ଇଂରାଜୀ ଭାଷା ବିଷୟରେ ଗାନ୍ଧୀ

0

ଦେବୀପ୍ରସନ୍ନ ପଟ୍ଟନାୟକ

prayash

ଇଂରାଜୀ ହେଉଛି ଆନ୍ତର୍ଜାତିକ ବାଣିଜ୍ୟର ଭାଷା। ଏହା ବୈଦେଶିକ ସମ୍ପର୍କର ଭାଷା। ଏଥିରେ ବହୁ ମୂଲ୍ୟବାନ ସାହିତ୍ୟ ସମ୍ପଦ ରହିଛି। ପଶ୍ଚିମୀ ଚିନ୍ତା ଭାବନା ଓ ସଂସ୍କୃତି ସହିତ ଏହା ଆମକୁ ପରିଚିତ କରାଏ। ଆମ କିଛି ଲୋକଙ୍କ ପାଇଁ ଇଂରାଜୀ ଜ୍ଞାନ ଆବଶ୍ୟକ। ଏମାନେ ଜାତୀୟ ବାଣିଜ୍ୟ ଓ କୂଟନୀତି ବିଭାଗ ପରିଚାଳନା କରିବେ। ଏମାନେ ସମସ୍ତ ଦେଶବାସୀଙ୍କୁ ପଶ୍ଚିମୀ ସଂସ୍କୃତିର ଶ୍ରେଷ୍ଠ ସାହିତ୍ୟ, ଚିନ୍ତନ ଓ ବିଜ୍ଞାନ ସହିତ ପରିଚୟ କରେଇବେ। ଏହା ଇଂରାଜୀର ଯଥାର୍ଥ ବ୍ୟବହାର ହେବ, କିନ୍ତୁ ଆଜି ଇଂରାଜୀ ଆମ ହୃଦୟର ଅତିପ୍ରିୟ ସ୍ଥାନକୁ ଜବରଦଖଲ କରିଛି ଏବଂ ଆମ ମାତୃଭାଷାଗୁଡ଼ିକୁ ଗାଦିଚ୍ୟୁତ କରିଛି। ଇଂରେଜମାନଙ୍କ ସହ ଆମର ଅସମାନ ସଂପର୍କ ହେତୁ ଏହା ଏକ ଅପ୍ରାକୃତିକ ସ୍ଥାନରେ ରହିଛି। ଭାରତୀୟ ଚିନ୍ତନର ଶ୍ରେଷ୍ଠତମ ବିକାଶ ଇଂରାଜୀ ବ୍ୟତୀତ ହେବା ସମ୍ଭବ। ଏହା ଭାରତୀୟ ପୁରୁଷତ୍ୱର ଅମର୍ଯ୍ୟାଦା କରି, ବିଶେଷକରି ନାରୀତ୍ୱର ବିରୁଦ୍ଧାଚରଣ କରି ଆମ ପୁଅ ଝିଅଙ୍କୁ ଶିଖେଇଛି ଯେ ଇଂରାଜୀ ଜ୍ଞାନ ଛଡ଼ା ଉଚ୍ଚତର ସମାଜରେ ପ୍ରବେଶ ଅସମ୍ଭବ। ଏହା ସହିବାଠାରୁ ଲାଜ ଓ ଅପମାନଜନକ କଥା କିଛି ହୋଇନପାରେ। ଇଂରାଜୀ ଆସକ୍ତିକୁ ଦୂର କରିବା ସ୍ୱରାଜର ଏକ ଅପରିହାର୍ଯ୍ୟ ଉପାଦାନ। (ୟଙ୍ଗ ଇଣ୍ଡିଆ, ୨ ଫେବୃଆରୀ ୧୯୨୧/ଗାନ୍ଧି, ଏମ୍‌କେ, ଇଣ୍ଡିଆ ଅଫ ମାଇଁ ଡ୍ରିମସ୍, ଅହମଦାବାଦ, ନବଜୀବନ ଟ୍ରଷ୍ଟ, ୨୦୦୯)
ଇଂରାଜୀ ଶିକ୍ଷା
