ଆଗକୁ ସ୍ଥିତିରେ ଆସିବ ସୁଧାର

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଟେଷ୍ଟ ସଂଖ୍ୟା। ଦିନକୁ ଏକ ଲକ୍ଷ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟ ବଢ଼ିବ। ରାଜ୍ୟରେ ନୂଆ ସଂକ୍ରମଣ ହାରକୁ ଦେଖିଲେ ଆଗକୁ ସ୍ଥିତିରେ ସୁଧାର ଆସିବ। ଅପରପକ୍ଷେ ରାଜ୍ୟର ତିନିଟି ଅଧିକ ପ୍ରଭାବିତ ଜିଲାରେ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଗତ ୨୪ ଘଣ୍ଟାରେ ୩୨ ହଜାରରୁ ଅଧିକ ନମୁନା ପରୀକ୍ଷା ହୋଇଥିବା ବେଳେ ଏଥିରୁ ୮୪୯୦ ଆଣ୍ଟିଜେନ୍, ୨୩,୪୯୦ ଆଣ୍ଟିଜେନ୍ ଏବଂ ୧୨୩ ବ୍ରୁନେଟ୍ ଟେଷ୍ଟ ସମ୍ପାଦିତ ହୋଇଛି। ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦେଶକ ଡ଼ଃ ଅଜୟ ପରିଡା କହିଛନ୍ତି ଯେ କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ବାରୋପ କରାଯାଉଛି। ଜଣେ ସଂକ୍ରମିତଙ୍କୁ ଯେତେ ଶୀଘ୍ର ପରୀକ୍ଷା କରାଯିବ, ସେତେ ଶୀଘ୍ର ତାଙ୍କୁ ଆଇସୋଲେଟ୍ କରାଯାଇ ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରାଯାଇପାରିବ। ଏବେ ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ପଜିଟିଭ୍ ସଂଖ୍ୟା ବଢ଼ୁ ଥିବା ବେଳେ ଖୋର୍ଦ୍ଧା, କଟକ ଓ ନୟାଗଡ଼ ଜିଲାରେ ମଧ୍ୟ ସାମାନ୍ୟ ଅଧିକ ରହୁଛି। ଏବେ ରାପିଡ୍ ଆଣ୍ଟିଜେନ୍ ପ୍ରକ୍ରିୟା ଜରିଆରେ ଟେଷ୍ଟ ଉପରେ ଗୁରୁତ୍ବ ଦିଆଯାଉଛି। ଏହା ଦ୍ବାରା ଫଳାଫଳ ଶୀଘ୍ର ମିଳିପାରୁଛି। ଅଧିକ ପରୀକ୍ଷା ଯୋଗୁଁ ରାଜ୍ୟରେ ଏବେ ସଂକ୍ରମଣ ହାର ଶୀର୍ଷରେ ପହଞ୍ଚି ଥିବାରୁ ଆଗକୁ ପଜିଟିଭିଟି ହାର ତଳକୁ ଖସିବାର ଯଥେଷ୍ଟ ସମ୍ଭାବନା ଅଛି। ଏବେ ଜିଲା ସ୍ତରରେ ପର୍ଯ୍ୟାପ୍ତ ପରିମାଣରେ ଟେଷ୍ଟିଂ କିଟ୍ ମହଯୁଦ ରହିଛି। ଲକ୍ଷଣ ଥାଇ ନେଗେଟିଭ୍ ହୋଇଥିବା ବ୍ୟକ୍ତିଙ୍କର ଆଉ ଥରେ ଆରଟି-ପିସିଆର (ରିଭର୍ସ ଟ୍ରାନ୍ସସ୍କ୍ରିପସନ୍-ପଲିମେରାସ୍ ଚେନ୍ ରିଆକ୍ସନ୍) ପରୀକ୍ଷା କରାଯିବ। ଏବେ ରାଜ୍ୟରେ ଦୈନିକ ୮ରୁ ୧୦ ହଜାର ପର୍ଯ୍ୟନ୍ତ ଆରଟି-ପିସିଆର ଟେଷ୍ଟ କରାଯାଉଛି।

ଆରଏମ୍‌ଆରସି ନିର୍ଦେଶିକା ଡ଼ଃ ସଂଘମିତ୍ରା ପତି କହିଛନ୍ତି, ରାଜ୍ୟରେ ଏବେ ଅଧିକ ପରୀକ୍ଷା ସତ୍ତ୍ବେ ନୂଆ ସଂକ୍ରମିତଙ୍କ ସଂଖ୍ୟା କମ୍ ରହିଛି। କଣ୍ଟାକ୍ଟ ଟ୍ରେସିଂରେ ଅଧିକ ପଜିଟିଭ୍ ବାହାରୁଛନ୍ତି। ଏହା ଏକ ସକାରାତ୍କମ ସୂଚନା। ଏବେ ଆଣ୍ଟିଜେନ୍ ଏବଂ ଆରଟି-ପିସିଆର ଟେଷ୍ଟ ଚାଲିଥିବା ବେଳେ ଭବିଷ୍ୟତର ରଣନୀତି ପ୍ରସ୍ତୁତ କରିବା ପାଇଁ ସେରୋ ସର୍ଭେ ବେଶ୍ ଉପାଦେୟ ସାବ୍ୟସ୍ତ ହୋଇପାରିବ। ଆସନ୍ତା ମାସ ସୁଦ୍ଧା ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ। ଏହା ଦ୍ବାରା ଜନସାଧାରଣଙ୍କ ଆଣ୍ଟିବଡ଼ି କ୍ଷମତା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିପାରୁଛି। ଅନ୍ୟ ରାଜ୍ୟରେ ସେରୋ ସର୍ଭେ ଆରମ୍ଭ ହୋଇଥିବା ବେଳେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଏହା ଆରମ୍ଭ କରାଯାଇଥିଲା। ପୁରୀ, ଭୁବନେଶ୍ବର ସହରାଞ୍ଚଳ ଓ ବ୍ରହ୍ମପୁରରେ ସେରୋ ସର୍ଭେ ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ବେଳେ କଟକ ଜିଲା ଅନ୍ତର୍ଗତ ବଡ଼ମ୍ବା ଓ ନରସିଂହପୁରରେ ଏହା ଜାରି ରହିଛି।  ଚଳିତ ମାସ ତୃତୀୟ ସପ୍ତାହ ବେଳକୁ ଭୁବନେଶ୍ବରରେ ଦ୍ବିତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ ହେବ ବୋଲି ସେ କହିଛନ୍ତି।

ଅପରପକ୍ଷେ ସୋଆ କୁଳପତି ତଥା ଖ୍ୟାତନାମା ଚିକିତ୍ସକ ଡ଼ା ଅଶୋକ ମହାପାତ୍ର ମଧ୍ୟ ଅନୁରୂପ ଆଶା ବ୍ୟକ୍ତ କରି କହିଛନ୍ତି ଯେ ପ୍ରତ୍ୟେକ ସଂକ୍ରମଣ ବଢ଼ିବା ପରେ କ୍ରମଶଃ ହ୍ରାସ ପାଇଥାଏ। ବର୍ତ୍ତମାନ ଓଡ଼ିଶାରେ ସଂକ୍ରମଣ ସ୍ଥିର ରହିଛି। ତେଣୁ ଆଗକୁ ଏହା କମିବାର ଯଥେଷ୍ଟ ସମ୍ଭାବନା ରହିଛି।

Comments are closed.