‘ଗଗନଯାନ’ କେତେ ଜରୁରୀ?

0

କମଳାକାନ୍ତ ଜେନା

୨୦୨୨ ମସିହା ସୁଦ୍ଧା ଭାରତ ନିଜର ତିନିଜଣ ମହାକାଶଚାରୀଙ୍କୁ ମହାକାଶକୁ ପଠେଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସୂଚନା ଦେଇଛନ୍ତି। ୨୦୧୮ ସ୍ୱାଧୀନତା ଦିବସ ଉଦ୍‌ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ଭାରତର ‘ଗଗନଯାନ’ ସଂପର୍କରେ ଘୋଷଣା କରିଛନ୍ତି। ‘ଗଗନଯାନ’ ହେଉଛି ଭାରତର ପ୍ରଥମ ମାନବଯୁକ୍ତ ମହାକାଶଯାନ, ଯାହା ଜଣେ ମହିଳା ଓ ଦୁଇଜଣ ପୁରୁଷ ମହାକାଶଚାରୀଙ୍କୁ ଧରି ଆସନ୍ତା ୪୦ ମାସ ଭିତରେ ମହାକାଶକୁ ଯାତ୍ରା କରିବ। ଗତ ୨୮.୦୮.୨୦୧୮ରେ ନୂଆଦିଲ୍ଲୀରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ‘ଇସ୍ରୋ’ ଅଧ୍ୟକ୍ଷ ଡକ୍ଟର କେ. ଶିବନ୍‌ଙ୍କ ଉପସ୍ଥିତିରେ ଆଣବିକ ଶକ୍ତି ଓ ମହାକାଶ ଗବେଷଣା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ମହାକାଶଚାରୀ ପ୍ରେରଣ କାର୍ଯ୍ୟକ୍ରମ ସଂପର୍କିତ ସବିଶେଷ ବିବରଣୀ ପ୍ରଦାନ କରିଛନ୍ତି।
ଭାରତୀୟମାନେ ଅପେକ୍ଷା କରିଛନ୍ତି ୨୦୨୨ ମସିହାର ସେଇ ଶୁଭ ଦିନଟିକୁ। ସେଦିନ ଭାରତର ମହାକାଶ ଉତ୍‌କ୍ଷେପଣ କେନ୍ଦ୍ର ଶ୍ରୀହରିକୋଟା ଜନମୁଖର ହୋଇ ଉଠିବ। ଭାରତ ଇତିହାସରେ ପ୍ରଥମ ଥର ପାଇଁ ମହାକାଶଚାରୀଙ୍କୁ ଧରି ମହାକାଶକୁ ଯାଉଥିବା ମାନବଯୁକ୍ତ “ଗଗନଯାନ”ର ଉତ୍‌କ୍ଷେପଣ ଦେଖିବା ପାଇଁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବେ। ତାହା ପ୍ରତ୍ୟେକ ଭାରତୀୟ ହୃଦୟରେ ପୁଲକ ଭରିଦେବ। ଆମେରିକା, ରୁଷିଆ ଓ ଚୀନ୍ ପରେ ମହାକାଶକୁ ମାନବ ପଠେଇବାର ସଫଳତା ଭାରତକୁ ପୃଥିବୀରେ ଚତୁର୍ଥ ରାଷ୍ଟ୍ରର ମାନ୍ୟତା ଆଣିଦେବ। ଜଣେ ଭାରତୀୟ ନିଜ ଦେଶର ମହାକାଶଚାରୀ ଓ “ଗଗନଯାନ”କୁ ନେଇ ଗର୍ବ କରିପାରିବ।
