ଦୂତି ଚାନ୍ଦ ଗ୍ରହଣ କଲେ ଅର୍ଜୁନ ପୁରସ୍କାର ଟ୍ରଫି

ଗତବର୍ଷର ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ

ନୂଆଦିଲ୍ଲୀ : ୨୦୨୦ ବର୍ଷ ପାଇଁ ଘୋଷିତ ବିଭିନ୍ନ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପ୍ରତ୍ୟକ୍ଷ ଭାବେ ସୋମବାର ପ୍ରଦାନ କରାଯାଇଛି । ଗତବର୍ଷ କରୋନା ସଂକ୍ରମଣ ଯୋଗୁଁ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇ ପାରିନଥିଲା। ତେବେ ଆଭାସୀ ମାଧ୍ୟମରେ କିଛି କ୍ରୀଡ଼ାବିତ୍ ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ବିଜେତାମାନେ ସେମାନଙ୍କ ଅର୍ଥ ରାଶି ପାଇ ସାରିଥିବା ବେଳେ ଟ୍ରଫି ଗ୍ରହଣ କରିନଥିଲେ। ସୋମବାର ନୂଆଦିଲ୍ଲୀର ଅଶୋକା ହୋଟେଲରେ ଏକ ଭବ୍ୟ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଅଧିକାଂଶ ପୁରସ୍କାର ବିଜେତା ଭାଗ ନେଇଥିଲେ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ପୁରସ୍କାର ପ୍ରଦାନ କରିଥିଲେ । କେନ୍ଦ୍ର କ୍ରୀଡ଼ା ସଚିବ ସୁଜାତା ଚତୁର୍ବେଦୀ, ଯୁବ ବ୍ୟାପାର ସଚିବ ଉଷା ଶର୍ମା ଏବଂ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ଓ ସାଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଗତବର୍ଷ ୫ ଜଣ କ୍ରୀଡ଼ାବିତ୍‌ ଖେଳରତ୍ନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନେ ହେଲେ ରୋହିତ ଶର୍ମା (କ୍ରିକେଟ୍‌), ମାରିୟାପ୍ପାନ୍‌ ଥାଙ୍ଗାଭେଲ୍ଲୁ (ପାରା ଦୌଡ଼କୁଦ), ମାନିକା ବାତ୍ରା (ଟେବୁଲ ଟେନିସ), ବିନେଶ ଫୋଗତ (କୁସ୍ତି) ଓ ରାଣୀ ରାମପାଲ (ହକି)। ମୋଟ ୨୭ ଜଣ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଅଲିମ୍ପିଆନ୍‌ ଧାବିକା ଦୂତି ଚାନ୍ଦ ଥିଲେ। ଭାରତୀୟ କ୍ରିକେଟ୍‌ ଦଳର ପେସ୍ ବୋଲର ଈଶାନ୍ତ ଶର୍ମା, ସୁଟର ମନୁ ଭାକର, ହକି ଖେଳାଳି ଆକାଶଦୀପ ସିଂହ, ଦୀପିକା, ଟେନିସ୍ ଖେଳାଳି ଦିବିଜ ଶରଣ, ଟିଟି ଖେଳାଳି ମାଧୁରିକା ପାଟକର ଏବଂ ଏକାଧିକ ପାରା କ୍ରୀଡ଼ାବିତ୍‌ଙ୍କ ସହ ଅଧିକାଂଶ କ୍ରୀଡ଼ାବିତ୍ ନିଜେ ଉପସ୍ଥିତ ରହି ଅର୍ଜୁନ ପୁରସ୍କାର ଗ୍ରହଣ କରିଥିଲେ। ଅଳ୍ପ କିଛି ଖେଳାଳି ଅନୁପସ୍ଥିତ ଥିବାରୁ ପୁରସ୍କାର ଗ୍ରହଣ କରି ପାରିନଥିଲେ। ଏହାସହ ଉଭୟ ବର୍ଗର ଦ୍ରୋଣାଚାର୍ଯ୍ୟ ପୁରସ୍କାର, ଧ୍ୟାନଚାନ୍ଦ ପୁରସ୍କାର ଏବଂ ଅନ୍ୟ ପୁରସ୍କାରସବୁ ପ୍ରଦାନ କରା ଯାଇଥିଲା।

Comments are closed.