www.samajalive.in
Saturday, December 6, 2025
26.1 C
Bhubaneswar

ହିନ୍ଦୁଙ୍କୁ ଧର୍ମାନ୍ତରୀକରଣ ଓ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଛାଙ୍ଗୁର ବାବାଙ୍କ ବିରୋଧରେ ଇଡି ତଦନ୍ତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ବାଡ୍‌ (ଏଟିଏସ୍‌) ଦ୍ବାରା ଗିରଫ ହୋଇଥିବା କରିମୁଲ୍ଲା ଶାହା ଓରଫ ଛାଙ୍ଗୁର ବାବା ଓରଫ ଝାଙ୍ଗୁର ବାବାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ ତଦନ୍ତ ଆରମ୍ଭ କରିଛି। ଛାଙ୍ଗୁର ବାବାଙ୍କ ବିରୋଧରେ ଇଡି ବେଆଇନ ଅର୍ଥ ହେରଫେର ନିରୋଧ ଆଇନ ଅନୁଯାୟୀ ବୁଧବାର ମାମଲା ରୁଜୁ କରିଛି। ଛାଙ୍ଗୁର ବାବା ହିନ୍ଦୁଙ୍କୁ ଧର୍ମାନ୍ତରୀକରଣ କରିବା ସହିତ ବେଆଇନ ଭାବେ ବିପୁଳ ପରିମାଣର ସମ୍ପତ୍ତି ଠୁଳ କରିଥିବା ଜଣାପଡିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଅଧିକାରୀଙ୍କ କହିବା ଅନୁଯାୟୀ ଛାଙ୍ଗୁର ବାବା ଅଳ୍ପ ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କା ଠୁଳ କରିଛନ୍ତି। ଏପରିକି ସେ ବିଦେଶରୁ ପାଣ୍ଠି ସଂଗ୍ରହ କରିଥିବା ଜଣାପଡିଛି। ଆର୍ଥିକ ଭାବେ ଦୁର୍ବଳ ଓ ଅନୁସୂଚିତ ଜାତିର ହିନ୍ଦୁଙ୍କୁ ଅର୍ଥର ପ୍ରଲୋଭନ ଦେଖାଇ ସେ ଧର୍ମାନ୍ତରୀକରଣ କରୁଥିଲେ। ଏଥିପାଇଁ ସେ ବେଆଇନ ଉପାୟରେ ପାଣ୍ଠି ସଂଗ୍ରହ କରୁଥିବା ଏଟିଏସ୍‌ ପକ୍ଷରୁ ଅଭିଯୋଗ ହୋଇଛି। ଇଡି ପକ୍ଷରୁ ରୁଜୁ ହୋଇଥିବା ମାମଲା ଅନୁଯାୟୀ ଛାଙ୍ଗୁର ବାବା ଧର୍ମ ଉପରେ ପ୍ରବଚନ ଦିଅନ୍ତି। ପ୍ରବଚନ ମାଧ୍ୟମରେ ଲୋକଙ୍କୁ ମାନସିକ ଭାବେ ପ୍ରଭାବିତ କରିଥାନ୍ତି। ଲୋକଙ୍କୁ ପ୍ରଭାବିତ କରିବା ଓ ଇସଲାମ ଧର୍ମର ପ୍ରସାର ପାଇଁ ସେ ସିଜ୍‌ରା-ଇ-ତଏବା ନାମରେ ଏକ ପୁସ୍ତକ ପ୍ରକାଶନ କରିଛନ୍ତି। ହିନ୍ଦୁଙ୍କୁ ଧର୍ମାନ୍ତର କରିବା ପାଇଁ ସେ ଏକ ନେଟୱର୍କ ପରିଚାଳନା କରୁଥିଲେ। ଏଥିରେ ଭାରତୀୟଙ୍କ ସହିତ ବିଦେଶୀ ନାଗରିକ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଚାନ୍ଦ ଔଲିଆ ଦରଘାରେ ସେ ତାଙ୍କର ସଂଗଠନର ସମାବେଶ ଆୟୋଜନ କରନ୍ତି। ଏଥିପାଇଁ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ଅର୍ଥ ଆସିଥାଏ। ଛାଙ୍ଗୁର ବାବାଙ୍କ ବିରୋଧରେ ଯେଉଁ ସବୁ ଅଭିଯୋଗ ଆସିଛି ତା’ର ସବିଶେଷ ତଦନ୍ତ ପାଇଁ ଗୁଇନ୍ଦା ବ୍ୟୁରୋ ଓ ଏନଆଇଏ ମଧ୍ୟ ସାମିଲ ହେବେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଛାଙ୍ଗୁର ବାବାଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଆସିଛି ତାହା କେବଳ ଅସାମାଜିକ କାର୍ଯ୍ୟକଳାପ ନୁହେଁ; ବରଂ ଏହା ଦେଶ ବିରୋଧୀ।