ଏହା ମୋର ସୁଚିନ୍ତିତ ମତ ଯେ ଯେଉଁ ଭାବରେ ଇଂରାଜୀ ଶିକ୍ଷା ଦିଆଯାଇଛି ଇଂରାଜୀ ଶିକ୍ଷିତ ଭାରତୀୟଙ୍କୁ ହୀନବୀର୍ଯ୍ୟ କରିଦେଇଛି। ଏହା ଭାରତୀୟ ଛାତ୍ରଙ୍କର ସ୍ନାୟବିକ ଶକ୍ତିର ଅପଚୟ କରି ଆମକୁ ଅନୁକରଣକାରୀ କରିଦେଇଛି। ଆମ ମାତୃଭାଷାକୁ ସ୍ଥାନଚ୍ୟୁତ କରିବା ଆମ ବ୍ରିଟିଶ ସଂପର୍କର ଏକ ସବୁଠାରୁ ଦୁଃଖକର ଅଧ୍ୟାୟ। ରାମମୋହନ ରାୟ ଆହୁରି ବଡ଼ ସମାଜ ସଂସ୍କାରକ ହୋଇଥାନ୍ତେ, ବାଳ ଗଙ୍ଗାଧର ତିଳକ ଆହୁରି ବଡ଼ ବିଦ୍ୱାନ ହୋଇଥାନ୍ତେ, ଯଦି ସେମାନେ ଇଂରାଜୀରେ ଭାବିବା ପରି ମାନସିକ ଅସାମର୍ଥ୍ୟରୁ ଆରମ୍ଭ କରିନଥାନ୍ତେ ଏବଂ ଆପଣାର ଚିନ୍ତାକୁ ମୁଖ୍ୟତଃ ଇଂରାଜୀରେ ପ୍ରକାଶ କରିନଥାନ୍ତେ। ତାଙ୍କ ନିଜ ଲୋକଙ୍କ ଉପରେ ତାଙ୍କର ପ୍ରଭାବ ଯେତେ ଆଶ୍ଚର୍ଯ୍ୟଜନକ, ଉତ୍କୃଷ୍ଟ ହେଲେ ସୁଦ୍ଧା ଏହାଠାରୁ ଅଧିକ ହୋଇଥାନ୍ତା, ଯଦି ସେମାନେ ଏଇ ଅପ୍ରାକୃତିକ ବ୍ୟବସ୍ଥା ଭିତରେ ବଢ଼ିନଥାନ୍ତେ। ସେମାନେ ଯେ ଉନ୍ନତ ଇଂରାଜୀ ସାହିତ୍ୟରୁ ଆପଣା ଜ୍ଞାନ ବଢ଼େଇଛନ୍ତି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଏହି ସବୁ ଜ୍ଞାନ ଆପଣା ମାତୃଭାଷା ଜରିଆରେ ସେମାନଙ୍କୁ ମିଳିଥାଆନ୍ତା। କୌଣସି ଦେଶ ଗୋଟିଏ ଅନୁକରଣକାରୀ ଗୋଷ୍ଠୀ ସୃଷ୍ଟି କରି ବଡ଼ ହୋଇନାହିଁ। ଇଂରେଜମାନଙ୍କର ଯଦି ଗୋଟିଏ ସତ୍ୟର ଉତ୍ସ ରୂପେ ଗୃହୀତ ହେଉଥିବା ବାଇବେଲ ନଥାନ୍ତା, ତେବେ ସେମାନଙ୍କର ଅବସ୍ଥା କଅଣ ହୋଇଥାନ୍ତା? ମୁଁ ବିଶ୍ୱାସ କରେ ଯେ ଚୈତନ୍ୟ, କବିର, ନାନକ, ଗୁରୁ ଗୋବିନ୍ଦ ସିଂହ, ଶିବାଜୀ ଏବଂ ପ୍ରତାପ ରାମମୋହନ ରାୟ ଏବଂ ତିଳକଙ୍କ ଅପେକ୍ଷା ଉତ୍କୃଷ୍ଟ ମଣିଷ ଥିଲେ। ମୁଁ ଜାଣେ ଯେ ତୁଳନା କରିବା ଜଘନ୍ୟ। ପ୍ରତ୍ୟେକେ ଆପଣାଆପଣା ବାଟରେ ବଡ଼, କିନ୍ତୁ ପରିଣାମ ଦୃଷ୍ଟିରୁ ବିଚାର କଲେ ରାମମୋହନ ଓ ତିଳକଙ୍କର ତାଙ୍କ ଲୋକଙ୍କ ଉପରେ ପ୍ରଭାବ ସ୍ଥାୟୀ କିମ୍ବା ସୁଦୂରପ୍ରସାରୀ ନଥିଲା। ଯେଉଁ ସବୁ ପ୍ରତିବନ୍ଧ ସେମାନଙ୍କୁ ସାମନା କରିବାକୁ ପଡିଥିଲା ସେ ସବୁ ବିଚାର କଲେ ଦେଖାଯିବ ଯେ ସେମାନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲେ। ଏ ଦୁହେଁ ପ୍ରଭାବ ବିସ୍ତାରରେ ଅଧିକ ସଫଳ ହୋଇଥାନ୍ତେ ଯଦି ସେମାନେ ଅପ୍ରାକୃତିକ ବ୍ୟବସ୍ଥାରେ ଶିକ୍ଷା ଲାଭ କରିନଥାନ୍ତେ। ମୁଁ ବିଶ୍ୱାସ କରିବାକୁ ରାଜି ନୁହେଁ ଯେ ରାଜା ଓ ଲୋକମାନ୍ୟ ଯେଉଁ ଚିନ୍ତା କରିଯାଇଛନ୍ତି ଇଂରାଜୀ ନଜାଣିଥିଲେ ସେମାନେ ସେ ଚିନ୍ତା କରିପାରି ନଥାନ୍ତେ। ଆଜି ଭାରତକୁ ଅନ୍ଧ ବିଶ୍ୱାସ ଘାରିଛି ଯେ ମୁକ୍ତି ଭାବନା ପାଇଁ ହେଉ କିମ୍ବା ଚିନ୍ତାର ଯଥାର୍ଥ୍ୟ ପାଇଁ ହେଉ ଇଂରାଜୀ ଭାଷାର ଆବଶ୍ୟକତା ଅଛି। ମନେ ରଖିବାକୁ ହେବ ଯେ ଗତ ପଚାଶ ବର୍ଷ ଧରି ଦେଶରେ ଗୋଟିଏ ଶିକ୍ଷା ବ୍ୟବସ୍ଥା ଏବଂ ଦେଶବାସୀଙ୍କ ଉପରେ ମତ ପ୍ରକାଶ ପାଇଁ ଗୋଟିଏ ମାଧ୍ୟମ ଚାପି ଦିଆଯାଇଛି। ତେଣୁ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥା ନଥିଲେ ଆମେ କଅଣ ହୋଇପାରିଥାନ୍ତେ ଏ ବିଷୟରେ କୌଣସି ତଥ୍ୟ ଆମ ପାଖରେ ନାହିଁ। ଏକଥା ଆମେ ଅବଶ୍ୟ ଜାଣୁ ଯେ ପଚାଶ ବର୍ଷ ଆମ ତୁଳନାରେ ଆମେ ଅଧିକ ଗରିବ ହୋଇଛୁ। ଆମ ସୁରକ୍ଷା ଦୁର୍ବଳ ହୋଇଛି ଏବଂ ପିଲାଙ୍କ ପୁଷ୍ଟି କମିଛି। ମତେ ଜଣେଇବା ଆବଶ୍ୟକ ନାହିଁ ଯେ ପ୍ରାଶାସନିକ ବ୍ୟବସ୍ଥାରେ ତ୍ରୁଟି ଏଥିପାଇଁ ଦାୟୀ। ଶିକ୍ଷା ବ୍ୟବସ୍ଥା ସବୁଠୁ ବେଶି ତ୍ରୁଟିପୂର୍ଣ୍ଣ।
ଭ୍ରାନ୍ତିରୁ ଏହାର ଚିନ୍ତନ ଓ ଜନ୍ମ। ଇଂରେଜମାନେ ପ୍ରକୃତରେ ଭାବିଥିଲେ ଯେ ପାରମ୍ପରିକ ବ୍ୟବସ୍ଥା ଅନାବଶ୍ୟକତାଠାରୁ ଖରାପ। ପାପରେ ଏହି ବ୍ୟବସ୍ଥାର ଲାଳନପାଳନ ହୋଇଛି। ଏହାର ଉଦ୍ଦେଶ୍ୟ ଥିଲା ଭାରତୀୟଙ୍କ ଶରୀର, ମନ ଓ ଆତ୍ମାକୁ ବାମନ କରିଦେବା। (ୟଙ୍ଗ ଇଣ୍ଡିଆ, ୨୭ ଏପ୍ରିଲ ୧୯୨୧)
ଇଂରାଜୀ ଶିଖିବା
କବି (ରବୀନ୍ଦ୍ରନାଥ ଠାକୁର) ବୋଧହୁଏ ଜାଣନ୍ତି ନାହିଁ ଯେ ଇଂରାଜୀ ତାହାର ବ୍ୟାବସାୟିକ ମୂଲ୍ୟ ଏବଂ ତଥାକଥିତ ରାଜନୈତିକ ମୂଲ୍ୟ ପାଇଁ ପଢ଼ାଯାଉଛି। ଆମ ପିଲାମାନେ ଯଥାର୍ଥରେ ଭାବୁଛନ୍ତି ଯେ ଇଂରାଜୀ ବିନା ସରକାରୀ ଚାକିରି ପାଇବା ଅସମ୍ଭବ। ବାହାଘରର ପାସପୋର୍ଟ ପାଇଁ ପିଲାମାନେ ଇଂରାଜୀ ପଢ଼ୁଛନ୍ତି। ମୁଁ ଏପରି କେତେକ ସ୍ତ୍ରୀଲୋକଙ୍କୁ ଜାଣିଛି ଯେଉଁମାନେ ଇଂରେଜଙ୍କ ସାଙ୍ଗରେ ଇଂରାଜୀରେ କଥାବାର୍ତ୍ତା ପାଇଁ ଇଂରାଜୀ ଶିଖୁଛନ୍ତି। ମୁଁ ଏପରି ସ୍ୱାମୀମାନଙ୍କୁ ଜାଣେ ଯେଉଁମାନେ ତାଙ୍କ ସ୍ତ୍ରୀମାନେ ତାଙ୍କ ସହିତ ଓ ତାଙ୍କ ବନ୍ଧୁମାନଙ୍କ ସହିତ ଇଂରାଜୀରେ କଥାବାର୍ତ୍ତା ନକରି ପାରୁଥିବାରୁ ଦୁଃଖିତ। ମୁଁ ଏପରି ପରିବାରକୁ ଜାଣେ ଯେଉଁଠି ଇଂରାଜୀକୁ ମାତୃଭାଷା କରାଯାଉଛି। ଶହଶହ ଯୁବକ ବିଶ୍ୱାସ କରନ୍ତି ଯେ ଇଂରାଜୀ ଛଡା ଭାରତରେ ସ୍ୱାଧୀନତା ଅସମ୍ଭବ। ଏହି ବ୍ୟାଧି ସମାଜକୁ ଏପରି ଗ୍ରାସ କଲାଣି ଯେ ଅନେକ କ୍ଷେତ୍ରରେ ଶିକ୍ଷାର ଏକମାତ୍ର ଅର୍ଥ ଇଂରାଜୀ ଜ୍ଞାନ। (ୟଙ୍ଗ ଇଣ୍ଡିଆ, ୧ ଜୁନ୍ ୧୯୨୧)
ଶିକ୍ଷା
ପାଠକ – ମୁଁ କଣ ଏଇ କଥା ବୁଝିବି ଯେ ସ୍ୱାୟତ୍ତ ଶାସନ ପାଇଁ ତୁମ ମତରେ ଇଂରାଜୀ ଶିକ୍ଷାର ଆବଶ୍ୟକତା ନାହିଁ?
