www.samajalive.in
Monday, December 15, 2025
24.1 C
Bhubaneswar

ଅଯୋଧ୍ୟା ମାମଲାରେ ନୂଆପକ୍ଷ ଅଗ୍ରାହ୍ୟ

ନୂଆଦିଲ୍ଲୀ  : ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ ଉପରେ ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ମାମଲାରେ ହସ୍ତକ୍ଷେପ କରିବା ଉଦ୍ଦେଶ୍ୟରେ ଦାୟର ୩୨ଟି ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଖାରଜ ହୋଇଥିବା ପିଟିସନ ମଧ୍ୟରେ ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀ, ଶ୍ୟାମ ବେନେଗାଲ, ଅପର୍ଣ୍ଣା ସେନା ଓ ତିସ୍ତା ସେତଲବାଦଙ୍କ ଆବେଦନ ରହିଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ମାମଲାର ଶୁଣାଣି ଆରମ୍ଭ ହୋଇଥିବାବେଳେ ଏହାର ମୂଳ ପକ୍ଷଭୁକ୍ତଙ୍କ ବ୍ୟତୀତ ଅନ୍ୟ କାହାର ଆବେଦନକୁ ଗ୍ରହଣ କରାଯିବ ନାହିଁ। ଏପରିକି ବିଜେପି ନେତା ସୁବ୍ରମଣ୍ୟମ୍‌ ସ୍ୱାମୀଙ୍କୁ ମାମଲାରେ ହସ୍ତକ୍ଷେପ ନ କରିବାକୁ କହିଛନ୍ତି। ସେହିପରି ଶ୍ୟାମ ବେନେଗାଲ, ଅପର୍ଣ୍ଣା ସେନ, ଅନିଲ ଧରକାର ଓ ତିସ୍ତା ସେତଲବାଦ ଅଯୋଧ୍ୟାର ବିବାଦୀୟ ୨.୭୭ ଏକର ଜମିକୁ ଧାର୍ମିକ ନିରପେକ୍ଷତା ଭିତ୍ତିରେ ସର୍ବସାଧାରଣଙ୍କ ବ୍ୟବହାର ଲାଗି ଛାଡି ଦିଆଯାଉ ବୋଲି ନିଜ ନିଜ ଆବେଦନରେ ଦର୍ଶାଇଥିଲେ। ତେବେ ସୁପ୍ରିମକୋର୍ଟ ଏ ସବୁ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି। ବୁଧବାର ଶୁଣାଣି ପରେ ମାର୍ଚ୍ଚ ୨୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।
ବୁଧବାର ଶୁଣାଣି କାଳରେ ସୁପ୍ରିମକୋର୍ଟ କହିଥିଲେ ମାମଲାକୁ କୋର୍ଟ ବାହାରେ ସମାଧାନ ଲାଗି ଅଦାଲତ ଛାଡି ଦେଇପାରିବେ ନାହିଁ। ମାମଲାକୁ କୋର୍ଟ ବାହାରେ ସମାଧାନ କରିବା ନିଷ୍ପତ୍ତି ପକ୍ଷଭୁକ୍ତ ପାର୍ଟିଙ୍କ ଉପରେ ନିର୍ଭର କରେ। ଯଦି ସମସ୍ତ ପକ୍ଷର ଓକିଲ ଆସି ଏହାକୁ ଅଦାଲତ ବାହାରେ ସମାଧାନ କରିବାକୁ କହିବେ ତେବେ ଏହାକୁ ଆମେ ଗ୍ରହଣ କରିବୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଏହାର ସମାଧାନ ପାଇଁ କାହାକୁ ପ୍ରସ୍ତାବ ଦେଇପାରିବେ ନାହିଁ କି ଏଥିପାଇଁ କାହାକୁ ନିଯୁକ୍ତି ଦେଇପାରିବେ ନାହିଁ। ଅଯୋଧ୍ୟା ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ କରି ଦାୟର କରାଯାଇଥିବା ୧୩ଟି ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରୁଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ତିନି ଜଣିଆ ବିଚାରପତି ପୀଠ ଏହାର ଶୁଣାଣି କରୁଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଶୁଣାଣି ସମୟରେ ମାମଲାରେ ଯେଉଁମାନେ ପକ୍ଷଭୁକ୍ତ ଥିଲେ ସେମାନଙ୍କୁ ମୂଳ ପକ୍ଷ ଭାବେ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଏହି ପକ୍ଷମାନେ ହେଲେ ରାମ ଲାଲା, ସୁନି ୱାକଫ ବୋର୍ଡ ଓ ନିର୍ମୋହି ଆଖଡା। ହାଇକୋର୍ଟଙ୍କ ନିକଟରେ ରହିଥିବା ମାମଲା ସମ୍ପର୍କିତ ସମସ୍ତ ତଥ୍ୟର ଇଂରାଜୀ ଅନୁବାଦ ରେକର୍ଡ ଓ ଅନ୍ୟ ତଥ୍ୟ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ଫେବୃଆରୀ ୯ରେ ନିର୍ଦେଶ ଦେଇଥିଲେ। ଏଥିପାଇଁ ମାର୍ଚ୍ଚ ୧୪କୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଥିଲେ; ମାତ୍ର ୧୪ସୁଦ୍ଧା ସମସ୍ତ ତଥ୍ୟର ଇଂରାଜୀ ଅନୁବାଦ ସୁପ୍ରିମକୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯାଇପାରି ନଥିବା ଜଣାଯାଇଛି। ତେଣୁ ଏହାର ଶୁଣାଣିକୁ ଏବେ ମାର୍ଚ୍ଚ ୨୩କୁ ଘୁଞ୍ଚା ଯାଇଛି। ଆଯୋଧ୍ୟାକୁ ନେଇ ଦେଶରେ ଧାର୍ମିକ ଓ ରାଜନୈତିକ ବିବାଦ ଲାଗି ରହିଥିବାବେଳେ ଏହି ପ୍ରସଙ୍ଗକୁ ସୁପ୍ରିମକୋର୍ଟ ଏକ ଜମିଜମା ବିବାଦ ଭାବେ ଗ୍ରହଣ କରିଛନ୍ତି। ମାମଲା ଉପରେ କୌଣସି ପ୍ରକାର ରାଜନୈତିକ ଓ ଧାର୍ମିକ ଯୁକ୍ତିକୁ ଗ୍ରହଣ କରାଯିବ ନାହିଁ ସୁପ୍ରିମକୋର୍ଟ କହିଛନ୍ତି। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଏହି ବିବାଦ ଉପରେ ଶୁଣାଣି କରି ରାୟ ଦେଇଥିଲେ। ହାଇକୋର୍ଟ ତାଙ୍କ ରାୟରେ ବିବାଦୀୟ ୨.୭୭ ଏକର ଜମିକୁ ତିନି ପକ୍ଷ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡା ଓ ରାମ ଲାଲା ସମାନ ଭାବରେ ବାଣ୍ଟି ନେବାକୁ କହିଥିଲେ। ତେବେ ହାଇକୋର୍ଟଙ୍କ ଏହି ରାୟକୁ ଗ୍ରହଣ କରାଯାଇ ନଥିଲା। ୧୯୯୨ ଡିସେମ୍ବର ୬ରେ ହିନ୍ଦୁ କରସେବକମାନେ ଅଯୋଧ୍ୟାସ୍ଥିତ ବାବ୍ରି ମସଜିଦକୁ ଭାଙ୍ଗି ଦେଇଥିଲେ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories