ବାଙ୍କୀ: ଭାରତୀୟ ଜୀବନ ବୀମା ନିଗମ(ଏଲଆଇସି) ଶାଖା କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ ଏଜେଣ୍ଟ ସୋମବାର ପ୍ରାୟ ୨୩ଗୋଟି ଦାବୀ ନେଇ ସମସ୍ତ ଦେଶରେ ଏକଦିବସୀୟ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲା ଭାରତୀୟ ଜୀବନ ବୀମାର ଏଜେଣ୍ଟ ୟୁନିଅନର ଉପସଭାପତି ସରୋଜ ସାମନ୍ତରାୟ, କାର୍ଯ୍ୟକାରୀ କମିଟି ସଦସ୍ୟ ଦିଲ୍ଲିପ ଦାସ ଓ ପ୍ରଶାନ୍ତ ମହାନ୍ତିଙ୍କ ନେତୃତ୍ୱରେ ବାଙ୍କୀ ଶାଖା କାର୍ଯ୍ୟାଳୟରେ ଏଜେଣ୍ଟମାନେ ଧାରଣାରେ ବସିଛନ୍ତି। ସଂଘ ପକ୍ଷରୁ ଏକ ଦାବୀପତ୍ର ବାଙ୍କୀ ଶାଖା ପରିଚାଳକ, ଖୋର୍ଦ୍ଧା ଶାଖା ପରିଚାଳକ ଓ ଡିସି ଜେନେରାଲ ମ୍ୟାନେଜର ଭୁବନେଶ୍ୱରଙ୍କୁ ଅନୁରୂପ ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ, ବୀମାଧାରୀଙ୍କ ଜମାଟଙ୍କାର ବୋନସ ବୃଦ୍ଧି, ପଲିସି ଧାରୀଙ୍କ ଋଣ ଓ ଆର୍ଥିକ ସଞ୍ଚାଳନରେ ସୁଧହାର କମ କରିବା, ପଲିସିଧାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ ସହ ସେବା ଯୋଗାଇବା, ୫ବର୍ଷରୁ ଊର୍ଦ୍ଧ୍ବ ଅଚଳ ପଲିସିକୁ ସଚଳ କରିବାକୁ ଅନୁମତି ଦେବା, ପଲିସିଧାରୀଙ୍କ ଅଣଦେୟ ଜମାରାଶିକୁ ଅନ୍ୟତ୍ର ନଦେବା, ଏକକ ପଲିସିଧାରୀଙ୍କୁ ବାରମ୍ବାର କେୱାଇସି ନମାଗିବା, ବୀମା ପଲିସିରେ ଜିଏସଟି ନନେବା, ସମସ୍ତ ଏଜେଣ୍ଟମାନଙ୍କ ପାଇଁ ମେଡିକ୍ଲେମ ସୁବିଧା କରାଇବା, ଟର୍ମ ଇନ୍ସୁରାନ୍ସର ସୁବିଧା, ପ୍ରୋଭିଡେଣ୍ଟ ଫଣ୍ଡ ବୃଦ୍ଧି, ୱେଲଫେୟାର ଫଣ୍ଡ ଓ ଏଜେଣ୍ଟମାନଙ୍କ ପେନସନ ଫଣ୍ଡ ବୃଦ୍ଧି କରିବା, ୫ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରିଥିବା ଏଜେଣ୍ଟମାନଙ୍କର ରେସପେକ୍ଟିଭ୍ କ୍ଲବର ମାନ୍ୟତା ଦେବା ପାଇଁ ଧାରଣାରେ ବସିଥିବା ଏଜେଣ୍ଟମାନେ ଦାବୀ କରିଛନ୍ତି। ବରିଷ୍ଠ ଏଜେଣ୍ଟ ଜଳଧର ମନ୍ତ୍ରୀ, ସତ୍ୟନାରାୟଣ ମିଶ୍ର, ଜୟନ୍ତ ମହାପାତ୍ର, ଦଣ୍ଡଧର ମନ୍ତ୍ରୀ, ସମୀର ବେହେରା, ତ୍ରିବିକ୍ରମ ପାଢ଼ୀ, ବିଭୂତି ବେହେରା, ଗୁରୁବାରୀ ରାଉତ, ମଦନ ବେହେରା, ପ୍ରସନ୍ନ ନାୟକ, ସୁଶାନ୍ତ ପ୍ରଧାନ, ମାୟାଧର ନାୟକ, ପବିତ୍ର କର, ପ୍ରମୋଦ ରାଉତ ପ୍ରମୁଖ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଛନ୍ତି। ପ୍ରଭାବରେ ବାଙ୍କୀ ଶାଖା କାର୍ଯ୍ୟାଳୟରେ ଆଜି ନେଣ ଦେଣ ବନ୍ଦ ରହିବା ସହିତ ଗ୍ରାହକ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।



