୨୮୫୩୭ ଗାଁକୁ ପାନୀୟ ଜଳ ଯୋଗାଣ
ଭୁବନେଶ୍ବର : ରାଜ୍ୟରେ ୨୮୫୩୭ ଗ୍ରାମକୁ ପୂର୍ଣ୍ଣାଙ୍ଗ ବା ଆଂଶିକ ରୂପେ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଯାଇଛି । ମଙ୍ଗଳବାର ବିଧାନସଭାରେ ପ୍ରଶ୍ନୋତ୍ତର କାଳରେ ଏମିତି ତଥ୍ୟ ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ଅଶ୍ବିନୀ କୁମାର ପାତ୍ରଙ୍କ ପ୍ରଶ୍ନରେ ଏସମ୍ପର୍କିତ ତଥ୍ୟ ରଖିଛନ୍ତି ରବି ନାଏକ । ରାଜ୍ୟରେ କେତେ ଗ୍ରାମକୁ ପାଇପ୍ ଜଳ ଯୋଗାଣ ହୋଇଛି ବୋଲି ସରକାରଙ୍କୁ ଅଶ୍ବିନୀ ପାତ୍ର ପ୍ରଶ୍ନ କରିଥିଲେ ।
ରାଜ୍ୟରେ ମୋଟ ଗ୍ରାମ ସଂଖ୍ୟା ୪୬୪୨୨ ହୋଇଥିବାବେଳେ ସେଥିମଧ୍ୟରୁ ୨୮୫୩୭ ଗୋଟି ଗ୍ରାମକୁ ପୂର୍ଣାଙ୍ଗ ଅଥବା ଆଂଶିକ ଭାବେ ପାଇପ ଯୋଗେ ପାନୀୟଜଳ ଯୋଗାଣ କରାଯାଇଛି ବୋଲି ରବି ନାଏକ ସୂଚନା ଦେଇଛନ୍ତି । ରାଜ୍ୟରେ ବିଭିନ୍ନ ଜିଲାରେ ନିର୍ମାଣାଧୀନ ଥିବା ୧୯୧ ଗୋଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ, ୨୧୦୭ ଗୋଟି ଏକକ/ଏକାଧିକ ଗ୍ରାମ ବିଶିଷ୍ଟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ୪୧୦୩ ଗୋଟି ସୌର ଚାଳିତ ପାଇପ ଜଳଯୋଗାଣ ପ୍ରକଳ୍ପ ଗୁଡିକୁ ଜୁନ, ୨୦୨୬ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କରି ରାଜ୍ୟର ଅବଶିଷ୍ଠ ସମସ୍ତ ଗ୍ରାମକୁ ପାଇପ ଯୋଗେ ପାନୀୟଜଳ ଯୋଗାଣ ନିମନ୍ତେ ପଦକ୍ଷେପ ନିଆଯାଉଛି ବୋଲି ରବି ନାଏକ କହିଛନ୍ତି ।
Comments are closed.