ଛାଙ୍ଗୁର ବାବା ଓ ତାଙ୍କର ସହଯୋଗୀ ନୀତୁ ଓରଫ୍ ନସରିନଙ୍କୁ ଜୁଲାଇ ୫ରେ ଉତ୍ତରପ୍ରଦେଶ ଆତଙ୍କବାଦ ନିରୋଧ ସ୍କ୍ବାଡ୍‌ (ଏଟିଏସ୍‌) ଗିରଫ କରିଥିଲା। ଉଭୟ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ସେ ଉତ୍ତରପ୍ରଦେଶ ବଳରାମପୁର ଜିଲାର ମାଧପୁର ଗ୍ରାମର ବାସିନ୍ଦା। ଛାଙ୍ଗୁର ବାବାଙ୍କ ନାମରେ ୪୦ଟି ବ୍ୟାଙ୍କ ଆକାଉଣ୍ଟ ରହିଥିବାବେଳେ ଏଥିରେ ୧୦୬ କୋଟି ଟଙ୍କା ଜମା ଅଛି। ଏହିସବୁ ଅର୍ଥ ମଧ୍ୟପ୍ରାଚ୍ୟ ରାଷ୍ଟ୍ରରୁ ଆସଛି। ଏଟିଏସ୍ ଛାଙ୍ଗୁର ବାବାଙ୍କ ସମ୍ପର୍କରେ ଗୁଇନ୍ଦା ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ସେ ୧୫୦୦ ହିନ୍ଦୁ ମହିଳାଙ୍କୁ ଧର୍ମାନ୍ତରୀକରଣ କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହା ସହିତ ହଜାର ହଜାର ଅଣ ମୁସଲମାନଙ୍କୁ ଧର୍ମାନ୍ତରୀକରଣ କରିଛନ୍ତି। ଧର୍ମାନ୍ତରୀକରଣ ପାଇଁ ସେ ଅର୍ଥର ପ୍ରଲୋଭନ ସହିତ ଭୟ ମଧ୍ୟ ଦେଖାଉଥିଲେ। ନିଜର କାର୍ଯ୍ୟକଳାପକୁ ଗୋପନ ରଖିବା ଲାଗି ସେ ସ୍ଥାନୀୟ ପୁଲିସ ଓ ଗୁଇନ୍ଦା ଅଧିକାରୀଙ୍କୁ ଲାଞ୍ଚ ଦେଉଥିଲେ। ଏପରି କି ନିଜର ବିରୋଧୀଙ୍କୁ ଦମନ କରିବା ଲାଗି ମିଥ୍ୟା ମାମଲା ମଧ୍ୟ ପୁଲିସ ଦ୍ବାରା ରୁଜୁ କରାଉଥିଲେ। ଛାଙ୍ଗୁର ବାବାଙ୍କ ପୁଅ ନବୀନ ଓରଫ୍ ଜମାଲୁଦ୍ଦିନ ଓ ଅନ୍ୟ ଜଣେ ସହଯୋଗୀ ​ମେହବୁବାଙ୍କୁ ମଧ୍ୟ ଗିରଫ କରାଯାଇଛି। ସେମାନେ ଏବେ ଲକ୍ଷ୍ନୌ ଜିଲା ଜେଲ୍‌ରେ ବନ୍ଦୀ ଅଛନ୍ତି। ନବୀନ ନାମରେ ସୁଇସ ବ୍ୟାଙ୍କରେ ଆକାଉଣ୍ଟ ରହିଛି। ଛାଙ୍ଗୁର ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ବଳରାମପୁର ଜିଲା ପ୍ରଶାସନ ତାଙ୍କର ରାଜପ୍ରାସାଦ ବିଶିଷ୍ଟ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଇଛି। ପ୍ରାୟ ୮୦ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଘର ମଧ୍ୟରେ ମଦ୍ରାସା, ହସ୍ପିଟାଲ ଓ ପାୱାର ଷ୍ଟେସନ ରହିଥିଲା। ଏହି ନିର୍ମାଣରେ ବିଦେଶରୁ ଆମଦାନୀ ମାର୍ବଲ ବ୍ୟବହାର କରାଯାଇଥିଲା। ଏହା ସହିତ ଘରେ ବିଦେଶୀ ଆସବାବପତ୍ର, ସୋଫା, ସିସିଟିଭି କ୍ୟାମେରା, ଘର ଚାରିପଟେ ବିଦ୍ୟୁତ୍ ତାରବାଡ ରହିଥିଲା। ଏହିସବୁ ନିର୍ମାଣ ବେଆଇନ ଭାବେ ହୋଇଥିବାରୁ ପ୍ରଶାସନ ଏହାକୁ ଭାଙ୍ଗି ଦେଇଛି। ଛାଙ୍ଗୁର ବାବା ଜଣେ ଜେମ୍‌ଷ୍ଟେନ (ମୂଲ୍ୟବାନ ପଥର) ବ୍ୟବସାୟୀ ଥିଲେ। ସେ ନିୟମିତ ଭାବେ ମୁମ୍ବଇର ହାଜି ଅଲି ଦରଘାକୁ ଯାଉଥିଲେ। ତେବେ​‌ ୨୦୨୦ ବେଳକୁ ତାଙ୍କ ଭାଗ୍ୟରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଥିଲା। ପରେ ସେ ନିଜକୁ ଛାଙ୍ଗୁର ପୀର ବାବା ଭାବେ ସାଧାରଣରେ ପରିଚିତ କରାଇଥିଲେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories