ଡେଙ୍ଗୁର ଲକ୍ଷଣ ଓ ସୁରକ୍ଷା

0

ସାଧାରଣ ଜ୍ୱର ଡେଙ୍ଗୁ ପରି ସଂକ୍ରାମକ ହୁଏନାହିଁ। ମଶାଙ୍କ ଦ୍ୱାରା ବ୍ୟାପୁଥିବା ଏହି ରୋଗ ପ୍ରାୟତଃ ବର୍ଷାଋତୁ ଏବଂ ଏହା ପର ସମୟରେ ହୋଇଥାଏ।
ଏଡିସ୍‍ ଏଜିପ୍ଟି ଏବଂ ଏଡିସ୍‍ ଆଲ୍‍ବୋପିକ୍ଟସ୍‍ ମଶା କାମୁଡିବା ଦ୍ୱାରା ଡେଙ୍ଗୁ ରୋଗ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡିବା ପରେ ଏହି ମଶା ଯାହାକୁ କାମୁଡେ, ତାଙ୍କ ଶରୀରରେ ଡେଙ୍ଗୁ ଭୂତାଣୁ ପ୍ରବେଶ କରେ। ପ୍ରଥମେ ଜ୍ୱର ସହିତ ଅନ୍ୟାନ୍ୟ ଶାରୀରିକ ସମସ୍ୟା ସୃଷ୍ଟି ହୁଏ। ଶରୀରରେ ଭୂତାଣୁ ସଂକ୍ରମଣ ହେବାର ୩-୪ଦିନ ପରେ ଡେଙ୍ଗୁର ଲକ୍ଷଣ ଦେଖାଯାଉଥିବାରୁ ପ୍ରଥମେ ଏହାକୁ ସାଧାରଣ ଜ୍ୱର ଭାବି ଅନେକେ ଚିକିତ୍ସା କରାଇଥାନ୍ତି। ଫଳରେ ରୋଗୀର ଅବସ୍ଥା ଗୁରୁତର ହୋଇପଡେ। ସଠିକ୍‍ ସମୟରେ ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁମୁଖରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି।

ସାଧାରଣ ଜ୍ୱର ବ୍ୟାପିବାର କୌଣସି ନିର୍ଦିଷ୍ଟ ଋତୁ ନଥିବା ବେଳେ ବର୍ଷାଋତୁ ଏବଂ ଏହା ପର ସମୟରେ ପ୍ରାୟତଃ ଡେଙ୍ଗୁ ବ୍ୟାପିଥାଏ। ବର୍ଷା ଯୋଗୁ ମଶାବଂଶ ବୃଦ୍ଧି ହୋଇଥିବାରୁ ଜୁଲାଇରୁ ଅକ୍ଟୋବର ମାସ ମଧ୍ୟରେ ଏହି ରୋଗ ବ୍ୟାପିବାର ଆଶଙ୍କା ଅଧିକ।

prayash

ଲକ୍ଷଣ
ଡେଙ୍ଗୁ ଜ୍ୱର ହେଲେ ଚର୍ମ ଥଣ୍ଡା ପଡିଯାଏ ଏବଂ ଦେହରେ ଲାଲ୍‍ ଓ ଗୋଲାପି ରଙ୍ଗର ଗୋଲ୍‍ଗୋଲ୍‍ ଦାଗ ସୃଷ୍ଟି ହୁଏ। ଏହା ସଂକ୍ରାମକ ରୋଗ ହୋଇଥିଲେ ମଧ୍ୟ କେବଳ ମଶା କାମୁଡିବା ଦ୍ୱାରା ବ୍ୟାପେ। ରୋଗୀଙ୍କୁ ଛୁଇଁବା, ତାଙ୍କ ପାଖରେ ବସାଉଠା କରିବା କିମ୍ବା ଏକାଠି ଖାଦ୍ୟ ଖାଇବା ଦ୍ୱାରା ବି ଏହା ବ୍ୟାପେନାହିଁ। ଚାରିପ୍ରକାର ଭୂତାଣୁ (ଡି-୧, ଡି-୨, ଡି-୩, ଡି-୪) ଡେଙ୍ଗୁ ରୋଗର କାରଣ ହୋଇଥାନ୍ତି। ଡେଙ୍ଗୁମଶା ସାଧାରଣତଃ ଦିନରେ କାମୁଡେ।

ସାଧାରଣ ଜ୍ୱରରେ ଶୀତ ଓ କମ୍ପ ହେବା, ଛିଙ୍କ ଓ କାଶ ହେବା ସହିତ ଜ୍ୱର ଛାଡିଲେ ପ୍ରବଳ ଝାଳ ବୋହିଯାଏ, କିନ୍ତୁ ଡେଙ୍ଗୁ ଜ୍ୱରରେ ଶୀତ ଲାଗିବା ସହିତ ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା ଏବଂ ବିଭିନ୍ନ ଗଣ୍ଠିସ୍ଥାନ ସହ ଆଖି ପଛପଟେ ଯନ୍ତ୍ରଣା ହୁଏ, ଦୁର୍ବଳ ଲାଗେ, ଭୋକ ହୁଏ ଏବଂ ଶରୀରରେ ଲାଲ୍‍ ଓ ଗୋଲାପି ରଙ୍ଗର ଦାଗ ସୃଷ୍ଟି ହୁଏ କିମ୍ବା ଫଳିଯାଏ। ଏହା ବାଦ୍‍ ବ୍ୟତିବ୍ୟସ୍ତ ଲାଗେ ଏବଂ ରକ୍ତଚାପ କମିଯାଏ। ଡେଙ୍ଗୁ ଜ୍ୱର ହେଲେ ରକ୍ତ ପ୍ଲେଟ୍‍ଲେଟ୍‍ଗୁଡିକର ସଂଖ୍ୟା ଦ୍ରୁତବେଗରେ ହ୍ରାସ ପାଏ। ସଠିକ୍‍ ସମୟରେ ରୋଗୀର ଚିକିତ୍ସା କରା ନଗଲେ ଏହି ସଂଖ୍ୟା ହ୍ରାସ ହୋଇ ଶରୀରର ରୋଗ ପ୍ରତିରୋଧକ କ୍ଷମତା ନଷ୍ଟ ହୋଇଯାଏ ଏବଂ ରୋଗୀ ମୃତ୍ୟୁମୁଖରେ ପଡନ୍ତି। ନାକ ତଥା ମାଢିରୁ ମଧ୍ୟ ରକ୍ତ ପଡେ।

ସୁରକ୍ଷା
ଡେଙ୍ଗୁ ପାଇଁ ଏଯାବତ୍‍ କୌଣସି ପ୍ରକାର ପ୍ରତିଷେଧକ ପ୍ରସ୍ତୁତ ହୋଇପାରି ନାହିଁ। ଏହା ମହାମାରୀ ରୂପେ ବ୍ୟାପୁଥିବା ବେଳେ ଏହି ରୋଗରେ ଏକ ସମୟରେ ଏକାଧିକ ଭୂତାଣୁ ସକ୍ରିୟ ହେବାର ଆଶଙ୍କା ଅଧିକ। ତେଣୁ ସୁରକ୍ଷା ପାଇଁ ସତର୍କତା ହିଁ ଜରୁରୀ। ଡେଙ୍ଗୁ ଭ୍ୟାକ୍‍ସିଆ ନାମକ ଏକ ପ୍ରତିଷେଧକ ଟିକା ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ପରୀକ୍ଷଣରେ ଏହା ସଫଳ ହୋଇପାରିନାହିଁ। ବିଶେଷକରି ଶିଶୁମାନଙ୍କ କ୍ଷେତ୍ରରେ ଏହି ଟିକା ବିଫଳ ହୋଇଛି।
ଡେଙ୍ଗୁରୁ ସୁରକ୍ଷା ପାଇବା ଲାଗି ମଶାଦାଉରୁ ନିରାପଦରେ ରହିବା ଏକମାତ୍ର ଉପାୟ। ଘର ଭିତରେ କିମ୍ବା ବାହାରେ କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଯେଉଁଠାରେ ବି ପାଣି ଜମିବାର ସମ୍ଭାବନା ରହୁଛି, ସେଠାରେ କୀଟନାଶକ ପ୍ରୟୋଗ କରନ୍ତୁ। ମଶାରି କିମ୍ବା ମଶାଙ୍କୁ ଦୂରେଇ ରଖୁଥିବା କ୍ରିମ୍‍ ବ୍ୟବହାର କରନ୍ତୁ।

kalyan agarbati
Leave A Reply