www.samajalive.in
Wednesday, December 10, 2025
26.1 C
Bhubaneswar

କଳାହାଣ୍ଡିରେ ନାହିଁ କୃଷିଭିତ୍ତିକ କାରଖାନା: ୩୦ ବର୍ଷ ହେଲା ଅନ୍ୟ ରାଜ୍ୟକୁ ଚାଲିଯାଉଛି କପା ମଞ୍ଜି

ଭବାନୀପାଟଣା: କଳାହାଣ୍ଡି ଜିଲା ରାଜ୍ୟରେ ଶ୍ରେଷ୍ଠ ଓ ଆନ୍ତର୍ଜାତିକ ମାନର କପା ଉତ୍ପାଦନକାରୀ ଜିଲା ଭାବେ ପରିଗଣିତ। ଏଠୁ ବାହାରୁଥିବା ପର୍ଯ୍ୟାପ୍ତ ପରିମାଣ କପା ମଞ୍ଜିରୁ ଖାଇବା ତେଲ ଓ ପ୍ରସାଧନ ସାମଗ୍ରୀ ପ୍ରସ୍ତୁତ ହେବାର ବହୁଳ ସମ୍ଭାବନା ରହିଛି। କିନ୍ତୁ ଜିଲାରେ କୌଣସି ସୁବିଧା ନଥିବାରୁ ଏହି କପା ମଞ୍ଜି ବାହାର ରାଜ୍ୟକୁ ଚାଲିଯାଉଛି। ଯାହା ଫଳରେ ଏଥିରୁ ସ୍ଥାନୀୟ ଅଞ୍ଚଳର ଚାଷୀ ଲାଭ ପାଇପାରୁନାହାନ୍ତି।
ରିପୋର୍ଟ ଅନୁସାରେ କଳାହାଣ୍ଡି ଜିଲାରେ ୫ ଲକ୍ଷ କ୍ୱିଣ୍ଟାଲ କପା ବର୍ଷକୁ ଉତ୍ପାଦନ ହୁଏ। ଯେଉଁଥିରୁ ୬୦ ପ୍ରତିଶତ ହିସାବରେ ପ୍ରାୟ ୩ ଲକ୍ଷ କ୍ୱିଣ୍ଟାଲ କପା  ମଞ୍ଜି ଜିନିଂ ପରେ ବାହାରେ। ଯାହା ଏକ ତେଲ ମିଲକୁ ବର୍ଷ ତମାମ ଚଳାଇବା ପାଇଁ ଯଥେଷ୍ଟ। କେବିକେ ଜିଲାର କପାକୁ ହିସାବ କଲେ ବର୍ଷକୁ ୨୦ ଲକ୍ଷ କ୍ୱିଣ୍ଟାଲ କପାରୁ ୧୨ ଲକ୍ଷ କ୍ୱିଣ୍ଟାଲ ମଞ୍ଜି ବାହାରେ। ଏଥିରେ ୪ ଗୋଟି ତେଲ ମିଲ ଚାଲିପାରିବ। ଗୋଟିଏ କେଜି କପା ମଞ୍ଜିରୁ ୧୪ରୁ ୧୫ ପ୍ରତିଶତ ହିସାବରେ ପ୍ରାୟ ୧୫୦ରୁ ୨୦୦ ଗ୍ରାମ୍‌ ତେଲ ବାହାରିଥାଏ। ଯେଉଁ ତେଲ ହୃଦୟ ପାଇଁ ବହୁତ ଭଲ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ଛାଡି ଏଥିରୁ ସାମ୍ପୁ, ସ୍କିନ୍‌କେୟାର ପାଇଁ ତେଲ, ସାବୁନ ଓ ପିଡିଆ ଆଦି ଗୋଖାଦ୍ୟ, କୁକୁଡା ଖାଦ୍ୟ ଆଦି ବି ଉତ୍ପାଦନ ହୋଇଥାଏ। ଗୋଟିଏ କଞ୍ଚାମାଲରୁ ବହୁ ସାମଗ୍ରୀ ବାହାରୁଥିବାରୁ ଓ ସବୁ ବ୍ୟବହାରରେ ଲାଗୁଥିବାରୁ ଏହାର ଚାହିଦା ବାହାର ରାଜ୍ୟରେ ବହୁତ। ଏଠି ମଞ୍ଜି ଟ୍ରେଡିଂ କରି ଟ୍ରେଡରମାନେ କୋଟିକୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ପଞ୍ଜାବ ଓ ହରିଆଣା ଭଳି ରାଜ୍ୟର କାରଖାନାମାନେ ଏହି ମଞ୍ଜି ନେଇ ସମୃଦ୍ଧ ହେଉଛନ୍ତି।