ସଂପାଦକ – ମୋ ଉତ୍ତର ଉଭୟ ହଁ ଓ ନାହିଁ। ଲକ୍ଷଲକ୍ଷ ଲୋକଙ୍କୁ ଇଂରାଜୀ ଶିକ୍ଷା ଦେବା ଅର୍ଥ ସେମାନଙ୍କୁ କ୍ରୀତଦାସ କରିବା। ମ୍ୟାକଲେ ଶିକ୍ଷା ବ୍ୟବସ୍ଥାର ଯେଉଁ ଭିତ୍ତିଭୂମି ପକେଇଲେ ତାହା ଆମକୁ କ୍ରୀତଦାସ କରିଛି। ତାଙ୍କର ଏହି ଇଚ୍ଛା ଥିଲା ବୋଲି ମୁଁ କହୁ ନାହିଁ; କିନ୍ତୁ ତା’ର ପରିଣାମ ଏହା ହୋଇଛି। ଏହା କଣ ଦୁଃଖକର କଥା ନୁହେଁ ଯେ ଆମେ ସ୍ୱାୟତ୍ତ ଶାସନ ବିଷୟରେ ବିଦେଶୀ ଭାଷାରେ କହୁଛେ?
ଆମେ ମନେରଖିବାକୁ ହେବ ଯେ ଯେଉଁ ବ୍ୟବସ୍ଥାକୁ ୟୁରୋପୀୟମାନେ ଫୋପାଡ଼ି ଦେଇଛନ୍ତି ତାହାହିଁ ଆମ ଭିତରେ ପ୍ରଚଳିତ। ତାଙ୍କର ପଣ୍ଡିତ ଲୋକେ ନିୟମିତ ଭାବରେ ପରିବର୍ତ୍ତନ କରୁଛନ୍ତି। ଆମେ ଅଜ୍ଞାନ ଭାବରେ ସେମାନେ ଫୋପାଡ଼ି ଦେଇଥିବା ବ୍ୟବସ୍ଥାକୁ ଜାବୁଡ଼ି ଧରିଛୁ। ତାଙ୍କର ସବୁ ଅଂଚଳର ଉନ୍ନତି ପାଇଁ ସେମାନେ ଚେଷ୍ଟା କରୁଛନ୍ତି। ୱେଲସ୍ ଇଂଲଣ୍ଡର ଗୋଟିଏ ଛୋଟ ଅଂଶ। ୱେଲସ ଲୋକଙ୍କ ଭିତରେ ୱେଲସ ଭାଷାର ପୁନର୍ଜାଗରଣ ପାଇଁ ବହୁ ଚେଷ୍ଟା କରାଯାଉଛି। ଇଂରେଜ ଚାନସେଲର ଲଏଡଜର୍ଜ ୱେଲସ ପିଲାଙ୍କୁ ୱେଲସ କହି ଶିଖେଇବା ଆନ୍ଦୋଳନରେ ପ୍ରମୁଖ ଭାଗ ନେଉଛନ୍ତି। ଆମ ଅବସ୍ଥା କଣ? ଆମେ ପରସ୍ପରକୁ ଭୁଲ ଇଂରାଜୀରେ ଚିଠି ଲେଖୁଛୁ। ଆମ ଏମଏ ପଢ଼ିଥିବା ପିଲାଏ ଏଥିରୁ ମୁକ୍ତ ନୁହନ୍ତି। ଆମର ଶ୍ରେଷ୍ଠ ଚିନ୍ତା ଇଂରାଜୀରେ ପ୍ରକାଶିତ ହେଉଛି। କଂଗ୍ରେସ ସଭାର ଆଲୋଚନା ମଧ୍ୟ ଇଂରାଜୀରେ ହେଉଛି। ଆମର ସବୁଠୁ ଭଲ ଖବରକାଗଜଗୁଡ଼ିକ ଇଂରାଜୀରେ ଛପା ହେଉଛି। ଯଦି ଏହା ବହୁଦିନ ଚାଲେ ତେବେ ମୋର ଦୃଢ଼ ମତ ଯେ ଆମ ଭବିଷ୍ୟତ ପିଢ଼ି ଆମକୁ ନିନ୍ଦା କରିବେ ଓ ଅଭିଶାପ ଦେବେ।