ଭାରତର ମହାକାଶଚାରୀ ପ୍ରେରଣ କାର୍ଯ୍ୟକ୍ରମ ପାଇଁ ପାଖାପାଖି ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅଟକଳ କରାଯାଇଛି। ଏହା ନିଃସନ୍ଦେହ ଏକ ବ୍ୟୟବହୁଳ କାର୍ଯ୍ୟକ୍ରମ। କାହିଁକି ନା, ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପାଇଁ ବର୍ଷକୁ ୬,୦୦୦ କୋଟି ଟଙ୍କା ଖର୍ଚ୍ଚ ହୁଏ। ତେଣୁ ଇସ୍ରୋର ବାର୍ଷିକ ଖର୍ଚ୍ଚ ବାହାରେ ପୁଣି ୧୦,୦୦୦ କୋଟି ଖର୍ଚ୍ଚକୁ କେତେକ ମହଲରେ ଅଗ୍ରାହ୍ୟ କରାଯାଉଛି। ଭାରତ ପରି ଗରିବ ଦେଶ ପାଇଁ ଏହା ଜରୁରୀ ନୁହେଁ ବୋଲି କେତେକ ମତ ଦେଉଛନ୍ତି। ମତ ପାର୍ଥକ୍ୟ ନୂଆ କଥା ନୁହେଁ। କିଛିବର୍ଷ ତଳେ ଭାରତର ମଙ୍ଗଳ ଅଭିଯାନକୁ ନେଇ ଏହିପରି ପରିସ୍ଥିତି ଉପୁଜିଥିଲା। ଏହାକୁ ଅନେକ ମହଲରେ ଅଗ୍ରାହ୍ୟ କରାଯାଉଥିଲା। ଭାରତ ପାଇଁ ମଙ୍ଗଳଯାତ୍ରା ଜରୁରୀ ନୁହେଁ ବୋଲି କୁହାଯାଉଥିଲା। ମଙ୍ଗଳଯାତ୍ରାର ଆବଶ୍ୟକତା ତୁଳନାରେ ଗାଁ ଗହଳିରେ ଗରିବ ଲୋକମାନଙ୍କର ଆବଶ୍ୟକତା ଅଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା, କିନ୍ତୁ ୪୫୪ କୋଟି ଟଂକାର ମଙ୍ଗଳ ଅଭିଯାନ ଭାରତକୁ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିପାରିଥିଲା। ମଙ୍ଗଳଯାନକୁ ଭାରତ ସଫଳତାର ସହିତ ନିର୍ଦ୍ଧାରିତ ମଙ୍ଗଳ-କକ୍ଷପଥରେ ସ୍ଥାପିତ କରିବା ପରେ ପୃଥିବୀରେ ୪ର୍ଥ ଓ ଏସିଆ ମହାଦେଶରେ ପ୍ରଥମ ରାଷ୍ଟ୍ର ହେବାର ଗୌରବ ଅର୍ଜନ କରିଥିଲା। ତେଣୁ ମଙ୍ଗଳ ଅଭିଯାନର ସଫଳତା ପରେ ସମସ୍ତ ଅର୍ଥର ସୁବିନିଯୋଗ ହୋଇଛି ବୋଲି ସମସ୍ତେ ହୃଦୟଙ୍ଗମ କଲେ। ଅଭିଯାନ ପଶ୍ଚାତ୍ ପ୍ରତ୍ୟେକ ଭାରତୀୟ ଏକ ମନରେ ଭାରତୀୟ ମହାକାଶ ଗବେଷଣାର ଜୟଗାନ କରିଥିଲେ।
ବିଶ୍ୱ ଦରବାରରେ ଭାରତୀୟ ବୈଜ୍ଞାନିକମାନେ ମହାକାଶ ଗବେଷଣା କ୍ଷେତ୍ରରେ ନିଜ ଦକ୍ଷତାର ପ୍ରମାଣ ଦେଇସାରିଛନ୍ତି। ଦେଶର ଦୁର୍ବଳ ଅର୍ଥନୀତି ମହାକାଶ ଅଭିଯାନର ପ୍ରତିବନ୍ଧକ ହୋଇ ରହିନାହିଁ। ଆମ ଦେଶରେ ଲୋକମାନେ ଗରିବ ହେଲେ ବି ପ୍ରତିବର୍ଷ ଦୀପାବଳୀରେ ୧୦,୦୦୦ କୋଟି ଟଂକାରେ ବାଣ ଫୁଟେଇ ପାରୁଛନ୍ତି ଯାହାର ସୁଫଳ ନାହିଁ, ବରଂ ପରିବେଶକୁ ପ୍ରଦୂଷିତ କରୁଛି। ୨୦୧୬-୧୭ ମସିହା ପାଇଁ ଆମର ମୁଣ୍ଡପିଛା ଆୟ ଥିଲା ୧,୦୩,୮୭୦ ଟଙ୍କା। ୨୦୧୭-୧୮ ମସିହା ପାଇଁ ଆମର ମୁଣ୍ଡପିଛା ଆୟ ଥିଲା ୧,୧୨,୮୩୫ ଟଙ୍କା। ମହାକାଶଚାରୀ ଅଭିଯାନ ପାଇଁ ୧୩୫ କୋଟି ଭାରତୀୟଙ୍କୁ ମୁଣ୍ଡ ପିଛା ମାତ୍ର ୭୪ ଟଙ୍କା ଦେବାକୁ ପଡିବ। ଏହା କିଛି ବଡ ଅବଦାନ ନୁହେଁ। କିନ୍ତୁ, ଏହି ସ୍ୱଳ୍ପ ଦାନ ଦିନେ ମହତ୍ ଦାନ ପ୍ରମାଣିତ ହେବ।
ବିଭିନ୍ନ ମହଲରେ ଚର୍ଚ୍ଚା ହେଉ କି ନ ହେଉ, ଯିଏ ଯାହା କହୁ କି ନକହୁ, ଆମର ଚନ୍ଦ୍ରଯାତ୍ରା ଓ ମଙ୍ଗଳଯାତ୍ରା ପରି ମହାକାଶଚାରୀ ପ୍ରେରଣ କାର୍ଯ୍ୟକ୍ରମର ଏକାଧାରରେ ବୈଜ୍ଞାନିକ, ସାମରିକ, ରାଜନୈତିକ ଓ ଅର୍ଥନୈତିକ ମୂଲ୍ୟବୋଧ ରହିଛି। ଅତୀତରେ ଆମର ସଫଳ ମହାକାଶ ଅଭିଯାନ ସକାଶେ ଆମେରିକାର ‘ନାସା’ ଓ ୟୁରୋପର ‘ଇସା’ ଭଳି ମହାକାଶ ଗବେଷଣା ସଂସ୍ଥା ଭୁରିଭୁରି ପ୍ରଶଂସା କରିଛନ୍ତି। ପୃଥିବୀର ସମସ୍ତ ରାଷ୍ଟ୍ର ନିକଟରେ ଆମର ମହାକାଶ ଗବେଷଣା ବିଶ୍ୱାସଭାଜନ ହୋଇପାରିଛି। ତେଣୁ ଅନ୍ୟ ଦେଶର ଉପଗ୍ରହକୁ ମହାକାଶକୁ ପଠେଇ ଭାରତ କୋଟିକୋଟି ଟଙ୍କା ଉପାର୍ଜନ କରିପାରୁଛି। ଆମର ମହାକାଶଚାରୀ ପଠାଇବା ଅଭିଯାନ ସଫଳ ହେଲେ କାଲି ଅନ୍ୟ ଦେଶର ମହାକାଶଚାରୀଙ୍କୁ ଆମେ ମହାକାଶକୁ ପଠେଇବା। ଏହାର ଉତ୍କର୍ଷତା ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିବ। ଆଜିର ମହାକାଶ ଗବେଷଣା ଯୁଗରେ ଦୁର୍ବଳ ଅର୍ଥନୀତିର ଦ୍ୱାହି ଦେଇ ଯୁଗ ସହିତ ତାଳ ମିଳେଇ ନ ଚାଲିବା ବୁଦ୍ଧିମତ୍ତାର ପରିଚୟ ନୁହେଁ। ଏହି ସଫଳତା ଆଗାମୀ ଦିନରେ ମହାକାଶ ଗବେଷଣା ଦିଗରେ ପାଦ ବଢେଇବା ପାଇଁ ଭାରତୀୟ ଯୁବପିଢିଙ୍କୁ ଉତ୍ସାହିତ କରିବ।
ସହକାରୀ ପ୍ରଫେସର, ପଦାର୍ଥ ବିଜ୍ଞାନ ବିଭାଗ,
ଭଦ୍ରକ ଅଟୋନମସ୍ କଲେଜ, ଭଦ୍ରକ

Leave A Reply