ପଥର ମାଡ଼ରୁ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଯବାନ ସହିଦ

0

କାଶ୍ମୀର : ଜାମ୍ମୁ କାଶ୍ମୀର ଅନନ୍ତନାଗ ଜିଲାର କୋକେରନାଗ ଅଞ୍ଚଳରେ ବୁଧବାର ପଥର ଫିଙ୍ଗାଳିଙ୍କ ପଥରମାଡ଼ରୁ ଏକ ସିଆରପିଏଫ ଟ୍ରକ୍‌ ଭାରସାମ୍ୟ ହରାଇ ଏକ ସିଆରପିଏଫ୍‌ ବାଇକ୍‌କୁ ଧକ୍କା ଦେବାରୁ ୨ ଜଣ ଯବାନ ପ୍ରାଣ ହରାଇଛନ୍ତି । ଦୁଇ ଦିନ ତଳେ ଅନନ୍ତନାଗ ଓ ସୋପିଆନ ଜିଲାରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳି ବିନିମୟରେ ୧୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହି ଘଟଣାକୁ ନେଇ କାଶ୍ମୀର ଉପତ୍ୟକାରେ ଉତ୍ତେଜନା ଲାଗି ରହିଛି। ସମ୍ବେଦନଶୀଳ ସ୍ଥାନଗୁଡିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପ୍ରଶାସନ ପକ୍ଷରୁ ସବୁ ଶିକ୍ଷାନୁଷ୍ଠାନକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି। ଚାରିଟି ଜିଲାରେ ମୋବାଇଲ ଓ ଇଣ୍ଟରନେଟ ସେବାକୁ ବାତିଲ କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ବୁଧବାର କୋକେରନାଗ ଅଞ୍ଚଳ ଦେଇ ଯାଉଥିବା ଏକ ସିଆରପିଏଫ ଟ୍ରକ୍‌ ଉପରେ ସ୍ଥାନୀୟ ଯୁବକମାନେ ଏକାଠି ହୋଇ ପଥର ମାଡ଼ କରିଥିଲେ । ଡ୍ରାଇଭରଙ୍କ ମୁଣ୍ଡରେ ପଥର ବାଜିବାରୁ ଟ୍ରକ୍‌ଟି ଭାରସାମ୍ୟ ହରାଇ କଡ଼ରେ ବାଇକ୍‌ରେ ଯାଉଥିବା ସିଆରପିଏଫ ଯବାନଙ୍କୁ ଧକ୍କା ଦେଇଥିଲା । ଏଥିରେ ୧୬୪ ସିଆରପିଏଫ ବାଟାଲିୟନର ୨ ଯବାନ ସହିଦ ହୋଇଥିଲାବେଳେ ୩ ଜଣ ଯବାନ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ସେନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply