‘ଅନାସ୍ଥା’ର ଆମୋଦ

0

ବିରୋଧୀଦଳଙ୍କ ଅନାସ୍ଥାପ୍ରସ୍ତାବରେ ଶାସକମେଣ୍ଟର ପରାଜୟର ସମ୍ଭାବନା ନଥିଲା। ବିରୋଧୀ ମଧ୍ୟ ବିଜୟର ସମ୍ଭାବନା ନଥିବା ଭଲଭାବେ ଜାଣିଥିଲେ। ତଥାପି ସଂସଦରେ ବିରୋଧୀ ଅନାସ୍ଥାପ୍ରସ୍ତାବ କାହିଁକି ଆଣିଲେ ଓ ସରକାର ତାହାର ସମ୍ମୁଖୀନ ହେବାକୁ କାହିଁକି ତତ୍‌କାଳ ରାଜିହୋଇଗଲେ ସେ ସମ୍ପର୍କରେ ଏହି ସ୍ତମ୍ଭରେ ଆମେ ଶୁକ୍ରବାର ଉଲ୍ଲେଖ କରିଥିଲୁ ‘ଅନାସ୍ଥାରେ ଆସ୍ଥା’ ଶିରୋନାମାରେ। ଫଳାଫଳ ବା ପରିଣତି ଅନୁମାନ ମୁତାବକ ହେବାରୁ ଏବେ ଏହାର ପ୍ରାନ୍ତୀୟ ଲାଭକୁ ନେଇ ଦୁଇପକ୍ଷ ମଗଜ କସରତରେ ଲିପ୍ତ ହେବା ସ୍ବାଭାବିକ। କହିବା ବାହୁଲ୍ୟ ଯେ ଗୋଟିଏ ପ୍ରୟାସର ମୌଳିକ ଫଳାଫଳ ଆଗରୁ ଜଣାପଡ଼ିଗଲା ପରେ ତାହାର ପ୍ରାନ୍ତୀୟ ଲାଭ ସାଉଁଟିବାକୁ ସମସ୍ତେ ବ୍ୟସ୍ତ ହୁଅନ୍ତି। ଏହି ଅନାସ୍ଥା ପ୍ରସ୍ତାବର ପ୍ରାନ୍ତୀୟ ଲାଭ ବିରୋଧୀଙ୍କ ପାଇଁ ଏୟା ଯେ ସେମାନେ ନିଜର ମନର କଥା ଖୋଲି କହିବାକୁ ଲୋକସଭାରେ ସୁଯୋଗ ପାଇଲେ ଏବଂ ଯାହାର ଯାହା ଓଗାଳିବାର ଥିଲା ତାହା ଓଗାଳିଲେ। ଅନାସ୍ଥା ଭଳି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ବିତର୍କ ଯେତେ ଉଚ୍ଚକୋଟିର ଓ ଲୋକଙ୍କୁ ପ୍ରଭାବିତ କରିବାଭଳି ହେବା କଥା ତାହା ତ ନଥିଲା; ବରଂ ଏହା ଏକ ବିଧିବଦ୍ଧ ସଂସଦୀୟ ମନୋରଞ୍ଜନର ଅବସର ପାଲଟିଲା। ତୀବ୍ର ଆକ୍ଷେପ ଓ ଆରୋପ ପରେ ବିରୋଧୀଦଳ ନେତା ରାହୁଳ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ନିକଟକୁ ଯାଇ ତାଙ୍କୁ ଆଲିଙ୍ଗନ କରି ଧନ୍ୟବାଦ ଜଣାଇବା ଓ ପରେ ଆଖି ମାରିବା ଏହି ମନୋରଞ୍ଜନର ଏକ ଅନୁଚିତ ଘଟଣାଥିଲା କହି‌େ‌ଲ ଅତ୍ୟୁକ୍ତି ହେବନାହିଁ।
ଆଶା ଥିଲା, ଏହା ବିରୋଧୀଙ୍କୁ ଏକଜୁଟ କରିବାର ଏକ ସୁଯୋଗ ସୃଷ୍ଟି କରିବ। ସେ ସମ୍ଭାବନାଟି ବିଶେଷ ଦୃଶ୍ୟମାନ ହେଲାନାହିଁ। ପାରସ୍ପରିକ ବିଶ୍ବାସର ଅଭାବରୁ ବିରୋଧୀ ପକ୍ଷର କେତେକ ଦଳ ଆପଣାଆପଣାର ରାଜନୈତିକ ଅଙ୍କକଷି ଅଣ- ବିଜେପିମେଣ୍ଟ ଗଠନର ସମ୍ଭାବନାଟିକୁ ଏକ ପ୍ରକାର ସୁଦୂରପରାହତ କରିଦେଲେ। କୁହାଳିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଅନ୍ୟ ସହଯୋଗୀଙ୍କୁ ଏହା ପ୍ରକାରାନ୍ତରେ ନିଜକୁ ଜାହିର କରିବାର ଅବସର ଦେଲା। ବିରୋଧୀଙ୍କ ସ୍ଥିତି ଓ ଦୟନୀୟ ପ୍ରଦର୍ଶନ ମୋଦୀଙ୍କୁ ଆମୋଦିତ କରିବା ସ୍ବାଭାବିକ। ସେଥିପାଇଁ ସେ ଆଗ୍ରହର ସହ ବସି ସବୁ ଶୁଣୁଥିଲେ ଏବଂ ମଝିରେମଝିରେ ହସୁଥିଲେ। ମୋଦୀଙ୍କ ପାଇଁ ଲାଭଟି ଏତିକି, ବିରୋଧୀମାନେ ଗୃହରେ ଯାହା ସବୁ କହିଲେ ସେଥିରୁ ଦେଶରେ ତଥାକଥିତ ସୁଶାସନ ମଧ୍ୟରେ ଚାଲିଥିବା ‘କୁଶାସନ’ ସମ୍ପର୍କରେ ତଥ୍ୟ ପ୍ରାପ୍ତି। ‘ପପୁ’ଙ୍କ ପିଲାଳିଆ ଢଙ୍ଗର ଉପସ୍ଥାପନ ମଧ୍ୟରେ ଥିବା କେତେକ ଗୁରୁତ୍ବପୂର୍ଣ୍ଣ କଥା ମୋଦୀଙ୍କୁ ଆତ୍ମସମୀକ୍ଷାର ଖୋରାକ ଯୋଗାଇବ। ବିରୋଧୀଙ୍କୁ କେବଳ ବିରୋଧୀଭାବେ ନ ନେଇ ସେମାନଙ୍କ ଅଭିଯୋଗରୁ ନିଜ ପାଇଁ ସାରାଂଶ ସଂଗ୍ରହ କରିବାର ବଡ଼ ଅବକାଶଟିଏ ଯେ ପ୍ରଧାନମନ୍ତ୍ରୀ ଓ ଶାସକ ଦଳକୁ ମିଳିଛି ତାହାକୁ ଅସ୍ବୀକାର କରିହେବ ନାହିଁ।

Leave A Reply