କିନ୍ତୁ ଦୁର୍ଭାଗ୍ୟର କଥା ହାତ ପାହାନ୍ତାରେ ସବୁ ଥାଇ ବି ଏହାର ଫାଇଦା ଅଞ୍ଚଳବାସୀ କି ଜିଲା ନେଇପାରୁନି। ଏହି କପା ମଞ୍ଜିକୁ ଟ୍ରେଡରମାନେ ନେଇ କ୍ୱିଣ୍ଟାଲ ପ୍ରତି ୨୨ ଶହରୁ ୨୭ ଶହ ଟଙ୍କାରେ ବିକ୍ରି କରିଥାନ୍ତି। ଏହା ଅନ୍ୟ ରାଜ୍ୟକୁ ଯିବା ପାଇଁ ପରିବହନ ବାବଦରେ କ୍ୱିଣ୍ଟାଲ ପିଛା ୨ ଶହରୁ ୩ ଶହ ଟଙ୍କା ଲାଗିଥାଏ। ଏଠି ତେଲ ମିଲ୍‌ ଥିଲେ ଏହି ପରିବହନ ବାବଦକୁ ଖର୍ଚ୍ଚ ଟଙ୍କା ଚାଷୀଙ୍କ ପାଖକୁ ଯାଆନ୍ତା। ଅର୍ଥାତ୍‌ କପା କ୍ୱିଣ୍ଟାଲ ପ୍ରତି ସହାୟକ ମୂଲ୍ୟରୁ ଅଧିକ ୨ରୁ ୩ ଶହ ଟଙ୍କା ପାଆନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି। ଜିଲାରେ ରହିଥିବା ୭ଟି ଜିନିଂ ମିଲ୍‌ରୁ ଏହି ମଞ୍ଜି ବହାରି ଅନ୍ୟ ରାଜ୍ୟକୁ ରପ୍ତାନି ହେଉଛି। କେସିଙ୍ଗାସ୍ଥିତ କୋଣାର୍କ ସୂତାକଳ ଅଧାପନ୍ତରିଆ ଭାବରେ ୩୦ ବର୍ଷ ହେଲା ପଡିରହିଛି। ଏହି କାରଖାନା ପାଇଁ ଯେତିକି ଜମି ଅଛ, ଏଥିରେ ହିଁ ବର୍ତ୍ତମାନର ନୂତନ ଟେକ୍ନୋଲୋଜିରେ ସୂତାକଳ ସହ ତେଲ ମିଲ ଓ କପଡା କାରଖାନା ହୋଇପାରିବ। ଫଳରେ ଜିଲାରେ ଆଉ ନିଯୁକ୍ତିର ଅସୁବିଧା ରହିବ ନାହିଁ କି ଦାଦନ ଖଟିବାକୁ ଯିବାକୁ ପଡିବ ନାହିଁ। ଫଳରେ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ଯୋଜନା ବି ସଫଳ ହେବ। ମାତ୍ର ବିଡମ୍ବନାର ବିଷୟ ଏଠି କଞ୍ଚାମାଲ ଥାଇ ସୁଦ୍ଧା ଲୋକେ ତାର ସୁଫଳ ପାଇ ପାରୁନାହାନ୍ତ।  ତେବେ ଏଥିପ୍ରତି ସରକାର ଦୃଷ୍ଟି ଦେଇ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦୃଢ଼ ଦାବି ହୋଇଛି।

Hot this week

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

Related Articles

Popular Categories