www.samajalive.in
Sunday, December 7, 2025
14.1 C
Bhubaneswar

ଅତ୍ୟନ୍ତ ସୁଚିନ୍ତିତ ଓ ଭୟାବହ- ଡିଜିଟାଲ ଗିରଫଦାରୀ

ମୋବାଇଲ୍ ଓ ଇଣ୍ଟରନେଟ୍ ଆମ ଜୀବନକୁ ସହଜ କରିଦେଇଛି। ବ୍ୟାଙ୍କିଂ, ସପିଙ୍ଗ୍‌ ଠାରୁ ଆରମ୍ଭ କରି ପାଠପଢା ପର୍ଯ୍ୟନ୍ତ ସବୁକିଛି ଏବେ ମୋବାଇଲ୍‌ରେ ସମ୍ଭବ; କିନ୍ତୁ ଏହି ଡିଜିଟାଲ୍ ସୁବିଧା ସହିତ ନୂଆ ପ୍ରକାରର ଠକାମିର ବିପଦ ମଧ୍ୟ ବଢ଼ିଚାଲିଛି। ‘ଡିଜିଟାଲ୍ ଗିରଫଦାରୀ’ ନାମରେ ଚାଲୁଥିବା ଠକେଇ ଏବେ ଏତେ ଭୟଙ୍କର ହୋଇପଡ଼ିଛି ଯେ ସୁପ୍ରିମକୋର୍ଟ ନିଜେ ସ୍ୱତଃପ୍ରବୃତ୍ତ ହୋଇ ଏହାର ଶୁଣାଣି କରିବାକୁ ବାଧ୍ୟ ହୋଇଛନ୍ତି। । ଦେଶସାରା ଏହି ସାଇବର ଅପରାଧ ଜାଲରେ ସାଧାରଣ ଲୋକଙ୍କ ସହ ଶିକ୍ଷିତ ଓ ସଚେତନ ବ୍ୟକ୍ତି ମଧ୍ୟ ଫସି ଯାଉଛନ୍ତି ଓ କୋଟି କୋଟି ଟଙ୍କା ହରାଉଛନ୍ତି।
ଏହି ଠକାମିର ପଦ୍ଧତି ଅତ୍ୟନ୍ତ ସୁଚିନ୍ତିତ ଓ ଭୟାବହ । ଠକମାନେ ନିଜକୁ ସିବିଆଇ, ଇଡି, ପୁଲିସ କିମ୍ବା କୋର୍ଟର ଅଧିକାରୀ ବୋଲି ପରିଚୟ ଦେଇ ଫୋନ୍ କରନ୍ତି। ଅତ୍ୟନ୍ତ ଆତ୍ମବିଶ୍ୱାସରେ ସେମାନେ କୁହନ୍ତି ଆପଣଙ୍କ ନାମରେ କୌଣସି ଗୁରୁତର ଅପରାଧ ହୋଇଛି, ହୁଏତ ଡ୍ରଗ୍ସ ଚୋରା କାରବାର, ମନି ଲଣ୍ଡରିଂ କିମ୍ବା ଆତଙ୍କବାଦୀ କାର୍ଯ୍ୟକଳାପ। ଭିଡିଓ କଲ୍‌ରେ ନକଲି ୟୁନିଫର୍ମ ପିନ୍ଧି, ନକଲି ବ୍ୟାଜ୍ ଲଗାଇ, ନକଲି କୋର୍ଟର କାଗଜ ଦେଖାଇ ସେମାନେ ପୀଡ଼ିତଙ୍କୁ ମାନସିକ ଭାବେ ଏତେ ଭୟଭୀତ କରିଦିଅନ୍ତି ଯେ ସେମାନେ ଠିକ୍ ଭାବରେ ଚିନ୍ତା କରିବାର କ୍ଷମତା ହରାଇ ବସନ୍ତି। ଗିରଫଦାରୀରୁ ବଞ୍ଚିବା ପାଇଁ ତୁରନ୍ତ ଟଙ୍କା ପଠାଇବାକୁ କହିଲେ ଭୟ ଓ ଚାପରେ ଲୋକେ ନିଜ ସମଗ୍ର ଜୀବନର ସଞ୍ଚୟ ସମର୍ପଣ କରିଦିଅନ୍ତି।
