ବଢୁଛି ପ୍ରସବ ଅସ୍ତ୍ରୋପଚାର 

ଖୋର୍ଦ୍ଧା ୫୫%, କଟକ ୫୩%, ଗତବର୍ଷ ଅପେକ୍ଷା ୭ ପ୍ରତିଶତ ବୃଦ୍ଧି, ପ୍ରସୂତି କୋଠରୀରେ ଭିତ୍ତିଭୂମି ଅଭାବ

ଶେଷ ମୁହୂର୍ତ୍ତରେ ଆସୁଛନ୍ତି ଡାକ୍ତରଖାନା

prayash

ଭୁବନେଶ୍ବର : ରାଜ୍ୟରେ ଅସ୍ତ୍ରୋପଚାର  ଜରିଆରେ ସନ୍ତାନ ପ୍ରସବ ସଂଖ୍ୟା ବୃଦ୍ଧି ପାଉଛି। ପୂର୍ବବର୍ଷ ତୁଳନାରେ ଏହା ଚଳିତ ବର୍ଷ ୭ପ୍ରତିଶତ ବଢିଛି। ଯେଉଁ ଜିଲା ଗୁଡିକରେ ସ୍ବାସ୍ଥ୍ୟସେବା ଉନ୍ନତ ରହିଛି ସେହି ଜିଲା ଗୁଡିକରେ ହିଁ ଅସ୍ତ୍ରୋପଚାର ଜନିତ ଶିଶୁ ଜନ୍ମ ହାର ବଢୁଛି । ଖୋର୍ଦ୍ଧା ୫୫ପ୍ରତିଶତ, କଟକ ୫୩ପ୍ରତିଶତ ଏବଂ ବରଗଡରେ ଏହା ୪୭ ପ୍ରତିଶତ ରହିଛି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶାଳୟ ତଥ୍ୟ କହୁଛି।
ଆର୍ଥିକ ବର୍ଷ ୨୦୨୧-୨୨ରେ ରାଜ୍ୟରେ ୭ଲକ୍ଷ ୩ ହଜାର ୨୮୦ ଶିଶୁ ଜନ୍ମ ଗ୍ରହଣ କରିଥିବା ବେଳେ ୪ ଲକ୍ଷ ୫୨ ହଜାର ୭୫୫ ଶିଶୁ ସ୍ବାଭାବିକ ପ୍ରସବ ଓ ୧ ଲକ୍ଷ ୬୬ ହଜାର ୫୩୦ ଶିଶୁ ଅସ୍ତ୍ରୋପଚାର  ମାଧ୍ୟମରେ ଜନ୍ମ ହୋଇଛନ୍ତି। ଫଳରେ ୭୩ ପ୍ରତିଶତ ଶିଶୁ ସ୍ବାଭାବିକ ପ୍ରସବ ଦ୍ବାରା ଜନ୍ମ ଗ୍ରହଣ କରିଥିବା ବେଳେ ୨୭ପ୍ରତିଶତ ଅସ୍ତ୍ରୋପଚାର ଜରିଆରେ ଜନ୍ମଲାଭ କରିଛନ୍ତି। ଆଦିବାସୀ ଅଧ୍ୟୁଷିତ ଜିଲା ଗୁଡିକରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ନଥିବା ସ୍ଥଳେ ସେଠାରେ କମ୍‌ ସଂଖ୍ୟକ ଅସ୍ତ୍ରୋପଚାର  ଜନିତ ଶିଶୁ ଜନ୍ମହାର ରହୁଛି। ଅର୍ଥାତ ଭୁବନେଶ୍ବର, କଟକ, ନୟାଗଡ ଆଦି ଜିଲା ଗୁଡିକରେ ସ୍ବାସ୍ଥ୍ୟସେବା ଉନ୍ନତ ଥିଲେ ମଧ୍ୟ ଏଠାରେ ଅସ୍ତ୍ରୋପଚାର ଜନିତ ପ୍ରସବ ହାର ସର୍ବାଧିକ। କନ୍ଧମାଳ ୮ ପ୍ରତିଶତ, କୋରାପୁଟ ଓ ବୌଦ୍ଧରେ ୧୧ ପ୍ରତିଶତ, ରାୟଗଡା ୧୨ ପ୍ରତିଶତ, ଦେବଗଡରେ ୧୩ ପ୍ରତିଶତ ଶିଶୁ ଅସ୍ତ୍ରୋପଚାର ମାଧ୍ୟମରେ ଜନ୍ମ ଗ୍ରହଣ କରିଛନ୍ତି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, ଯେତେବେଳେ ପ୍ରସବ ହୋଇଥାଏ ସେତେବେଳେ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମା’ ଓ ସନ୍ତାନ କିପରି ସୁସ୍ଥ ରହିବେ। ଏହାକୁ ଦୃଷ୍ଟିରେ ରଖି ପ୍ରସବ କରାଯାଇଥାଏ। ଅସ୍ତ୍ରୋପଚାର ଜନିତ ଶିଶୁ ଜନ୍ମ ଅଧିକ ହେବାର କାରଣ ହେଉଛି ଗର୍ଭବତୀ ଶେଷ ମୁହୂର୍ତ୍ତରେ ଡାକ୍ତରଖାନା ଆସିଥାନ୍ତି। ତେଣୁ ପିଲା ଓ ମା’ଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅସ୍ତ୍ରୋପଚାର ଜରିଆରେ ପ୍ରସବ କରାଇବାକୁ ଡାକ୍ତର ନିଷ୍ପତ୍ତି ନେଇଥାନ୍ତି।
