ଭିଜିଲାନ୍ସ ଅଦାଲତରେ ଡାକ୍ତର ଓ ପ୍ରଧାନଶିକ୍ଷକ ଦୋଷୀ ସାବ୍ୟସ୍ତ

0

ଭୁବନେଶ୍ୱର: ଲାଞ୍ଚ ନେବା ଓ ଦୁର୍ନୀତି ମାମଲାର ଶୁଣାଣି କରି ଭିଜିଲାନ୍ସ ଅଦାଲତ ଜଣେ ଡାକ୍ତର ଓ ପ୍ରଧାନଶିକ୍ଷକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କୁ ଜେଲ ଓ ଅର୍ଥ ଦଣ୍ଡାଦେଶ ହୋଇଛି। କନ୍ଧମାଳ ଜିଲା ବାଲିଗୁଡା ସବଡିଭିଜନ ହସ୍‍ପିଟାଲରେ ପୂର୍ବତନ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ପୀଠଚରଣ ମୁର୍ମୁ ଜଣେ ରୋଗୀଙ୍କ ଚିକିତ୍ସା ଲାଗି ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ରୋଗୀଙ୍କ ସମ୍ପର୍କୀୟ ପ୍ରମୋଦ ରଞ୍ଜନ ନାୟକ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଲାଞ୍ଚ ନେଉଥିବା ବେଳେ ଶ୍ରୀ ମୁର୍ମୁ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ଏହି ମାମଲାର ଶୁଣାଣି କରି ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‍ ଶ୍ରୀ ମୁର୍ମୁଙ୍କୁ ଦୋଷୀ ସାବ୍ୟସ୍ତ କରି ୪ବର୍ଷ ଜେଲ ଓ ୨୦ ହଜାର ଟଙ୍କାର ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ସେହିପରି କନ୍ଧମାଳ ଦାରିଙ୍ଗିବାଡି ବ୍ଲକ ସିଧୁପଦେରୀ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିମ୍ବାଧର ରାଉତ ସରକାରୀ ଅର୍ଥ ଆତ୍ମସାତ୍‍ କରିଥିବା ନେଇ ଅଭିଯୋଗ ହୋଇଥିଲା। ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଏହାର ତଦନ୍ତ କରାଯାଇ ଚାର୍ଜସିଟ୍‍ ଦାଖଲ ହୋଇଥିଲା। ଅଦାଲତ ମାମଲାର ଶୁଣାଣି କରି ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ୫ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ସେହିପରି ଦୁର୍ନୀତି ନିବାରଣ ଆଇନ ଅନୁସାରେ ୩ବର୍ଷ କାରାଦଣ୍ଡ ସହ ୪ଲକ୍ଷ ଟଙ୍କାର ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଏକବର୍ଷ କାରାଦଣ୍ଡାଦେଶ ହୋଇଛି। ସମସ୍ତ ଦଣ୍ଡାଦେଶ ଏକସଙ୍ଗେ ଲାଗୁ ହେବ। ମାମଲାଟି ଦୁଇଟିକୁ ସ୍ୱତନ୍ତ୍ର ଭିଜିଲାନ୍ସ ପିପି ସୁରେଶ କୁମାର ମହାପାତ୍ର ପରିଚାଳନା କରୁଥିଲେ।

Leave A Reply