ମନେରଖିବାକୁ ହେବ ଯେ ଇଂରାଜୀ ଶିକ୍ଷା ପାଇ ଆମେ ଆମ ଦେଶକୁ ଦାସତ୍ୱ ବନ୍ଧନରେ ବାନ୍ଧିଛୁ। କପଟତା, ଅନନୁରକ୍ତି, ଅତ୍ୟାଚାର ବଢ଼ିଛି। ଇଂରାଜୀ ପଢ଼ୁଆ ଲୋକେ ଠକିବାକୁ ପଛୋଉ ନାହାନ୍ତି ଏବଂ ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଛନ୍ତି। ଆମେ ଯଦି ଲୋକଙ୍କ ପାଇଁ କିଛି କରୁଛୁ ତେବେ ତାହା ତାଙ୍କଠାରୁ କରିଥିବା ଋଣର ଆଂଶିକ ପରିଶୋଧ।
ଏହା କଣ ଦୁଃଖଦାୟକ ନୁହେଁ ଯେ ଯେତେବେଳେ ମୁଁ କଚେରିକୁ ନ୍ୟାୟ ପାଇଁ ଯିବି, ତେବେ ଇଂରାଜୀ ଭାଷାକୁ ମାଧ୍ୟମ ଭାବରେ ବ୍ୟବହାର କରିବି। ମୁଁ ଯେତେବେଳେ ବାରିଷ୍ଟର ହେବି, ସେତେବେଳେ ମୁଁ ମୋର ମାତୃଭାଷା କହିବି ନାହିଁ ଏବଂ ଆଉ ଜଣେ ମୋ ମାତୃଭାଷା ଅନୁବାଦ କରି ମତେ ବୁଝେଇବ। ଏହା କ’ଣ ପ୍ରକୃତରେ ଅଯୌକ୍ତିକ ଓ ଅସଙ୍ଗତ ନୁହେଁ? ଏହା କ’ଣ ଦାସତ୍ୱର ଚିହ୍ନ ନୁହେଁ? ମୁଁ ଏଥିପାଇଁ ଇଂରେଜଙ୍କୁ ଦୋଷ ଦେବି ନା ମୋ ନିଜକୁ? ଆମେ ଇଂରେଜ ପଢ଼ୁଆ ଭାରତୀୟମାନେ ଭାରତକୁ ଦାସ କରିଛେ। ଭବିଷ୍ୟତ ଜାତିର ଅଭିଶାପ ଇଂରେଜଙ୍କ ଉପରେ ନୁହେଁ, ଆମ ଉପରେ ପଡ଼ିବ।
ମୁଁ ତୁମକୁ କହିଛି ଯେ ତୁମ ପ୍ରଶ୍ନର ଉତ୍ତର ହଁ ଏବଂ ନାହିଁ। କାହିଁକି ହଁ ଏକଥା ତୁମକୁ ମୁଁ କହିଛି। କାହିଁକି ନାହିଁ ସେ କଥା ଏବେ ବୁଝେଇବି।
ଆମେ ସଭ୍ୟତା ରୋଗ ଦ୍ୱାରା ଏତେ ବିବ୍ରତ ଯେ ଆମେ ଇଂରାଜୀ ଶିକ୍ଷା ଛଡ଼ା କିଛି କରିପାରି​‌େ​‌ବ ନାହିଁ। ଯେଉଁମାନେ ଏହା ପାଇ ସାରିଛନ୍ତି ସେମାନେ ଆବଶ୍ୟକ ସ୍ଥଳେ ଏହାର ଭଲ ବ୍ୟବହାର କରିବେ। ଇଂରେଜମାନଙ୍କ ସହିତ ଆମ ଯୋଗାଯୋଗ ବେଳେ, ଆମ ଲୋକଙ୍କ ସହିତ ଯୋଗାଯୋଗ ବେଳେ ଆମେ ଯେତେବେଳେ ସେଇ ଭାଷା ମାଧ୍ୟମରେ ଯୋଗାଯୋଗ କରିବା, ସେମାନେ ଆପଣା ସଭ୍ୟତା ବିଷୟରେ କେତେ ବିରକ୍ତ ଜାଣିବା, ସେତେବେଳେ ସ୍ଥଳ ବିଶେଷରେ ଆମେ ଇଂରାଜୀ ଶିଖିବା ଏବଂ ବ୍ୟବହାର କରିବା। ଯେଉଁମାନେ ଇଂରାଜୀ ପଢ଼ିଛନ୍ତି ସେମାନେ ଆପଣା ପିଲାଙ୍କୁ ଆପଣା ମାତୃଭାଷାରେ ନୀତି ଶିକ୍ଷା ଦେବେ, ଅନ୍ୟ ଗୋଟିଏ ଭାରତୀୟ ଭାଷା ଶିଖେଇବେ ଏବଂ ବଡ଼ ହେଲେ ଇଂରେଜୀ ଶିଖିବେ। ଆମର ଅନ୍ତିମ ଲକ୍ଷ୍ୟ ହେବ ଯେ ଆମର ଇଂରାଜୀ ଶିକ୍ଷା ପ୍ରୟୋଜନ ହେବ ନାହିଁ। ପଇସା କମେଇବା (ଅର୍ଥ ଉପାର୍ଜନ କରିବା) ଲକ୍ଷ୍ୟରୁ ଆମେ ନିବୃତ୍ତ ହେବା, ଏହି ଲକ୍ଷ୍ୟକୁ ବର୍ଜନ କରିବା। ଏକ ସଂକୀର୍ଣ୍ଣ ଉଦ୍ଦେଶ୍ୟ ସାଧନ ପାଇଁ ଇଂରାଜୀ ଶିଖିବା ବେଳେ ଏହା ଜରିଆରେ ଆମେ କଅଣ ଶିଖିବା ଏବଂ କଅଣ ଶିଖିବା ନାହିଁ ଭାବିବା ଉଚିତ। କେଉଁ ବିଜ୍ଞାନ ଆମେ ଶିଖିବା ତାହା ଜାଣିବା ଦରକାର। ଟିକିଏ ଭାବିଲେ ଏହା ପରିଷ୍କାର ହୋଇଯିବ ଯେ ଆମେ ଇଂରେଜୀ ପ୍ରେମ ଛାଡ଼ିବା ଆରମ୍ଭ କଲେ ଆମ ଶାସକମାନେ କାନ ଉଠେଇ ଶୁଣିବେ। (୭୭-୭୯)

(ଗାନ୍ଧି ଏମ୍‌କେ, ହିନ୍ଦ ସ୍ୱରାଜ ଅର ହୋମ ରୁଲ୍ ୧୯୩୯ ଅହମଦାବାଦ, ନବଜୀବନ ଟ୍ରଷ୍ଟ ୨୦୧୩;ପିପୁଲସ ଲିଙ୍ଗୁଇଷ୍ଟିକ ସର୍ଭେ ଅଫ ଇଣ୍ଡିଆ, ଭଲ୍ୟୁମ ୩୭ ଆନେକ୍ସିଓର ୪, ଓରିଏଂଟ ବ୍ଲାକସ୍ୱାନ ୨୦୧୮)

Leave A Reply