ଭାରତୀୟ ଗଣତନ୍ତ୍ରରେ ଅସୁସ୍ଥ ପରମ୍ପରା
ପ୍ରଦୋଷ ପଟ୍ଟନାୟକ
ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଯୁଗାନ୍ତକାରୀ ରାୟ ଓ ନିର୍ଣ୍ଣାୟକ ସିଦ୍ଧାନ୍ତ ସେତ୍ତ୍ବ ଜାତୀୟ ରାଜଧାନୀ ଦିଲ୍ଲୀରେ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ଆମ୍ ଆଦ୍ମୀ ପାର୍ଟି(ଆପ୍)ର ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧ ଥମିବାର ନାମଗନ୍ଧ ଧରୁନାହିଁ; ବରଂ ଏହି ବିବାଦ ଦିନକୁ ଦିନ ତୀବ୍ର ଆକାର ଧାରଣ କରୁଛି। କିଛିଦିନ ପୂର୍ବେ ନ୍ୟାୟାଳୟ ତାଙ୍କର ଐତିହାସିକ ରାୟ ଶୁଣାଇ ଜନସାଧାରଣଙ୍କଠାରୁ ବିପୁଳ ସମର୍ଥନ ହାସଲକରି ନିର୍ବାଚିତ ହୋଇଥିବା ‘ଆପ୍’ ସରକାରଙ୍କୁ ପ୍ରକୃତ କ୍ଷମତାଶାଳୀ ବୋଲି ଦର୍ଶାଇଥିଲେ। କେନ୍ଦ୍ରର ଏନଡିଏ ସରକାରଙ୍କର ଅଭୟବର ଲାଭ କରି ଅଖଣ୍ଡ କ୍ଷମତା ଉପଭୋଗ କରିବାକୁ ଚାହୁଥିବା ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କୁ ନିଜର କ୍ଷମତା ପରିଧି ମଧ୍ୟରେ ସୀମିତ ରହିବାକୁ ନ୍ୟାୟାଳୟ ଚେତାଇ ଦେଇଥିଲେ। ତେବେ ଉପରାଜ୍ୟପାଳ ନ୍ୟାୟାଳୟଙ୍କ ନିର୍ଦେଶକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ଥିଲାଭଳି ମନେ ହେଉନାହଁ। ୨୦୧୫ ମସିହାର ଆଦ୍ୟ କାଳରେ ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଆମ୍ଆଦ୍ମୀ ପାର୍ଟି ମୋଟ ୭୦ଟି ଆସନ ମଧ୍ୟରୁ ୬୭ଟି ଆସନ ଦାଖଲକରି ଆଶ୍ଚର୍ଯ୍ୟଜନକ ଫଳ ପ୍ରଦର୍ଶନ କରିଥିଲା। ବିରୋଧୀ ବିଜେପି ମାତ୍ର ତିନିଟିରେ ବିଜୟୀ ହୋଇ ଏକ କ୍ଷୁଦ୍ର ଗୋଷ୍ଠୀରେ ପରିଣତ ହୋଇଥିବାସ୍ଥଳେ କଂଗ୍ରେସ ପୂରାପୂରି ନିଶ୍ଚିହ୍ନ ହୋଇଯାଇଥିଲା। ଆପ ନେତା କେଜରିୱାଲ କ୍ଷମତାସୀନ ହେବାପର ଠାରୁ ଉପରାଜ୍ୟପାଳଙ୍କ ସହ ନିର୍ବାଚିତ ସରକାରଙ୍କ ମତାନ୍ତର ଓ ମନାନ୍ତର ପ୍ରାୟତଃ ଲାଗି ରହିଛି। ପୂର୍ବର ଉପରାଜ୍ୟପାଳଙ୍କ ସହିତ ମଧ୍ୟ କେଜରିୱାଲ ସରକାରଙ୍କ ମତଭେଦ ସାମନାକୁ ଆସିଥିଲା। ବର୍ତ୍ତମାନର ଉପରାଜ୍ୟପାଳ ଦାୟିତ୍ବ ଗ୍ରହଣ କରିବାପରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର କ୍ଷମତା ଲଢ଼େଇ ଅବ୍ୟାହତ ରହିଛି।
