ଜୀବନ ଜୀବିକା ତଥା ପ୍ରାକୃତିକ ସଂପଦର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ସମ୍ବଲପୁର: ପରିବେଶ, ପ୍ରାକୃତିକ ସମ୍ପଦ ତଥା ଜୀବନ ଜୀବିକାର ସୁରକ୍ଷା ପାଇଁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁରରେ ଜନ ଆନ୍ଦୋଳନମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନଏପିଏମ୍) ଆହ୍ୱାନରେ ତଥା ବିଭିନ୍ନ ଜନ ସଂଗଠନମାନଙ୍କ ନେତୃତ୍ବରେ ଏକ ଜନ ସମାବେଶ ଆୟୋଜିତ ହୋଇଯାଇଛି ଏବଂ ଉତ୍ତରାଞ୍ଚଳ ଆରଡିସିଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗନ୍ଧମାର୍ଦ୍ଦନରେ ଖଣି ଖନନକୁ ନିଷିଦ୍ଧ କରିବା, ଗ୍ରାମସଭାର ଅନୁମୋଦନ ବିନା ଦିଆଯାଇଥିବା ବିଭିନ୍ନ ଖଣି ଲିଜ୍ ବାତିଲ୍, ବିକାଶ ନାମରେ ବିନାଶ ଓ ବିସ୍ଥାପନ ବନ୍ଦ, ଜଙ୍ଗଲ ଅଧିକାର ଆଇନ- ୨୦୦୬କୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ପାଇଁ ଏହି ସମାବେଶରେ ଦାବି କରାଯାଇଛି। ସେହିପରି ସମସ୍ତ ଭୂମିହୀନଙ୍କୁ ଚାଷ ଓ ବାସୋପଯୋଗୀ ଭୂମି ବଣ୍ଟନ, ଲୋୟର ସୁକତେଲ୍ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରକଳ୍ପ ଯୋଗୁଁଁ ବିସ୍ଥାପିତ ହୋଇଥିବା ପରିବାର ଗୁଡ଼ିକୁ ନ୍ୟାୟ ପ୍ରଦାନ ପାଇଁ କମିଶନ୍ ଗଠନ, ଦାଦନ ସମସ୍ୟାର ନ୍ୟାୟପୂର୍ଣ୍ଣ ସମାଧାନ ଓ କୃଷକ ମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପ୍ରକ୍ରିୟାକୁ ଆଇନଗତ ମାନ୍ୟତା ପ୍ରଦାନ କରିବାକୁ ମଧ୍ୟ ଏହି ସ୍ମାରକପତ୍ରରେ ଦାବି କରାଯାଇଛି।

ଏହି ଅବସରରେ ଆୟୋଜିତ ସଭାରେ ବକ୍ତାମାନେ କହିଥିଲେ ଯେ, ବିକାଶର ମନ୍ଦିର ନାମରେ ପ୍ରତିଷ୍ଠା ହୋଇଥିବା ହୀରାକୁଦ ନଦୀବନ୍ଧ ଯୋଜନା ଯୋଗୁଁଁ ନିଜର ଭିଟାମାଟି ହରାଇ ସର୍ବସ୍ବାନ୍ତ ହୋଇଯାଇଥିବା ଲକ୍ଷାଧିକ କୃଷକ ଆଜି ମଧ୍ୟ ନ୍ୟାୟରୁ ବଞ୍ଚିତ ହୋଇ ରହିଛନ୍ତି। ବିକାଶର ସ୍ଲୋଗାନ ଦେଇ ପ୍ରତିଷ୍ଠା ହୋଇଥିବା ରାଉରକେଲା ଇସ୍ପାତ କାରଖାନା, ରେଙ୍ଗାଲି ନଦୀବନ୍ଧ ଯୋଜନା, ବିଭିନ୍ନ ଲୁହାପଥର ଓ କୋଇଲା ଖଣି ଖନନ, ଡାଲମିଆ ସିମେଣ୍ଟ କାରଖାନା, ଲୋୟର ଇନ୍ଦ୍ର, ଲୋୟର ସୁକତେଲ ଭଳି ଯୋଜନା ସ୍ଥାନୀୟ ଅଧିବାସୀମାନଙ୍କ ପାଇଁ ବିନାଶର କାରଣ ପାଲଟିଯାଇଛି। କେତେ ଯେ ପରିବାର ତଥାକଥିତ ବିକାଶର ଯଜ୍ଞ ବେଦୀରେ ବଳି ପଡ଼ିଛନ୍ତି, ତାର କୌଣସି ହିସାବ ନାହିଁ। ଏକଦା ସାରା ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ତଥା ଐତିହ୍ୟ ଗନ୍ଧମାର୍ଦ୍ଦନ ପର୍ବତମାଳାକୁ ବାଲକୋ କମ୍ପାନୀକୁ ଟେକିଦେବା ବିରୋଧରେ ଐତିହାସିକ ଲଢେ଼ଇ କରି ବାଲକୋକୁ ହଟାଇଥିବା ଜନସାଧାରଣଙ୍କ ଲଢେ଼ଇକୁ ଅସମ୍ମାନ କରି ପୁଣି ଗନ୍ଧମାର୍ଦ୍ଦନକୁ ଆଦାନୀ ହାତରେ ଟେକି ଦେବାକୁ ସରକାର ଚକ୍ରାନ୍ତ କରୁଛନ୍ତି।

