ଧନୁପାଲି ଦୁର୍ଗାପୂଜା – ରାଜ ଉଆସ ଶୈଳୀରେ ଭବ୍ୟ ତୋରଣରେ ବିରାଜମାନ ହେବେ ମାଁ
ସମ୍ବଲପୁର : ସମ୍ବଲପୁରର ପ୍ରମୁଖ ଦୁର୍ଗା ପୂଜା ଉତ୍ସବ ମାନଙ୍କ ମଧ୍ୟରେ ଧନୁପାଲି ଦୁର୍ଗା ପୂଜା ଉତ୍ସବ ଅନ୍ୟତମ । କରୋନାର ୨ ବର୍ଷ ଅନ୍ତରାଳରେ ଆୟୋଜିତ ହେଉଥିବା ଦୁର୍ଗା ପୂଜା ଉତ୍ସବ ପାଇଁ ମନ୍ଦିର ମାନଙ୍କ ସମେତ ବିଭିନ୍ନ ପୂଜା କମିଟି ମାନେ ଜୋରସୋରରେ ପ୍ରାକ ପ୍ରସ୍ତୁତି ଚଳାଇଛନ୍ତି । ପାର୍ବଣରେ ମାଁ ଜଗତଜନନୀ ଦୁର୍ଗା ଧରାପୃଷ୍ଟକୁ ଅବତରଣ କରୁଥିବାରୁ ଏହି କ୍ରମରେ ସମ୍ବଲପୁରର ଅନ୍ୟତମ ପୁରାତନ ଧନୁପାଲି ଦୁର୍ଗା ପୂଜା କମିଟି ଧୁମଧାମରେ ପୂଜା ଉତ୍ସବକୁ ପାଳନ ନିମନ୍ତେ ଅଣ୍ଟା ଭିଡିଛି । ଚଳିତ ବର୍ଷ ୪୮ ବର୍ଷରେ ପର୍ଦାପଣ କରିଥିବା ଏହି ପୂଜା କମିଟି ପ୍ରତି ବର୍ଷ ଏହାର ଆକର୍ଷଣୀୟ ତୋରଣ, ସାଜସଜ୍ଜା ଓ ପୁଜା ମଣ୍ଡପ ସମ୍ବଲପୁର ସମେତ ପଶ୍ଚିମ ଓଡିଶାର ଶ୍ରଦ୍ଧାଳୁ ମାନଙ୍କୁ ବେଶ ଆକର୍ଷିତ କରି ଆସୁଛି ।
ଇତିହାସ
ସହରର ଅନ୍ୟତମ ବିଖ୍ୟାତ ଦୁର୍ଗା ପୂଜା କମିଟୀର ଆରମ୍ଭ ୧୯୭୪ ମସିହାରେ ହୋଇଥିଲା । ସେ ସମୟରେ ଅଞ୍ଚଳର ଅକ୍ଷୟ ମହାନ୍ତି, ମକରଧ୍ୱଜ ବେହେରା, କୃଷ୍ଣ ପଟ୍ଟନାୟକ ଓ ଉପେନ୍ଦ୍ର ମାଝୀଙ୍କର ଉଦ୍ୟମରେ ମାତ୍ର ଏକ ହଜାର ଟଙ୍କା ସମ୍ବଳରେ ଆରମ୍ଭ କରାଯାଇଥିବା ଏହି ଦୁର୍ଗା ପୂଜା ଉତ୍ସବ ଏବେ ପ୍ରାୟ ୨୦ ଲକ୍ଷ ଟଙ୍କାରେ ପହଞ୍ଚି ସାରିଛି । ତେବେ ପ୍ରତିଷ୍ପର୍ଦ୍ଧାର ମାହୋଲ ଓ ଯୁଗର ସହିତ ନିଜକୁ ଢ଼ାଳି ଏହି ପୂଜା କମିଟୀ ସହର ତଥା ପଶ୍ଚିମ ଓଡିଶାର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ଭାବରେ ଉଭା ହୋଇଛି । ଧନୁପାଲୀ ଦୁର୍ଗା ପୂଜା ଉତ୍ସବକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ସାରା ପଶ୍ଚିମ ଓଡିଶାରୁ ଲୋକ ଦେଖିବାକୁ ଆସିଥାନ୍ତି ।
ରିତିନୀତ ଓ ପରମ୍ପରା
ଏହି ପୂଜା କମିଟୀର ପୂଜା ପାଇଁ ପ୍ରଥମେ ଷଷ୍ଠୀ ତିଥି (ଚଳିତ ବର୍ଷ ଅକ୍ଟୋବର ୧ ତାରିଖ) ରେ ହରଡଜୋର ନାଳାରୁ ଏକ ଭବ୍ୟ ଶୋଭାଯାତ୍ରାରେ କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ପୁଜାସ୍ଥଳ (ମଣ୍ଡପ) ଠାରେ କଳସ ସ୍ଥାପନ କରାଯିବ । ଏହା ପରେ ସପ୍ତମୀ ତିଥି (ଅକ୍ଟୋବର ୨ ତାରିଖ) ରେ ପୂଜାରମ୍ଭ, ଅଖଣ୍ଡ ଦୀପ ପ୍ରଜ୍ୱଳନ ଏବଂ ରାତ୍ରରେ ମହିଳା ଓ ଝିଅ ମାନେ ମଣ୍ଡପ ଠାରେ ଭାଇ ଜୁଅଁତିଆ ପୂଜା ହେବ । ଅଷ୍ଟମୀ ତିଥି (ଅକ୍ଟୋବର ୩ ତାରିଖ) ରେ ସନ୍ଧି ପୂଜା ହେବ । ନବମୀ ତିଥି (ଅକ୍ଟୋବର ୪ ତାରିଖ) ରେ ଚଣ୍ଡିହୋମ ହେବ । ଦଶମୀ ତିଥି (ଅକ୍ଟୋବର ୫ ତାରିଖ) ରେ ଅପରାଜିତା ପୂଜା, ପୁର୍ଣ୍ଣାହୁତି ଓ ଘଣ୍ଟ ବିର୍ସଜନ କରାଯିବ । ଏହି ପୂଜା କମିଟୀର ଅନ୍ୟତମ ବିଶେଷତ୍ୱ ହେଉଛି ନଅ କୁଆଁରୀ ପୂଜା ନବମୀ ତିଥିରେ କରାଯାଇଥାଏ । ନବମୀ ତିଥିରେ ୯ ଜଣ କୁମାରୀ ଝିଅଙ୍କୁ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କୁ ନେଇ ନଗର ପରିକ୍ରମା କରାଯାଇଥାଏ । ଏଥି ସହ ସବୁ ଦିନ ସନ୍ଧ୍ୟା ସାଢ଼େ ୭ଟାରେ ଭବ୍ୟ ଆଳତୀ କରାଯିବ । ଭସାଣୀ ଶୋଭାଯାତ୍ରା ୭ ତାରିଖରେ ଆୟୋଜିତ ହେବ ।
ଖର୍ଚ୍ଚ
କରୋନା ସଙ୍କଟ ପରେ ଆୟୋଜିତ ହେଉଥିବା ଚଳିତ ବର୍ଷର ପୂଜା ଉତ୍ସବ ପାଇଁ କମିଟି ତରଫରୁ ୧୭ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ପୂଜାର ମଣ୍ଡପ ଓ ତୋରଣ କୋଲକତାର ଏକ ଭବ୍ୟ ରାଜ ଉଆସ ଶୈଳୀରେ ଯାଜପୁର କୁଆଖାଇର କାରିଗର (ରଥ ଡେକୋରେଟର) ମାନଙ୍କ ଦ୍ୱାରା ନିର୍ମାଣ କରାଯାଉଛି । ଆଲୋକ, ସାଜସଜ୍ଜା ଓ ତୋରଣ ପାଇଁ ୧୧ ଲକ୍ଷ ଟଙ୍କା, ପୂଜା ଓ ଭୋଗ ପାଇଁ ୨ ଲକ୍ଷ ଟଙ୍କା, ବିର୍ସଜନ ଶୋଭାଯାତ୍ରା ପାଇଁ ୨ ଲକ୍ଷ ଟଙ୍କା ସମେତ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ନିମନ୍ତେ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ପୂଜା ଉତ୍ସବ ପାଇଁ ସମସ୍ତ ଅର୍ଥ ଅଞ୍ଚଳର ଜନସାଧାରଣ ଓ ବଦାନ୍ୟ ବ୍ୟକ୍ତି ମାନଙ୍କ ଦ୍ୱାରା ଦାନସୂତ୍ରରେ ମିଳୁଛି ।
ମୁଖ୍ୟ ଆକର୍ଷଣ
ଦୁର୍ଗା ଉତ୍ସବ ସହିତ ପୂଜା କମିଟି ସ୍ଥାନୀୟ ଲୋକନୃତ୍ୟ ଓ ସଂସ୍କୃତିକୁ ନିୟମିତ ପ୍ରୋତ୍ସାହିତ କରି ଆସୁଥିବାରୁ ଲୋକନୃତ୍ୟକୁ ବିଶେଷ ପ୍ରାଧାନ୍ୟ ପ୍ରଦାନ କରାଯାଇଛି । ଏଣୁ ଚଳିତ ବର୍ଷର ଉତ୍ସବରେ ଶତାଧିକ ଲୋକ କଳାକାର ସାମିଲ ହେଉଛନ୍ତି । ଏଥିରେ ବିଜେପୁରର ଝାଞ୍ଜ, ସୁନ୍ଦରଗଡର ଆଦିବାସୀ କର୍ମା ନୃତ୍ୟ, ମିକ୍ସଚର ଦୁଲଦୁଲି (୨ଟି ଦଳ), ବଲାଙ୍ଗୀରର ଘଣ୍ଟ ଦଳ, ଡଙ୍କା, କଳସ ନୃତ୍ୟ ଆଦି ବିଭିନ୍ନ ଲୋକ ନୃତ୍ୟ ଓ କଳାକାର ମାନଙ୍କୁ ଉତ୍ସବରେ ସାମିଲ କରାଯାଇଛି । ସେହିଭଳି ମୂଖ୍ୟ ତୋରଣକୁ ବିଭିନ୍ନ ପ୍ରକାରର ରଙ୍ଗୀନ ଆଲୋକରେ ଆଲୋକିତ କରାଯିବ ।
