ପରମାନନ୍ଦମୟ ଦୋଳ

ପଞ୍ଚଦଶ ଶତାବ୍ଦୀର ଭବିଷ୍ୟକାର ସନ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ତା’ଙ୍କ ପୁସ୍ତକରେ ଦୋଳ ଉତ୍ସବକୁ ଲକ୍ଷ୍ୟ କରି ଲେଖିଛନ୍ତି -‘‘ଦୋଳ ମଣ୍ଡପରେ ଦୋଳ ଗୋବିନ୍ଦ।
ଦୋଳି ଖେଳୁଛନ୍ତି ପରମାନନ୍ଦ।।
ମିତ ଗୋ ! ଏ ଯେ ବଡ଼ ଆନନ୍ଦ।’’
ଅନ୍ୟ ଜଣେ ସଂସ୍କୃତ କବିଙ୍କ ଭାଷାରେ –
‘‘ଦୋଳେ ତୁ ଗୋବିନ୍ଦାୟିତମ୍‌
ଜୀବନ ସାର୍ଥକମ୍‌ ସଦା
ଲଭତେ ପରମାନନ୍ଦମ୍‌
ଧନ୍ୟଂ ତତ୍‌ ପରମାର୍ଥକମ୍‌’’
ଦୋଳ ପରମ୍ପରା ଭାରତୀୟ ସଂସ୍କୃତିର ଏକ ଅାଧ୍ୟାତ୍ମିକ ଧାରା ଓ ସ୍ବର ନେଇ ଚିରଂଜୀବୀ ହୋଇଛି। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଲୀଳା ଖେଳା ଓ ଅଲୌକିକତାକୁ ସନାତନ ଭାରତ ମର୍ମେ ମର୍ମେ ଅନୁଭବ କରିଛି। ଶ୍ରୀକୃଷ୍ଣଙ୍କ ଜନ୍ମ ସ୍ଥଳୀ, କର୍ମ ସ୍ଥଳୀ ଓ ରାଜତ୍ବସ୍ଥଳୀରେ ବିଭିନ୍ନ ରୀତିନୀତି ଓ ଧାରାରେ ଏହି ମହୋତ୍ସବ ପାଳିତ ହୋଇଆସିଛି। ଭଗବାନ୍‌ କୃଷ୍ଣ ଏକାଧାରରେ ଗୋପୀମାନଙ୍କର ନାଥ ‘‘ଗୋପୀନାଥ’’, ରାଧାଙ୍କର ନାଥ ‘ରାଧାନାଥ’, କଂସାରି (କଂସ ରାଜାର ଅରି) ଓ ଦ୍ବାରାକାଧୀଶ (ଦ୍ବାରକା ରାଜା) ଆଦି ଅନେକ ବିଶେଷଣରେ ବିଭୂଷିତ। କୃଷ୍ଣ ଶବ୍ଦର ବ୍ୟାଖ୍ୟାନ ହେଉଛି – କର୍ଷତୀତି କୃଷ୍ଣଃ ଅର୍ଥାତ୍‌ ସମଗ୍ର ମାନବ ସମାଜକୁ ନିଜର ସାମାଜିକ, ଆଧ୍ୟାତ୍ମକ ଓ ଆଦି ଦୈବତ ଗୁଣରେ ଆକର୍ଷିତ କରି ସେ ସମଗ୍ର ବିଶ୍ବ ଜୀବନକୁ ଉଲ୍ଲୋଳମୟ, ଆନନ୍ଦମୟ ମାର୍ଗ ଦର୍ଶନ କରାଇଛନ୍ତି।
