www.samajalive.in
Wednesday, December 10, 2025
15.1 C
Bhubaneswar

ନିଷ୍ପତ୍ତି ଆମ ହାତରେ

ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସମ୍ପ୍ରତି ଦିଲ୍ଲୀରେ ଦୀପାବଳି ଅବସରରେ ସୀମିତ ସମୟ ପାଇଁ ‘ସବୁଜ ବାଣ’ ଫୁଟାଇବାକୁ ଅନୁମତି ଦେଇଛନ୍ତି । ଏହାକୁ ଦେଖି ଅନେକ ରାଜ୍ୟ ମଧ୍ୟ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇସାରିଲେଣି | ତେବେ ଏହି ସବୁଜ ବାଣ କ’ଣ ପରିବେଶ ଲାଗି ସଂପୂର୍ଣ୍ଣ ନିରାପଦ କି ? ଏହା ଅର୍ଥ ହୀନ। ସବୁଜ ବାଣ ବୋଲି କୁହାଯାଉଥିବା ଏହି ​‌େ​‌ଫାଟକାଗୁଡ଼ିକ ସିଏସ୍‌ଆଇଆର୍‌-ଏନଇଇଆରଆଇ ଦ୍ୱାରା ବିକଶିତ କରାଯାଇଛି ଏବଂ ଏହା ସାଧାରଣ ବାଣ ତୁଳନାରେ ପ୍ରାୟ ୩୦ ପ୍ରତିଶତ କମ୍ ପ୍ରଦୂଷଣ ସୃଷ୍ଟି କରେ ବୋଲି କୁହାଯାଏ ; କିନ୍ତୁ ୩୦ ପ୍ରତିଶତ କମ୍ ମାନେ ସମ୍ପୂର୍ଣ୍ଣ ନିରାପଦ ନୁହେଁ। କାରଣ ଏହା ୭୦ ପ୍ରତିଶତ କ୍ଷତିକାରକ ଧୂଆଁ ଓ ବିଷାକ୍ତ ରସାୟନ ବାୟୁମଣ୍ଡଳରେ ଛାଡ଼ିଥାଏ। ପର୍ବ ସମୟରେ ଯେତେବେଳେ ହଜାର ହଜାର ଲୋକ ଏକାସାଙ୍ଗେ ବାଣ ଫୁଟାନ୍ତି, ସେତେବେଳେ ସବୁଜବାଣ ମଧ୍ୟ ଅର୍ଥହୀନ ହୋଇଯାଏ ଏବଂ ସମଗ୍ର ବାୟୁମଣ୍ଡଳ ବିଷାକ୍ତ ଧୂଆଁରେ ପରିପୂର୍ଣ୍ଣ ହୋଇଯାଏ। ଦିଲ୍ଲୀର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏହା ଆହୁରି ଚିନ୍ତାଜନକ । ବାୟୁ ଗୁଣବତ୍ତା ପୂର୍ବରୁ ହିଁ ‘ଖରାପ’ ସ୍ତରରେ ପହଞ୍ଚିସାରିଛି ଏବଂ ଦୀପାବଳି ସମୟରେ ଏହା ‘ଅତି ଖରାପ’ ସ୍ତରକୁ ଯିବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ବାଣ ଫୁଟାଇବା ଅନୁମତି ଦେବା ଯେ ଆତ୍ମଘାତୀ ପଦକ୍ଷେପ, ତାହା ବୁଝିବା କଷ୍ଟସାଧ୍ୟ ନୁହେଁ। ଆହୁରି ଗୁରୁତର କଥା ହେଉଛି, ବଜାରରେ ନିୟମ ଲାଗୁ କରିବାର ଦୁର୍ବଳତା। ସାଧାରଣ ବାଣକୁ ‘ସବୁଜ ବାଣ’ ନାମରେ ବେଆଇନ ଭାବେ ବିକ୍ରି କରାଯାଉଛି ଏବଂ ଅତି ସ୍ବଳ୍ପ ସମୟର ବ୍ୟବଧାନରେ ପାଳିତ ହେଉଥିବା ଦୀପାବଳି ପର୍ବ ଲାଗି ଏଗୁଡ଼ିକୁ ଧରପଗଡ଼ କରିବା ବି କଷ୍ଟସାଧ୍ୟ।

ସବୁଠାରୁ ବଡ଼କଥା ହେଉଛି କୋର୍ଟଙ୍କ ଏହି ନିଷ୍ପତ୍ତି ତାଙ୍କର ପୂର୍ବ ରାୟ ସହ ମେଳ ଖାଉନାହିଁ । ଗତ ବର୍ଷ କୋର୍ଟ ନିଜେ ହିଁ ଦିଲ୍ଲୀ-ଏନ୍‌ସିଆର୍‌ରେ ଆତସବାଜି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ ଏବଂ ନିର୍ମଳ ବାୟୁକୁ ନାଗରିକଙ୍କ ମୌଳିକ ଅଧିକାର ବୋଲି କହିଥିଲେ । ଏକ ବର୍ଷ ମଧ୍ୟରେ ଏପରି କ’ଣ ପରିବର୍ତ୍ତନ ହେଲା ଯେ କୋର୍ଟ ନିଜ ନିଷ୍ପତ୍ତି ବଦଳାଇଲେ ତାହା ଜଣାପଡ଼ୁନି | ଆଶ୍ଚର୍ଯ୍ୟର କଥା, ଯେଉଁଠି ଚାଷୀଙ୍କ ନଡ଼ା ପୋଡ଼ି ଉପରେ ଅାପରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଉଛି, ସେଠାରେ ଉତ୍ସବର ଧୂଆଁକୁ କୋହଳ କରାଯିବା ଏକ ବିଡ଼ମ୍ବନା।
ଏହି ପ୍ରଦୂଷଣର ସବୁଠାରୁ ବଡ଼ ଶିକାର ହୁଅନ୍ତି ଆମର ଛୋଟ ଶିଶୁମାନେ, ବୟସ୍କ ବ୍ୟକ୍ତି ଏବଂ ଆସ୍ଥମା, ହୃଦ୍‌ରୋଗ ଓ ମଧୁମେହ ଭଳି ରୋଗରେ ପୀଡ଼ିତ ଲୋକମାନେ। ପ୍ରତି ବର୍ଷ ଦୀପାବଳି ପରେ ହସ୍ପିଟାଲରେ ଶ୍ୱାସକଷ୍ଟ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆସୁଥିବା ରୋଗୀଙ୍କ ସଂଖ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଏ। ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ସେମାନଙ୍କ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ଏହାର ଦୀର୍ଘମିଆଦୀ ପ୍ରଭାବ ପଡ଼େ।
ଦୀପାବଳି ଆଲୋକର ପର୍ବ, ଧୂଆଁ ଓ ପ୍ରଦୂଷଣର ନୁହେଁ। ଆମେ ମାଟି ଦୀପ ଜଳାଇ, ଘର ସଜାଇ, ରଙ୍ଗୋଲି ଓ ଫୁଲରେ ପରିବେଶ ସୁନ୍ଦର କରି, ସଙ୍ଗୀତ ଓ ନୃତ୍ୟ ସହ ଏହି ପର୍ବକୁ ଉପଭୋଗ କରିପାରିବା । ସାମୂହିକ ଉତ୍ସବ, ଲେଜର୍ ଶୋ’, ଦାନଧର୍ମ ଏବଂ ଗରିବଙ୍କୁ ସାହାଯ୍ୟ କରି ଆମେ ପର୍ବର ପ୍ରକୃତ ଅର୍ଥ ବୁଝିପାରିବା। ସରକାର ଅନୁମତି ଦେଲେ ମଧ୍ୟ, ନିଷ୍ପତ୍ତି ଆମ ହାତରେ। ଆମ ସ୍ୱାସ୍ଥ୍ୟ, ଆମ ପରିବାର ଏବଂ ଆମ ପରିବେଶର ରକ୍ଷା କରିବାର ଦାୟିତ୍ୱ ଆମର।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories