ପ୍ରସିଦ୍ଧ ଗଣେଶ ମେଳାରେ ଦେବଗଡ଼ ସହର ଲୋକାରଣ୍ୟ; ଫାଇଦା ଉଠାଉଛନ୍ତି ଅସାଧୁ ମଦ ବ୍ୟବସାୟୀ
ଦେବଗଡ଼଼: ଅନୁକୂଳ ପାଗ ଯୋଗୁଁ ଚଳିତ ବର୍ଷ ପ୍ରସିଦ୍ଧ ଗଣେଶ ମେଳା ଅବସରରେ ସମଗ୍ର ଦେବଗଡ଼ ସହର ଲୋକାରଣ୍ୟ ହୋଇପଡୁଛି। ଶ୍ରଦ୍ଧାଳୁ ମାନେ ମହାପ୍ରଭୂ ଅଗ୍ରପୂଜ୍ୟଙ୍କ ଦର୍ଶନ ସମେତ ଠାଏଁ ଠାଏଁ ଖୋଲାଯାଇଥିବା ମୀନାବଜାର, ଦୋଳି, ସମେତେ ପ୍ରତ୍ୟହ ସଂଧ୍ୟାରେ ପରିବେଷିତ ଭଜନ ସଂଧ୍ୟା, ଅକେଷ୍ଟ୍ରା ଓ ଅପେରା ଭଳି ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ମଧ୍ୟ ଉଠାଉଛନ୍ତି। ମେଳାରୁ ଜିଲା ତଥା ଜିଲା ବାହାରୁ ଆସିଥିବା ଛୋଟ ବଡ ବ୍ୟବସାୟୀ ମାନେ ମଧ୍ୟ ଭଲ ଦ୍ୱି’ ପଇସା ରୋଜଗାର କରୁଥିବା ଦେଖିବାକୁ ମିଳିଛି। ତେବେ ଅବକାରୀ ଏବଂ ପୁଲିସ ବିଭାଗର କେତେକ ନିର୍ଦ୍ଦିଷ୍ଟ ଅସାଧୁ କର୍ମଚାରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଅସାଧୁ ନିଶା ବ୍ୟବସାୟୀ ମାନେ ମେଳାର ଭରପୁର ଫାଇଦା ଉଠାଉ ଥିବା ଦେଖିବାକୁ ମିଳୁଛି। ଦେବଗଡ଼ ସହରରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଚୋରା ଗଞ୍ଜେଇ ଆଦିର ବିକ୍ରୟ ଏବଂ ବ୍ୟବହାର ଖୋଲମ ଖୋଲମ ଖୋଲା ଭାବେ ଚାଲିଥିବା ଦେଖିବାକୁ ମିଳୁଛି। ପେଶାଦାର ତଥା ଚୋରା ନିଶା ବେପାରୀମାନେ ତ ବିଭାଗୀୟ ଅସାଧୁ କର୍ମଚାରୀମାନଙ୍କୁ ହାତକରି ଏଭଳି ବର୍ଷର ୧୨ ମାସ ଚୋରା କାରବାର ଚଳାଉଛନ୍ତି। ମାତ୍ର ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ଓ ବିଦେଶୀ ମଦ ଦୋକାନ/ଭାଟିର ମାଲିକମାନେ ମଧ୍ୟ ଏଭଳି କାରବାର ଏବଂ କଳା ବଜାରରୁ ବାଦ ପଡ଼ିନାହାନ୍ତି।
ମେଳା ଅବସରରେ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ, ଅବକାରୀ ବିଭାଗ ଏବଂ ଜିଲା ପ୍ରଶାସନ ପକ୍ଷରୁ ବେଆଇନ ମାଦକ ଦ୍ରବ୍ୟ କାରବାରକୁ ରୋକିବା ପାଇଁ ସ୍ପେସିଆଲ ଡ୍ରାଇଭ ଭଳି ପଦକ୍ଷେପ ନିଅଯାଇଛି। ମଦୁଆଙ୍କୁ ଆୟତ କରିବାକୁ ପୁଲିସ ପକ୍ଷରୁ ‘ମଦୁଆ ପକଡ ଗାଡି’ର ବ୍ୟବସ୍ଥା ମଧ୍ୟ କରାଯାଇଛି ସତ, ମାତ୍ର ପ୍ରକୃତ ପକ୍ଷେ ଏହି ପଦକ୍ଷେପ ଏକ ପ୍ରକାର ପ୍ରହଶନରେ ପରିଣତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମେଳା ସମୟରେ ଜନ ଗହଳିର ସୁଯୋଗ ନେଇ ଉଭୟ ସରକାରୀ ସ୍ୱିକୃତୀ ପ୍ରାପ୍ତ ଦେଶୀ ଏବଂ ବିଦେଶୀ ମଦ ଦୋକାନୀ ମାନେ ଗ୍ରାହକ ମାନଙ୍କ ଠାରୁ ଦେଶୀ ମଦ ପାଉଚ ଓ ବିଦେଶୀ ମଦ ବୋତଲ ପିଛା ଧାର୍ଯ୍ୟ ଦରଠାରୁ ଦେଢ ଗୁଣା ଲେଖାଏଁ ଅର୍ଥ ଆଦାୟ କରିବାସହ ନିର୍ଦ୍ଧାରିତ ସମୟ ପୂର୍ବରୁ ଏବଂ ନିର୍ଦ୍ଧାରିତ ସମୟରୁ ଅଧରକ ସମୟ ଦୋକାନ ଖୋଲି ବେଆଇନ ଭାବେ ବ୍ୟବସାୟ ଚଳାଉଥିବା ଦେଖିବାକୁ ମିଳିଛି। ଏପରିକି ରାତ୍ରିରେ ଦୋକାନ ବନ୍ଦ କରିବାପରେ ମଧ୍ୟ ଦୋକାନ ନିକଟରେ ଦୋକାନ କର୍ମଚାରୀଙ୍କୁ ଠିଆକରି ଖୋଲମ ଖୋଲା ଚଢା ଦରରେ ମଦ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଖୋଦ ମଦ ଦୋକାନ କର୍ତ୍ତୃପକ୍ଷ ଦିନ ଦ୍ୱି ପ୍ରହରେ ବାଇକ ଯୋଗେ ସହର ମଧ୍ୟସ୍ଥଳୀରେ ଥିବା ଏକାଧିକ ପାନ ଦୋକାନ, ଅଣ୍ଡା ଦୋକାନ ଓ ବିଭିନ୍ନ ସାହି ଗଳିରେ ଥିବା କୁଚିଆ ମଦ ଦୋକାନକୁ ଉଭୟ ଦେଶୀ ଓ ବିଦେଶୀ ମଦ ଯୋଗାଉଥିବା ଦେଖିବାକୁ ମିଳୁଛି। ଫଳରେ ଦେବଗଡ଼ ସହର ଏକ ପ୍ରକାର ମଦମୟ ହୋଇପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଦୋକାନ କର୍ତ୍ତୃପକ୍ଷ ଗ୍ରାହକମାନଙ୍କ ନିକଟରୁ ଉଭୟ ଦେଶୀ ମଦ ପାଉଚ ଓ ବିଦେଶୀ ମଦ ବୋତଲ ପିଛା ଦେଢରୁ ଦୁଇ ଗୁଣା ଲେଖାଏଁ ଅଧିକ ଟଙ୍କା ଲୁଣ୍ଠନ କରୁଥିଲେ ହେଁ ଏନେଇ ପ୍ରଶ୍ନ ପଚାରିଲେ ପୁଲିସ ଓ ଅବକାରୀ ବିଭାଗ ନିକଟରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଉଛି। ଏପରିକି ଉଭୟ ବିଭାଗକୁ ମୋଟା ଆକାରର ମାସିକିଆ ବଟି ଦିଆଯାଉଥିବାରୁ ଏଭଳି ଅଧିକ ଦର ନେବାକୁ ବାଧ୍ୟ ହେଉଥିବା ସମ୍ପୃକ୍ତ ଦୋକାନ ଗୁଡିକ ପକ୍ଷରୁ ଉତ୍ତର ଦିଆଯାଉଛି। ମାତ୍ର ପରିବାର ଲୋକ ଏବଂ ଲୋକ ଲଜ୍ୟା ଭୟରେ ଗ୍ରାହକ ମାନେ ଏନେଇ ମୁହଁ ଖୋଲିବାକୁ ଉଚିତ ମଣୁ ନାହାନ୍ତି।
ସରକାରୀ ନୀତି ନିୟମ ଅନୁଯାୟୀ, ପ୍ରତ୍ୟେକ ବିଦେଶୀ ମଦ ଦୋକାନ ସମ୍ମୁଖରେ ଗ୍ରାହକମାନଙ୍କୁ ଦେଖାଯାଉଥିବା ସ୍ଥାନରେ ମଦର ଦର ତାଲିକା ପ୍ରଦର୍ଶନ କରାଯିବା କଥା। ସେହିପରି ବ୍ୟବସାୟରେ ସ୍ୱଚ୍ଛତା ନିମନ୍ତେ ଦୋକାନମାନଙ୍କରେ ସିସିଟିଭି କ୍ୟାମେରା ଖଞ୍ଜାଯିବା ବାଧ୍ୟତାମୂଳକ। ମାତ୍ର ଜିଲା ସଦର ମହକୁମା ସମେତ କୌଣସି ମଦ ଦୋକାନରେ ଏଭଳି ବ୍ୟବସ୍ଥା ନାହିଁ। ଜନସାଧାରଣ ଏନେଇ ଅବକାରୀ ବିଭାଗ ଏଂ ପୁଲିସ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ କିମ୍ବା ସନ୍ତୋଷଜନକ ଉତ୍ତର ମିଳୁନାହିଁ। ଫଳରେ ଏହା ପଛରେ ଉଭୟ ବିଭାଗର କେତେକ ନିର୍ଦ୍ଦିଷ୍ଟ କର୍ମଚାରୀ ଓ ଅଧିକାରୀମାନଙ୍କର ପ୍ରଛନ୍ନ ସମର୍ଥନ ରହିଥିବା ସ୍ପଷ୍ଟ ଭାବେ ଅନୁମେୟ ହେଉଛି। ଅନ୍ୟ ପକ୍ଷରେ ସମ୍ପୃକ୍ତ ଦୋକାନୀମାନଙ୍କୁ ଉଭୟ ପୁଲିସ ଓ ଅବକାରୀ ବିଭାଗରେ କାର୍ଯ୍ୟରତ କେତେକ ସ୍ଥାନୀୟ ଅଧିକାରୀ/କର୍ମଚାରୀ ମୋଟା ଅଙ୍କର ବଟିନେଇ ଏଭଳି ବେଆଇନ କାରବାରକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ସମ୍ପର୍କରେ ଦେବଗଡ଼ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ମତାମତ ଲୋଡିବାରୁ ଯଦି ଏଭଳି ବେଆଇନ କାରବାର ଏବଂ ଅନିୟମିତତା ହେଉଥାଏ ତେବେ ବିଭାଗ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।ତେବେ ସେ ଯାହା ହେଉନା କାହିଁକି, ଦେବଗଡ଼ ଜିଲାପାଳ, ଜିଲା ଆରକ୍ଷୀ ଅଧିକ୍ଷକ ଏବଂ ଅବକାରୀ ଅଧିକ୍ଷକ ଏନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ବେଆଇନ ମଦ କାରବାର ରୋକିବା ଓ ଧାର୍ଯ୍ୟ ଦରଠାରୁ ଅଧିକ ଦର ନେବା ଉପରେ ଅଙ୍କୁଶ ଲଗାଇବା ସହ ବେଆଇନ ମଦ କାରବାରକୁ ସମର୍ଥନ କରୁଥିବା ଅସାଧୁ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବୀ ହେଉଛି।
Comments are closed.