ଅପମିଶ୍ରଣର ଅନ୍ଧ ଦୁନିଆ
କଟକ ସନ୍ନିକଟ ଜଗତପୁରର ଏକ ଭେଜାଲ ଖାଇବା ତେଲ ତିଆରି କାରଖାନାରେ ଚଢ଼ଉ ସହ ଏହାର ମାଲିକକୁ ପୁଲିସ ଗିରଫ କରିବା ଘଟନା ପୁଣିଥରେ ଅପମିଶ୍ରଣ ଓ ଭେଜାଲର ଅନ୍ଧ ଦୁନିଆ ପ୍ରତି ସଚେତନ ଉପଭୋକ୍ତାଙ୍କର ଦୃଷ୍ଟି ଆକର୍ଷଣ କରିଛି। ସାବୁନ ତିଆରି ପାଇଁ ବ୍ୟବହୃତ ଏକ ପ୍ରକାରର ତେଲରେ ସୋରିଷ ତେଲର ବାସ୍ନା ଥିବା ପ୍ରାଣଘାତୀ ରାସାୟନିକ ଦ୍ରବ୍ୟ ମିଶାଯାଇ ଭେଜାଲ୍ ସୋରିଷ ତେଲ ତିଆରି କରାଯାଉଥିବା ଜଣାପଡ଼ିଛି। ସବୁଠୁ ବିପଜ୍ଜନକ କଥା ହେଲା, ଏହି ଭେଜାଲ୍ ତେଲ ରାଜ୍ୟର ଏକ ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର କଟକର ମାଲଗୋଦାମ ସମେତ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲାକୁ ଚାଲାଣ କରାଯାଉଥିଲା। ବିଭିନ୍ନ ବ୍ରାଣ୍ଡର ଟିଣଡବାରେ ନକଲି ଖାଇବା ତେଲ ଭର୍ତ୍ତି କରାଯାଉଥିବାରୁ ଏହା ସହଜରେ ଧରାପଡ଼ୁନଥିଲା। ଗତ ଏପ୍ରିଲ ମାସରେ ମଧ୍ୟ ଏଭଳି ଏକ ଭେଜାଲ ଖାଇବା ତେଲ କାରଖାନାକୁ ଠାବ କରାଯାଇଥିଲା। ଅତୀତରେ ଏଠାରେ ଭେଜାଲ୍ ଘିଅ କାରଖାନାଠାରୁ ଆରମ୍ଭ କରି ନକଲି ପ୍ରସାଧନ ସାମଗ୍ରୀ ଓ ନକଲି ସିମେଣ୍ଟ ତିଆରି କାରଖାନା ଚାଲୁଥିବା ଦେଖାଯାଇଛି। ତେବେ କେବଳ କଟକ ନୁହେଁ, ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷବର୍ଷ ଧରି ନକଲି ଓ ଭେଜାଲ ଜିନିଷ ଏବଂ ଖାଦ୍ୟପଦାର୍ଥ ବହୁଳ ପରିମାଣରେ ତିଆରି କରାଯାଉଥିଲେ ହେଁ ତାକୁ ପୁଲିସ ସହଜରେ ଠାବ କରିପାରୁନାହିଁ କିମ୍ବା ବହୁ ବିଳମ୍ବରେ କରୁଛି। ସେତେବେଳକୁ କେତେ ଯେ ଉପଭୋକ୍ତା ଠକାମିରେ ପଡ଼ିସାରିଥିବେ ଓ ବିଭିନ୍ନ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିଥିବେ, ତା’ର ଇୟତ୍ତା ନାହିଁ।
ଅନ୍ୟ ଜିନିଷର ଅପମିଶ୍ରଣ ଅପେକ୍ଷା ଖାଦ୍ୟପଦାର୍ଥର ଅପମିଶ୍ରଣ ମଣିଷ ପାଇଁ ଅତି ବିପଜ୍ଜନକ, କାରଣ ଏହା ସିଧାସଳଖ ତା’ର ସ୍ବାସ୍ଥ୍ୟ ଉପରେ ହାନିକାରକ ପ୍ରଭାବ ପକାଇଥାଏ। ଏଥିରେ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ମିଶାଯାଉଥିବାରୁ ତାହା ଉପଭୋକ୍ତାର ଶରୀରରେ ବିଭିନ୍ନ ପ୍ରକାରର ପ୍ରାଣଘାତୀ ବ୍ୟାଧି ସୃଷ୍ଟି କରେ। ଆମ ଦେଶରେ ଏଭଳି ଭେଜାଲ ଜିନିଷ ତିଆରି ଓ ଅପମିଶ୍ରଣକୁ ରୋକିବା ପାଇଁ ବିଭିନ୍ନ ପ୍ରକାରର ଆଇନ ଥିଲେ ହେଁ ତାହା ଠିକ୍ଭାବେ କାର୍ୟ୍ୟକାରୀ ହେଉନଥିବାରୁ ଏ ସମସ୍ୟା ଅତି ଗୁରୁତର ପାଲଟିଲାଣି। ଏବେ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ କର୍ତ୍ତୃପକ୍ଷ (ଏଫଏସଏସଏଆଇ) ଖାଦ୍ୟରେ ଅପମିଶ୍ରଣ ରୋକିବା ପାଇଁ ଏକ କଡ଼ା ଆଇନ ଆଣିବାକୁ ଯୋଜନା କରିଛି। ଏହା ଅନୁସାରେ ଅପମିଶ୍ରଣକାରୀକୁ ଆଜୀବନ କାରାଦଣ୍ଡ ଓ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ କ୍ରମେ ଏଫଏସଏସଏଆଇ ଏହାର ଖାଦ୍ୟ ନିରାପତ୍ତା ଓ ମାନକ ଆଇନ ୨୦୦୬ରେ ସଂଶୋଧନ ଆଣିବା ପାଇଁ ୧୦୦ଟି ପ୍ରସ୍ତାବ ରଖିଛି। ଏଥିପାଇଁ ଆଗାମୀ ଜୁଲାଇ ୨ ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ଲୋଡ଼ିଛି। ଏହି ସଂଶୋଧିତ ଆଇନଟି ଯଦି କାର୍ୟ୍ୟକାରୀ ହୁଏ, ତେବେ କାହାର କ୍ଷୟକ୍ଷତି ହୋଇଥିବା ପ୍ରମାଣିତ ନହୋଇଥିଲେ ସୁଦ୍ଧା ଅପମିଶ୍ରଣରେ ନିୟୋଜିତ ବ୍ୟକ୍ତି ବା ସଂସ୍ଥା ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ତେବେ ଅସଲ ସମସ୍ୟା ନିୟମକାନୁନକୁ ନେଇ ନୁହେଁ, ଏହା ଆମେ ସମସ୍ତେ ଜାଣୁ। କେବଳ ଆଇନକୁ କଠୋର କରିଦେଲେ ଅପମିଶ୍ରଣ ସମସ୍ୟାର ସମାଧାନ ହୋଇଯିବ, ତାହା ଭାବିବା ନିର୍ବୋଧତା ହେବ। ପ୍ରକୃତ କଥା ହେଲା, ଆଇନର ଯେଭଳି ଅନୁପାଳନ ହେବା କଥା ତାହା ହେଉନାହିଁ। ଯଦି ପ୍ରକୃତରେ ଆଇନ ଠିକ୍ଭାବେ କାର୍ୟ୍ୟକାରୀ ହେଉଥାନ୍ତା, ତେବେ ପୁଲିସର ନାକତଳେ ଅପମିଶ୍ରଣର ବିରାଟ କାରଖାନା ଚାଲିପାରୁନଥା’ନ୍ତା। ଅପମିଶ୍ରଣକାରୀଙ୍କର ନା ଆଇନର ଭୟ ଅଛି ନା ଅନ୍ୟର ଜୀବନ ନେବାର ଅପରାଧବୋଧ। ଆଗରୁ ବିଭିନ୍ନ ପର୍ବପର୍ବାଣିରେ ନକଲି ଜିନିଷ ଧରାପଡ଼ୁଥିବାର ଖବର ମିଳୁଥିଲା; ଏବେ କିନ୍ତୁ ବର୍ଷସାରା ଅସାଧୁ ଲୋକେ ଏହି କାରବାର ଚଳାଉଛନ୍ତି। ତେଣୁ ଏହା ଏକ ବଡ଼ ସଙ୍କଟରେ ପରିଣତ ହୋଇସାରିଛି।
କେବଳ ସେତିକି ନୁହେଁ, ଏଭଳି ନକଲି ଦ୍ରବ୍ୟ ଓ ଖାଦ୍ୟପଦାର୍ଥର ଅପମିଶ୍ରଣକୁ ଚିହ୍ନଟ କରିବା ପାଇଁ ଯେଉଁ ସଂସ୍ଥା ଏଫଏସଏସଏଆଇ ରହିଛି, ତାହା ମଧ୍ୟ ଠିକଭାବେ କାର୍ୟ୍ୟ କରୁନାହିଁ ବୋଲି କିଛି ମାସ ତଳେ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ତାଙ୍କ ରିପୋର୍ଟରେ କହିଥିଲେ। ଏହି ସଂସ୍ଥା ଏତେ ବେପରୁଆ ଭାବେ କାର୍ୟ୍ୟ କରୁଛି ଯେ ଯାଞ୍ଚ ପାଇଁ ଖାଦ୍ୟପଦାର୍ଥର ନମୁନା ଯେଉଁ ୭୨ଟି ପରୀକ୍ଷାଗାରକୁ ପଠାଯାଇଥିଲା, ସେଥିମଧ୍ୟରୁ ୬୫ଟି ନିକଟରେ ଆଧିକାରିକ ମାନ୍ୟତା ନଥିବା ସିଏଜି ଜାଣିବାକୁ ପାଇଥିଲେ। ଅଡିଟ୍ ସମୟରେ ୧୬ଟି ପରୀକ୍ଷାଗାରର ଯାଞ୍ଚ କରାଯାଇଥିଲା, ଯେଉଁଥିରୁ ୧୫ଟିରେ ଯୋଗ୍ୟ ଖାଦ୍ୟ ବିଶ୍ଳେଷକ ନଥିଲେ। ଏଥିରୁ ଆମେ ଏହି ପ୍ରସଙ୍ଗକୁ କେତେ ଗୁରୁତ୍ବ ଦେଉଛୁ, ତାହା ସହଜେ ଅନୁମେୟ।
ପୃଥିବୀର ବିକଶିତ ଦେଶଗୁଡ଼ିକରେ ଖାଦ୍ୟପଦାର୍ଥର ମାନ ନେଇ ଅତି କଠୋର ଆଇନକାନୁନ କାର୍ୟ୍ୟକାରୀ ହୋଇଥାଏ ଓ ସେଥିରେ ସାମାନ୍ୟତମ ଅବହେଳା ସ୍ବୀକାର୍ୟ୍ୟ ନୁହେଁ; ଅଥଚ ଆମ ଦେଶରେ ତା’ର ସଂପୂର୍ଣ୍ଣ ଓଲଟା। ଯିଏ ଯେମିତି ଖାଦ୍ୟଦ୍ରବ୍ୟ ତିଆରି କରିପାରିଲା ଓ ମନଇଚ୍ଛା ଯେଉଁଠି ପାରିଲା ସେଇଠି ବିକିଲା। ଏ ନେଇ ଅନେକ ଆଇନକାନୁନ ଥିଲେ ହେଁ ତାହା ଶୀତଳଭଣ୍ଡାରରେ ପଡ଼ିରହିବା ହିଁ ସାର ହେଉଛି। ଏ ନେଇ ଯଥେଷ୍ଟ ଗୁରୁତ୍ବ ଦେବାର ସମୟ ଆସିଛି। ପ୍ରସ୍ତାବିତ ନୂତନ ଆଇନରେ ନମୁନା ଯାଞ୍ଚର ରିପୋର୍ଟ ପାଞ୍ଚ ଦିନ ଭିତରେ ହିଁ ଜାରି କରିବା ବାଧ୍ୟତାମୂଳକ; ତେବେ ଏଥିପାଇଁ ଯେଉଁ ଆନୁଷଙ୍ଗିକ ଭିତ୍ତିଭୂମି ଆବଶ୍ୟକ, ତାହା ତିଆରି କରିବା ଦାୟିତ୍ବ ସରକାରଙ୍କର। ସଂଶୋଧିତ ଆଇନ ନିଶ୍ଚିତଭାବେ ସ୍ବାଗତଯୋଗ୍ୟ ଏବଂ ଏହାକୁ ଅବିଳମ୍ବେ କାର୍ୟ୍ୟକାରୀ କରାଯିବା ଆବଶ୍ୟକ।