ଆପ୍ ସରକାରଙ୍କ ଅଭିଯୋଗ ହେଉଛି ଯେ ତାଙ୍କ ସରକାରକୁ ସ୍ବାଧୀନ ଭାବରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଉନାହିଁ ଏବଂ ଗୁୁରୁତ୍ବପୂର୍ଣ୍ଣ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଉପରାଜ୍ୟପାଳ ବରାବର ହସ୍ତକ୍ଷେପ କରୁଥିବାରୁ ଉନ୍ନୟନମୂଳକ କାର୍ଯ୍ୟ ବ୍ୟାହତ ହେଉଛି। ଦିଲ୍ଲୀର ଅମଲାତନ୍ତ୍ର ସମ୍ପୂର୍ଣ୍ଣ ରୂପେ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣରେ ରହିଥିବାରୁ ସରକାରଙ୍କ କୌଣସି ନିଷ୍ପତ୍ତିକୁ ସେମାନେ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ନୁହନ୍ତି। କେନ୍ଦ୍ର ସରକାର ବିରୋଧ ମନୋଭାବ ପୋଷଣ କରି ଉପରାଜ୍ୟପାଳଙ୍କୁ ଏଜେଣ୍ଟ ଭାବରେ ବ୍ୟବହାର କରି ଦିଲ୍ଲୀର ବିକାଶରେ ବାଧାସୃଷ୍ଟି କରୁଛନ୍ତି, ଯେପରି ଆପ୍ ସରକାର ବଦନାମ୍ ହୋଇ ପରବର୍ତ୍ତୀ ନିର୍ବାଚନରେ କ୍ଷମତାଚ୍ୟୁତ ହେବ। ଅତୀତରେ କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତ ମୁଖ୍ୟମନ୍ତ୍ରୀ ଥିବାବେଳେ ତତ୍କାଳୀନ ୟୁପିଏ ସରକାର ତାଙ୍କୁ ସବୁପ୍ରକାର ସହଯୋଗ କରିବାରୁ ସେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାକୁ ସୁଯୋଗ ପାଇଥିଲେ; ମାତ୍ର କେଜ୍ରିୱାଲ ସରକାରଙ୍କୁ ସେହି ସୁଯୋଗ ମିଳୁନାହିଁ ବୋଲି ଆପ୍ ନେତାମାନେ କ୍ଷୋଭର ସହ ମତ ରଖିଛନ୍ତି।
ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କ୍ରମାଗତ ବିବାଦ ଲାଗିରହିବାର ଫଳ ସ୍ବରୂପ ଦିଲ୍ଲୀ ଶାସନରେ ଅନେକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିିଛି। ନିକଟ ଅତୀତରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଦିଲ୍ଲୀର ମୁଖ୍ୟ ଶାସନସଚିବଙ୍କୁ ମାଡ଼ ମରାଯିବା ସଙ୍ଗେସଙ୍ଗେ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଧାରଣା ଏବଂ ଅନଶନ ତଥା ୪ଜଣ ମୁଖ୍ୟମନ୍ତ୍ରୀ ତାଙ୍କୁ ଦୃଢ଼ ସମର୍ଥନ ଜଣାଇବା ଘଟଣା ବେଶ ଚହଳ ସୃଷ୍ଟି କରିଥିଲା। ତେବେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିର୍ବାଚିତ ସରକାରକୁ ଶାସନ କାର୍ଯ୍ୟ ଚଳାଇବାରେ ନିରଙ୍କୁଶ କ୍ଷମତା ପ୍ରଦାନ କରିବାପରେ ସବୁ ବିବାଦ ଟଳିଯିବ ବୋଲି ଆଶା କରାଯାଉଥିଲା। କୋର୍ଟଙ୍କ ରାୟ ପ୍ରକାଶ ପାଇବାପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ସୌଜନ୍ୟ ରକ୍ଷା ଦୃଷ୍ଟିରୁ ଉପରାଜ୍ୟପାଳଙ୍କୁ ସାକ୍ଷାତ କରି ଶାସନକାର୍ଯ୍ୟ କିପରି ସୁରୁଖୁରୁରେ ପରିଚାଳିତ ହୋଇପାରିବ, ସେଥିନେଇ ଆଲୋଚନା କରିଥିଲେ। ଏହି ସାକ୍ଷାତକାର ସମୟରେ ଶ୍ରୀ ବୈଜଲ ସେମାନଙ୍କୁ ଦିଲ୍ଲୀର ବିକାଶ ସହିତ ସୁଶାସନ ପ୍ରତିଷ୍ଠା ନିମନ୍ତେ ସବୁପ୍ରକାର ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବାର ଖୋଦ୍ କେଜରିୱାଲ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଦେଖାଯାଉଛି ଯେ ଏଭଳି ପ୍ରତିଶ୍ରୁତି ସତ୍ତ୍ବେ ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଭିଡ଼ାଓଟରା ଲାଗି ରହିଛି ଯାହାର କୁପ୍ରଭାବ ସମଗ୍ର ପ୍ରଶାସନ ଉପରେ ପଡ଼ୁଛି। ଯେଉଁ ପ୍ରସଙ୍ଗଟି ସେମାନଙ୍କ ମିଳାମିଶା ପଥରେ ମୁଖ୍ୟ ଅନ୍ତରାୟ ସାଜିଛି, ତାହା ହେଉଛି ସର୍ଭିସ ବିଭାଗଗୁଡ଼ିକ ଉପରେ ଉଭୟଙ୍କର କର୍ତ୍ତୃତ୍ବ ଜାହିର କରିବାର ଦାବି।
ସୁପ୍ରିମକୋର୍ଟ ଖଣ୍ଡପୀଠର ଜୁଲାଇ ୪ ତାରିଖର ରାୟ ପରେ ମଧ୍ୟ ଉପରାଜ୍ୟପାଳ ନିଜ ଜିଦ୍ରେ ଅଟଳ ରହିବାରୁ ଏବଂ ବିବାଦର ସମାଧାନ ନହେବାରୁ ଏବେ ଦିଲ୍ଲୀ ସରକାର ପୁଣିଥରେ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିବାର ଜଣାପଡ଼ିଛି। ସମ୍ବିଧାନ ପୀଠଙ୍କ ପୂର୍ବରାୟ ପାଳନରେ ଉପରାଜପାଳ ବାଛବିଚାର କରୁଥିବା ଦର୍ଶାଇ ଆପ୍ ସରକାର ଏଥର ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିବାରୁ ଲଢ଼େଇ ଏକ ନୂଆ ମୋଡ଼ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ପୂର୍ବ ରାୟ ପ୍ରକାଶର ସପ୍ତାହକ ଭିତରେ ଦିଲ୍ଲୀ ସରକାରଙ୍କ ବିନା ପରାମର୍ଶରେ ଉପରାଜ୍ୟପାଳ ତିନିଜଣ ଆଇଏଏସ ଅଫିସରଙ୍କୁ ବଦଳି କରି ବିବାଦକୁ ତେଜାଇବା ପାଇଁ ଉଦ୍ୟମ କରିଛନ୍ତି। ଯେତେଦୂର ମନେହେଉଛି ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ବପୂର୍ଣ୍ଣ ରାୟକୁ ଆଦୌ ଭ୍ରୂକ୍ଷେପ କରୁନାହାନ୍ତି ଓ ଅମଲାତନ୍ତ୍ର ଉପରୁ ନିଜର କର୍ତ୍ତୃତ୍ବ କାଣିଚାଏ ହେଲେ ଛାଡ଼ିବାକୁ ରାଜି ନୁହନ୍ତି। ମୋଟାମୋଟି ଭାବରେ ବର୍ତ୍ତମାନ ଦିଲ୍ଲୀରେ ଗଣତନ୍ତ୍ରର ଏକ ବିଚିତ୍ର ଖେଳ ଦେଖିବାକୁ ମିଳୁଛି। ତେବେ ବଡ଼ କଥା ହେଉଛି, ଦିଲ୍ଲୀରେ ଚାଲିଥିବା କ୍ଷମତା ଲଢ଼େଇ ଆଉ ଉପରାଜ୍ୟପାଳ ଏବଂ ଆପ୍ ସରକାର ମଧ୍ୟରେ ସୀମିତ ରହିନାହିଁ। ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଜଣେ ପ୍ରଶାସକ ନିଜକୁ ଆଇନ୍ର ଊର୍ଦ୍ଧ୍ବରେ ବୋଲି ପ୍ରମାଣ କରିବାକୁ ଉଦ୍ୟମ କରିଛନ୍ତି। ଏହା ଭବିଷ୍ୟତ ପାଇଁ ଯେ ଏକ ବିପଜ୍ଜନକ ପରମ୍ପରା ସୃଷ୍ଟି କରିବ, ଏଥିରେ ସନ୍ଦେହ ନାହିଁ।