ସଂଗେ ଛତିଶଗଡରେ ନିର୍ମାଣାଧୀନ ପ୍ରକଳ୍ପଗୁଡିକ ଦ୍ୱାରା ଏହା ଆହୁରି ପ୍ରଭାବିତ ହେବ ବୋଲି ପ୍ରକାଶ କରିଥିଲେ।
ବର୍ତ୍ତମାନ କିନ୍ତୁ ଓଡିଶାସରକାର ମହାନଦୀରେ ଅଧିକରୁ ଅଧିକ ବ୍ୟାରେଜ ନିର୍ମାଣ କରି ଛତିଶଗଡର ପଥକୁ ଅନୁସରଣ କରିବା ପାଇଁ ଚିନ୍ତା କରୁଥିବା କଥା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଆସୁଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ତ୍ରିପାକ୍ଷିକ ବୈଠକରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ମହାନଦୀର ୫୭ ପ୍ରତିଶତ ଜଳକୁ ଓଡିଶା ବ୍ୟବହାର ନକରିବା ଯୋଗୁଁ ସମୁଦ୍ରକୁ ଚାଲିଯାଉଛି ବୋଲି କହି ନିଜର ପକ୍ଷ ରଖିଥିଲେ। ଆଗାମୀ ଦିନରେ ମହାନଦୀରେ ବ୍ୟାରେଜ ନିର୍ମାଣ କରିବା ପାଇଁ ଘୋଷଣା କରି ଓଡିଶା ସରକାର କାହିଁକି ଓ କେଉଁ ବିଶେଷ ପରିସ୍ଥିତିରେ ନିଜର ଆଭିମୁଖ୍ୟକୁ ସମ୍ପୂର୍ଣ୍ଣ ଭାବରେ ବଦଳାଇ ଛତିଶଗଡର ଆଭିମୁଖ୍ୟକୁ କାର୍ଯ୍ୟକାରୀ କରିବାପାଇଁ ଯାଉଛନ୍ତି, ଏହା ବିତର୍କର ବିଷୟ। ଛତିଶଗଡରେ ନିର୍ମାଣାଧୀନ ବ୍ୟାରେଜ ଯଦି ମହାନଦୀ ତ୍ରିକୋଣଭୂମି ଅଞ୍ଚଳର ଜୈବବିବିଧତା ଓ ପରିବେଶର କ୍ଷତି କରିବ ତାହାହେଲେ ଓଡିଶାରେ ପ୍ରସ୍ତାବିତ ବ୍ୟାରେଜ ନିର୍ମାଣ ହେଲେ ଏହି ଅଞ୍ଚଳକୁ କାହିଁକି କ୍ଷତି କରିବ ନାହିଁ, ଏହା ରାଜ୍ୟ ସରକାର ଜନସାଧାରଣଙ୍କୁ ସ୍ପଷ୍ଟ କରିବା ଉଚିତ। କାରଣ ମହାନଦୀରେ ଛତିଶଗଡର ବ୍ୟାରେଜ ନିର୍ମାଣ ବିବାଦକୁ ନେଇ କେନ୍ଦ୍ର ସରକାରଙ୍କ ତ୍ରିପାକ୍ଷିକ ବୈଠକରେ ଓଡିଶା ଉପସ୍ଥାପନ କରିଥିବା ତଥ୍ୟ ଯଦି ସତ ତାହାହେଲେ ଅଧିକ ବ୍ୟାରେଜ ନିର୍ମାଣ ନିଜପାଇଁ ଘାତକ ହୋଇପାରେ। ଓଡିଶାରେ ଏକାଧିକ ବ୍ୟାରେଜ ନିର୍ମାଣ ପାଇଁ ସରକାର ଯୋଜନା କରୁଥିବାବେଳେ ପରସ୍ଥିତି ଚକ୍ରରେ ସ୍ଥାଣୁ ପାଲଟି ଯାଇଥିବା ରାଜ୍ୟର ବିରୋଧୀ ଦଳ ଛତିଶଗଡର ବ୍ୟାରେଜ ନିର୍ମାଣକୁ ତୀବ୍ର ବିରୋଧ ଓ ପରବର୍ତ୍ତୀ ପଦକ୍ଷେପରେ ଅନୁସରଣ ପ୍ରସ୍ତାବଜନିତ ବିଭ୍ରାନ୍ତିର ସ୍ପଷ୍ଟୀକରଣଟିଏ ମଧ୍ୟ ସରକାରଙ୍କୁ ଏପର୍ଯ୍ୟନ୍ତ ମାଗିନାହିଁ। ମହାନଦୀର ଦୁରବସ୍ଥା ପାଇଁ ଦାୟୀ ସର୍ବଦଳୀୟ ଅବହେଳାକୁ ଘୋଡାଇଦେବା ସକାଶେ କେବଳ ରାଜନୈତିକ ବାକ୍ଯୁଦ୍ଧ ଓ ପରସ୍ପର ଉପରେ କାଦୁଅ ଫିଙ୍ଗି ରାଜନୈତିକ ଦଳମାନେ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟିକରି ଦଳୀୟ ସ୍ୱାର୍ଥସାଧନ ପାଇଁ କାର୍ଯ୍ୟ କଲେ ରାଜ୍ୟର ସାମଗ୍ରିକ କ୍ଷତି ପାଇଁ ରାସ୍ତା ପ୍ରଶସ୍ତ ହୋଇପାରେ। ଦଳମତ ନିର୍ବିଶେଷରେ ଯେକୌଣସି ଦଳ ଶାସନ କ୍ଷମତାରେ ରହୁନା କାହିଁକି ସେମାନେ ରାଜ୍ୟର ଜୀବନରେଖା ମହାନଦୀର ସତର୍କ ପ୍ରହରୀ ହେବାରେ ଅବହେଳା କରିଛନ୍ତି। ସୀମାତୀତ ଅବହେଳା ପାଇଁ ଏ ଜାତି କ୍ଷମା ଦେବ ନାହିଁ।
ସୂଚନା ଅଧିକାର କର୍ମୀ, ଟିକ୍ରାପଡା,ବଲାଙ୍ଗିର