ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ୍‍ ଜିତିଲା ପାକିସ୍ତାନ

0

ବୁଲାୱାୟୋ : ଘରୋଇ ଜିମ୍ବାୱେ ବିପକ୍ଷରେ ଦିନିକିଆ ସିରିଜ୍‍କୁ ଜିତିନେଇଛି ପାକିସ୍ତାନ। ଜିମ୍ବାୱେକୁ କ୍ରମାଗତ ୩ୟ ଦିନିକିଆ ମ୍ୟାଚ୍‍ରେ ପରାସ୍ତକରି ପାକିସ୍ତାନ ଏବେ ୫ ମ୍ୟାଚ୍‍ର ସିରିଜ୍‍ରେ ୩-୦ରେ ଆଗୁଆ ହୋଇ ସିରିଜ୍‍ ହାତେଇ ନେଇଛି। ବୁଧବାର ଖେଳା ଯାଇଥିବା ୩ୟ ଦିନିକିଆ ମ୍ୟାଚ୍‍ରେ ଫହିମ୍‍ ଅସ୍ରଫ୍‍ଙ୍କ ଘାତକ ବୋଲିଂ ବଳରେ ପାକିସ୍ତାନ ସହଜରେ ୯ ୱିକେଟରେ ବିଜୟୀ ହୋଇଛି। ଅସ୍ରଫ୍‍ ୫ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂ କରିଥିବା ଜିମ୍ବାୱେ ୨୫.୧ ଓଭରରେ ମାତ୍ର ୬୭ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ ଗୋଟିଏ ୱିକେଟ ହରାଇ ୯.୫ ଓଭରରେ ପାକିସ୍ତାନ ଜିତିଥିଲା।
ଟସ୍‍ ଜିତି ଘରୋଇ ଜିମ୍ବାୱେ ବ୍ୟାଟିଂ ନେଇଥିଲା। ନିୟମିତ ବ୍ୟବଧାନରେ ଏହା ୱିକେଟ ହରାଇଥିଲା। ଚାମୁ ଚିଭାଭା ସର୍ବାଧିକ ୧୬ ଓ ଅଧିନାୟକ ହାମିଲ୍‍ଟନ ମାସାକାଡ୍‍ଜା ୧୦ ରନ୍‍ ଲେଖାଏଁ କରିଥିଲେ। ଫଳରେ ଜିମ୍ବାୱେ ଇନିଂସ ୨୫.୧ ଓଭରରେ ସମାପ୍ତ ହୋଇଥିଲା। ପେସ୍‍ ବୋଲର ଫହିମ୍‍ ଅସ୍ରଫ୍‍ ୨୨ ରନ୍‍ଦେଇ ୫ଟି ୱିକେଟ ନେଇଥିଲେ। ଜୁନୈଦ ଖାଁ ୨ଟି ୱିକେଟ ପାଇଥିଲେ। ୬୮ ରନ୍‍ ଲକ୍ଷ୍ୟରେ ପାକିସ୍ତାନ ପ୍ରଥମ ବଲ୍‍ରେ ହିଁ ଇମାମ୍‍ ଉଲ୍‍ ହକ୍‍ଙ୍କ ୱିକେଟ ହରାଇଥିଲା। ପରେ ଫଖର ଜମାନ୍‍ ମାତ୍ର ୨୪ ବଲ୍‍ରୁ ୮ଟି ଚୌକା ସହ ୪୩ ଏବଂ ବାବର ଆଜମ୍‍ ୩ଟି ଚୌକା ସହ ୧୯ ରନ୍‍କରି ଅପରାଜିତ ରହି ଦଳକୁ ଜିତାଇଥିଲେ। ଫହିମ୍‍ ଅସ୍ରଫ୍‍ ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ। ୨୦ରେ ୪ର୍ଥ ଦିନିକିଆ ମ୍ୟାଚ୍‍ ଖେଳାଯିବ।

Leave A Reply