ପ୍ରଣବଙ୍କ ଭାଷଣ ପରେ କଂଗ୍ରେସର ସ୍ୱର ପରିବର୍ତ୍ତନ

0

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ୍‍) ଉତ୍ସବରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଯୋଗଦାନକୁ ବିରୋଧ କରିଆସୁଥିବା କଂଗ୍ରେସ ତାର ସ୍ୱର ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଗୁରୁବାର ପ୍ରଣବଙ୍କ ଭାଷଣ ଶୁଣିବା ପରେ କଂଗ୍ରେସ ତାର ଆଭିମୁଖ୍ୟରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ନୂଆଦିଲ୍ଲୀରେ ସାମ୍ବାଦିକଙ୍କୁ ସମ୍ବୋଧନ କରି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଯୱାଲା କହିଛନ୍ତି ଯେ ପ୍ରଣବ ମୁଖାର୍ଜୀ ଆରଏସଏସକୁ ସତ୍ୟର ବାଟ ଦେଖାଇଛନ୍ତି। ବହୁବାଦ, ସହିଷ୍ଣୁତା, ଧର୍ମନିରପେକ୍ଷତା ହିଁ ଭାରତର ଆତ୍ମା ବୋଲି ପ୍ରଣବ କହିଛନ୍ତି। ଭାରତର ସମାଜକୁ ସମସ୍ତ ପ୍ରକାର ହିଂସା ଓ ଘୃଣାରୁ ମୁକ୍ତ କରିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ପ୍ରଣବଙ୍କ ଏହି ପରାମର୍ଶ ପରେ ଆରଏସଏସ ଓ ବିଜେପି ସେମାନଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବା ଦରକାର। ତେବେ କଂଗ୍ରେସର ଅନ୍ୟତମ ନେତା ମନୀଷ ତିୱାରି ଭିନ୍ନ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଆରଏସଏସ୍‍ କାର୍ଯ୍ୟକ୍ରମରେ ପ୍ରଣବ ଯୋଗ ଦେବାକୁ ନେଇ ସେ ଦେଶବାସୀଙ୍କ ନିକଟରେ ଉତ୍ତରଦାୟୀ। କେଉଁ କାରଣରୁ ପ୍ରଣବ ତାଙ୍କ ହୃଦୟରେ ପରିବର୍ତ୍ତନ ଆଣିଲେ ତାହା ଦେଶବାସୀଙ୍କୁ ଜଣାଇବା ଦରକାର।
ସିପିଆଇ(ଏମ୍‍) ନେତା ସୀତାରାମ ୟେଚୁରୀ କହିଛନ୍ତି ଯେ ପ୍ରଣବ ଆରଏସଏସକୁ ମହାତ୍ମା ଗାନ୍ଧୀଙ୍କ ହତ୍ୟା ବାବଦରେ ମନେପକାଇବାର ଥିଲା। ବିଜେପି ସାଧାରଣ ସଂପାଦକ ରାମ ମାଧବ କହିଛନ୍ତି ଯେ ପ୍ରଣବ ଓ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଭାଷଣ ପରସ୍ପର ସହ ପରିପୂରକ।

Leave A Reply