www.samajalive.in
Saturday, December 6, 2025
17.1 C
Bhubaneswar

ଚଳିତ ଆର୍ଥିକ ବର୍ଷ ସୁଦ୍ଧା ୪୦ ହଜାର ନିଯୁକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଫେବୃଆରୀ ୧୩ରୁ ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଆରମ୍ଭ ହେଉଛି। ଫେବୃଆରୀ ୧୭ରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଗୃହରେ ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ। ଏହା ପୂର୍ବରୁ ଲୋକସେବା ଭବନ କନଭେନସନ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ବଜେଟ ବୈଠକ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ ବର୍ଗର ପ୍ରତିନିଧିଙ୍କୁ ନେଇ ହୋଇଛି। ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ଆଲୋଚନା କରି ବଜେଟ୍‌ରେ ଗ୍ରାମାଞ୍ଚଳ ଓ ଅର୍ଥନୈତିକ ଅନଗ୍ରସର ଲୋକଙ୍କ ବିକାଶ ଓ କଲ୍ୟାଣ ଉପରେ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ। ବିଶେଷକରି ବଜେଟରେ ଗ୍ରାମାଞ୍ଚଳବାସୀ ଓ ଅର୍ଥନୈତିକ ଅନଗ୍ରସର ଲୋକଙ୍କୁ ଗୁରୁତ୍ବ ଦିଆଯିବ। ଏଥିସହିତ ରାଜସ୍ୱ ବୃଦ୍ଧି, ଆଇଟି, ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ, ଇସ୍ପାତ, ଅକ୍ଷୟ ଶକ୍ତି, ବୟନ ଶିଳ୍ପ, କୃଷି ଶିଳ୍ପ ସହିତ ପର‌୍ୟ୍ୟଟନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। କୃଷକଙ୍କ ଆୟ ବୃଦ୍ଧି ସହିତ ଶୀତଳଭଣ୍ଡାର ନିର୍ମାଣ, ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହିତ ଭିତ୍ତିଭୂମି ସୁଦୃଢ଼ ପାଇଁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ କାର‌୍ୟ୍ୟକାରୀ କରାଯିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୦ ହଜାର ନିଯୁକ୍ତି ଦିଆସରିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୦ହଜାର ନିଯୁକ୍ତି ଦିଆଯିବ। ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ୬୫ ହଜାର ନିଯୁକ୍ତି ଦେବା ଲକ୍ଷ୍ୟ ରଖିଛନ୍ତି। ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଅନୁମୋଦନ କରାଯାଇଛି। ଯଦ୍ୱାରା ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଜେଟ୍ ପାଇଁ ଯେଉଁ ମତାମତ ଆସିଛି ତନ୍ମଧ୍ୟରୁ ଲୋକ ହିତକାରୀ ମତାମତ ଗୁଡ଼ିକୁ
ଫିସକାଲ ରେସ୍ପନ୍ସ ଟିମ୍ ଗୁରୁତ୍ୱ ଦେବ। ଏହି ବଜେଟ୍ ସମୃଦ୍ଧ ଓଡ଼ିଶା ଗଠନ, ଗ୍ରାମାଞ୍ଚଳର ଆର୍ଥିକ ବ୍ୟବସ୍ଥାରେ ସୁଧାର, ଗାଁ ଲୋକଙ୍କ ପାଇଁ ଆୟ କ୍ଷେତ୍ର ତିଆରି ଉପରେ ଗୁରୁତ୍ବ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଗତବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ରାଜ୍ୟ ସରକାର ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କ ଠାରୁ ମତାମତ ଲୋଡ଼ିଛନ୍ତି। ଏ ବାବଦରେ ସାଧାରଣ ଲୋକ ଜାନୁଆରୀ ୩୧ ସୁଦ୍ଧା ଇ-ମେଲ୍‌ ଓ ହ୍ୱାଟ୍ସ ଆପ୍, ୱେବ୍ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ମତାମତ ଦେବା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ମାଧ୍ୟମରେ ଆସୁଥିବା ଏହି ପରାମର୍ଶ ଗୁଡ଼ିକୁ ଅନୁଧ୍ୟାନ ଓ ତର୍ଜମା କରି ଚଳିତ ବଜେଟ୍‌ରେ ସ୍ଥାନିତ କରାଯିବ। ପ୍ରାକ୍‌ ବଜେଟ୍‌ ପ୍ରସ୍ତୁତି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ପଞ୍ଚାନନ କାନୁନଗୋ, ଶଶିଭୂଷଣ ବେହେରା, ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ରବିନାରାୟଣ ସେନାପତି, ଉପେନ୍ଦ୍ରନାଥ ବେହେରା, ବରିଷ୍ଠ ନେତା ସମୀର ମହାନ୍ତି, ସଜ୍ଜନ ଶର୍ମାଙ୍କ ସହିତ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୪ଜଣ ବିଶିଷ୍ଟ ବ୍ୟକ୍ତି ବଜେଟ୍ ସଂକ୍ରାନ୍ତରେ ମତାମତ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟ୍ କିପରି ଲୋକାଭିମୁଖୀ ହୋଇପାରିବ ସେନେଇ ବୈଠକରେ ସମସ୍ତେ ନିଜର ମତାମତ ଦେଇଛନ୍ତି।
ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories