ଜାପାନରେ ଭୂକମ୍ପ: ୩ ମୃତ, ୧୦୦ ଆହତ
ଟୋକିଓ: ଜାପାନର ଓସାକାଠାରେ ଭୂକମ୍ପରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସମୟ ଅନୁଯାୟୀ, ସୋମବାର ସକାଳ ୭.୫୮ରେ ଭୂକମ୍ପ ଅନୁଭୂତ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୫.୯ ଥିବା ବେଳେ ପରେ ତାହା ୬.୧ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ବ୍ୟବସାୟିକ ପେଣ୍ଠସ୍ଥଳୀ କୁହାଯାଉଥିବା ଓସାକାରେ ୧୯୨୩ ମସିହା ପରେ ଏହାକୁ ସବୁଠାରୁ ବଡ଼ ଭୂକମ୍ପ ବୋଲି କୁହାଯାଉଛି।
ଭୂକମ୍ପ ପରେ ସେଠାରେ ଟ୍ରେନ୍ ଚଳାଚଳ ବନ୍ଦ ଥିବା ବେଳେ ସ୍ୱାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି। ଶିଳ୍ପ କାରଖାନା, ସ୍କୁଲ୍, କଲେଜ୍, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ ବନ୍ଦ ରହିଛି।
ମୃତକଙ୍କ ମଧ୍ୟରେ ଜଣେ ୯ ବର୍ଷର ଝିଅ ଅଛି। ସ୍କୁଲ୍ କାନ୍ଥ ପଡ଼ିଯିବାରୁ ତାର ମୃତ୍ୟୁ ଘଟିଥିବା କୁହାଯାଉଛି। ଭୂତଳ ପାଣି ପାଇପ୍ ଲାଇନ୍ ଫାଟି ଯାଇ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ସେଠାରେ ସତର୍କ ସୂଚନା ଜାରି କରାଯାଇଛି।
ପ୍ରାୟ ୧, ୭୦, ୦୦୦ ଘରକୁ ବିଦ୍ୟୁତ ସରବରାହ ବାହାଲ କରାଯାଇଛି। ଅବଶ୍ୟ ସୁନାମୀ କିମ୍ବା ଆଣବିକଶକ୍ତି କେନ୍ଦ୍ରକୁ କୌଣସି ବିପଦ ଆଶଙ୍କା ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଏହାପୂର୍ବରୁ ୧୯୯୫ରେ ଜାପାନ୍ର କୋବେଠାରେ ଭୟାବହ ଭୂକମ୍ପରେ ୬ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୧୬ରେ କୁମାମୋଟୋରେ ଭୂକମ୍ପରେ ପ୍ରଭୂତ କ୍ଷୟକ୍ଷତି ହୋଇଥିଲା।