ହୋଲି ବା ଦୋଳ ପର୍ବ ଭାରତର ଧର୍ମ ଓ କର୍ମ ଗରିମାକୁ ଆଧାର କରି ହଜାର ହଜାର ବର୍ଷ ଧରି ପ୍ରଭାବିତ କରିଆସିଛି। କେତେକଙ୍କ ମତରେ ‘ହୋଲିକା’ ରାକ୍ଷସୀର ନିଧନକୁ ମନେ ପକାଇ ଏ ଉତ୍ସବ ପାଳିତ ହୋଇଥିବା କୁହାଯାଏ। ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଭାଷାରେ ଋତୁମାନଙ୍କ ମଧ୍ୟରେ ମୁଁ କୁସୁମାକର ଅର୍ଥାତ୍‌ ବସନ୍ତ କାଳ। ଓଡ଼ିଶାର ପ୍ରଖ୍ୟାତ କବି ଜୟଦେବଙ୍କ ଭାଷାରେ-
‘‘ବସନ୍ତେ ବାସନ୍ତୀ – କୁସୁମ ସୁକୁମାରୈଃ ଅବୟବୈଃ
ଭ୍ରମନ୍ତାଂ କାନ୍ତାରେ ବହୁ ବିହିତ କୁଷ୍ଣାନୁଶରଣାମ୍‌
ଅମନ୍ଦମ୍‌ କନ୍ଦର୍ପ – ଜ୍ବର ଜନିତଚିନ୍ତ କୁଳତୟା
ଗଳଦ୍‌ ବାଧାମ୍‌ ରାଧାମ୍‌ ସରସମିଦ ମୂଚେ ସହଚରୀ।’’
ଏହି ଶ୍ଳୋକରେ ଶ୍ରୀରାଧାଙ୍କର ଅପ୍ରାକୃତ ପ୍ରେମଲୀଳା ଓ ଅନୁଭାବ ବେଶ୍‌ ପ୍ରକଟିତ ଇତ୍ୟାଦି। ସଂକ୍ଷେପରେ ଏତିକି କୁହାଯାଇପାରେ ଯେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଉପଲିଖିତ ପଦର ‘ପରମାନନ୍ଦ’ ଓ ‘ଆନନ୍ଦ’ ଶବ୍ଦରୁ ଦୋଳର ଗାମ୍ଭୀର୍ଯ୍ୟ ଜଣାଯାଏ। ମଣିଷ ଜୀବନରେ ଆନନ୍ଦ ଏକ ସ୍ବର୍ଗୀୟ ଉପହାର। ଆନନ୍ଦର ସନ୍ଧାନରେ ମଣିଷ ବ୍ରତୀ​‌ ହେଲେ ପରମାନନ୍ଦ ଲାଭ କରିଥାଏ। ଏଥିପାଇଁ ଅନାବିଳ ଓ ନିର୍ମଳଭାବ ହିଁ ପ୍ରଥମ ଆଧାର। କୁହାଯାଇଛି-
ନ ଦେବଃ ବିଦ୍ୟତେ କାଷ୍ଠେ ନ ପାଷାଣେ ନ ମୃଣ୍ମୟେ
ଭାବେ ହି ବିଦ୍ୟତେ ଦେବଃ ତତ୍ସାତ୍‌ ଭାବୋହି କାରଣମ ।।

prayash

ଅର୍ଥାତ୍‌ ଦେବତା କାଷ୍ଠ, ପଥର ବା ମୂର୍ତ୍ତି ଭିତରେ ନାହାନ୍ତି। ନିର୍ମଳ ଭାବରୁ ଦୈବିଶକ୍ତି ଦତ୍ତ ହୋଇଥାଏ। ‘ଭାବ’ର ତାତ୍ପର୍ଯ୍ୟ ହେଉଛି – ‘‘ନିର୍ବିକାରାତ୍ମକେ ଚିତ୍ତେ ଭାବଃ ପ୍ରଥମ ବିକ୍ରିୟା’’।
ଅନାସକ୍ତ, ଆବିଳତାହୀନ ମନ ଭିତରୁ ସ୍ବତଃ ଜାତ ପ୍ରବୃତ୍ତିର ନାମ ଭାବ। ସେ ଭାବକୁ ଦୈବୀଶକ୍ତି ଗ୍ରହଣ କରିନିଏ। ଅଚ୍ୟୁତାନନ୍ଦଙ୍କ ଭାଷାରେ – ଭାବବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି ପ୍ରଭୁ ! ଭକ୍ତଙ୍କ ନିମନ୍ତେ ହରିହେ ଦଶ ମୂରତି ଧରି। ଭକ୍ତ ତୁମ୍ଭ କିସ କରିବ ଭକ୍ତ ବୋଲରେ ଥାଅ। ଭକ୍ତ ପେଷିଲେ ଦୂତପଣେ ବାରୁଣାବନ୍ତ ଯାଅ ାା
ସେହି ପ୍ରଭୁ ମଧ୍ୟ ଭାବଗ୍ରାହୀ ଭାବରେ ଯୁଗେ ଯୁଗେ ବିଦ୍ୟମାନ। ଭକ୍ତ ପ୍ରହଲ୍ଲାଦ, ବିଜ୍ଞାନୀ କୈବର୍ତ୍ତ (ବିଜ୍ଞାନୀ କୈବର୍ତ୍ତ ଧୋଇଲା, ବିଶ୍ବେ ପତିତପାବନ ନାମ ରହିଲା) ଭକ୍ତ ଶବରୀ ହାତରୁ ଅଇଁଠା ଖାଦ୍ୟ ଗ୍ରହଣ ଆଦି ଏହି ଭାବଗତ ଭକ୍ତିର ଲକ୍ଷଣ ଭାବରେ ବିବେଚିତ ହୋଇଥାଏ। ଦୋଳ ମହୋତ୍ସବରେ ବାସନ୍ତୀ ପୂଜା ଏକ ଅନନ୍ୟ ଆରାଧନା। ସେହିଭଳି ବସନ୍ତ ରାସ ଏବଂ ଭକ୍ତ ଗୋପାଳମାନଙ୍କର ଲଉଡ଼ି ଖେଳ ଜନଜୀବନକୁ ଆକର୍ଷିତ ଓ ପ୍ରଭାବିତ କରିଥାଏ। ଗୋ ପୂଜା, ଆରାଧନା, ଦୋଳବେଦୀରେ ରାଧାକୃଷ୍ଣଙ୍କର ଆରାଧନା ଏବଂ ବସନ୍ତ ମହକରେ ଲୀଳାୟିତ ପ୍ରକୃତିକୁ ଉପଭୋଗ କରିବା ଏକ ବିଚିତ୍ର ଚିତ୍ର ବହନ କରେ। କବିଙ୍କ ଭାଷାରେ – ‘‘ଆସ ଗୋ ମୈତ୍ର ତୋଳି ବେନି ନେତ୍ର, ଯୁଗଳ ମୂରତି ଦେଖିବା ରାଧାମାଧବଙ୍କ, ମାଧବୀ-ଲୀଳାରେ ଆମ ଜୀବନକୁ ଝାସିବା ମିତ ମିତଣି ! ରାଧା ହରିଙ୍କର ରୋଷଣୀ’’। ଉଲ୍ଲେଖନୀୟ ଯେ, ଅବିର ବୋଳା ଖେଳ ଏକ ପାରସ୍ପରିକ ମୈତ୍ରୀ ବନ୍ଧନର ନିଖୁଣ ଚିତ୍ର ବହନ କରେ। କବି ଅଭିମନ୍ୟୁ ସାମନ୍ତସିଂହାର ଲେଖିଯାଇଛନ୍ତି –
‘‘ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧା ହରି
ଅବ୍ୟକ୍ତ ଲୀଳାଙ୍କୁ ବ୍ୟକ୍ତ କର ଅବତରି।’’
ରାଧାକୃଷ୍ଣଙ୍କର ବାସନୀ ଲୀଳା ଓ ଦୋଳନ (ଦୋଳି) ଖେଳ ଏକ ଅନିର୍ବଚନୀୟ ଭାବନା ସୃଷ୍ଟି କରିଥାଏ। ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଭଜିବା ଓ ବାସନ୍ତୀ ଦୁର୍ଗାଙ୍କଠାରେ ଆତ୍ମ ନିବେଦନ କରିବା ଭାରତ ସଂସ୍କୃତିର ଆଧାରଭୂତ ହୋଇଛି। ଭଗବାନ ଶ୍ରୀକୃଷ୍ଣ ଭଗବତ୍‌ ଗୀତାରେ ଲେଖିଛନ୍ତି- ମାସାନାଂ ମାର୍ଗଶିର୍ଷୋଽହଂ ଋତୂନାଂ କୁସୁମାକରଃ ଇତ୍ୟାଦି। ଶ୍ରୀରାଧା ଭାରତୀୟ ସଂସ୍କୃତିରେ ଏକ ସ୍ବତନ୍ତ୍ର ଧାରା ଓ ଭଗବାନ ଶ୍ରୀକୃଷ୍ଣ ଭକ୍ତ ପ୍ରେମର ଏକ ଆକର୍ଷଣୀ ଶକ୍ତି।

ପ୍ରବୋଧ କୁମାର ମିଶ୍ର

kalyan agarbati

Comments are closed.