ଅଭିନବ ପ୍ରତିବାଦ: ସାଇକଲ ରାଲିରେ ସାମିଲ ହେଲେ ନାଇଡୁ

0

ଅମରାବତୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସ୍ପଷ୍ଟ ମନା କରିଦେବାପରେ କ୍ଷମତାସୀନ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଏନଡିଏରୁ ଓହରି ଆସିବା ସହ ଏନଡିଏ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଅଗତ କରିଛି। ତଥାପି ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉଦ୍ୟମ ଜାରି ରଖିଛନ୍ତି। ରାଜଧାନୀ ଅମରାବତୀରେ ଶୁକ୍ରବାର ଆୟୋଜିତ ଏକ ସାଇକଲ ରାଲିରେ ନାଇଡୁ ନିଜକୁ ସାମିଲ କରିଛନ୍ତି। ଦଳୀୟ କର୍ମୀଙ୍କ ଗହଣରେ ନାଇଡୁ ଭେଙ୍କଟାପାଲେମରୁ ସଚିବାଳୟ ପର୍ଯ୍ୟନ୍ତ ପ୍ରାୟ ଛଅ କିମି ରାସ୍ତା ସାଇକଲ ଚଳାଇଥିଲେ। ରାସ୍ତାର ଉଭୟପାର୍ଶ୍ବରେ ଶତାଧିକ ଦଳୀୟ ସମର୍ଥକ ଓ କର୍ମୀ ପତାକା ଧରି ନାଇଡୁଙ୍କୁ ସ୍ୱାଗତ ଜଣାଇଥିଲେ।
୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜିତ ହୋଇ ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଥିଲା। ସେତେବେଳେ କେନ୍ଦ୍ରରେ କ୍ଷମତାସୀନ ୟୁପିଏ ସରକାର ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରାଯିବ ବୋଲି ନାଇଡୁଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରତିଶ୍ରୁତି ପାଳନ ହେବା ପୂର୍ବରୁ ସେହିବର୍ଷ ଲୋକସଭା ନିର୍ବାଚନରେ ୟୁପିଏକୁ ଗାଦିଚ୍ୟୁତ କରି ବିଜେପି ନେତୃତ୍ୱାଧୀନ ଏନଡିଏ କେନ୍ଦ୍ରରେ କ୍ଷମତା ଅକ୍ତିଆର କରିଥିଲା। ଟିଡିପି ମଧ୍ୟ ପ୍ରାରମ୍ଭରୁ ଏନଡିଏରେ ସାମିଲ ଥିଲା। ତେବେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିବାପରେ ଟିଡିପି ଏନଡିଏରୁ ଓହରି ଯାଇଥିଲା। ଅପରପକ୍ଷରେ ଆନ୍ଧ୍ରକୁ ୧୨,୦୦୦ କୋଟି ଯଙ୍କାର ଅନୁଦାନ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ସରକାର ସୂଚନା ଦେଉଥିବାବେଳେ ଏହି ଅର୍ଥ ସେମାନଙ୍କୁ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ନାଇଡୁ ଅଭିଯୋଗ କରିଛନ୍ତି।

Leave A Reply