ମୃତ୍ୟୁଦଣ୍ଡ ସପକ୍ଷରେ ବଢ଼ୁଛି ସମର୍ଥନ
ନୂଆଦିଲ୍ଲୀ: ଜଘନ୍ୟ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଓ ସମର୍ଥନ କ୍ରମଶଃ ଦୃଢ଼ ହେବାରେ ଲାଗିଛି । ଅଧିକାଂଶ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ବାଢ଼ିବାରେ ପରେ ସମର୍ଥକଙ୍କ ତାଲିକା ବୃଦ୍ଧି ପାଇଛି ।
ଡ୍ରଗ୍ସ ବେପାରୀଙ୍କୁ ମୃତ୍ୟୁଦଣ୍ଡ ଦଣ୍ଡିତ କରିବା ପାଇଁ ଗତ ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଡ୍ରଗ୍ସ କାରବାରରେ ଏକ ପିଢ଼ି ପ୍ରଭାବିତ ହେଉଥିବାରୁ ବେପାରିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଅମରିନ୍ଦର କହିଛନ୍ତି ।
ପୂର୍ବତନ ଆଇନ ସଚିବ ପି କେ ମାଲହୋତ୍ରା ମଧ୍ୟ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିକୁ ସମର୍ଥନ କରିଛନ୍ତି । ସେହିପରି ମଧ୍ୟପ୍ରଦେଶ ମନ୍ଦସୌରରେ ଜଣେ ୭ ବର୍ଷର ନାବାଳିକାକୁ ବଳାକ୍ରାର ଓ ହତ୍ୟା ଉଦ୍ୟମ ପରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ ମତ ଦେଇଥିଲେ । ସେଭଳି ଘୃଣ୍ୟ କର୍ମ କରିଥିବା ବ୍ୟକ୍ତିଙ୍କୁ ସମାଜରେ ବଞ୍ଚି ରହିବାର କୌଣସି ଅଧିକାର ନାହିଁ ବୋଲି ଶ୍ରୀ ଚୌହ୍ୱାନ ଯୁକ୍ତି କରିଥିଲେ ।
ଦେଶବିଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କଠୁଆ ଗଣବଳାକ୍ରାର ଘଟଣା ପରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ତତ୍କାଳୀନ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି ଏକ ଅଧ୍ୟାଦେଶ ଜାରି କରିଥିଲେ ।
ଉତ୍ତରପ୍ରଦେଶର ଉନ୍ନାଓ ବଳାତ୍କାର ଘଟଣା ପରେ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଆଲୋଚନା ଆରମ୍ଭ ହୋଇଥିଲା । ଭାରତୀୟ ଦଣ୍ଡବିଧି ଆଇନ୍ରେ ଆବଶ୍ୟକ ସଂଶୋଧନ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ ବୋଲି କହିଥିଲେ ।
ଗତ ଏପ୍ରିଲ୍ ମାସରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଜେଜ୍ରିୱାଲ୍ ମଧ୍ୟ ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ ।
ସେହିପରି ବଳାତ୍କା ରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ଆଇନରେ ଆବଶ୍ୟକ ପରିବର୍ତ୍ତନ ଦାବି କରି ଦିଲ୍ଲୀ ମହିଳା କମିଶନ୍ ସ୍ୱାତୀ ମାଲିୱାଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରିଥିଲେ । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି ମଧ୍ୟ ବଳାକ୍ରାରୀଙ୍କୁ ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିବା ସହିତ ଗତ ଏପ୍ରିଲ୍ ମାସରେ ଏକ ଅଧ୍ୟାଦେଶ ଜାରି କରିଥିଲେ ।