ପୂର୍ବରୁ ଗାଁ ଗହଳି ମାନଙ୍କରେ ଗର୍ଭବତୀ ୪ରୁ ୫ଦିନ ପର୍ଯ୍ୟନ୍ତ ପ୍ରସବ କଷ୍ଟ ସହ୍ୟ କରି ଶିଶୁ ଜନ୍ମ ଦେଉଥିଲେ। ପ୍ରସବ କଷ୍ଟ ଦ୍ବାରା କେତେବେଳେ ମା’ର ମୃତ୍ୟୁ ହେଉଥିଲା ତ ଆଉ କେତେବେଳେ ଶିଶୁର ମୃତ୍ୟୁ ହେଉଥିଲା। ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର ବୃଦ୍ଧି ପାଉଥିଲା; କିନ୍ତୁ ଏପରି ବ୍ୟବସ୍ଥା ଆଉ ଗାଁ ଗହଳିରେ ଦେଖିବା ବହୁତ କମ୍‌ । ମାତୃମୃତ୍ୟୁ ଓ ଶିଶୁ ମୃତ୍ୟୁହାର ହ୍ରାସ ପାଇଁ ଗର୍ଭବତୀଙ୍କୁ ଡାକ୍ତରଖାନା ଆଣି ପ୍ରସବ କରାଇବାକୁ ସରକାର ଗୁରୁତ୍ବ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତି ଗାଁରେ ଆଶା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଦ୍ବାରା ଡାକ୍ତରଖାନାରେ ପ୍ରସବ କରାଇବା ଅନୁପାତ ବଢିଛି। ସ୍ବାଭାବିକ ପ୍ରସବ ପରିବର୍ତ୍ତେ ଅସ୍ତ୍ରୋପଚାର ଜନିତ ପ୍ରସବ ବଢିବାର କାରଣ ହେଲା ଡାକ୍ତରଖାନା ଗୁଡିକରେ ଶଯ୍ୟା ଅନୁପାତରେ ରୋଗୀ ସଂଖ୍ୟା ଅଧିକ। ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ଡାକ୍ତର ଜଣେ ଗର୍ଭବତୀଙ୍କୁ ୪ରୁ ୫ଦିନ ଗୋଟିଏ ଶଯ୍ୟାରେ ରଖି ସ୍ବାଭାବିକ ପ୍ରସବ କରାଇବାକୁ ସରକାରୀ ଡାକ୍ତରଖାନାରେ ଡାକ୍ତର ଚାହୁଁନାହାନ୍ତି। କମ ସମୟରେ ଶିଶୁ ଓ ମା’ର ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଅସ୍ତ୍ରୋପଚାର  କରାଇ ନେବାକୁ ପରାମର୍ଶ ଦେଉଛନ୍ତି।
ସ୍ତ୍ରୀ ଓ ପ୍ରସୁତି ବିଶେଷଜ୍ଞ ଡା.ସ୍ବାତିକିରଣ କହିଛନ୍ତି, ଗର୍ଭବତୀ ବୟସ ଅଧିକ କିମ୍ବା କମ୍‌ ଥିଲେ ପରିସ୍ଥିତି ଜଟିଳ ହୋଇପଡେ। ଉଚ୍ଚ ରକ୍ତଚାପ, ଥାଇରଏଡ ପରି ଅନ୍ୟାନ୍ୟ ଜଟିଳ ରୋଗରେ ପୀଡିତ ଥିଲେ ସ୍ବାଭାବିକ ପ୍ରସବ କରାଇବାରେ ଜଟିଳତା ଆସିଥାଏ। ତେଣୁ ନିରାପଦ ପ୍ରସବ ପାଇଁ ଅ‌େ‌ସ୍ତ୍ରାପଚାର କରିବାକୁ ପରାମର୍ଶ ଦିଆଯାଏ। ଅଧିକରୁ ଅଧିକ ସ୍ବାଭାବିକ ପ୍ରସବ କରାଇବାକୁ ହେଲେ ଲେବର ରୁମ୍ ଭିତ୍ତିଭୂମି ବୃଦ୍ଧି ସହ ସେହି ଅନୁସାରେ ଡାକ୍ତର ଓ ସେବିକା ରହିବା ଦରକାର। ସ୍ବାଭାବିକ ପ୍ରସବ ସମୟରେ ଅସୁବିଧା ଆସିଲେ ଅସ୍ତ୍ରୋପଚାର  ନକରି ଭ୍ୟାକୁମ୍‌ ଦ୍ବାରା ଶିଶୁକୁ ଜନ୍ମ ଦିଆଯାଇ ପାରିବ। ବାହାର ଦେଶ ଗୁଡିକରେ ଅସ୍ତ୍ରୋପଚାର  ଜନିତ ପ୍ରସବ ସଂଖ୍ୟା କମ କରିବା ପାଇଁ ଭ୍ୟାକୁମ୍‌କୁ ଅଧିକ ବ୍ୟବହାର କରାଯାଉଛି । ରାଜ୍ୟରେ ଭ୍ୟାକୁମ୍ ଉପରେ ଡାକ୍ତରଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଦିଆଗଲେ ଅସ୍ତ୍ରୋପଚାର ଜନିତ ଶିଶୁ ଜନ୍ମକୁ ହ୍ରାସ କରାଯାଇ ପାରିବ।

Comments are closed.