ଦିଲ୍ଲୀ ପ୍ରଦୂଷଣ ଚିନ୍ତାଜନକ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ (ଏନ୍‍ସିଆର୍‍)ରେ ପ୍ରଦୁଷଣସ୍ତର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଦିଲ୍ଲୀରେ ପ୍ରଦୁଷଣ ସ୍ତର ପିଏମ୍‍ ୨.୫ ରହିଛି, ଯାହାକି ଅତ୍ୟନ୍ତ କ୍ଷତିକାରକ ବୋଲି କୁହାଯାଇଛି। ଦିଲ୍ଲୀ ଏନ୍‍ସିଆର୍‍ର ବାୟୁ ଖରାପରୁ ଅତି ଖରାପ ସ୍ତରରେ ପହଞ୍ଚିଥିବା ରିପୋର୍ଟ ମିଳିଛି। ପ୍ରବଳ ଧୂଳି ଏବଂ ପ୍ରଦୂଷଣ ଯୋଗୁ ସମଗ୍ର ଦିଲ୍ଲୀ ଏନ୍‍ସିଆର୍‍ରେ ରାଜସ୍ଥାନର ଧୂଳିଝଡ଼ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବୃକ୍ଷଲତା ଏବଂ ଯାନବାହାନ ସର୍ବତ୍ର ଧୂଳିର ଆସ୍ତରଣ ଜମିଯାଉଛି। ଅଣନିଶ୍ୱାସୀ ହୋଇପଡିବା, ଆଖି ପୋଡ଼ାଜଳା ଏବଂ ଗଳା କୁଣ୍ଡାଇ ହେବା ଭଳି ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ି ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଦୂଷଣ ଯୋଗୁ ଉତ୍ତାପ କମୁ ନ ଥିବାରୁ ଦିଲ୍ଲୀରେ ଅସହ୍ୟ ଗରମ ଅନୁଭୂତ ହେଉଛି। ଏଭଳି ପରିସ୍ଥିତି ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଲାଗି ରହିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ଘରୁ ନ ବାହାରିବା ତଥା ମୁଖା ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏହାଛଡ଼ା ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖାଯାଇଛି। ଏ ନେଇ ଉପରାଜ୍ୟପାଳ ଅନୀଲ ବୈଜାଲ ଗୁରୁବାର ନିଦେଶନାମା ଜାରି କରିଛନ୍ତି।
ଜାତୀୟ ସବୁଜ ଟ୍ରାଇବୁନାଲର ନିର୍ଦେଶ କ୍ରମେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଠାକାର ବାୟୁର ଗୁଣବତ୍ତା ସମ୍ବନ୍ଧୀୟ ମାସିକ ସୂଚୀ ପ୍ରକାଶ କରାଯାଇଛି। ରିପୋର୍ଟ ଅନୁସାରେ ମାର୍ଚ୍ଚରୁ ମେ ମାସ ମଧ୍ୟରେ ବାୟୁମଣ୍ଡଳରେ ପ୍ରଦୂଷଣ ସ୍ତର ୩୫୦ରେ ପହଞ୍ଚିଥିଲା। ୦-୫୦ ଭଲ, ୫୧-୧୦୦ ସନ୍ତୋଷଜନକ, ୧୦୧-୨୦୦ ମଧ୍ୟମ, ୨୦୧-୩୦୦ ଖରାପ, ୩୦୧-୪୦୦ ଅତି ଖରାପ ଏବଂ ୪୦୧-୫୦୦ ଅତ୍ୟନ୍ତ ଖରାପ ବୋଲି ସୂଚକାଙ୍କରେ ଦର୍ଶାଯାଇଥିବାବେଳେ ଦିଲ୍ଲୀରେ ପ୍ରଦୂଷଣସ୍ତର ଖରାପରୁ ଅତିଖରାପ ସ୍ତରରେ ପହଞ୍ଚିଛି। ପ୍ରଦୁଷଣସ୍ତର କମ୍‍ କରିବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଶୁକ୍ରବାର ସୁଦ୍ଧା ଏଠାରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯାଇଥିବା ବେଳେ ଅଗ୍ନିଶମ ବିଭାଗ ଅଧିକାରୀମାନେ ବିଭିନ୍ନ ସ୍ଥାନରେ ଜଳ ସିଞ୍ଚନ କରି ଧୁଳି ଉଡିବାରୁ ରୋକିବାର ଉଦ୍ୟମ କରୁଛନ୍ତି। ଅନ୍ୟପଟେ ଦିଲ୍ଲୀକୁ ପ୍ରଦୁଷଣମୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମ୍ପ୍ରତି ଆଇଏଏସ୍‍ମାନଙ୍କ ଧର୍ମଘଟ ଭାଙ୍ଗିବା ଦାବିରେ ଉପ-ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଅନଶନରେ ବସିଛନ୍ତି।

Leave A Reply