ଭାରୀଯାନରେ ଜିପିଏସ୍‍ ଭେଳିକି; ୩୦ କୋଟିର ଦୁର୍ନୀତି ଗନ୍ଧ

0

ଯାଜପୁର ଅଫିସ: ଖଣି ଲୁଟ୍‍ ଉପରେ ଅଙ୍କୁଶ ପ।।ଇଁ ଖଣିଜ ପରିବହନ କରୁଥିବା ଗାଡିଗୁଡିକରେ ଜିପିଏସ୍‍ (ଗ୍ଲୋବାଲ ପୋଜିସନିଂ ସିଷ୍ଟମ) ଲଗାଇବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ। ୨୦୧୬ ଅକ୍ଟୋବର ୧୯ରେ ଏ ନେଇ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଥିଲା। ସେହିବର୍ଷ ନଭେମ୍ବର ୨୨ରେ ଏହାକୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି (ବିଜ୍ଞପ୍ତି ସଂଖ୍ୟା-୯୦୭୧) ଆକାରର ପ୍ରକାଶ କରାଯାଇଥିଲା। ରାଜ୍ୟ ସରକାରଙ୍କ ନୋଡାଲ ଏଜେନ୍ସୀ ଓଡିଶା ସ୍ପେଶ୍‍ ଆପ୍ଲିକେସନ ସେଣ୍ଟର (ଓଆରଏସଏସି) ଏ ବିଷୟରେ ବୈଷୟିକ ପରାମର୍ଶ ଦେବାକୁ ସ୍ଥିର ହୋଇଥିଲା। ଉନ୍ନତ ଏବଂ ଉଚ୍ଚ କ୍ଷମତା ସମ୍ପନ୍ନ ଯନ୍ତ୍ର ଏବଂ ଖଣି ବିଭାଗର ରହିଥିବା ଏ ସମ୍ପର୍କିତ ସର୍ତ୍ତ ପୂରଣ କରୁଥିବା କେଉଁ ଜିିପିଏସ୍‍ କମ୍ପାନୀର ଯନ୍ତ୍ର ଗାଡିର ଲଗାଯିବ ସେ ନେଇ ଖଣି ନିର୍ଦେଶକ ଚୂଡାନ୍ତ ନିଷ୍ପତ୍ତି ନେବାକୁ ନିଷ୍ପତ୍ତି ହୋଇଥିଲା। ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ପାଖାପାଖି ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଉଠିଛି।
ରାଜ୍ୟରେ ୧୪ଟି ଖଣି ସର୍କଲ ଅଧୀନରେ ଥିବା ଖଣିମାନଙ୍କରୁ ଖଣିଜ ପରିବହନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବାକୁ ଏବଂ ଖଣିଜ ଚୋରି ରୋକିବାକୁ ରାଜ୍ୟ ଇସ୍ପାତ ଏବଂ ଖଣି ବିଭାଗର ଆଇଥ୍ରୀଏମଏସ୍‍ ପାର୍ଶ୍ବରେ ମୋଟ ୭୮୦୧୫ଟି ଭାରୀଯାନ ପଞ୍ଜିକୃତ ହୋଇଛି। ସମ୍ପୃକ୍ତ ଗାଡିରେ ଜିପିଏସ୍‍ ଜରିଆରେ ଭେଇକିଲ ଟ୍ରାକିଂ ସିଷ୍ଟମ (ଭିଟିଏସ୍‍) ଲଗାଇବାକୁ ରାଜ୍ୟ ଇସ୍ପାତ ଏବଂ ଖଣି ବିଭାଗ ୨ ବର୍ଷ ତଳେ ନିଷ୍ପତ୍ତି ନେଇଥିଲା। ପଞ୍ଜିକୃତ ଗାଡି ମଧ୍ୟରୁ ମୋଟ ୫୮୩ଟିକୁ ଟ୍ରାକିଂ ମୁକ୍ତ ଘୋଷଣା କରାଯାଇଥିବା ବେଳେ ଅବଶିଷ୍ଟ ଗାଡି ମଧ୍ୟରୁ ୫୩୫୪୧ଟି ଭାରୀଯାନରେ ଭେଇକିଲ ଟ୍ରାକିଂ ସିଷ୍ଟମ ଲାଗିଥିଲା। ଏହି ଜିପିଏସ୍‍ ଯନ୍ତ୍ର ଲଗାଇବାରେ ପାଖାପାଖି ୩୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ବଜାରରେ ୫ହଜାର ଟଙ୍କାରେ ଉପଲବ୍ଧ ହେଉଥିବା ଏହି ଯନ୍ତ୍ର ପାଇଁ ଖଣି ବିଭାଗ ନିର୍ଦେଶକଙ୍କୁ ୬ଟି ସଂସ୍ଥା ତିନି ଗୁଣା ଅଧିକ ଅର୍ଥର କୋଟେସନ ଦେଇଥିବା ଖଣି ବିଭାଗ ୱେବସାଇଟ୍‍ ତଥ୍ୟରୁ ଜଣାପଡିଛି। ଜିପିଏସ୍‍ ଯନ୍ତ୍ର ଲଗାଇବା ପ୍ରକ୍ରିୟାରେ ଖଣି ବିଭାଗର ଧଳାହାତୀଙ୍କର ସମ୍ପୃକ୍ତି ୱେବସାଇଟ୍‍ରୁ ମିଳିଥିବା ବିଭିନ୍ନ ଦସ୍ତାବିଜରୁ ପ୍ରମାଣିତ ହେଉଛି। ଖଣି ବିଭାଗ ଜିପିଏସ୍‍ ଲଗାଇବାକୁ ପୁନେର ଆରୟା ଓମିନି ଟକ୍‍, ଉତ୍ତରପ୍ରଦେଶ ନୋଇଡାର ଫାଷ୍ଟ ଟ୍ରାକ୍‍ର, ହରିଆନାର ରୋଜମେର୍ଟା ଅଟୋଟେକ୍‍, ମହାରାଷ୍ଟ୍ରର ଟ୍ରିମ୍ବଲ ମୋବିଲିଟି ସଲ୍ୟୁସନ, ନୂଆଦିଲ୍ଲୀର ଆର୍ଟଲାଣ୍ଟା ଓ କଲକାତାର ଇ-ଟ୍ରାନ୍ସ ନାମକ ୬ଟି ସଂସ୍ଥାକୁ ବରାଦ ଦେଇଥିଲା। ଜିପିଏସ ସେବା ପ୍ରଦାନ କରୁଥିବା ଏହିସଂସ୍ଥା ସିମ୍‍ ଏବଂ ଆକ୍ଟିଭେସନ ପାଇଁ ୧୨୦୦ ଟଙ୍କା ବ୍ୟତୀତ ବର୍ଷିକିଆ ୱାରେଣ୍ଟିରେ ୯୦୦୦ ଟଙ୍କା ଓ ଟ୍ୟାକ୍ସ, ୨ ବର୍ଷର ୱାରେଣ୍ଟୀରେ ୧୧ ହଜାର ଟଙ୍କା ଓ ଟ୍ୟାକ୍ସ ଏବଂ ୩ ବର୍ଷିଆ ୱରେଣ୍ଟୀରେ ୧୨ ହଜାର ୫୦୦ ଟଙ୍କା ଓ ଅତିରିକ୍ତ ଟ୍ୟାକ୍ସ ବିନିମୟରେ ଭିଟିଏସ୍‍ ଲଗାଇବାକୁ ଖଣି ବିଭାଗକୁ ତାଲିକା ପ୍ରଦାନ କରିଥିଲେ। ଏହା ଉପରେ କୌଣସି ତର୍ଜମା କରାନଯାଇ ଏହି ମୂଲ୍ୟ ତାଲିକାକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ତଦନୁସାରେ ରାଜ୍ୟର ୫୩୫୪୧ଟି ଭାରୀଯାନରେ ଜିପିଏସ୍‍ ମେସିନ ଲାଗିଥିଲା। ସରକାରଙ୍କୁ ପ୍ରଦାନ କରାଯାଇଥିବା ଧାର୍ଯ୍ୟ ତାଲିକା ଠାରୁ ଯଥେଷ୍ଟ ଅଧିକ ମୂଲ୍ୟରେ ଗୋଟିଏ ମେସିନ ପାଇଁ ପାଖାପାଖି ୧୫ ହଜାର ଟଙ୍କା ଆଦାୟ କରାଯାଇଥିଲା। ଆଦାୟ ଟଙ୍କା ବାବଦରେ କୌଣସି ରସିଦ୍‍ କିମ୍ବା ଲାଗିଥିବା ଯନ୍ତ୍ରର ୱାରେଣ୍ଟି ସମ୍ପର୍କରେ କୌଣସି ପ୍ରମାଣ ଗାଡି ମାଲିକଙ୍କୁ ପ୍ରଦାନ କରାଯାଇନଥିଲା। ଗତବର୍ଷ ଲାଗିଥିବା ଭିଟିଏସ୍‍ ଯନ୍ତ୍ର ପାଇଁ ଚଳିତ ବର୍ଷ ମାର୍ଚ୍ଚ ପୂର୍ବରୁ ନବୀକରଣ କରାଯାଇଥିବା ବେଳେ ଏବେ ମେସିନର ସଫ୍ଟୱେୟାର ଅପଡେଟ୍‍ କରାଯାଉଛି। ସରକାରୀ ୱେବସାଇଟ୍‍ରୁ ମଙ୍ଗଳବାର ଅପରାହ୍ଣ ସୁଦ୍ଧା ମିଳିଥିବା ତଥ୍ୟ ମୁତାବକ ରାଜ୍ୟରେ ମୋଟ ୩୭୫୭୪ଟି ଗାଡି ପରିବହନ ପାଇଁ ସବୁଜ ସଙ୍କେତ ପାଇଛନ୍ତି। ଅବଶିଷ୍ଟ ୧୫୩୮୪ଟି ଭାରୀଯାନ ଭିଟିଏସ୍‍ ପଞ୍ଜୀକରଣ ବିଫଳ କାରଣରୁ ପରିବହନରେ ସୁଯୋଗ ପାଇବାରୁ ବଞ୍ଚିତ ହୋଇଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଫଳ ସ୍ୱରୂପ ମଙ୍ଗଳବାର ଦୈତାରୀ ଲୁହା ପଥର ଖଣିରେ ପରିବହନ ବନ୍ଦ ରହିଥିବାବେଳେ ସୁକିନ୍ଦା କ୍ରୋମ ଉପତ୍ୟକାରେ ଖଣିଜ ବୋଝେଇ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଏହି ମେସିନକୁ ଗାଡିରୁ ବାହାର କରିଦେଲେ ମଧ୍ୟ ଗାଡି ଗୁଡିକ ବୋଝେଇ ଏବଂ ଖଲାସ କାର୍ଯ୍ୟ ସୁରୁଖୁରୁରେ କରିପାରୁଥିବା କେତେକ ଗାଡି ମାଲିକ କହିିଛନ୍ତି। କେବଳ ସରକାରୀ ୱେବସାଇଟ୍‍ରେ ଆକ୍ଟିଭେସନ ଏବଂ ରିନ୍ୟୁଆଲ ତଥ୍ୟ ରହିଲେ ଗାଡିଗୁଡିକ ବୋଝେଇ କରିବାକୁ ସହଜରେ ଟ୍ୟାଗ୍‍ ହୋଇପାରୁଛନ୍ତି। ଯାହାକି ଏହି ଯନ୍ତ୍ର ଲଗାଇବାର ସାମଗ୍ରିକ ଉଦ୍ଦେଶ୍ୟକୁ ପଦାରେ ପକାଇଛି। ଏହା ବ୍ୟତୀତ ଜିପିଏସ୍‍ ଲାଗିଥିଲେ ମଧ୍ୟ ନିଜ ଗାଡି କେଉଁଆଡେ ଗଲା ସେ ସମ୍ପର୍କରେ ମାଲିକଙ୍କୁ ଜାଣିବାର କୌଣସି ସୁଯୋଗ ମିଳୁନାହିଁ। କୌଣସି ଜଣେ ହେଲେ ଗାଡି ମାଲିକଙ୍କୁ ଟ୍ରାକିଂ ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଦିଆଯାଇନାହିଁ। ଏହି ଦୁର୍ନୀତି ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ସଂଗଠିତ ହୋଇଛି। ୬ଟି ଯାକ ସଂସ୍ଥା ଓଡିଶାରେ ନିଜର ଶାଖା ରହିଥିବା ସମ୍ପର୍କରେ ଖଣି ବିଭାଗକୁ ଯେଉଁ ତାଲିକା ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ। ଉଦାହରଣ ଭାବେ ଟ୍ରିମ୍ବଲ ମୋବିଲିଟି ସଲ୍ୟୁସନ ଯାଜପୁର ଜିଲା ପାଇଁ ମେହେକ କାର ଫେସନକୁ ନିଜର ବ୍ରାଞ୍ଚ ଅଫିସ ଭାବେ ଦର୍ଶାଇଛି। କଟକର ପରମାନନ୍ଦ ସାହୁଙ୍କ ନମ୍ବରକୁ ଏହି ସଂସ୍ଥା ମିଛ ନମ୍ବର ଭାବେ ଖଣି ବିଭାଗ ପାଖରେ ଉପସ୍ଥାପିତ ମଧ୍ୟ କରାଯାଇଛି।
୪ ହଜାର ଟଙ୍କାର ଜିପିଏସ୍‍ ମେସିନକୁ ୧୩ରୁ ୧୫ ହଜାର ଟଙ୍କାରେ ବିକିଥିବା ଏହି ସଂସ୍ଥା ଠକାମୀ ପାଇଁ ତାଙ୍କ ନମ୍ବର ବ୍ୟବହାର କରିଥିବା ସେ କହିଛନ୍ତି। ତାଲିକାରେ ଥିବା ଅଧିକାଂଶ ନମ୍ବର ମିଛ ବୋଲି ଅନୁସନ୍ଧାନରୁ ଜଣାପଡିଛି। ଏହି ଯୋଜନାବଦ୍ଧ ଲୁଟ୍‍ ପ୍ରକ୍ରିୟାରେ କେଉଁ ସରକାରୀ ବାବୁମାନେ ସମ୍ପୃକ୍ତ ଅଛନ୍ତି ସେ ସମ୍ପର୍କରେ ଭିଜିଲାନ୍ସ ତଦନ୍ତ କରିବା ଲାଗି କେତେକ ଭାରୀଯାନ ମାଲିକ ଦାବି କରିଛନ୍ତି।

Leave A Reply