ଦଳିତ ନେତାଙ୍କ ଉପରେ ଆକ୍ରମଣ ଘଟଣା : ଦୋଷୀଙ୍କୁ ଗିରଫ ଦାବି
ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ଶନିବାର ଦଳିତ ନେତା ତଥା ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ସେଠୀଙ୍କ ଉପରେ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଗିରଫ କରାନଗଲେ ୨୬ତାରିଖରେ ଥାନା ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ସ୍ଥାନୀୟ ଆମ୍ବେଦକର ଭବନରେ ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣର ଶିକାର ଅନୁସୂଚିତ ଜାତି ଜନଜାତି ଉନ୍ନୟନ୍ନ ପରିଷଦର ସମ୍ପାଦକ ତଥା ଆମ୍ବେଦକର ଲୋହିଆ ମଞ୍ଚର କଟକ ଜିଲ୍ଲା ସଭାପତି ଶ୍ରୀ ସେଠୀ ଓ ଅନ୍ୟ ଜଣେ ଦଳିତ ନେତା ଉପସ୍ଥିତ ରହି ଏହି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କନ୍ଦରପୁର ଗ୍ରାମର ଖେଳ ପଡ଼ିଆରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟରେ ଜେସିବି ମେସିନ ଦ୍ୱାରା ମାଟି ଖୋଳାକାମ ଚାଲିଥିବା ବେଳେ ପ୍ରାତଃ ଭ୍ରମଣରେ ଯାଇଥିବା ଦଳିତ ନେତା ଶ୍ରୀ ସେଠୀ ମୋବାଇଲରେ ଫଟୋ ଉଠାଉଥିଲେ। ପ୍ରାତଃ ଭ୍ରମଣ ସାରି ଫେରୁଥିବା ବେଳେ ପ୍ରାୟ ୩୦ଜଣ ଲୋକ ତାଙ୍କୁ ଆକ୍ରମଣ କରି ଆହତ କରିଥିଲେ । ଶ୍ରୀ ସେଠୀ ଏ ସମ୍ପର୍କରେ ଆଠଗଡ଼ ଥାନାରେ ଏତଲା ଦେଇଥିଲେ। ତେବେ ତାଙ୍କୁ କାହିଁକି ଥାନାରେ ଏତଲା ଦେଲେ ବୋଲି ଶନିବାର ରାତିରେ ପଚାରିବା ସହିତ ତାଙ୍କୁ ଧମକ ଚମକ ଦେଇଥିଲେ ଏବଂ ବିଳମ୍ବିତ ରାତିରେ ଶ୍ରୀ ସେଠୀ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ପାଲଟା ମିଥ୍ୟା ଏତଲା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ଅଭିଯୋଗ କରିଥିଲେ। ପୁଲିସ କୌଣସି ଚାପର ବଶବର୍ତ୍ତି ନହୋଇ ନିରପେକ୍ଷ ତଦନ୍ତ କରି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଦୋଷୀଙ୍କ ବିରୋଧରେ ଆଗାମୀ ୨୫ ତାରିଖ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୨୬ ତାରିଖରେ ଥାନା ସମ୍ମୁଖରେ ଶତାଧିକ ଆଦିବାସୀ ଓ ଦଳିତ ବର୍ଗର ଲୋକ ଧାରଣା ଦେବେ ବୋଲି ଚେତାବନୀ ଦିଆଯାଇଛି ।
Comments are closed.