କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୋରମାଲ ଗାଁର ବିଲ ମଝିରେ ଥିବା ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ପଥର ବନ୍ଧା ଅବସ୍ଥାରେ ଜବତ ହୋଇଛି। ମୃତକ ହେଲେ ଉକ୍ତ ଗାଁର ସୁରେନ୍ଦ୍ର ଭାଟି(୨୨)। ପୁଲିସ ମୃତଦେହ ଜବତ କରି ଏକ ମାମଳା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସୁରେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।
ସୂଚନା ଅନୁସାରେ, ସୁରେନ୍ଦ୍ର ଶୁକ୍ରବାର ସକାଳେ ନିଜ ବଡ ବାପାଙ୍କ ସହ ଘରୁ ୫୦୦ମିଟର ଦୂର ମାଲଭଟା ବିଲରେ ଗୋରୁ ଚରାଇବାକୁ ଯାଇଥିଲେ। ଦିନ ପ୍ରାୟ ୧୧ଟାରେ ବଡ ବାପା ମକରନ୍ଦ ଭାଟି ସୁରେନ୍ଦ୍ରଙ୍କୁ ବିଲରେ ଛାଡ଼ି ନିଜେ ଜଳଖିଆ ଖାଇବାକୁ ଘରକୁ ଆସିଥିଲେ। କିଛି ସମୟ ପରେ ଗୋରୁ ଘରକୁ ଫେରି ଆସିଥିଲେ। ଏହା ଦେଖି ବଡବାପା ମକରନ୍ଦ କାହିଁକି ଗୋରୁ ଫେରି ଆସିଲେ, ସୁରେନ୍ଦ୍ର ବିଲରେ ଶୋଇପଡ଼ିଥିବ ବୋଲି ଭାବି ସୁରେନ୍ଦ୍ରଙ୍କ ବାପା ହସମାନଙ୍କୁ ବିଲକୁ ପଠାଇଥିଲେ। ବାପା ହସମାନ ପୁଅକୁ ନ ପାଇ ବିଲ ମଝିରେ ଥିବା ଏକ ଖୋଲା କୂଅ ପାଖରେ ପୁଅର ମୋବାଇଲ ସହ ଜୋତା ପଡିଥିବା ଦେଖିବାକୁ ପାଇଥିଲେ। ଘରକୁ ଆସି ଜଣେଇବା ପରେ ପରିବାର ତଥା ପଡୋଶୀ ଗାଁ ଲୋକେ କୂଅ ପାଖକୁ ଯାଇ ବହୁ ଖୋଜାଖୋଜି କରି ନ ପାଇବାରୁ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଏକ ନିଖୋଜ ରିପୋର୍ଟ ଥାନାରେ ଦେଇଥିଲେ। ଥାନା ଭାରପ୍ରାପ୍ତ ଅଧିକାରୀ ଗୋପାଳ ଚନ୍ଦ୍ର କର୍ଣ୍ଣ ଅଗ୍ନିଶମ ବାହିନୀକୁ ଡକାଇ ପୁଲିସ ଦଳ ସହ ଘଟଣାସ୍ଥଳକୁ ଯାଇ ଶୁକ୍ରବାର ମଧ୍ୟରାତ୍ରରେ ସୁରେନ୍ଦ୍ରଙ୍କ ମୃତଦେହକୁ କୂଅରୁ ଜବତ କରିଥିଲେ। ବାମ ହାତରେ ଏକ ଦୌଡ଼ି ସହ ବଡ ପଥର ବନ୍ଧା ହୋଇଥିବା ଦେଖିବାକୁ ପାଇବା ପରେ ସୁରେନ୍ଦ୍ରକୁ କେହି ଦୁର୍ବୃତ୍ତ ହତ୍ୟା କରି ହାତରେ ପଥର ସହ ଦୌଡ଼ି ବାନ୍ଧି କୂଅରେ ପକାଇଥିବା ସନ୍ଦେହ କରାଯାଉଛି। ପୁଲିସ ବଲାଙ୍ଗୀରରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମକୁ ମଗାଇ ତଦନ୍ତ କରିଛି। ଶନିବାର ଅପରାହ୍ନରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୁଲିସ।



