ଅପପୁଷ୍ଟି ରୋକିବ ଦେଶୀ ମାଣ୍ଡିଆ

ସୁନାବେଡା: ପୂର୍ବତଟ ମାଳଭୂମିର କୋରାପୁଟରେ ଆଦିମ ଆଦିବାସୀମାନେ ବିଭିନ୍ନ ପ୍ରକାରର ଦେଶୀ ବା ପାରମ୍ପରିକ ମାଣ୍ଡିଆ ଚାଷ କରୁଛନ୍ତି। ମାଣ୍ଡିଆ ଅଧିକ ପୁଷ୍ଟିକର। ଏହା ଆଦିବାସୀମାନଙ୍କର ଖାଦ୍ୟ ଓ ପୁଷ୍ଟିକର ଯୋଗାଇବା ସହିତ ଜଳବାୟୁ ପରିବର୍ତ୍ତନ ସମୟରେ ସହାୟକ ହୋଇ ପାରିବ। କୋରାପୁଟରେ ୩୩ ଗୋଟି ଦେଶୀ ମାଣ୍ଡିଆ ଚାଷ ହେଉଛି। ଚାରି ପ୍ରକାରର ଦେଶୀ ମାଣ୍ଡିଆ ଭାଲୁ, ଲଡୁ, ତେଲୁଗୁ ଓ ବଡ଼ ମାଣ୍ଡିଆର ଉତ୍ପାଦନ କ୍ଷମତା ଅନ୍ୟ ହାଇବ୍ରିଡ଼ କିସମ ଠାରୁ ଅଧିକ। ଏଥି ମଧ୍ୟରୁ ତେଲୁଗୁ, ବଡ଼ ଓ ଦଶସରା ମାଣ୍ଡିଆରେ ଅନ୍ୟ ମାଣ୍ଡିଆ ଠାରୁ ଅଧିକ ପୋଷକତତ୍ତ୍ୱ ରହିଛି। ଯାହାକି ଏହି ମାଣ୍ଡିଆରେ ଅଧିକ ପ୍ରୋଟିନ, ଫାଇବର, ଭିଟାମିନ ଓ ମିନେରାଲସ ରହିଛି। ଛ’ ପ୍ରକାରର ପାରମ୍ପରିକ ମାଣ୍ଡିଆ ଲଡୁ, ଲାଲା, ବାଟି, ବିରି, ତୁମୁକା ଓ ଭାଲୁ, ମରୁଡି ପରିବେଶକୁ ସହ୍ୟ କରିବାର କ୍ଷମତା ରଖିଛି। ଏହା କମ ପାଣିରେ ଚାଷ କରାଯାଇପାରିବ।

ଏହି ମାଣ୍ଡିଆର ଗୁଣସୂତ୍ରରେ ବିଭିନ୍ନ ପ୍ରକାରର ସହନଶୀଳତା ଜୀନ୍ ରହିଥିବାର ପରୀକ୍ଷାରୁ ଜଣାପଡିଛି। ସଂପ୍ରତି ଯେଉଁ ଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଘଟୁଛି ଏହି ସହନଶୀଳ ମାଣ୍ଡିଆ ମରୁଡି ପ୍ରତିକୁଳ ପରିବେଶରେ ଚାଷ କରିବା ସହିତ ଆଦିବାସୀମାନଙ୍କର ଖାଦ୍ୟ ସୁରକ୍ଷା ଯୋଗାଇବା ଦକ୍ଷତା ରହିଛି ବୋଲି ଏକ ଆକଳନରୁ ଜଣାପଡିଛି। ଏହି ଗୁଣାତ୍ମକ ମାଣ୍ଡିଆର ବିଭିନ ଗୁଣସୂତ୍ର ବା ଜୀନ୍ କୁ ନେଇ ନୂତନ ମାଣ୍ଡିଆ ତିଆରି କରାଯାଇପାରିବ ବୋଲି କୁହାଯାଉଛି। ନିକଟରେ କୋରାପୁଟର ମାଣ୍ଡିଆର ଉନ୍ନତ
ଗୁଣବତ୍ତାକୁ ଲକ୍ଷ୍ୟ କରି ଓଡିଶା ସରକାରଙ୍କର ମିଲେଟ୍‌ ମିଶନ ସହାୟତାରେ କୋରାପୁଟର ଚାରିଟି ଦେଶୀ ମାଣ୍ଡିଆର ଭୁପ୍ରଜାତି ବାଟି, ଭାରତୀ, କାଳିଆ ଓ ମାମି ମାଣ୍ଡିଆ ବାହାର କରିଛନ୍ତି। ଯାହାକି ଆଗାମୀ ଦିନରେ ଅଧିକ ପ୍ରଚାର ପ୍ରସାର ଓ ଚାଷ କରାଯିବ। ବର୍ତ୍ତମାନ ମିଲେଟର ପୌଷ୍ଟିକ ମୂଲ୍ୟକୁ ହୃଦୟଙ୍ଗମ କରି ଚଳିତ ବର୍ଷ ୨୦୨୩ ବିଶ୍ୱ ମିଲେଟ ବର୍ଷ ପାଳନ କରାଯାଉଛି। ମିଲେଟ ଓ ଶ୍ରୀ ଅନ୍ନର ଗୁରୁତୁ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହା ଜୀବନଶୈଳୀ ସମ୍ବନ୍ଧିତ ରୋଗକୁ ରୋକିବା ଓ ପୁଷ୍ଟିକର ହେବାରେ ସହାୟକ ହୋଇପାରିବ। ମିଲେଟକୁ ଅନ୍ତର୍ଜାତୀୟ ସ୍ତରରେ ଅଧିକ ଧ୍ୟାନ ଆକର୍ଷଣ କରିବା ଓଡ଼ିଶା ସରକାରଙ୍କର ଅାନୁକୂଲ୍ୟରେ ଭୁବନେଶ୍ୱର ଠାରେ ନଭେମ୍ବର ମାସରେ ଏକ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଯେଉଁଥିରେ କୋରାପୁଟର ପାରମ୍ପରିକ ମିଲେଟ୍ସର ବିଶେଷତ୍ୱ ଉପରେ ଆଲୋଚନା କରାଯାଇଥିଲା ଓ ଏହାର ସଂରକ୍ଷଣ କରିବାର ଆବଶ୍ୟକତା ରହିଛି। ଏହି ବିରଳ ମାଣ୍ଡିଆକୁ ସରକାରଙ୍କ ମିଲେଟ ମିଶନ ମାଧ୍ୟମରେ ପ୍ରଚାର, ପ୍ରସାର ଓ ସଂରକ୍ଷଣ କରାଗଲେ ଏହା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଦେବା ସହିତ ଆଦିବାସୀଙ୍କର ଆର୍ଥିକ ଉନ୍ନତି ହୋଇ ପାରିବ। କୋରାପୁଟର କଫି ଓ କଳାଜୀରା ଚାଉଳ ଭଳି ଏହି ମାଣ୍ଡିଆର ପ୍ରଚାର ପ୍ରସାର ଓ ବଜାରିକରଣ କରାଗଲେ ଏହା କୋରାପୁଟକୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଆଦିବାସୀମାନଙ୍କର ଜୀବନଜୀବିକାକୁ ସମୃଦ୍ଧ କରିବ ବୋଲି ଅଶା କରାଯାଉଛି। ମାଣ୍ଡିଆ ଉପରେ ଗବେଷଣା କରୁଥିବା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡକ୍ଟର ଦେବବ୍ରତ ପଣ୍ଡାଙ୍କୁ କୋରାପୁଟ ଦେଶୀ ମାଣ୍ଡିଆ ଉପରେ ପଚରାଯିବାରୁ ସେ କହିଛନ୍ତି, କୋରାପୁଟର ଦେଶୀ ମାଣ୍ଡିଆର ଗୁଣାତ୍ମକ ମାନ, ଉତ୍ପାଦନ କ୍ଷମତା ଓ ଜଳବାୟୁ ସହନଶୀଳତା ଉପରେ ସେ ବହୁବର୍ଷ ହେଲା ଗବେଷଣା କରୁଛନ୍ତି। ତେଣୁ ଏଥିରେ ଏକମତ ବୋଲି କହିଛନ୍ତି ଡକ୍ଟର ପଣ୍ଡା।
ଅପପୁଷ୍ଟି ରୋକିବ…

Comments are closed.