prayash

ସାମ୍ବିଧାନିକ ଉପାୟରେ ଶାନ୍ତିପୂର୍ଣ୍ଣ ଧାରାରେ ଚାଲିଥିବା ଆନ୍ଦୋଳନକୁ ବିଭିନ୍ନ ଦମନ ମୂଳକ ନୀତି ଓ ଆଇନ୍ ଜରିଆରେ ଚପାଇ ଦେବାକୁ ସରକାରଙ୍କ ପୁଲିସ୍ ଓ ପ୍ରଶାସନିକ ଅଧିକାରୀମାନେ ସମସ୍ତ ପ୍ରକାର ମାରପେଞ୍ଚ ନୀତି ଅବଲମ୍ବନ କରିଚାଲିଛନ୍ତି। ଆଦିବାସୀ ମାନଙ୍କ ଅସ୍ତିତ୍ୱ ଓ ଅସ୍ମିତାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମ୍ବିଧାନର ଧାରା ୨୪୪(୧) ଓ ପଞ୍ଚମ ଅନୁଛେଦ, ‘ପେସା’ କାନୁନ, ଜଙ୍ଗଲ ଅଧିକାର ଆଇନ-୨୦୦୬, ଜମି ଅଧିଗ୍ରହଣ ଆଇନ-୨୦୧୩ର ଧାରା-୪୧ ରେ ଉଲ୍ଲିଖିତ ଅନୁସୂସୁଚିତ ଅଞ୍ଚଳରେ ଗ୍ରାମସଭାର ଅଧିକାର ସଂକ୍ରାନ୍ତୀୟ ବ୍ୟବସ୍ଥାକୁ ଉଲ୍ଲଙ୍ଘନ କରାଯାଉଛି ଓ ଫଳରେ ରାଜ୍ୟର ସବୁ ଆଦିବାସୀ ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳମାନଙ୍କରେ ବିଭିନ୍ନ ଘରୋଇ କମ୍ପାନୀମାନଙ୍କୁ ଅସାମ୍ବିଧାନିକ ଓ ବେଆଇନ ଭାବେ ଖଣି ଲିଜ୍ ପ୍ରଦାନ କରାଯାଉଛି କ୍ଷ ଏହା ଦ୍ୱାରା କେବଳ ଯେ ପ୍ରଭାବିତ ଜନଗଣଙ୍କ ଦୁଃଖ ଦୁର୍ଦ୍ଦଶା ଘନୀଭୂତ ହେଉଛି ତାହା ନୁହେଁ, ଏହି ଅବିଚାରିତ ବିକାଶର କ୍ଷିପ୍ର ଗତି କାରଣରୁ ମାନବ ସମାଜର ସ୍ଥାୟୀ ଓ ଚିରନ୍ତନ ବିକାଶର ସ୍ରୋତ ଜଳ, ଜଙ୍ଗଲ, ଜମି ଆଦି ପ୍ରାକୃତିକ ସମ୍ପଦ ଚିର ଦିନ ପାଇଁ ବିନାଶ ହୋଇଚାଲିଛି ଓ ଅନ୍ଧ ଶିଳ୍ପାୟନ ତଥା ଅବିଚାରିତ ଖଣି ଖନନର ଫଳ ସ୍ୱରୂପ ଜଙ୍ଗଲ ଓ ପରିବେଶର ପ୍ରଭୂତ ବିନାଶ ଘଟି ନଦନଦୀ ମରି ଚାଲିଛି ଏବଂ ତାହାର ପରିଣତି ମାନବ ସମାଜ ପାଇଁ ବିପଦ ଜନକ ଉତ୍ତାପ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ରୂପରେ ଚରମ ସଙ୍କଟ ସୃଷ୍ଟି କରୁଛି କ୍ଷ

ବିଭିନ୍ନ ବକ୍ତା ମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମନ୍ତରା, ଅଶୋକ ପ୍ରଧାନ, ଲିଙ୍ଗରାଜ, ସରୋଜ ମହାନ୍ତି, ଲିଙ୍ଗରାଜ ଆଜାଦ୍, ବିବୁଲ୍ ଟପ୍ପୋ ,ହୀରାମଣୀ ମିଞ୍ଜ୍, ନରେନ୍ଦ୍ର ମହାନ୍ତି, ଅନନ୍ତ, ତ୍ରିଲୋଚନ ପୁଞ୍ଜି, ବ୍ୟୋମକେଶ ଠାକୁର, ସତ୍ୟ ବନଛୋର୍, ବାଳକୃଷ୍ଣ ଷଣ୍ଢ, ଉଦୟ ସିଂ ଠାକୁର, ଗଙ୍ଗାଧର ମାଝୀ, ଅରୁଣ ଜେନା , ଦାସୀନନ୍ଦୀ ବାଲି, ତିଲୋ ଗୁଞ୍ଜିଆ, ଦିବାକର ସାହୁ, ସୁଶୀଲ ସାହୁ, ନେତ୍ରାନନ୍ଦ ସାହୁ, ଗୋପୀନାଥ ପ୍ରମୁଖ ଏହି ସମାବେଶରେ ଉଦବୋଧନ ଦେଇ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଏକଜୁଟ ହେବାକୁ ଓ ଜନ ଆନ୍ଦୋଳନକୁ ଆହୁରି ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ। ଜନଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ.ଏ.ପି.ଏମ.) ସମେତ ବିଭିନ୍ନ ଜନ ସଂଗଠନ ଯଥା ଗ୍ରାମସଭା ସମିତି (ରାଜଗାଙ୍ଗପୁର), ଲୋକମୁକ୍ତି ସଂଗଠନ (ଝାରସୁଗୁଡ଼ା ) ଜିନ୍ଦାବାଦ ସଂଗଠନ (ବଲାଙ୍ଗୀର ), ଜୟକିଷାନ୍ ଆନ୍ଦୋଳନ (ବରଗଡ଼଼ ), ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ,( ହରିଶଙ୍କର), ପଶ୍ଚିମ ଓଡ଼ିଶା ବିସ୍ଥାପିତ ସହାୟତା ସମିତି, ସାହାରା ପାୱାର ପ୍ଲାଣ୍ଟ ବିରୋଧୀ ମଞ୍ଚ (ଟିଟିଲାଗଡ଼଼) ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ (ନୂଆପଡ଼ା), ଲୋୟର ସୁକତେଲ୍ ସଂଗ୍ରାମ ପରିଷଦ (ବଲାଙ୍ଗୀର), ଲୋୟର ଇନ୍ଦ୍ର ସହାୟତା ସମିତି, ଖରିଆର୍, (ନୂଆପଡ଼ା) କଙ୍କଡାଯୋର୍ ବୁଡ଼ି ଅଞ୍ଚଳ ସହାୟତା ସମିତି, ବାଙ୍କେଲ , (ଟିଟିଲାଗଡ଼଼), ଖଣ୍ଡାଧାର ସୁରକ୍ଷା ସମିତି (ସୁନ୍ଦରଗଡ଼଼), ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି, ସମ୍ବଲପୁର ଇତ୍ୟାଦି ଜନ ସଂଗଠନ ମାନଙ୍କ ନେତୃତ୍ବରେ ସହସ୍ରାଧିକ ଆଦିବାସୀ, ଦଳିତ, ପାରମ୍ପରିକ ଜଙ୍ଗଲବାସୀ ତଥା ମହିଳାମାନେ ଏହି ସମାବେଶରେ ସାମିଲ୍ ହୋଇଥିଲେ।

kalyan agarbati

Comments are closed.