ବଜ୍ରାଘାତରେ ଯୁବକ ମୃତ
କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଦଳିବାଡି ଗ୍ରାମ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ବଜ୍ରାଘାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣଙ୍କ ଶରତ ଚନ୍ଦ୍ର ବେହେରାଙ୍କ ଏକ ମାତ୍ର ପୁତ୍ର ସୁଧିର(୧୯)। ଖବର ଅନୁସାରେ, ଗତକାଲି ଜାଗର ପାଳନ ଅବସରରେ ସ୍ଥାନୀୟ ମନ୍ଦିରକୁ ପୂଜା ପାଇଁ ଯାଇଥିବା ସମୟରେ ଅକାଳ ବଜ୍ରଘାତରେ ସୁଧିର ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ଆଠଗଡ ଚିକିତ୍ସାଳୟକୁ ନେଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାକୁନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମଙ୍ଗଳବାର ଅପରାହ୍ନରେ ବାଙ୍କୀର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ଡଃ ଦେବାଶିଷ ପଟ୍ଟନାୟକ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ତତ୍ ସହିତ ବିଧି ବ୍ୟବସ୍ଥା ଅନୁଯାୟୀ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି।