ଶେଷ ବଲ୍‌ରେ ରାଜସ୍ଥାନକୁ ହରାଇଲା ଦିଲ୍ଲୀ

0

ନୂଆଦିଲ୍ଲୀ : ଆଇପିଏଲ୍‌-୧୧ରେ ବୁଧବାର ଏକ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ବିଜୟୀ ହୋଇଛି ଦିଲ୍ଲୀ ଡେୟାରଡେଭିଲ୍‌ସ। ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ଶେଷ ବଲ୍‌ରେ ୪ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ଦିଲ୍ଲୀ ହରାଇଛି। ବର୍ଷା ଯୋଗୁଁ ଦେଢ଼ଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହେବାରୁ ମ୍ୟାଚ୍‌ ୧୮ ଓଭରର ହୋଇଥିଲା। ୩ ଯୁବ ବ୍ୟାଟ୍‌ସମ୍ୟାନ୍‌ ପୃଥ୍ୱୀ ସ’, ଶ୍ରେୟାସ ଆୟର ଓ ଋଷଭ ପନ୍ତ୍‌ଙ୍କ ଦର୍ଶନୀୟ ବ୍ୟାଟିଂ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ଡେୟାରଡେଭିଲ୍‌ସ ୧୭.୧ ଓଭରରେ ୬ ୱିକେଟ ହରାଇ ୧୯୬ ରନ୍‌ କରିଥିବା ବେଳେ ବର୍ଷା ହେବାରୁ ଦିଲ୍ଲୀର ଇନିଂସ ସମାପ୍ତି ଘୋଷଣା ହୋଇଥିଲା। ଅଧଘଣ୍ଟା ପରେ ମ୍ୟାଚ୍‌ ଆରମ୍ଭହେବାରୁ ରାଜସ୍ଥାନ ରୟାଲ୍‌ସକୁ ୧୨ ଓଭରରେ ୧୫୧ ରନ୍‌ର କଷ୍ଟସାଧ୍ୟ ଲକ୍ଷ୍ୟ ମିଳିଥିଲା। ଜୋସ୍‌ ବଟ୍‌ଲରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ୱେ ରାଜସ୍ଥାନ ୧୨ ଓଭର ଶେଷରେ ୫ ୱିକେଟରେ ୧୪୬ ରନ୍‌ କରି ପାରିଥିଲା। ୯ମ ମ୍ୟାଚ୍‌ରେ ୩ୟ ବିଜୟ ହାସଲ କରିିଛି ଦିଲ୍ଲୀ। ୮ମ ମ୍ୟାଚ୍‌ରେ ରାଜସ୍ଥାନର ଏହା ୫ମ ପରାଜୟ।
୧୨ ଓଭରରେ ୧୫୧ ରନ୍‌ ଲକ୍ଷ୍ୟ ନେଇ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍‌ସର ଓପ୍‌ନର ବିସ୍ଫୋରକ ବ୍ୟାଟିଂ କରିଥିଲେ। ବିଶେଷକରି ଜୋସ୍‌ ବଟ୍‌ଲର ବାଉଣ୍ଡରୀ ମାରି ଚାଲିଥିଲେ। ୪.୧ ଓଭରରେ ମାତ୍ର ୧୮ ବଲ୍‌ରେ ବଟ୍‌ଲର ଅର୍ଦ୍ଧଶତକ ପୂରଣ କରିଥିଲେ। ୬.୨ ଓଭରରେ ୮୨ ରନ୍‌ର ଓପ୍‌ନିଂ ଭାଗିଦାରୀ କରିବା ପରେ ବଟ୍‌ଲର ଷ୍ଟମ୍ପ୍‌ଡ ହୋଇଥିଲେ। ଇଂଲଣ୍ଡର ଏହି ୱିକେଟ ରକ୍ଷକ ୨୬ ବଲ୍‌ରୁ ୭ଟି ଛକା ଓ ୪ଟି ଚୌକା ସହ ୬୭ ରନ୍‌ କରିଥିଲେ। ସଞ୍ଜୁ ସାମ୍‌ସନ୍‌ ୩ ଓ ବେନ୍‌ ଷ୍ଟୋକ୍‌ସ ୧ ରନ୍‌ କରି ପାରିଥିଲେ। ୩ ଓଭରରୁ ୫୧ ରନ୍‌ ଆବଶ୍ୟକ ଥିବା ବେଳେ ଡି’ ଆର୍ସି ସର୍ଟ କ୍ରମାଗତ ୩ଟି ଛକାମାରି ଆଉଟ ହୋଇ ଯାଇଥିଲେ। ଏହି ଅଷ୍ଟ୍ରେଲୀୟ ଓପ୍‌ନର ୨୫ ବଲ୍‌ରୁ ୪ଟି ଛକା ଓ ୨ଟି ଚୌକା ସହ ୪୪ ରନ୍‌ କରିଥିଲେ। ଶେଷ ଓଭରରେ ୧୫ ରନ୍‌ ଆବଶ୍ୟକ ଥିବା ବେଳେ ୧୦ ରନ୍‌ ହୋଇଥିଲା। କେ. ଗୌତମ ୬ ବଲ୍‌ରୁ ୧୮ ରନ୍‌କରି ଅପରାଜିତ ଥିଲେ। ଟ୍ରେଣ୍ଟ୍‌ ବୋଲ୍‌ଟ ୨ଟି ୱିକେଟ ପାଇଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଋଷଭ ପନ୍ତ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଘୋଷିତ ହୋଇଥିଲେ।
ରାଜସ୍ଥାନ ଟସ୍‌ ଜିତି ଫିଲ୍‌ଡିଂ ନେବା ପରେ ପ୍ରଥମ ଓଭରରେ ଦିଲ୍ଲୀ ଡେୟାରଡେଭିଲ୍‌ସର ଓପ୍‌ନର କଲିନ୍‌ ମନ୍‌ରୋ ଖାତା ଖୋଲି ନପାରି ଆଉଟ ହୋଇଥିଲେ। ପରେ ୧୮ ବର୍ଷ ବୟସ୍କ ପୃଥ୍ୱୀ ସ’ଙ୍କ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୨୫ ବଲ୍‌ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୪୭ ରନ୍‌କରି ଆଉଟ ହୋଇଥିଲେ। ଅଧିନାୟକ ଶ୍ରେୟାସ ଆୟରଙ୍କ ସହ ପୃଥ୍ୱୀ ୨ୟ ୱିକେଟ ପାଇଁ ୪୦ ବଲ୍‌ରୁ ୭୩ ରନ୍‌ ଯୋଡ଼ିଥିଲେ। ୧୯ ବର୍ଷ ବୟସ୍କ ଋଷଭ ପନ୍ତ୍‌ କ୍ରିଜ୍‌କୁ ଆସିବା ମାତ୍ରେ ବିଧ୍ୱଂସୀ ବ୍ୟାଟିଂକରି ବାଉଣ୍ଡରୀ ବର୍ଷା କରିଥିଲେ। ଫଳରେ ପରବର୍ତ୍ତୀ ୪୨ ବଲ୍‌ରୁ ୯୨ ରନ୍‌ ହୋଇଥିଲା। ଗତ ୫ଟି ମ୍ୟାଚ୍‌ରେ ୪ର୍ଥ ଅର୍ଦ୍ଧଶତକ ମାରିଥିବା ଆୟର ୩୫ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୫୦ ରନ୍‌ କରିଥିଲେ। ୨୩ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ଋଷଭ ପନ୍ତ୍‌ ୨୯ ବଲ୍‌ରୁ ୫ଟି ଛକା ଓ ୭ଟି ଚୌକା ସହ ୬୯ ରନ୍‌ କରିଥିଲେ। ଏହି ଇନିଂସକୁ ମିଶାଇ ମୋଟ ୩୭୫ ରନ୍‌କରି ପନ୍ତ୍‌ ସର୍ବାଧିକ ସ୍କୋରର୍‌ ହୋଇ ଅରେଞ୍ଜ୍‌ କ୍ୟାପ୍‌ର ଅଧିକାରୀ ହୋଇଛନ୍ତି। ବିଜୟ ଶଙ୍କର ମାତ୍ର ୬ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୧୭ ରନ୍‌ କରିଥିଲେ। ଜୟଦେବ ଉନାଦ୍‌କତ ୩ଟି ୱିକେଟ ପାଇଥିଲେ ହେଁ ୪୬ରନ୍‌ ଦେଇଥିଲେ।

Leave A Reply