ପ୍ରଧାନମନ୍ତ୍ରୀଙ୍କ କୋଭିଡ ସ୍ଥିିତି ସମୀକ୍ଷା: ସମ୍ପୂର୍ଣ୍ଣ ଟିକାକରଣ ଉପରେ ଗୁରୁତ୍ବ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଦେଶରେ ଦୃତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶରେ କୋଭିଡ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ସମ୍ପ୍ରତି ସୃଷ୍ଟି ହୋଇଥିବା ତୃତୀୟ ଲହରରୁ ଦେଶକୁ ମୁକୁଳାଇବା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିବ ଏବଂ ତାହା କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ କୋଭିଡ ମହାମାରୀକୁ ରୋକିବା ପାଇଁ ଲୋକଙ୍କୁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଥିଲେ।
ଗତ ୧୫ ଦିନ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ ଏବଂ ତାମିଲନାଡୁ ଏବଂ କର୍ଣ୍ଣାଟକ ଭଳି ବଡ ବଡ଼ ମେଟ୍ରୋ ସହରରେ କରୋନା ସ୍ଥିତି ସାଂଘାତିକ ହୋଇଛି। ଏହାରି ଭିତରେ ନିର୍ବାଚନ ଆୟୋଗ ମଧ୍ୟ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା କରିଛନ୍ତି। ଏସବୁ ଦୃଷ୍ଟିରେ ରଖି କୋଭିଡ ମାର୍ଗଦର୍ଶିକା ଅନୁପାଳନ ସହ କିଭଳି ନିର୍ବାଚନ କରାଯାଇପାରିବ ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

କରୋନାର ଦୁଇ ପ୍ରକରଣ ଓମିକ୍ରନ ଓ ଡେଲଟାର ମୁକାବିଲା ପାଇଁ ଏହି ଅବସରରେ ରଣନୀତି ପ୍ରସ୍ତୁତ ହୋଇଛି। ବୈଠକରେ ମିଶନ୍ ମୋଡରେ ଟିକାକରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଦେଇଥିଲେ। ଜିଲା ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେବା ସହିତ ଅଧିକ ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଡେନମେଣ୍ଟ, ସର୍ଭେଲାନ୍ସ କରିବାକୁ ନିର୍ଦେଶ ଦେଇଥିଲେ। ଅଣ କୋଭିଡ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦେଶ ଦେଥିଲେ। ସେହିପରି କୋଭିଡ୍ ଟିକାକରଣକୁ ତ୍ବରାନ୍ବିତ କରିବା ଓ ବୁଷ୍ଟର ଡୋଜକୁ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ଅନ୍ୟପଟେ ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟା।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସମେତ ଗୃହ ସଚିବ, କ୍ୟାବିନେଟ ସେକ୍ରେଟେରୀ ଓ ରେଲୱେ ବୋର୍ଡର ଚେୟାରମ୍ୟାନ ପ୍ରମୁଖ ଆଲୋଚନାରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ କୋଭିଡ୍-୧୯ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.