ନାବାଳିକାଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ନେଇ ହରିୟାଣାରେ ବିଧେୟକ ପାରିତ

0

ଚଣ୍ଡୀଗଡ଼ : ଏଣିକି ହରିୟାଣାରେ ନାବାଳିକାଙ୍କ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ଏ ନେଇ ହରିୟାଣା ବିଧାନସଭାରେ ଗୁରୁବାର ଏକ ବିଧେୟକ ପାରିତ ହୋଇଛି। ବିଧେୟକରେ ଥିବା ବ୍ୟବସ୍ଥା ଅନୁଯାୟୀ, ୧୨ ବର୍ଷରୁ କମ୍‌ ବୟସ୍କ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିବା ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଅଥବା ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।

ବଳାତ୍କାର ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ ଲାଗି ଫାଷ୍ଟଟ୍ରାକ୍‌ କୋର୍ଟ ମାଧ୍ୟମରେ ମାମଲାର ବିଚାର ଉପରେ ମଧ୍ୟ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଥିବା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟାର ପୂର୍ବରୁ କହିଥିଲେ। ଏଥିସହ ବଳାତ୍କାର ଘଟଣାରେ ତଥ୍ୟକୁ ଯାଞ୍ଚ ନ କରି ଖବର ପ୍ରକାଶ ନ କରିବାକୁ ଗଣମାଧ୍ୟମଗୁଡିକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ। ସେ କହିଥିଲେ, ବିଗତ ଦିନଗୁଡିକରେ ଥାନାରେ ରୁଜୁ ହୋଇଥିବା ୨୫% ବଳାତ୍କାର ମାମଲା ମିଥ୍ୟା ପ୍ରମାଣିତ ହୋଇଛି। ଅନ୍ୟ ୭୫% ମାମଲାରେ ପୀଡ଼ିତାଙ୍କ ସମ୍ପର୍କୀୟ ସମ୍ପୃକ୍ତ ଥିବା ଜଣାପଡିଛି। ଏଭଳି ମାନସିକତା ପରିବର୍ତ୍ତନ କରିବା ସମାଜର କର୍ତ୍ତବ୍ୟ।

ଗତ ଏକ ସପ୍ତାହ ମଧ୍ୟରେ ହରିୟାଣାରେ ୯ଟି ବଳାତ୍କାର ମାମଲା ଲୋକଲୋଚନକୁ ଆସିଥିବା ବେଳେ ସେଗୁଡିକ ମଧ୍ୟରୁ ୩ଟି ମାମଲା ଗୁରୁବାର ରୁଜୁ ହୋଇଥିଲା। ଏହା ପୂର୍ବରୁ ନାବାଳିକା ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ପ୍ରଥମେ ମଧ୍ୟପ୍ରଦେଶରେ ଏବଂ ପରେ ରାଜସ୍ଥାନରେ ବିଧେୟକ ପାରିତ ହୋଇଛି। ଏହି ପ୍ରସଙ୍ଗରେ ଭାରତୀୟ ପିଙ୍ଗଳ କୋର୍ଡରେ ସଂଶୋଧନ ପୂର୍ବକ ନୂତନ ଆଇନ ବ୍ୟବସ୍ଥା ସମ୍ବଳିତ ଏହି ବିଧେୟକ ବାଚନିକ ଭୋଟରେ ପାରିତ ହୋଇଥିଲା।

Leave A Reply