କ୍ଷୁଦ୍ରଜଳସେଚନ କେନାଲ ଜମି ଉପରୁ ଅବକାଶ ସାହୁଙ୍କ ଘରକୁ ଭାଙ୍ଗିଲା ପ୍ରଶାସନ

ଭଙ୍ଗାରୁଜା ସମୟରେ ପରିବାର ଲୋକ-ପ୍ରଶାସନ ମୁହାଁମୁିହିଁ 

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଛତ୍ରଙ୍ଗ ବଜାର ପାର୍ଶ୍ବରେ ଯାଇଥିବା କ୍ଷୁଦ୍ର ଜଳସେଚନ କେନାଲ ଉପରେ ଜବରଦଖଲ ଜମିରେ ନିର୍ମାଣ ହୋଇଥିବା ୫ଶହ ବର୍ଗଫୁଟର ଦୁଇ ମହଲା ବିଶିଷ୍ଟ ପକ୍କା ଘରକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଜେସିବି ଲଗାଇ ସୋମବାର ଭଙ୍ଗାଯାଇଛି। ଜବରଦଖଲ ଜମି ଉପରୁ ଭଙ୍ଗାଯାଇଥିବା ଘରଟି ଛତ୍ରଙ୍ଗ ଗ୍ରାମର ତଥା ପୂର୍ବତନ ୯ନମ୍ବର ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କର ବୋଲି ସୂଚନା ମିଳିଛି । ଘର ଭଙ୍ଗାରୁଜା ସମୟରେ ଅବକାଶଙ୍କ ପରିବାର ସହିତ ପୁଲିସ ପ୍ରଶାସନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ସତ୍ୱେ ପ୍ରଶାସନ ଉପସ୍ଥିତିରେ ଦୀର୍ଘ ୭ଘଂଟା ମଧ୍ୟରେ ଘରଭଙ୍ଗା କାର୍ଯ୍ୟ ସମ୍ପାଦିତ ହୋଇଥିଲା।

prayash

ସୂଚନା ମତେ ଛତ୍ରଙ୍ଗ ବଜାର ପାର୍ଶ୍ବ ଦେଇ କ୍ଷୁଦ୍ରଜଳସେଚନ ବିଭାଗର ଏକ କେନାଲ ଯାଇଛି । ଭାଲିଆଗୁଡା ମୌଜାର ଖାତା ନମ୍ବର ୧୩୮ ,ପ୍ଲଟ ନମ୍ବର-୪୫୫/୧୩୮୩ କିସମ କେନାଲ ଜମି ଉପରେ ଏକ ପକ୍କାଘର ନିର୍ମାଣ ହୋଇଥିବାକୁ କେନ୍ଦ୍ରକରି କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ କେନାଲ ଜମି ଚିହ୍ନଟ ପାଇଁ ହରଭଙ୍ଗା ତହସିଲରେ ଆବେଦନ କରିଥିଲେ। ସେହି ଆଧାରରେ ରାଜସ୍ୱ ବିଭାଗ ପକ୍ଷରୁ ମାପଚୁପ୍ କରାଯାଇଥିଲା । ମାପଚୁପ୍ ପରେ କେନାଲ ଜମି ଉପରେ ଛାତଘର ନିର୍ମାଣ ହୋଇଥିବା କଥା ଜଣାପଡିଥିଲା। ଜବରଦଖଲ ଉଛେଦ ପାଇଁ ଗତ ୨୩ ଫେବୃୟାରୀରେ ଉପଜିଲ୍ଲାପାଳଙ୍କ କୋର୍ଟରୁ ଏକ ନୋଟିସ ଜାରି କରାଯାଇ ୫ଦିନ ମଧ୍ୟରେ ଜବରଦଖଲ ଉଛେଦ ପାଇଁ ନିର୍ଦେଶ ଦିଆଯାଇଥିଲା। ଏହି କ୍ରମରେ ସୋମବାର ବୌଦ୍ଧ ଉପଜିଲ୍ଲାପାଳ ରବିନ୍ଦ୍ରନାଥ କହଁର, ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ର, ଅତିରିକ୍ତ ତହସିଲଦାର ବିଶ୍ୱଜିତ ପ୍ରଧାନ, କ୍ଷୁଦ୍ରଜଳସେଚନ ବିଭାଗ କର୍ମଚାରୀ, ହରଭଙ୍ଗା ଏବଂ ପୁରୁଣାକଟକ ପୁଲିସଙ୍କ ଉପସ୍ଥିତିରେ ଏକ ପ୍ଲାଟୁନ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସମୟରେ ଅବକାଶଙ୍କ ଧର୍ମପତ୍ନୀ,ଝିଅ ଏବଂ ମାଆ ସହିତ କିଛି ମହିଳା ଏହାକୁ ବିରୋଧ କରିଥିଲେ।ଆମେ ଘର ଭାଙ୍ଗିବାପାଇଁ ରାଜି ଅଛୁ ବୋଲି ଅବକାଶଙ୍କ ପତ୍ନୀ ବଡପାଟିରେ କହୁଥିବା ବେଳେ ଆମକୁ ସମୟ ଦିଆଯାଉ ବୋଲି ନିବେଦନ କରିଥିଲେ। ଏହା ସହିତ ବହୁତକିଛି ଲୋକ ଏଭଳି ସରକାରୀ ଜମିରେ ଜବରଦଖଲ ରହିଥିବାବେଳେ ତାଙ୍କର କାହିଁକି ଭଙ୍ଗାଯାଉନି ବୋଲି ପ୍ରଶାସନକୁ ଓଲଟା ପ୍ରଶ୍ନ କରିଥିଲେ। କିଛି ସମୟଧରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗିରହିଥିଲା।ପୁଲିସ ସେମାନଙ୍କୁ କାବୁ କରିବା ପରେ ଦୁଇଟି ଜେସିବି ମେସିନ ସାହାଯ୍ୟରେ ଘରଭଙ୍ଗା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ପ୍ରଶାସନ ପକ୍ଷରୁ ସରକାରୀ ଜମିରୁ ଜବରଦଖଲ ହଟେଇବା କାର୍ଯ୍ୟକୁ ସାଧାରଣରେ ପ୍ରଂଶସା କରାଯାଇଛି। ମାତ୍ର ପ୍ରଶାସନର ଭାଙ୍ଗିବା ତରିକାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ କରିବା ସହିତ ଜଣେ ଲୋକ ସାଢେ ତିନିମାସ ହେଲା ଜେଲରେ ଥିବା ସମୟରେ ପ୍ରଶାସନ ଏଭଳି ଭାବେ ଘର ଭଙ୍ଗାରୁଜା କରିବା ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି ।

Comments are closed.