ଏହି ଠକାମିର ପରିମାଣ ଦେଖିଲେ ଚକିତ ହେବାକୁ ପଡ଼େ । ନିକଟରେ ହରିୟାଣାରେ ଏକ ଦମ୍ପତିଙ୍କଠାରୁ ୧ କୋଟି ଓ ମୁମ୍ବଇରେ ଜଣେ ବୃଦ୍ଧ ବ୍ୟବସାୟୀଙ୍କଠାରୁ ୫୮ କୋଟି ଟଙ୍କା ଏହିପରି ଲୁଟ୍ ହୋଇଯାଇଛି। ଅଧିକ ଚିନ୍ତାର ବିଷୟ ହେଉଛି, ଏହି ଠକାମି କେବଳ ସ୍ଥାନୀୟ ଅପରାଧୀଙ୍କ କାମ ନୁହେଁ। ଚୀନ୍ ଓ କାମ୍ବୋଡିଆରୁ ପରିଚାଳିତ ସୁସଂଗଠିତ ଆନ୍ତର୍ଜାତିକ ଗ୍ୟାଙ୍ଗ ଏହି ଠକାମିର ମୂଳରେ ଅଛନ୍ତି, ଯାହା ଦେଶର ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ।
ଏହି ପ୍ରେକ୍ଷାପଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ‘ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫’ ଆରମ୍ଭ ହେବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ରାଜ୍ୟରେ ୨୦ଟି ନୂଆ ସାଇବର ଥାନା, ୧୧୨୭ ପୁଲିସ ଓ ୧୭୦ ଟେକ୍ନିକାଲ୍ ବିଶେଷଜ୍ଞଙ୍କ ନିଯୁକ୍ତି ଏବଂ ରାଜ୍ୟସ୍ତରୀୟ କମାଣ୍ଡ ସେଣ୍ଟର ନିର୍ମାଣ ସାଇବର ଅପରାଧ ବିରୋଧରେ ଏକ ଦୃଢ଼ ପଦକ୍ଷେପ; କିନ୍ତୁ କେବଳ ସରକାରଙ୍କ ପଦକ୍ଷେପ ଯଥେଷ୍ଟ ନୁହେଁ। ଜନସଚେତନତା ହିଁ ସବୁଠାରୁ ବଡ଼ ସୁରକ୍ଷା କବଚ।
ପ୍ରତ୍ୟେକ ନାଗରିକଙ୍କୁ ମନେରଖିବା ଜରୁରୀ ଯେ କୌଣସି ସରକାରୀ ଅଧିକାରୀ କଦାପି ଫୋନ୍‌ରେ ଟଙ୍କା ମାଗନ୍ତି ନାହିଁ କିମ୍ବା ଭିଡିଓ କଲ୍ ମାଧ୍ୟମରେ ଗିରଫଦାରୀ ଧମକ ଦିଅନ୍ତି ନାହିଁ। ଏହା ଭାରତୀୟ ନ୍ୟାୟବ୍ୟବସ୍ଥା ପ୍ରକ୍ରିୟାର ଅଂଶ ନୁହେଁ। ଯଦି ଏପରି କୌଣସି କଲ୍ ଆସେ, ଭୟଭୀତ ନହୋଇ ତୁରନ୍ତ କାଟିଦିଅନ୍ତୁ ଓ ସାଇବର କ୍ରାଇମ୍ ହେଲ୍ପଲାଇନ୍ ୧୯୩୦କୁ ଫୋନ୍ କରନ୍ତୁ। ଭୟଭୀତ ହୋଇ କାହାକୁ ବି ଟଙ୍କା ପଠାନ୍ତୁ ନାହିଁ। ପରିବାରର ବୟସ୍କ ସଦସ୍ୟଙ୍କୁ ଯୁବପିଢି ବିଶେଷ ସଚେତନ କରାଇବା ଦରକାର, କାରଣ ସେମାନେ ଏହି ଠକାମିର ସହଜ ଶିକାର ହୋଇପାରନ୍ତି। ଡିଜିଟାଲ୍ ଯୁଗରେ ଟେକ୍ନୋଲୋଜିର ସୁବିଧା ନେବା ସହିତ ସାଇବର ଅପରାଧ ପ୍ରତି ସଚେତନ ରହିବା ଆମର ସାମୂହିକ ଦାୟିତ୍ୱ। ଭିଡିଓ କଲ୍ କାଟିଦିଅନ୍ତୁ: ଯଦି କେହି ପୁଲିସ/କୋର୍ଟ ଅଧିକାରୀ ସାଜି ଭିଡିଓ କଲ୍ କରନ୍ତି, ସିଧା କାଟିଦିଅନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories