ଅସମ୍ପୂର୍ଣ୍ଣ ପୋଖରୀର ସବସିଡି ନମିଳିବାରୁ ଜିଲା ମତ୍ସ୍ୟ ଅଧିକାରୀଙ୍କୁ ଧମକ, କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କୁ ଜଣାଇଲେ ଜିଲାପାଳ
ଦେବଗଡ଼:ମତ୍ସ୍ୟ ବିଭାଗ ଅଧିନରେ ପୋଖରୀ ଖୋଳିଥିବା ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ରୁକୁଡା ଗ୍ରାମର ଜଣେ ହିତାଧିକାରୀ ପୋଖରୀ ଖୋଳା ସମ୍ପୂର୍ଣ୍ଣ ନକରି ସବସିଡି ଦାବୀ କରିବା ସହ ଜିଲା ମତ୍ସ୍ୟ ଅଧିକାରୀଙ୍କୁ ଫୋନ ଯୋଗେ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ଦେବଗଡ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଜିଲାପାଳ ଶ୍ରୀ ଉପାଧ୍ୟାୟ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦେବଗଡ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଛନ୍ତି। ସେହିପରି ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଦେବଗଡ ଆଦର୍ଶ ଥାନା ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୨ରେ କେହି ଜଣେ ଯୁବକ ନିଜକୁ ପାରପୋଶି ଗ୍ରାମ ପଂଚାୟତ ରୁକୁଡା ଗ୍ରାମର ହିତାଧିକାରୀ ହରେଶ ନାୟକଙ୍କ ପୁଅ ବୋଲି ପରିଚୟ ଦେଇ ଚଢା ଗଳା ଏବଂ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବାସହ ଅସମ୍ପୁର୍ଣ୍ଣ ପୋଖରୀ ବାବଦରେ କାହିଁକି ସବସିଡି ଦେଉନାହଁ ବୋଲି ପ୍ରଶ୍ନ ପଚାରିଥିଲା। ମାତ୍ର ହିତାଧିକାରୀ ହରେଶ ନାୟକଙ୍କ ନାମରେ ମଞ୍ଜୁର ହୋଇଥିବା ସମ୍ପୃକ୍ତ ପୋଖରୀଟି ଅସମ୍ପୂର୍ଣ୍ଣ ଥିବାରୁ ସବସିଡି ପ୍ରଦାନ କରାଯାଇନଥିବା ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ଉତ୍ତର ଦବୋସହ ସହ ଏମପିୱାଇ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଏହାର ଖୋଳାକାର୍ଯ୍ୟ ସମ୍ୂର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ସମ୍ପୃକ୍ତ ଯୁବକ ଜଣକ ତାଙ୍କୁ ସମ୍ପୃକ୍ତ ଅଂଚଳକୁ ଗଲେ ମାଡ ମାରିବାକୁ ଧମକ ଦେଇଥିବା ଏବଂ ଏହି କଥାବାର୍ତାର ରେକର୍ଡିଂ ତାଙ୍କ ନିକଟରେ ସଂରକ୍ଷିତ ଥିବା ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ଜିଲାପାଳଙ୍କୁ ପ୍ରଦାନ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।
Comments are closed.