ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ବୈଠକରେ ସଚେତନତା ଉପରେ ଗୁରୁତ୍ୱାରୋପ
ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ନିର୍ଦେଶ
କେନ୍ଦୁଝରଗଡ : ଆଗାମୀ ଗ୍ରୀଷ୍ମପ୍ରବାହ ମୁକାବିଲା ନିମନ୍ତେ ଦରବାରହଲଠାରେ ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଜିଲାପାଳ ଗୁରୁତ୍ୱାରୋପ କରିବା ସହିତ ଜଳକ୍ଳିଷ୍ଟ ଅଞ୍ଚଳରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି । ଗ୍ରୀଷ୍ମପ୍ରବାହ ସମୟରେ ସତର୍କତା ଅବଲମ୍ବନ ନିମନ୍ତେ ପୋଷ୍ଟର, ଲିଫ୍ଲେଟ୍ ଆଦି ପ୍ରଚାରପତ୍ର ଗ୍ରାମାଞ୍ଚଳରେ ବଣ୍ଟନ ନିମନ୍ତେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଗ୍ରୀଷ୍ମଋତୁରେ ଯେମିତି ପାନୀୟଜଳର ସମସ୍ୟା ରହିବ ନାହିଁ, ଅଚଳ ନଳକୂପଗୁଡିକର ତୁରନ୍ତ ମରାମତି ଏବଂ ହାଟବଜାର, ବସ୍ ଷ୍ଟାଣ୍ଡ୍ ତଥା ଜନଗହଳି ସ୍ଥାନମାନଙ୍କରେ ଜଳଛତ୍ର ଖୋଲି ପିଇବା ଉପଯୋଗୀ ପାନୀୟଜଳର ବ୍ୟବସ୍ଥା ଉପରେ ଜିଲାପାଳ ଗୁରୁତ୍ୱାରୋପ କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ପାନୀୟଜଳ ସମସ୍ୟା ଥିବା ଶିକ୍ଷାନୁଷ୍ଠାନ, ହଷ୍ଟେଲମାନଙ୍କରେ ପାନୀୟଜଳ ଯୋଗାଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହଜନିତ ଯେପରି କୌଣସି ଜୀବନ ହାନି ନଘଟିବ ସେଥିପାଇଁ ସମସ୍ତେ ଦୃଢ ମାନସିକତା ରଖି କାର୍ଯ୍ୟ କରିବାକୁ କହିଥିଲେ ।
ଗ୍ରୀଷ୍ମପ୍ରବାହର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଶ୍ରମିକମାନେ କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟଜଳ ଓ ଆଶ୍ରୟସ୍ଥଳର ବନ୍ଦୋବସ୍ତ କରାଯିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ଟାଣ ଖରାରେ କାମ ନକରାଇବାକୁ ଏବଂ କାର୍ଯ୍ୟସ୍ଥଳରେ ପାନୀୟଜଳର ବ୍ୟବସ୍ଥା, ଆଶ୍ରୟସ୍ଥଳ ଓ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖିବା ନିମନ୍ତେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଜିଲାର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ୍ ପାଉଡର, ବରଫ, ଅଂଶୁଘାତର ପ୍ରତିକାର ପାଇଁ ଔଷଧପତ୍ର, ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍ ରଖିବା, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ଜନସାଧାରଣଙ୍କୁ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବା ଏବଂ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା ତଥା ସମସ୍ତ ଚିକିତ୍ସାଳୟରେ ଅଂଶୁଘାତ ଆକ୍ରାନ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ନିମନ୍ତେ ଶର୍ଯ୍ୟା ପ୍ରସ୍ତୁତ ରଖିବା ପାଇଁ ପଦକ୍ଷେପ ନେବାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ଯାତ୍ରୀବାହୀ ବସ ତଥା ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିଗୁଡିକର ଚଳାଚଳ ନିୟନ୍ତ୍ରଣ କରିବା, ଗାଡିଗୁଡିକରେ ପର୍ଯ୍ୟାପ୍ତ ପାନୀୟଜଳ, ଓ.ଆର୍.ଏସ୍. ପ୍ୟାକେଟ୍ ରଖିବା ଏବଂ ବସ୍ ରହଣୀ ସ୍ଥାନମାନଙ୍କରେ ବିଶ୍ରାମସ୍ଥଳୀ ଓ ଜଳଛତ୍ର ଖୋଲିବା ପାଇଁ ବିହିତ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ସ୍କୁଲ କଲେଜଗୁଡିକର ଶିକ୍ଷାଦାନ ସମୟ ନିର୍ଦ୍ଧାରଣ କରିବା, ସମସ୍ତ ଶିକ୍ଷାନୁଷ୍ଠାନରେ ପାନୀୟଜଳ ଉପଲବ୍ଧ କରାଇବା, ଅଭିଭାବକମାନଙ୍କ ସହ ବୈଠକ କରି ସଚେତନ କରାଇବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲାସ୍ତରରେ, ବ୍ଲକ, ତହସିଲ ଓ ଉପଖଣ୍ଡ୍ସ୍ତରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା, ୱାଟକୋ, ଆର୍.ଡବ୍ଲ୍ୟୁ.ଏସ୍.ଏସ୍. ଏବଂ ଟି.ପି.ଏନ୍.ଓ.ଡି.ଏଲ୍. ବିଭାଗର କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲିବା ନିମନ୍ତେ ଜିଲାପାଳ ନିର୍ଦେଶ ଦେଇଛନ୍ତି । ଜିଲାର ସମସ୍ତ ବ୍ଲକ ଓ ପୌରପାଳିକାସ୍ତରେ ଅତିଶୀଘ୍ର ପ୍ରସ୍ତୁତି ବୈଠକ ଆହ୍ୱାନ କରି ଆକସନ୍ ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ଜିଲାପାଳ କହିଛନ୍ତି । ଜଳକ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାନୀୟଜଳ ଯୋଗାଣର ବ୍ୟବସ୍ଥା, ଜଳଛତ୍ର ବ୍ୟବସ୍ଥା ମଧ୍ୟ ନିଦେ୍ର୍ଦଶ ଦିଆଯାଇଛି । ଅଚଳ ନଳକୂପଗୁଡିକୁ ଯୁଦ୍ଧକାଳୀନଭିତ୍ତିରେ ମରାମତି କରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏଥିରେ ଖିଲାଫ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଶ୍ରୀ ଠାକରେ ଚେତାବନୀ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନକରିବା ସହିତ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲମାନଙ୍କରେ ବିଦ୍ୟୁତ କାଟ ନକରିବା ପାଇଁ ଟି.ପି.ଏନ୍.ଓ.ଡି.ଏଲ୍. କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ । ଏତଦ୍ବ୍ୟତୀତ ପ୍ରାଣୀସମ୍ପଦ ପିଇବା ପାଣି, ଗ୍ରୀଷ୍ମପ୍ରବାହ ସମୟରେ କଣ କରିବା ଉଚିତ୍ ଓ କଣ ନକରିବା ଉଚିତ୍ ଏ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା, ଅଂଶୁଘାତଜନିତ ମୃତ୍ୟୁ ମାମଲାର ତୁରନ୍ତ ତଦନ୍ତ ଆଦି ପ୍ରସଙ୍ଗ ଉପରେ ବୈଠକରେ ବିଶଦଭାବେ ଆଲୋଚନା ହୋଇଥିଲା । ଅଂଶୁଘାତଜନିତ ମୃତ୍ୟୁ ଘଟଣାର ଯୁଗ୍ମ ତଦନ୍ତ କରି ୨୪ ଘଣ୍ଟା ମଧ୍ୟରେ ଜିଲା ଆପତକାଳୀନ କାର୍ଯ୍ୟାଳୟକୁ ପଠାଇବା ପାଇଁ ତହସିଲଦାର ଓ ମେଡିକାଲ୍ ଅଫିସରମାନଙ୍କୁ ଜିଲାପାଳ ନିର୍ଦେଶ ଦେଇଥିଲେ।
ବୈଠକ ପ୍ରାରମ୍ଭରେ ଡେପୁଟି କଲେକ୍ଟର ଆପାତକାଳୀନ ସୁରଞ୍ଜିକା ବେହେରା ସ୍ୱାଗତ ଭାଷଣ ଦେବା ସହ ପ୍ରସ୍ତୁତି ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସୁଷମା ବିଲୁଙ୍ଗ, ଅତିରିକ୍ତ ଜିଲାପାଳ(ରାଜସ୍ୱ) ଯଦୁମଣି ମହଲା, ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଦଶକ ଘାସିରାମ ମୁର୍ମୁ, କେନ୍ଦୁଝର ଉପଜିଲାପାଳ ରାମଚନ୍ଦ୍ର କିସ୍କୁ, ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀ, ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ଦେବେନ ଦାସ, ସଦର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ, ତହସିଲଦାର ଓ ପୌରପାଳିକା ନିର୍ବାହୀ ଅଧିକାରୀ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Comments are closed.