କର୍ମକର୍ତ୍ତା
ପୂଜକ – ନିରଞ୍ଜନ ଷଡଙ୍ଗୀ, କର୍ତ୍ତା – ଅଭିଜିତ ଶର୍ମା ଓ ତାଙ୍କର ଧର୍ମପତ୍ନୀ, ସଭାପତି – ପ୍ରତାପ ବେହେରା, ଉପ ସଭାପତି – ଦିଲୀପ ମହାନନ୍ଦ, ସମ୍ପାଦକ – ସୁନୀଲ ସାନବଡ, ସହ ସମ୍ପାଦକ – ମହେଶ କୁମାର ପଟେଲ ଓ ତନ୍ମୟ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀକାନ୍ତ ପାତ୍ର ଓ ଗଣମାଧ୍ୟମ ସଂଯୋଜକ ଚୈତନ୍ୟ ନାୟକ (ରିଲୁ) ରହିଛନ୍ତି ।
କୂଳମଣୀ ବେହେରା, ମୂର୍ତ୍ତି କାରିଗର
ଚଳିତ ବର୍ଷ ମାଁ ଦୁର୍ଗାଙ୍କର ମହିଷାମର୍ଦ୍ଦିନୀ ରୂପରେ ମୂର୍ତ୍ତି ନିର୍ମାଣ କରାଯାଉଛି । ଏହା ସହିତ ପାଶ୍ୱର୍ ଦେବାଦେବୀ ଭାବରେ ଗଣେଷ, ସରସ୍ୱତୀ, ଲକ୍ଷ୍ମୀ ଓ କାର୍ତ୍ତିକଙ୍କର ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଉଛି । ୩୦ ବର୍ଷ ପୂର୍ବେ ମୁଁ ମୋର ଗୁରୁଙ୍କର ସହିତ ପ୍ରଥମେ ଏଠାକୁ ମୂର୍ତ୍ତି ନିର୍ମାଣ କରିବା ପାଇଁ ଆସୁଛି । ସମସ୍ତ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୪ ଦିନ ସମୟ ଲାଗିଥାଏ ଏବଂ ଏଥିରେ ୪ ଜଣ ସହଯୋଗ କରିଥାନ୍ତି । ମାଁ ଙ୍କର କୃପା ଥିବାରୁ ପ୍ରତି ବର୍ଷ ମୁଁ ମାଁଙ୍କର ମୂର୍ତ୍ତି ନିର୍ମାଣ କରିବାରେ ସମର୍ଥ ହେଉଛି ବୋଲି ମୂର୍ତ୍ତି ନିର୍ମାଣ ସମୟରେ ବହୁବାର ଅନୁଭବ ହୋଇଛି । ଏଣୁ ମୁଁ ସବୁ ବର୍ଷ ଏଠାରୁ ଧାଇଁ ଆସିଥାଏ ।
୨ ବର୍ଷର ଅନ୍ତରାଳରେ ଆୟୋଜିତ ହେଉଥିବା ଦୁର୍ଗା ପୂଜା ଉତ୍ସବକୁ ଚଳିତ ବର୍ଷ ଭବ୍ୟ ରୂପେ ଆୟୋଜିତ କରିବାକୁ କମିଟି ତରଫରୁ ଉଦ୍ୟମ ଚାଲିଥିବା ବେଳେ ଭକ୍ତ ମାନେ ମାଁ ଙ୍କୁ ପୂଜା ମଣ୍ଡପରେ ଦର୍ଶନ ନିମନ୍ତେ ଆତୁର ରହିଛନ୍ତି । ଏଣୁ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ କମିଟି ବିଭିନ୍ନ ପଦକ୍ଷେପ ନେଇଛି । ପୁଲିସ ପ୍ରଶାସନ ସହିତ ସର୍ମ୍ପକ ରକ୍ଷା କରି ଉତ୍ସବକୁ ସୁରୁଖୁରୁରେ ଆୟୋଜିତ କରିବା ପାଇଁ ସ୍ୱେଚ୍ଛାସେବୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ ।
Comments are closed.